ନବୀନଙ୍କୁ ଚିଠି ଲେଖିଲେ ବସ୍ତି ବାଳିକା

ନବୀନଙ୍କୁ ଚିଠି ଲେଖିଲେ ବସ୍ତି ବାଳିକା

Wednesday January 27, 2016,

2 min Read

image


ଆଗାମୀ ରାଜ୍ୟ ବଜେଟରେ ସହରାଞ୍ଚଳ ବସ୍ତିଗୁଡ଼ିକ ପାଇଁ ସ୍ଵତନ୍ତ୍ର ପ୍ରବନ୍ଧ କରିବାକୁ ଅନୁରୋଧ କରି ବସ୍ତିରେ ରହୁଥିବା ବାଳିକାମାନେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କୁ ଚିଠି ଲେଖିଛନ୍ତି । ଭୁବନେଶ୍ୱର ସହର ଉପକଣ୍ଠ ଶିଖରଚଣ୍ଡୀ ବସ୍ତିର ୩୦ରୁ ଅଧିକ ବାଳିକା ଚଳିତ ଜାନୁଆରି ୨୦ ତାରିଖରେ ମୁଖ୍ୟମନ୍ତ୍ରୀଙ୍କ ଉଦ୍ଦେଶ୍ୟରେ ପୋଷ୍ଟକାର୍ଡ ପ୍ରେରଣ କରିଛନ୍ତି ।

ବଜେଟରେ ବସ୍ତି ଉନ୍ନୟନକୁ ପ୍ରାଧାନ୍ୟ ଦିଅ

ଭୁବନେଶ୍ୱର ସହରରେ ଛୋଟବଡ଼ ପ୍ରାୟ ୪୩୬ଟି ବସ୍ତ ରହିଛି । ଏଥିରେ ୪ ଲକ୍ଷରୁ ଅଧିକ ଲୋକ ବସବାସ କରୁଥିବା ଦାବି କରିଛି ବସ୍ତି ସୁରକ୍ଷା ମଞ୍ଚ । ରାଜଧାନୀର ବିକାଶ ଦିଗରେ ବସ୍ତିମାନଙ୍କର ଗୁରୁତ୍ୱପୂର୍ଣ ଭୂମିକା ଓ ଶ୍ରମଦାନ ରହୁଥିବାରୁ ସେମାନଙ୍କ ପାଇଁ ୨୦୧୬-୧୭ ବଜେଟରେ ସ୍ଵତନ୍ତ୍ର ବ୍ୟବସ୍ଥା ଗ୍ରହଣ କରିବାକୁ ପିଲାମାନେ ପୋଷ୍ଟକାର୍ଡରେ ଅନୁରୋଧ କରିଛନ୍ତି । ବିଶେଷକରି ବସ୍ତିମାନଙ୍କରେ ଷ୍ଟ୍ରିଟ୍ ଲାଇଟ୍, ସ୍ଵଚ୍ଛ ପାନୀୟ ଜଳ ଓ ଡ୍ରେନେଜ୍ ବ୍ୟବସ୍ଥା ପାଇଁ ଆଗାମୀ ବଜେଟରେ ଅର୍ଥ ବରାଦ କରିବାକୁ ସେମାନେ ଜଣାଇଛନ୍ତି ।

ପ୍ରଥମ ଥର ଲାଗି ଜନତାଙ୍କ ମତ ମାଗିଲେ ସରକାର

ପ୍ରଥମ ଥର ଲାଗି ବଜେଟ ପ୍ରସ୍ତୁତିରେ ରାଜ୍ୟବାସୀଙ୍କ ସହଭାଗୀତା ଲୋଡ଼ିଛି ଅର୍ଥ ବିଭାଗ । ଆଗାମୀ ୨୦୧୬-୧୭ ବଜେଟ ଲାଗି ସାଧାରଣ ଜନତାଙ୍କ ପରାମର୍ଶ ଲୋଡ଼ିଛନ୍ତି ସରକାର । ଚଳିତ ମାସରେ ଏ ନେଇ ସରକାରଙ୍କ ଘୋଷଣା ପରେ ୧୪୦୦ରୁ ଅଧିକ E-mail ପରାମର୍ଶ ଓ ପ୍ରାୟ ୩୦୦ ମୋବାଇଲ ଫୋନ୍ SMS ମିଳିଥିବା ଅର୍ଥ ବିଭାଗ ପକ୍ଷରୁ ସୂଚନା ରହିଛି । ସରକାରଙ୍କୁ ବଜେଟ ସମ୍ବନ୍ଧୀୟ ନିଜର ମତାମତ ଓ ପରାମର୍ଶ ପଠାଇବାକୁ ଚାହୁଥିବା ବ୍ୟକ୍ତି ବା ବେସରକାରୀ ଅନୁଷ୍ଠାନ [email protected]ରେ କିମ୍ବା ମୋବାଇଲ ନମ୍ବର 9438161111କୁ SMS ପଠାଇ ପାରିବେ । ୨୦୧୫-୧୬ ରାଜ୍ୟ ବଜେଟରେ ୮୪,୪୮୭.୭୭ କୋଟି ଟଙ୍କା ବ୍ୟୟ ବରାଦ ହୋଇଥିବା ବେଳେ ଆଗାମୀ ବଜେଟରେ ଏ ପରିମାଣ ଏକ ଲକ୍ଷ କୋଟି ଡେଇଁଯିବ ବୋଲି ଆଶା କରାଯାଉଛି ।


ଲେଖକ ଶୁଭ୍ରାଂଶୁ ପଣ୍ଡା ଜଣେ ସାହିତ୍ୟିକ ଓ ସାମ୍ବାଦିକ ଭାବେ ଜଣାଶୁଣା । ତାଙ୍କୁ +91 9338655845 କିମ୍ବା [email protected] ରେ ଯୋଗାଯୋଗ କରାଯାଇ ପାରିବ।