ଶୀର୍ଷକୁ ଯିବା ପାଇଁ ଗରିମା ବର୍ମାଙ୍କ ଦୁଇଟି ଟପ ଲେସନ

0

ଇଏ ଯୋଗାଯୋଗ ଓ ବାର୍ତାଳାପର କଥା । କାହାଣୀ ପରି ବି ଲାଗିପରେ ଆପଣଙ୍କୁ। କିନ୍ତୁ ଯୋଗାଯୋଗ ଓ ପରସ୍ପର ମଧ୍ୟରେ ଥିବା ବ୍ୟବଧାନକୁ କଥାରେ କିମ୍ବା ଆଚରଣରେ କମେଇ ଦେଇପାରିଲ, ସଫଳତା କେମିତି ଆସେ, ସେଇ କାହାଣୀ ହିଁ କହନ୍ତି ଗରିମା ବର୍ମା । ଗରିମା ଯିଏ ଏବେ ଜନ୍ ଏଫ୍ କେନେଡ଼ି ଟେକ୍ନୋଲୋଜି ସେଂଟରର ଯୋଗାଯୋଗ ବା କମ୍ୟୁନିକେସନ ବିଭାଗର ମୁଖ୍ୟ । ୨୦୧୧ମାର୍ଚ୍ଚରେ ଗରିମା ଜିଇରେ ଯୋଗ ଦେଇଥିଲେ । ଏକା କ୍ଷେତ୍ରରେ ଲମ୍ବା ଦିନର ଅନୁଭୂତି ଉପର କଥାକୁ ପ୍ରମାଣିତ କରିଛି, ତାଙ୍କ କ୍ଷେତ୍ରରେ ।

କମ୍ୟୁନିକେସନ କ୍ଷେତ୍ରରେ ଗରିମାଙ୍କ ଅଭିଜ୍ଞତା ୨୫ ବର୍ଷରୁ ଅଧିକ। କର୍ପୋରେଟ କମ୍ୟୁନିକେଶନ, ବାଣ୍ଡ କ୍ରିଏସନ୍, ମାର୍କେଟିଂ, ଚେଂଜ ମାନେଜମେଂଟ ଏବଂ କର୍ପୋରେଟ ସାମାଜିକ ଦାୟିତ୍ୱବୋଧ ଉପରେ ତାଙ୍କର ଅଭିଜ୍ଞତା ଯେତିକି ଅଧିକ, ତା’କୁ ହିଁ ନେଇ ନୂଆ ପରିକଳ୍ପନା ଦେବାର ଲିଡରସିପ୍ ସେତିକି ଲମ୍ବା । କର୍ପୋରେଟ କମ୍ୟୁନିକେସନ୍ ଠାରୁ ଆରମ୍ଭ କରି ସାଧାରଣ ନେତୃତ୍ୱ, ବାଣିଜ୍ୟିକ ଅଭିବୃଦ୍ଧି, କର୍ମଚାରୀଙ୍କ ମଧ୍ୟରେ ଗଠବନ୍ଧନ ଏବଂ ସାଂସ୍କୃତିକ ଆଦାନପ୍ରଦାନ ଉପରେ ମଧ୍ୟ ଗରିମାଙ୍କ ଦକ୍ଷତା ବେଶ ମଜଭୁତ ।

JFWTC ଗରିମା ଇଂଟରନାଲ ଓ ଏକ୍ସଟରନାଲ କମ୍ୟୁନିକେସନ, ବିଭିନ୍ନ ଇଭେଂଟ, ନେତୃତ୍ୱ ବିକାଶରେ ଯୋଗାଯୋଗ ଏବଂ କର୍ମଚାରୀ ଗଠବନ୍ଧନ ଆଦି ବିଭାଗର ମୁଖ ଭାବେ ଦାୟିତ୍ୱ ନିର୍ବାହ କରନ୍ତି । ଏହାବାଦ୍ କଂପାନୀର କର୍ମଚାରୀଙ୍କ ସମୃଦ୍ଧି ଓ ନିରାପତା ପାଇଁ ‘ହେଲ୍ଥ ଆହେଡ’ ନାମକ ଯୋଜନାକୁ ଦିଅନ୍ତି ସାକାର ରୂପ।

