ଯେଉଁ ଗାଁରେ ସାତଦିନ ରହିଥିଲେ ଗାନ୍ଧୀ, ପ୍ରତିବର୍ଷ ମନେପକାଉଛନ୍ତି ଗ୍ରାମବାସୀ

ଯେଉଁ ଗାଁରେ ସାତଦିନ ରହିଥିଲେ ଗାନ୍ଧୀ, ପ୍ରତିବର୍ଷ ମନେପକାଉଛନ୍ତି ଗ୍ରାମବାସୀ

Thursday April 07, 2016,

3 min Read

ଯେଉଁ ସମୟରେ ସ୍ଵାଧୀନତା ଆନ୍ଦୋଳନର ମୁଖ୍ୟ ପୁରୋଧା ଥିଲେ ମୋହନ ଦାଶ କରମ ଚାନ୍ଦ ଗାନ୍ଧୀ ଆଉ ଯେଉଁ ସମୟରେ ଏହି ଆନ୍ଦୋଳନ ଇଂରେଜମାନଙ୍କ ମୁଣ୍ଡ ବିନ୍ଧାର କାରଣ ହୋଇଥିଲା ଓ ଯେଉଁ ସମୟରେ ସାରା ଦେଶ ଗାନ୍ଧୀଙ୍କୁ ନେଇ ସ୍ୱାଧିନତାର ସ୍ୱପ୍ନ ଦେଖୁଥିଲା, ସେହି ସମୟରେ ଗାନ୍ଧୀ ଆସିଥିଲେ ଓଡିଶାର ଏକ ଅଖ୍ୟାତ ପଲ୍ଲୀକୁ | ଆଉ ସେଠାରେ ବିତାଇଥିଲେ ସାତ ଦିନ ସାତ ରାତି | ନୂଆଣିଆଁ କୁଡିଆ ଘରେ ସେ ବିତାଇଥିଲେ ଏହି ସବୁ ସମୟ ଓ ଗାଁ ପୋଖରୀରେ ଗାଧୋଇଥିଲେ | ଏସବୁ ସ୍ମୃତିକୁ ଏବେ ବି ମନେପକାଉଛନ୍ତି ପୁରୀ ଜିଲ୍ଲାବାସୀ ଓ ଏହି ବେରୋବୋଇ ଗାଁର ଲୋକେ |

image


୧୯୩୮ ମସିହା ମାର୍ଚ୍ଚ ୨୫ ତାରିଖ ସକାଳ ସାଢେ ୭ଟା ବେଳେ ପୁରୀ ଏକ୍ସପ୍ରେସ ଯୋଗେ ଆସି ଗାନ୍ଧିଜୀ ଓହ୍ଲାଇଥିଲେ ବେରବୋଇ ଗାଁ ମୁଣ୍ଡରେ | ମାର୍ଚ୍ଚ ୨୫ରୁ ୩୧ ପର୍ଯ୍ୟନ୍ତ ଗାନ୍ଧି ସେବା ସଂଘର ଐତିହାସିକ ବୈଠକ ଅନୁଷ୍ଠିତ ହୋଇଥିଲା | ଗାନ୍ଧୀଙ୍କ ସହ ଆସିଥିଲେ ପତ୍ନୀ କସ୍ତୁରବା, ପୁଅ ମଣିଲାଲ, ବୋହୂ ସୁଶୀଳା ଓ ନାତି ଅରୁଣ | ଏହି ବୈଠକରେ ଦେଶର ବିଭିନ୍ନ ଅଂଚଳରୁ ପ୍ରାୟ ୪ ହଜାରରୁ ଅଧିକ ପ୍ରତିନିଧି ଯୋଗ ଦେଇଥିଲେ | ସେମାନଙ୍କ ରହଣି ପାଇଁ ପୋଖରୀ ହୁଡା ଓ ଗହୀର ବିଲରେ ତିଆରି ହୋଇଥିଲା ନଡିଆ ବରଡା ଚାଂଚରେ ତିଆରି ୪୦୦ରୁ ଅଧିକ କୁଡିଆ ଘର | ଆଉ ଏଠାରେ ସପ୍ତାହବ୍ୟାପୀ ଦେଶର ଆର୍ଥିକ ବିକାଶ, ଦରିଦ୍ରଙ୍କ ଉତଥାନ, ରାଜନୈତିକ ସ୍ୱାଧିନତା, ଛୁଆଁଅଛୁଆଁ ଭାବ ଦୂରୀକରଣ, ନାରୀ ଜାଗରଣ, କୃଷିର ବିକାଶ ଆଦି ଅନେକ ବିଷୟରେ ଘମାଘୋଟ ଚର୍ଚ୍ଚା ଚାଲିଥିଲା |

