ଗଣେଶ ମୂର୍ତ୍ତିରୁ ଭେଣ୍ଡି ଗଛ: ଗଛ ଗଣେଶଙ୍କ କାହାଣୀ

8

ବରଷର ସେଇ ଦିନ ପୁଣି ଆସିଛି। ରାସ୍ତାଘାଟ ନୂଆଁ ବାହା ହେଲା କନିଆଁ ଭଳି ସଜବାଜ ହେଇଛନ୍ତି। ଘରେ ସମସ୍ତଙ୍କୁ ଅପେକ୍ଷା ସେଇ ଜଣେ ଅତିଥିଙ୍କୁ ଯିଏ ସବୁ ବର୍ଷ ଆସନ୍ତି ଆଉ ଅସୀମ ଶକ୍ତି, ସଦିଚ୍ଛା, ଆନନ୍ଦ ଓ ଏକତା ଉପହାରରେ ଦେଇଯାଆନ୍ତି। ସବୁ ଘରୁ ସୁସ୍ଵାଦୁ ଖାଦ୍ୟପଦାର୍ଥର ମହମହ ବାସନା ଆଉ ଘରଦୁଆରରେ ଫୁଲମାଳା, ସବୁ ସେଇ ପେଟୁ ଗଣେଶଙ୍କ ସ୍ଵାଗତ ପାଇଁ।

ସାରା ଦେଶରେ ଖୁବ ଆନନ୍ଦର ସହକାରେ ପାଳିତ ହେଉଥିବା ଗଣେଶ ଚତୁର୍ଥୀ ପର୍ବ ଦିନ ବିଦ୍ୟା, ବୁଦ୍ଧି, ସିଦ୍ଧି, ସୌଭାଗ୍ୟର ଦେବତା ଅଗ୍ରପୂଜ୍ୟ ଆଦିଦେବଙ୍କ ଆରାଧନା କରାଯାଏ। ସଭିଏଁ ଗଣନାଥଙ୍କର ପୂଜା କରି ଏତିକି ପ୍ରାର୍ଥନା କରନ୍ତି ଯେ କିପରି ତାଙ୍କର ସବୁ କାର୍ଯ୍ୟ ବିନା ବିଘ୍ନରେ ସମ୍ପନ୍ନ ହେଇଯାଉ।

କିନ୍ତୁ ପ୍ରତ୍ୟେକ ଉତ୍ସବ ଭଳି ଏହି ଉତ୍ସବ ସହ ମଧ୍ୟ କିଛି ବାସ୍ତବିକତା ଜଡିତ ଅଛି ଯାହାକୁ ଆମେ ସମସ୍ତେ ପ୍ରାୟ ଅଣଦେଖା କରିଥାଉ। ସେ ହେଲା ବିସର୍ଜନ। ସେଦିନ ଆମେ ଭକ୍ତ ମାନେ ପ୍ରଭୁଙ୍କ ମୂର୍ତ୍ତି ସହ ଆହୁରି ଅନେକ ପ୍ରଦୂଷଣ କରୁଥିବା ବସ୍ତୁ ସବୁ ନେଇ ମାଡ଼ି ଦେଇଥାଉ ନଦୀ, ପୋଖରୀ ଓ ସମୁଦ୍ର ଗର୍ଭରେ। ସେ ବିଷୟରେ କେବେ ଚିନ୍ତା କରିଛନ୍ତି କି ? ପ୍ରତ୍ୟେକ ବର୍ଷ ଦଶଦିନ ବ୍ୟାପୀ ଏହି ଉତ୍ସବର ଶେଷରେ ଯେତେବେଳେ ବିଷାକ୍ତ ରାସାୟନିକ ରଙ୍ଗରେ ତିଆରି ଏହି ମୂର୍ତ୍ତି ସବୁ ଆମେ ଜଳାଶୟ, ନଦୀ, ସମୁଦ୍ର ମାନଙ୍କରେ ବିସର୍ଜନ କରିଥାଉ, ତା’ର ପ୍ରଭାବରେ ଜଳ ଓ ପାଖାପାଖି ପରିବେଶ ଏତେ ପ୍ରଦୂଷିତ ହୋଇଥାଏ ଯେ ଏହାକୁ ପୁଣି ନିଜକୁ ଶୁଦ୍ଧ କରିବା ପାଇଁ ବର୍ଷବର୍ଷ ଲାଗିଥାଏ। କିନ୍ତୁ ସେସମୟ ଆମେ ତାକୁ ଦେଉନା। ଆମେ ପରିବେଶକୁ ଅଣନିଶ୍ଵାସୀ କରି ମାଡ଼ି ଚାଲିଥାଉ ତା’ ଗର୍ଭରେ ଆବର୍ଜନା।