ଜିଇ ପୂର୍ବରୁ ଗରିମା ବର୍ମା ଫିଡେଲିଟି ଇନଭେଷ୍ଟମେଂଟ, ମାଇକ୍ରୋଲ୍ୟାଣ୍ଡ, ସନ୍ ମାଇକ୍ରୋସିଷ୍ଟମସରେ ଯୋଗାଯୋଗ ବିଭାଗରେ ଗୁରୁତ୍ୱପୂର୍ଣ୍ଣ ଭୂମିକା ନିର୍ବାହ କରିଛନ୍ତି । ବିଟ୍ସ ପିଲାନୀରୁ କମ୍ପ୍ୟୁଟର ସାଇନ୍ସରେ ସ୍ନାତକ ଡିଗ୍ରୀ ଅର୍ଜନ କରିଥିବା ଗରିମା ପରେ ମୁମ୍ବାଇ ଜାଭିଅର ଇନଷ୍ଟଚ୍ୟୁଟ ଅଫ୍ କମ୍ୟୁନିକେସନ୍ସ, ମୁମ୍ବାଇରୁ ବିଜ୍ଞାପନ ଓ ଗଣଯୋଗାଯୋଗରେ ସ୍ନାତକୋତ୍ତର ଡିଗ୍ରୀ ହାସଲ କରିଥିଲେ ।

(ହର୍ ଷ୍ଟୋରୀ ପକ୍ଷରୁ ଆମେ ତାଙ୍କ ସହିତ ବାଙ୍ଗାଲୋରର ଜିଇ କ୍ୟାମ୍ପସରେ ବିତେଇ ଥିଲୁ ଗୋଟେ ଅପରାହ୍ଣ। ସେଇଠି ସେ ନିଜ ଦୀର୍ଘ ପେଶାଗତ ଅନୁଭୂତିରୁ ଦୁଇଟିର କାହାଣୀ କହିଥିଲେ, ଯାହା ପୃଥିବୀକୁ ଦେଖିବାକୁ ତାଙ୍କ ଦୃଷ୍ଟିକୋଣକୁ ବଦଳାଇ ଦେଇଥିଲା ଏବଂ ସଫଳତାର ଶୀର୍ଷକୁ ବି ନେଇ ଯାଇଥିଲା । )

‘ନିଜର ପରିଚୟ ଭୁଲ ନାହିଁ’

ସେତେବେଳେକୁ ୨୦୦୪ ମସିହା । ଫିଡେଲିଟିର ମୁଖ୍ୟାଳୟ ବୋଷ୍ଟନରେ ମୁଁ କାମ କରୁଥାଏ । ମୁମ୍ବାଇରେ ତାଙ୍କର ଗୋଟେ ଟିମ୍ ବି ଥାଏ। ମୋର ମନେ ଅଛି- ବୋଷ୍ଟନର ଜଣେ ମୋର ସହକର୍ମୀ ମତେ ପଚାରିଲେ- ଏବେ ବି ଭାରତୀୟମାନେ ଯିବା ଆସିବାରେ ହାତୀ ବ୍ୟବହାର କରନ୍ତି କି ? କି ଆଶ୍ଚର୍ଯ୍ୟଜନକ ପ୍ରଶ୍ନ ଦେଖିଲେ । ମୁଁ ଦେଖିଲି ସତରେ କେଡେ଼ ବ୍ୟବଧାନ ରହି ଯାଇଛି ଆମ ଭିତରେ। ଭାବିଲି ସାଂସ୍କୃତିକ ଓ ମାନସିକ କ୍ଷେତ୍ରରେ ଥିବା ସେ ପୁରୁଣାକାଳିଆ ଭାବନାକୁ ଭାଙ୍ଗିବି । ତେଣୁ ବୋଷ୍ଟନ ମୁଖ୍ୟାଳୟରେ ଆମେ ଆୟୋଜନ କରିଥିଲୁ ‘ଇଣ୍ଡିଆ ଡେ଼’ ।