ଏହି ଅଧିବେଶନରେ ସର୍ଦ୍ଧାର ବଲ୍ଲଭଭାଇ ପଟେଲ, ଡ. ରାଜେନ୍ଦ୍ର ପ୍ରସାଦ, ଆଚାର୍ଯ୍ୟ ଜେ.ବି.କୃପାଳିନୀ, ମୌଲାନା ଅବୁଲ କାଲାମ ଆଜାଦ୍, ଡ. ପ୍ରଫୁଲ ଚନ୍ଦ୍ର ଘୋଷ, ଗୋବିନ୍ଦ ବଲଭ ପନ୍ଥ, ଯମୁନା ଲାଲ୍ ବାଜାଜ୍, ମହାଦେଶ ଦେଶାଇ, କାକାସେହେବ କାଲେଲକର ପ୍ରମୁଖ ତୁଙ୍ଗ ନେତାମାନେ ଏଥିରେ ଯୋଗ ଦେବାକୁ ଆସିଥିଲେ | ଏମାନେ ସମସ୍ତେ ପ୍ରବଳ ଗରମରେ ମଧ୍ୟ ଚାଂଚର କୁଡିଆ ଘରେ ଦିନରାତି କଟାଇଥିଲେ | ସର୍ଦ୍ଧାର ପଟେଲ ପତାକା ଉତ୍ତୋଳନ କରି ଗାନ୍ଧୀ ସେବା ସଂଘ ଅଧିବେଶନର ଶୁଭାରମ୍ଭ କରିଥିଲେ | ମହାତ୍ମା ଗାନ୍ଧୀ ଏକ କୃଷି ଓ ଗ୍ରାମ୍ୟ ଶିଳ୍ପ ପ୍ରଦର୍ଶନୀ ଉଦଘାଟନ କରିଥିଲେ |

ଏହି ଐତିହାସିକ ଘଟଣାବଳୀ ଉପରେ ଉତ୍କଳ ଗାନ୍ଧି ସ୍ମାରକ ନିଧିର ଅଧ୍ୟକ୍ଷ ପ୍ରହଲ୍ଲାଦ କୁମାର ସିଂହ କହନ୍ତି,

ଏହି ସମ୍ମିଳନୀର ସାଜସଜ୍ଜା ଠାରୁ ଆରମ୍ଭ କରି ପ୍ରତିନିଧିମାନଙ୍କ ରହିବା, ଖାଇବା ଲାଗି ଯେତେସବୁ ସାମଗ୍ରୀ ଆବଶ୍ୟକ ହୋଇଥିଲା, ସେସବୁ ବେରୋବୋଇ ୧୦ ମାଇଲ୍ ଦୂରରେ ଥିବା ବିଭିନ୍ନ ଗାଁରୁ ସଂଗ୍ରହ ହୋଇଥିଲା | ଏଠାରେ ଅନୁଷ୍ଠିତ କୃଷି ଓ ଗ୍ରାମ୍ୟ ଶିଳ୍ପ ପ୍ରଦର୍ଶନୀକୁ ୨ ପଇସିଆ ଟିକେଟ୍ କିଣି ୭୫ ହଜାରରୁ ଅଧିକ ଲୋକ ଦେଖିଥିଲେ | ୨୫ ତାରିଖ ଉଦଘାଟନ ସମାରୋହରେ ୭୫ ହଜାରରୁ ଅଧିକ ଲୋକଙ୍କ ସମାଗମ ହୋଇଥିଲା |

