ଜାନୁଆରୀ ୨୯ ଭାରତୀୟ ଖବରକାଗଜ ଦିବସ ଅବସରରେ ଭାରତୀୟ ଗଣମାଧ୍ୟମ: ସ୍ଥିତି, ଧାରା ଓ ଭବିଷ୍ୟତ

ଜାନୁଆରୀ ୨୯ ଭାରତୀୟ ଖବରକାଗଜ ଦିବସ ଅବସରରେ
ଭାରତୀୟ ଗଣମାଧ୍ୟମ: ସ୍ଥିତି, ଧାରା ଓ ଭବିଷ୍ୟତ

Friday January 29, 2016,

4 min Read

ଆଜିକୁ ପାଖାପାଖି ୨୩୬ ବର୍ଷ ତଳେ ଆଜିର ଦିନରେ ପ୍ରକାଶ ପାଇଥିଲା ଭାରତର ପ୍ରଥମ ଖବରକାଗଜ । ‘ବେଙ୍ଗଲ ଗେଜେଟ୍’ । ସେହି ସ୍ମୃତିକୁ ମନେ ପକେଇ ପ୍ରତି ବର୍ଷ ଆମେ ଜାନୁଆରୀ ୨୯ ଦିନଟିକୁ ପାଳନ କରୁ ‘ଭାରତୀୟ ଖବରକାଗଜ ଦିବସ’ ଭାବେ । ଜେମସ ଅଗଷ୍ଟସ୍ ହିକି ନାମକ ଜଣେ ଇଂରେଜ ନାଗରିକ ଭାରତରେ ଖବରକାଗଜ ସଂସାରର ମୂଳଦୁଆ ପକେଇ ଥିଲେ ।

image


ଗଲା ପାଖାପାଖି ଦୁଇଟି ଶତାବ୍ଦୀ ଓ ଆଉ ଗୋଟେ ଅର୍ଦ୍ଧ ଶତାବ୍ଦୀର ଯାତ୍ରା ଭାରତୀୟ ଗଣମାଧ୍ୟମ ସଂସାର ପାଇଁ ବେଶ ରୋମାଂଚକର । ଜାତୀୟତା ଆନ୍ଦୋଳନ ସାଙ୍ଗରେ ଭାରତୀୟ ଗଣମାଧ୍ୟମ ହାତ ମିଳେଇ ବାଟ ଚାଲିଥିଲା । ବାପୁ ନିଜେ ୫ଟି ଖବରକାଗଜ ପ୍ରକାଶ କରୁଥିଲେ । ସମାଜ ସଂସ୍କାରକର ଭୂମିକା ନିଖୁଣ ଭାବେ ସେଇ ସମୟରେ ନିଭେଇ ଥିଲା ଭାରତୀୟ ଗଣମାଧ୍ୟମ ।

ତେବେ ଭାରତୀୟ ଗଣମାଧ୍ୟମର ସାମ୍ପ୍ରତିକ ସ୍ଥିତିକୁ ଗୋଟେ ଶବ୍ଦରେ କହିହେବ । ଦ୍ୱନ୍ଦ୍ୱାତ୍ମକ । ଏ ସଂପର୍କରେ ଚାର୍ଲସ୍ ଡିକେନ୍ସଙ୍କ ଗୋଟିଏ ବାକ୍ୟକୁ ଉଧାର କରି ଆଉରି ସୁନ୍ଦର ଉଦାହରଣଟେ ଦେଇ ହେବ : ଏହା ହେଉଛି ସବୁଠାରୁ ଭଲ ସମୟ, ଏହା ହେଉଛି ସବୁଠାରୁ ଖରାପ ସମୟ (ଇଟ ଇଜ ଦି ବେଷ୍ଟ ଅଫ ଦି ଟାଇମ୍ସ, ଇଟ ଇଜ ଦି ୱର୍ଷ୍ଟ ଅଫ ଦି ଟାଇମ୍ସ- ଏ ଟେଲ୍ ଅଫ୍ ଟୁ ସିଟିଜ୍) ।