ମୋର ମନେ ଅଛି ବାହାରକୁ ଯିବା ସମୟରେ ପଶ୍ଚିମ ଦେଶର ସମସ୍ତ ପୋଷାକପତ୍ର ଓ ଗାଉନ୍ ଦିନେ ମୁଁ ପ୍ୟାକ୍ କରୁଥିଲି। ମା’ ସେତକ ଦେଖିଲେ । ତା’ ଭିତରେ କିଛି ଶାଢୀ ନେଇଯିବାକୁ ମତେ କହିଲେ । ଯାହା ଭାରତୀୟ ନାରୀର ପରିଚୟ। ମୁଁ ଶାଢୀ ବି ନେଲି । ଯଦିଓ ଏହାକୁ ବ୍ୟବହାର କରିବି କି ନାହିଁ, ମୁଁ ନିଜେ ଥାଏ ସନ୍ଦିହାନ୍ ।

ବୋଷ୍ଟନ ସହରରେ ମୋ ମାନସିକତା କିଛିଟା ବଦଳି ଗଲା। ନିଷ୍ପତି ନେଲି ଶାଢୀ ପିନ୍ଧିବି । ସେଦିନକାର ଇଭେଂଟରେ ଜଣେ ମାତ୍ର ମହିଳା ଶାଢୀ ପିନ୍ଧି ଆସିଥିଲେ। ସେ ଥିଲି ମୁଁ । ତା’ ପୁଣି ୧୭୫ ଜଣଙ୍କ ଭିତରେ।

ଇଭେଂଟ ସରିଲା । ଫିଡେଲିଟି ଇନଭେଷ୍ଟମେଂଟର ସିଇଓ ନେଡ଼୍ ଜନ୍ସନ୍ ମୋ ସାଙ୍ଗରେ ୪୫ ମିନିଟରୁ ଅଧିକ ସମୟରେ ଡିନରରେ ବିତେଇଲେ । ପୃଥିବୀର ଧନୀ ଲୋକଙ୍କ ମଧ୍ୟରୁ ସେ ଜଣେ । ଜନ୍ସନଙ୍କ ସହ ଏମିତି ସମୟ ବିତାଇବା ଅନ୍ୟମାନଙ୍କ ପାଇଁ ଗୋଟେ ବଡ଼ ଏକ ସ୍ୱପ୍ନ । ଆମ ଭିତରେ କଥା ଏମିତି ଆରମ୍ଭ ହୋଇଥିଲା-

ସେ ମତେ ପଚାରିଲେ- ୟଙ୍ଗ୍ ଲେଡ଼ି ତମେ ପିନ୍ଧିଥିବା ଏଇ ଗାର୍ମେଣ୍ଟଟି କଣ ?

ମୁଁ କହିଥିଲି - ଶାଢୀ । ଭାରତୀୟ ପରିଧାନ । ତା’ପରେ ଆମ କଥାର ପରିଧିକୁ ଆସିଥିଲା ଭାରତର ବୟନ ଶିଳ୍ପ ସମ୍ବନ୍ଧିତ ଆଲୋଚନା ଏବଂ ଏହାର ସାଂସ୍କୃତିକ ବିବିଧତା । କେମିତି ଶାଢୀ ପିନ୍ଧା ଯାଏ, ମୁଁ ତାଙ୍କୁ ବତେଇ ଥିଲି । ପରେ ଯେତେବେଳେ ଭାରତ ଆସିବେ, ତାଙ୍କୁ ଭାରତ ବୁଲାଇବା ସହିତ ଶାଢୀ ସପିଂ କରିବା ପାଇଁ ସେ ମତେ ଅନୁରୋଧ କରିଥିଲି । ଆଉ ସେ ଭାରତ ଆସିବା ବେଳେ ତାହା ମୁଁ ସାଦରେ କରିଥିଲି ମଧ୍ୟ ।