ଏହି ସମ୍ମିଳନୀର ଆୟୋଜନରେ ପଣ୍ଡିତ କୃପାସିନ୍ଧୁ ହୋତା, ଗୋପବନ୍ଧୁ ଚୌଧୂରୀ, ମା ରମାଦେବୀ, ଆଚାର୍ଯ୍ୟ ହରିହର, ରାଧାନାଥ ରଥ, ଅନ୍ନପୂର୍ଣା ମହାରଣା, ବିନୋଦ କାନୁନଗୋ, ଗୁଣନିଧି ମହାନ୍ତି, ମନମୋହନ ଚୌଧୁରୀ, ସତ୍ୟବାଦୀ ନନ୍ଦ, ସୁରେନ୍ଦ୍ର ପଟ୍ଟନାୟକ, ବିଶ୍ୱନାଥ ସାହୁ ପ୍ରମୁଖ ଅଗ୍ରଣୀ ଭୂମିକା ନେଇଥିଲେ | ଏହି ସମ୍ମିଳନୀରେ ଓଡିଶା ପ୍ରଧାନମନ୍ତ୍ରୀ ବିଶ୍ୱନାଥ ଦାସ ଓ ତାଙ୍କ ମନ୍ତ୍ରୀମଣ୍ଡଳର ବହୁ ସଦସ୍ୟ ଓ ବିଧାୟକ ସ୍ୱେଚ୍ଛାସେବକ ଭାବେ କାମ କରିଥିବାର ଜଣାପଡେ |

image


ଯେଉଁ ସ୍ଥାନରେ ଗାନ୍ଧିଜୀଙ୍କ ପାଇଁ ଚାଂଚର କୁଡିଆ ତିଆରି ହୋଇଥିଲା, ଏବେ ସେଠାରେ ରହିଛି ତାଙ୍କ ପ୍ରତିମୂର୍ତ୍ତୀ | ଏହି ପ୍ରତିମୂର୍ତ୍ତୀ ପାଖରେ ଥିବା ବ୍ରହ୍ମେଶ୍ୱର ପୁଷ୍କରଣୀରେ ଗାନ୍ଧିଜୀ ଓ ଅନ୍ୟ ସଂଗ୍ରାମୀମାନେ ସ୍ନାନ କରିଥିଲେ | ସମ୍ମିଳନୀର ସ୍ମାରକ ସ୍ୱରୂପ ମା ରମାଦେବୀଙ୍କ ଉଦ୍ୟମରେ ବେରୋବୋଇରେ ରହିଛି କସ୍ତୁରବା ଗାନ୍ଧି ସ୍ମାରକ କେନ୍ଦ୍ର ସେବାଘର | ଏବେ ବି ପ୍ରତିବର୍ଷ ବେରୋବୋଇରେ ଗାନ୍ଧୀ ସ୍ମାରକ ସମିତି ଏହି ଐତିହାସିକ ସ୍ମୃତି ଦିବସ ପାଳନ କରୁଛି | ଏ ବର୍ଷ ମଧ୍ୟ ମାର୍ଚ୍ଚ ୨୬ ତାରିଖରେ ଗାନ୍ଧୀଜୀଙ୍କ ଆଗମନ ଓ ଅବସ୍ଥାନ ସ୍ମୃତିରେ ଅନେକ କାର୍ଯ୍ୟକ୍ରମ କରାଯାଇଥିଲା ବୋଲି ସମିତିର ସଭାପତି ଅକ୍ଷୟ କୁମାର ନାୟକ କହିଛନ୍ତି । ଏହାକୁ ଏକ ପର୍ଯ୍ୟଟନ କ୍ଷେତ୍ରର ମାନ୍ୟତା ଦେବା ସହା ଏହାର ବିକାଶ କରିବା ଉପରେ ଗ୍ରାମବାସୀମାନେ ଗୁରୁତ୍ୱ ଦେଇଆସିଛନ୍ତି ।