ଗୋଟିଏ ଦିଗରୁ ଦେଖିଲେ ଭାରତୀୟ ଗଣମାଧ୍ୟମର ଚିତ୍ରଟି ଅତ୍ୟନ୍ତ ଉଜ୍ୱଳ । ଖବରକାଗଜଗୁଡ଼ିକର ପାଠକ ସଂଖ୍ୟା ବଢିବାରେ ଲାଗିଛି । ଜାତୀୟ ଓ ଆଂଚଳିକ ଖବରକାଗଜର ପ୍ରସାରଣ ବଢୁଛି । ସେମାନେ ଏକାଧିକ ସଂସ୍କରଣ ପ୍ରକାଶ କରୁଛନ୍ତି । ଭାରତରେ ଅବିକା ୭୦,୦୦୦ରୁ ଅଧିକ ଖବରକାଗଜ ପ୍ରକାଶିତ ହେଉଛି । ଭାରତ ପୁଣି ପ୍ରସାରଣ ଦୃଷ୍ଟିରୁ ସବୁଠାରୁ ବଡ଼ ମାର୍କେଟ । ଏଇଠି ଦୈନିକ ୧୦୦ ନିୟୁତ କପି ବିକ୍ରି ହେଉଛି । ଆଜିର ଦିନରେ ୬୯୦ଟି ସାଟେଲାଇଟ୍ ଚ୍ୟାନେଲ୍ ଆମ ଦେଶରେ ରହିଛି । ଯାହା ଭିତରୁ ପାଖାପାଖି ୧୦୦ଟି ହେଉଛି କେବଳ ୨୪ ଘଂଟିଆ ନ୍ୟୁଜ ଚ୍ୟାନେଲ୍ । ଗଣମାଧ୍ୟମ ନୂଆ ବୈଷୟିକ ବିଦ୍ୟାକୁ ଆପଣାଇଛନ୍ତି । ଇଂଟରନେଟ୍ ଚାରିଆଡେ଼ ଛାଇ ଯାଇଛି । ୱେବ ପବ୍ଲିକେସନ୍ ସଂଖ୍ୟା ବଢୁଛି । ଟେକ୍ନୋଲୋଜି, କ୍ରମ ବର୍ଦ୍ଧିଷ୍ଣୁ ସାକ୍ଷରତା ଓ ପାଠକ ସଂଖ୍ୟା, ବଢୁଥିବା ପ୍ରତିଦ୍ୱନ୍ଦିତା ଓ ବଜାରମୂଖୀ ମନୋଭାବ ଗଣମାଧ୍ୟମର ରୂପରେଖ ଓ କାର୍ଯ୍ୟଶୈଳୀକୁ ବଦଳାଇ ଦେଇଛି ।

image


ଅନ୍ୟପକ୍ଷରେ ଦେଖିଲେ ଚିତ୍ରଟି ନୈରାଶ୍ୟଜନକ । ଗଣମାଧ୍ୟମ ସଂସାରରେ କଳାଧନ ନିବେଶ ବଢୁଛି । ବିଲଡର୍, ଖଣି ମାଫିଆ ଖବରକାଗଜ କରି କିମ୍ବା ଚ୍ୟାନେଲ୍ ତିଆରି କରି ତା’କୁ ସୁରକ୍ଷାର ଢାଲ କରିଛନ୍ତି । ଭଲ ଖବର ପାଇଁ ସ୍ଥାନ କମି ଯାଉଛି । ବଜାରମୂଖୀ କାରବାର ଯୋଗୁଁ ଛୋଟ କାଗଜଗୁଡ଼ିକ ବଂଚି ରହିବା କଷ୍ଟକର ହେଉଛି । ଅଧିକାଂଶ ଗଣମାଧ୍ୟମ ସଂସ୍ଥାର ମାଲିକାନା ମୁଷ୍ଟିମେୟ ଲୋକଙ୍କ ହାତରେ ରହୁଥିବାରୁ ଗଣମାଧ୍ୟମର ସ୍ୱାଧିନତା ଉପରେ ବିପଦ ସୃଷ୍ଟି ହୋଇଛି । ଚାଂଚଲ୍ୟକର ଖବର ପ୍ରକାଶନ ଓ ପ୍ରସାରଣ ଗୋଟେ ନୂଆ ଧାରା ଭାବେ ଛିଡ଼ା ହୋଇଛି । ଲଫାଫା ସାମ୍ବାଦିକତା (ଏନଭଲପ୍ ଜର୍ଣ୍ଣାଲିଜିମ୍) ବା ଅର୍ଥ ବଦଳରେ ଖବର ପ୍ରକାଶ କରିବାର ପ୍ରବଣତା ବଢିବାରେ ଲାଗିଛି । ପେଡ଼୍ ନ୍ୟୁଜ୍ ବଢୁଛି । ସାମ୍ବାଦିକତା କ୍ଷେତ୍ରରେ ଦୁର୍ନୀତି ଓ ବ୍ଲାକମେଲିଂ ଆସ୍ଥାନ ଜମେଇ ବସି ଯାଇଛି ।