ବିସର୍ଜନ କ୍ରିୟାର ଏହି କ୍ଷତିକାରକ ଦିଗ ଉପରେ ଅନେକ ଲୋକେ ବିଚାର କରିଥିଲେ ମଧ୍ୟ ଦତ୍ତାଦ୍ରି କୋଠୁର ନାମକ ପରେଲ, ମୁମ୍ବାଇରେ ରହୁଥିବା ଜଣେ ୩୦ ବର୍ଷ ବୟସ୍କ ଯୁବ ଉଦ୍ୟୋଗୀ ଆଗେଇ ଆସିଛନ୍ତି ଏହାର ସମାଧାନ ସହ। ତାଙ୍କର ସମାଧାନକୁ ସେ ଗର୍ବର ସହ ଡାକନ୍ତି ଟ୍ରୀ ଗଣେଶ ବା ଗଛ ଗଣେଶ

କିପରି ହେଲା ଟ୍ରୀ ଗଣେଶଙ୍କ ଶ୍ରୀ ଗଣେଶ

୨୦୧୫ରେ ଆରମ୍ଭ ହେଇଥିଲା ଦତ୍ତାଦ୍ରିଙ୍କର ଏଇ ପ୍ରୋଜେକ୍ଟ। ସେ କୁହନ୍ତି,

ଆମେ ଶ୍ରୀ ଗଣେଶ ଶ୍ରୀ ଗଣେଶ ବୋଲି ଉଚ୍ଚାରଣ କରିଥାଉ। ଏମିତି ଗଣପତିଙ୍କ ପ୍ରାର୍ଥନା କରିବା ସମୟରେ ଟ୍ରୀ ଗଣେଶ ନାମଟି ମନକୁ ଆସିଲା। ପଦ ମଧ୍ୟ ପଡୁଥିଲା ଓ ଥିମକୁ ମଧ୍ୟ ଭଲ ଭାବେ ବୁଝାଉଥିଲା ସେଥିପାଇଁ ଆମେ ଆମର ଏହି ପଦକ୍ଷେପର ନାମ ଟ୍ରୀ ଗଣେଶ ରଖିବାକୁ ସ୍ଥିର କଲୁ।

ଲୋୟର ପରେଲ, ମୁମ୍ବାଇରେ ଥିବା ତାଙ୍କ ଟିମରେ ଅଛନ୍ତି ୮ ଜଣ କୁଶଳୀ ଯୁବ ଶିଳ୍ପୀ। ଦତ୍ତାଦ୍ରି ନିଜେ ଏକ ଆର୍ଟ ଏଜେନ୍ସିର ସିନିୟର କଳାକାର ଓ ଜଣେ ଯୋଗ୍ୟତାପ୍ରାପ୍ତ ବ୍ୟବସାୟୀକ ଶିଳ୍ପୀ। ଯଦିଓ ତାଙ୍କ ଜନ୍ମ ଆନ୍ଧ୍ରପ୍ରଦେଶରେ କିନ୍ତୁ ଜୀବନର ବହୁଭାଗ କଟିଛି ମୁମ୍ବାଇ ସହରରେ। ଏଠାରେ ସେ ନିଜ ଅବସରପ୍ରାପ୍ତ ପିତା, ମା ଓ ତିନି ଜଣ ବଡ ଭାଇଭଉଣୀଙ୍କ ସଙ୍ଗେ ରୁହନ୍ତି। ସେ ହେଲେ ସବୁଠାରୁ ସାନ।