ବେଳେବେଳେ ନିଜକୁ ପ୍ରମାଣିତ କରିବା, ସୁଯୋଗକୁ ଆପେ ଡାକି ଆଣିଥାଏ । ପୁଣି ଯେଉଁ ଜାଗାରୁ ଆମେ ଆସିଛନ୍ତି, ତା’କୁ ନେଇ ଆମେ ଗର୍ବ କରିବା କଥା । ଏବେ ତ ଯୁଆଡେ଼ ମୁଁ ଯାଏ, ଗଭୀର ଆତ୍ମବିଶ୍ୱାସ ସହିତ ଭାରତୀୟତାକୁ ମୁଁ ମୋ ସାଙ୍ଗରେ ନେଇଯାଏ ।

ସେଇ ପରାମର୍ଶ, ସେ ଦିନର ଘଟଣା ପାଇଁ ମୋ ମା’ ପାଖରେ ମୁଁ ଚିର ଋଣୀ ।

‘ପ୍ରଥମ ଦେଖାର ସାତ ସେକଣ୍ଡ’

ଏହାର କେଇ ବର୍ଷ ପୂର୍ବର ଘଟଣା । କ୍ୟାରିଅର ଆରମ୍ଭର ସମୟ । କଂପାନୀର ମୁଖ୍ୟ କାର୍ଯ୍ୟନିର୍ବାହୀଙ୍କ ସହ ସାକ୍ଷାତର ସୁଯୋଗ ମତେ ମିଳିଲା । କିନ୍ତୁ ପ୍ରକାରନ୍ତରରେ ତାହା ଭାରି ଖରାପ ଆକାର ନେଇଥିଲା । ମୁଁ ଓ ମୋ ମୁଖ୍ୟ କାର୍ଯ୍ୟ ନିର୍ବାହୀ ଲିଫ୍ଟ ଭିତରେ ଅଟକି ଗଲୁ । ଆମେ ସପ୍ତମ ମହଲାରେ ଥିଲୁ । ଯିବାକୁ ଥିଲା ସବା ତଳ ମହଲା । ସେ ମତେ ପଚାରିଲେ କଣ କରିବା ? ମୁଁ ଏତେ ନର୍ଭସ ଥିଲି ଯେ, ପାଟିରୁ ଶବ୍ଦଟେ ବାହାରିଲାନି।

ସେଇ ଅନୁଭୂତି ମତେ ବଡ଼ ଶିକ୍ଷା ଦେଇଥିଲା । ତା’ପରେ ସବୁବେଳେ କୌଣସି ପଶ୍ନର ଉତ୍ତର ଦେବାକୁ ମୁଁ ତୟାର ଥାଏ । କିଏ ଜାଣେ ଜୀବନର ଲିଫ୍ଟରେ ପୁଣି କେତେବେଳେ ଆପଣ ଅଟକି ଯିବେ !

କୌଣସି ପ୍ରଥମ ସାକ୍ଷାତର ସାତ ମିନିଟ ଭିତରେ ଲୋକମାନେ ଆପଣଙ୍କ ସଂପର୍କରେ ଧାରଣା କରି ନିଅନ୍ତି । ପରେ ଆପଣ ଯେତେ ଭଲ କଲେ ବି ତା’ର ଏତେଟା ଗୁରୁତ୍ୱ ନ ଥାଏ ।

ତେଣୁ ମୁଁ ସବୁବେଳେ ଅନ୍ୟମାନଙ୍କୁ କହେ- ଯୋଗାଯୋଗ, କଥା ହେବା, ପ୍ରଶ୍ନର ଉତର ଦେବା ହିଁ ପ୍ରକୃଷ୍ଟ ମାଧ୍ୟମ । ତାହା ପୁଣି ଗଭୀର ଆତ୍ମବିଶ୍ୱାସର ସହିତ ।