ଧାରା

ସମୟ ସହିତ ଗଣମାଧ୍ୟମରେ ପରିବର୍ତନ ଆସିଛି । ସ୍ୱାଧୀନତା ପରେ ଭାରତୀୟ ଗଣମାଧ୍ୟମରେ ଅନେକ ସାକାର ପରିବର୍ତନ ସାମ୍ନାକୁ ଆସିଛି । ନୂଆ ଟେକ୍ନୋଲୋଜି ଆସିଛି । ତାଲିମପ୍ରାପ୍ତ, ସାମ୍ବାଦିକତା ପାଠ ପଢିଥିବା ଯୁବ ଗୋଷ୍ଠୀ ସାମ୍ବାଦିକତାକୁ ନିଜ କ୍ୟାରିଅର୍ କରୁଛନ୍ତି । ଗଣମାଧ୍ୟମ ଲୋକାଭିମୂଖୀ ହେବାକୁ ଚେଷ୍ଟା କରୁଛି । ବିଷୟରେ ଅନେକ ବିବିଧତା ଆସିଛି । ନୂଆଦିଲ୍ଲୀର ଇଣ୍ଡିଆନ୍ ଏକ୍ସପ୍ରେସ୍ ନୂଆପଡ଼ା ଜିଲ୍ଲାର ଖବର ୨୦୧୫ ସ୍ୱାଧୀନତା ଦିବସରେ ମୁଖ୍ୟ ଖବର ଭାବେ ନେବା, ତାଆରି ଉଦାହରଣ ।

ପରିପାଟୀ ଉପରେ ଯଥେଷ୍ଟ ଗୁରୁତ୍ୱ ଦିଆଯାଉଛି । ବଡ଼ ବଡ଼ ଫଟୋ, ବ୍ୟଙ୍ଗଚିତ୍ର, କମ୍ପ୍ୟୁଟର ଦ୍ୱାରା କରାଯାଇଥିବା ଇନଫୋଗ୍ରାଫ ଇତ୍ୟାଦିର ବହୁଳ ବ୍ୟବହାର ହେଉଛି । ଏକୁଟିଆ ଫଟୋ (ଷ୍ଟାଣ୍ଡ ଏଲୋନ୍ ଫଟୋ) ପ୍ରକାଶିତ ହେଉଛି ବହୁଳ ଭାବେ । କିଏ ଆଗ ଖବର ଆଣି ଦେବ, ନୂଆ ଖବର ପରିବେଷଣ କରିବ (ବ୍ରେକିଂ ନିଉଜ୍) ସେ ସଂପର୍କରେ ଅଧିକ ଧ୍ୟାନ ଦିଆଯାଉଛି । ସାଧାରଣ ଲୋକଙ୍କ ଭାଷାର ବ୍ୟବହାର ବଢିଛି । ଏକାଧିକରପ୍ରମାଧ୍ୟମ ପ୍ରକ୍ରିୟା (ମଲଟି ମିଡ଼ିଆ ଅପରେସନ ଓ କ୍ରସ୍ ମିଡ଼ିଆ ଓନରସିପ୍) ସାଙ୍ଗକୁ ସଂପ୍ରତି ଗଣମାଧ୍ୟମର ସମଷ୍ଟିକରଣ (କନଭରଜେନ୍ସ) ଦେଖାଯାଉଛି । ସିଟିଜେନ୍ ଜର୍ଣ୍ଣାଲିଜିମ୍ ବା ନାଗରିକ ସାମ୍ବାଦିକତା ନୂଆ ଶତାବ୍ଦୀ ସାଙ୍ଗରେ ବଢି ଯାଇଛି ।

image


ଭବିଷ୍ୟତ

ଏଥର ଭବିଷ୍ୟତ କଥା ଦେଖିବା ।

ଗଣମାଧ୍ୟମ କ୍ଷେତ୍ରରେ ଭବିଷ୍ୟତ କଳନା କରିବା କଷ୍ଟ । କାରଣ: ଏ କ୍ଷେତ୍ରରେ କାରିଗରୀ ଜ୍ଞାନ ଦ୍ରୁତ ବଦଳୁଛି । ସମାଜ ମଧ୍ୟ ସେଇ ଅନୁସାରେ ବଦଳି ଯାଉଛି । ତଥାପି କେତୋଟି କଥା ଆକଳନ କରାଯାଇପାରେ ।