ପ୍ରତିବର୍ଷ ଆମେ ଚୌପାଟି ଯାଇ ଆମର ମୂର୍ତ୍ତି ବିସର୍ଜନ କରିଆସୁ ଓ ପ୍ରତିବର୍ଷ ଉତ୍ସବ ନାମରେ ଆମର ଜଳାଶୟ ମାନଙ୍କୁ ଯେପରି ଭାବେ କଦର୍ଯ୍ୟ କଦାକାର କରିଦେଇଆସୁ ତାହା ଅତ୍ୟନ୍ତ ଦୁର୍ଭାଗ୍ୟଜନକ। ସେଥିପାଇଁ ମୋ ମନରେ ଏପରି ଏକ ବିଚାର ଜନ୍ମ ନେଲା।
ଗଛ ଗଣେଶ ପଛରେ ଥିବା ଶିଳ୍ପୀବୃନ୍ଦ
ଗଛ ଗଣେଶ ପଛରେ ଥିବା ଶିଳ୍ପୀବୃନ୍ଦ

ଗଛ ଗଣେଶଙ୍କ ମଞ୍ଜି 

ପ୍ରତିବର୍ଷ ଉତ୍ସବ ସରିଲା ପରେ ଏହି ମୂର୍ତ୍ତି ଗୁଡିକୁ ଏକ କୁଣ୍ଡରେ ବିସର୍ଜନ କରାଯାଇପାରିବ। ପ୍ରତ୍ୟେକ ମୂର୍ତ୍ତି କିଛିଦିନ ପରେ ଏକ ଭେଣ୍ଡି ଗଛର ରୂପ ନେବ। ୧୨ ଇଞ୍ଚ ଉଚ୍ଚରୁ ଆରମ୍ଭ କରି ୧୫ ଇଞ୍ଚ ଓ ୨୦ ଇଞ୍ଚ ଆକାରରେ ଏହି ମୂର୍ତ୍ତି ଗୁଡ଼ିକ ଉପଲବ୍ଧ। ୨୦୧୫ରେ ଆରମ୍ଭ କରିବା ସମୟରେ ସେ କେବଳ ଗୋଟିଏ ମାତ୍ର ଏପରି ମୂର୍ତ୍ତି ନିଜ ପରିବାର ପାଇଁ ତିଆରି କରିଥିଲେ। କିନ୍ତୁ ଫେସବୁକ ଓ Whatsappରେ ଏକ ଭିଡିଓ କରି ଛାଡିଥିଲେ ଯାହାକୁ ଦେଖି ଲୋକେ ଏପରି କିଛି କରାଯାଇପାରିବ ବୋଲି ଜାଣିବେ ଓ ବିସର୍ଜନ ଜନିତ ପ୍ରଦୂଷଣ ସମ୍ପର୍କରେ ସଚେତନ ହେବେ ବୋଲି।

ଖୁବଶୀଘ୍ର ସେଇ ଭିଡିଓଟି ଇଣ୍ଟରନେଟରେ ଭାଇରାଲ ହେଇଗଲା ଓ ଆଜି ଯାଏଁ ପ୍ରାୟ ୧,୮୦,୦୦୦ ଜନତାଙ୍କ ଦୃଷ୍ଟି ଆକର୍ଷଣ କରିପାରିଛି। ଏହି ବର୍ଷ ଦତ୍ତାଦ୍ରି ଏକ ୱେବସାଇଟ କରି ଏହା ସାହାଯ୍ୟରେ ଏପରି ମୂର୍ତ୍ତି ପାଇଁ ଅର୍ଡର ନେବା ଆରମ୍ଭ କଲେ। ମାତ୍ର ୫ ଦିନରେ ସେ ୫୦୦ଟି ନିଶ୍ଚିତ ଅର୍ଡର ସହ ପ୍ରାୟ ୪୦୦୦ ଅନୁରୋଧ ପାଇଛନ୍ତି। ମାତ୍ର ଏକ ବର୍ଷର ବ୍ୟବସାୟୀକ ମାର୍କେଟିଙ୍ଗ ଭିତରେ ସେ ତିନି ଲକ୍ଷରୁ ଅଧିକ ଲାଭ କରିପାରିଛନ୍ତି। ଏହି ରାଶିକୁ ସେ ଟ୍ରୀ ଗଣେଶକୁ ଆହୁରି ଆଗକୁ ନେବାପାଇଁ ଉପଯୋଗ କରିବେ ବୋଲି ଭାବିଛନ୍ତି।

ମୁଁ Whatsappରେ ପ୍ରଥମେ ୬୦ ଜଣଙ୍କୁ ନେଇ ଏକ ଗୃପ କରି ଏଇ ଭିଡିଓଟି ଶେୟାର କରିଥିଲି। କେବେ ଭାବିନଥିଲି ଯେ ମୋର ସାଙ୍ଗ ମାନେ ତାକୁ ଫେସବୁକରେ ଛାଡିଦେବେ ଓ ତା’ପରେ ଏପରି ଏକ ଜବରଦସ୍ତ ପ୍ରତିକ୍ରିୟା ଆସିବ। ଆଜି ମୋତେ ମୁଁ ରହୁଥିବା ଅଞ୍ଚଳରେ ସମସ୍ତେ ଜାଣିଛନ୍ତି ଓ ମୁଁ ଖୁବ ଆଶାବାଦୀ ଯେ ଆଗକୁ ଯାଇ ମୋତେ ସମସ୍ତେ ଚିହ୍ନିବେ।

ଟ୍ରୀ ଗଣେଶଙ୍କ ଭିତରେ ଅଛି କଅଣ

ପ୍ରତି ଟି ମୂର୍ତ୍ତି ଧାରାବୀ ବସ୍ତିରୁ ଅଣାଯାଇଥିବା ନାଲି ମାଟିରେ ତିଆରି। ଛାଞ୍ଚରେ ପଡିସାରିବା ପରେ ମୂର୍ତ୍ତିର ତଳ ଭାଗରେ ଜୈବିକ ସାର ସହ ମଞ୍ଜି ଭର୍ତ୍ତି କରାଯାଇଥାଏ।

ଅନେକ ପଢାଶୁଣା ଓ ଖୋଜ ପରେ ମୁଁ ଜାଣିଲି ଯେ ଭେଣ୍ଡି ଏକ ଏପରି ଚାରା ଯାହା ଋତୁ ଭିତ୍ତିକ ନୁହେଁ ଓ ବିଶେଷ ଯତ୍ନ ଆବଶ୍ୟକ କରେନାହିଁ।

ଏହି ମୂର୍ତ୍ତି ଗୁଡ଼ିକରେ କେବଳ ଆଖି ଥିବା ଅଂଶରେ ହିଁ ରଙ୍ଗ ବ୍ୟବହାର କରାଯାଇଥାଏ। ମୂର୍ତ୍ତିର ଅବଶିଷ୍ଠାଂଶ ମାଟିର ନିଜ ରଙ୍ଗ ମାଟିଆ ହେଇଥାଏ। ଏହି ମୂର୍ତ୍ତି ଚାରି ଦିନ ମଧ୍ୟରେ ନିଜର ଅସଲ ରୂପ (ଯାହା ହେଲା ମାଟି)କୁ ଆସିଯାଏ।

ଭବିଷ୍ୟତ ସମ୍ପର୍କରେ ତାଙ୍କର ଯୋଜନା କଣ ପଚାରିଲେ ଦତ୍ତାଦ୍ରି ଉତ୍ତର ଦିଅନ୍ତି,

ମୁଁ ମୋର ଏହି ଛୋଟ ପଦକ୍ଷେପକୁ ସେଇଦିନ ସଫଳ ବୋଲି ଭାବିବି ଯେବେ ଲକ୍ଷେରୁ ଅଧିକ ମୂର୍ତ୍ତି ବିକ୍ରି କରିପାରିବି ଓ ଯାହାର ଅର୍ଥ ଲକ୍ଷେରୁ ଅଧିକ ଚାରାକୁ ଜୀବନ ଦେଇପାରିବି।

ଉତ୍ସବର କୋଳାହଳରେ ସାରା ଦେଶ ମାତିଛି, ସାଇପଡିଶା ସବୁ ଉତ୍ସବମୁଖର। କିନ୍ତୁ ଉତ୍ସବର ଅସଲ ଅର୍ଥ ଦତ୍ତାଦ୍ରିଙ୍କ ଭଳି କିଛି ଲୋକ ନିଜ ଭିତରେ ସାଇତି ରଖିଛନ୍ତି ଓ ଅନ୍ୟଙ୍କୁ ବାଣ୍ଟୁଛନ୍ତି ମଧ୍ୟ। 

a dreamer...a believer...an optimist...I refuse to look at the glass half empty. Its always a glass half full for me..I believe happiness and optimism is contagious. I am determined to spread them everywhere I go... When I am not dreaming, writing and spreading happiness, you can catch me watching food/cooking/cuisines of the world shows on TV..Reach me at ruchismita@yourstory.com

Related Stories