୧. ଗଣମାଧ୍ୟମ ଆହୁରି ଲୋକଙ୍କ ନିକଟବର୍ତୀ ହେବାକୁ ଚେଷ୍ଟା କରିବେ । ଆଂଚଳିକୀକରଣ ବଢିବ ।

୨. ଗଣମାଧ୍ୟମ ସଂସ୍ଥାଗୁଡ଼ିକ ଏକା ସାଙ୍ଗରେ ବହୁ ମାଧ୍ୟମକୁ ଆପଣାଇବେ । ଅର୍ଥାତ୍- ଗୋଟିଏ ସଂସ୍ଥା ଖବରକାଗଜ, ନିଉଜ୍ ଚ୍ୟାନେଲ୍, ରେଡ଼ିଓ, ୱେବ ଓ ମୋବାଇଲ୍ ମାଧ୍ୟମରେ ଖବର ପରିବେଷଣ କରିବାକୁ ଚେଷ୍ଟା କରିବେ ।

୩. ଏହା ଫଳରେ ଜଣେ ସାମ୍ବାଦିକର କାମ ବଢିବ । ତା’କୁ ପ୍ରତିଟି କ୍ଷେତ୍ରରେ ତାଲିମପ୍ରାପ୍ତ ହେବାକୁ ପଡ଼ିବ । ଗଣମାଧ୍ୟମର ସମଷ୍ଟିକରଣ ବା ଏକାଧିକ ପ୍ରସାରଣ ମାଲିକାନା ହେତୁ, ସେ ଗୋଟିଏ ଘଟଣା ପାଇଁ ଏକାଥରେ ଖବରକାଗଜ, ଟିଭି, ରେଡ଼ିଓ, ଇଂଟରନେଟ୍ ପାଇଁ ରିପୋର୍ଟିଂ କରିବ । ସାମ୍ବାଦିକକୁ ଅଧିକ ଦକ୍ଷ ଓ କାରିଗରୀ ଜ୍ଞାନରେ ନିପୁଣ ହେବାକୁ ପଡ଼ିବ ।

୪. ଇଂଟରନେଟ୍ ଓ ଇ-ପେପର୍ ସଂଖ୍ୟା ବଢିବ ।

୫. ମୋବାଇଲ୍ ମାଧ୍ୟମରେ ଖବର ପାଇବାକୁ ଲୋକେ ପସନ୍ଦ କରିବେ ।

୬. ସାମ୍ବାଦିକତା ଶିକ୍ଷାନୁଷ୍ଠାନ ସଂଖ୍ୟା ବଢିବ । ତାଲିମପ୍ରାପ୍ତ ଲୋକ ହାତକୁ ଖବର ଯିବ ।

୭. ଗଣମାଧ୍ୟମ ସଂସ୍ଥାଗୁଡ଼ିକ କର୍ପୋରେଟ୍ ସାମାଜିକ ଦାୟିତ୍ୱବୋଧ ଆଡ଼କୁ ଢଳିବେ । ଏହା ତାକୁ ଲୋକଙ୍କ ନିକଟବର୍ତୀ କରିବ ।

୮. ସିଟିଜେନ ଜର୍ଣ୍ଣାଲିଜିମ୍ ବଢିଲେ ମଧ୍ୟ ଏହା କେବେ ବି ପାରଂପରିକ ସାମ୍ବାଦିକତାର ବିକଳ୍ପ ହୋଇପାରିବ ନାହିଁ । କାରଣ- ଲୋକେ ବିଶ୍ୱାସଯୋଗ୍ୟ ଖବର ଖୋଜିବେ । ବିଭିନ୍ନ ସୂତ୍ରରୁ ମିଳୁଥିବା ତଥ୍ୟରୁ ନିର୍ଯ୍ୟାସଟି ପାଇବାକୁ ଚାହିଁବେ । ଭବିଷ୍ୟତରେ ତଥ୍ୟ ପାଇବା ସହଜ ହେବ । ହେଲେ ତଥ୍ୟରୁ ଅର୍ଥ ଖୋଜିବା ଅଧିକ ଆବଶ୍ୟକ ହୋଇ ପଡ଼ିବ ।


ଜ୍ୟୋତି ପ୍ରକାଶ ମହାପାତ୍ର,

ସାମ୍ବାଦିକତା ବିଭାଗ,

ଓଡ଼ିଶା ରାଜ୍ୟ ମୁକ୍ତ ବିଶ୍ୱବିଦ୍ୟାଳୟ, ସମ୍ବଲପୁର ।