ପରିବେଶ ଚିନ୍ତା : ଉଭାନ ରୃତୁ

0

ପରିବେଶ ପ୍ରଦୂଷଣ ଆଜି ସମଗ୍ର ବିଶ୍ଵ ପାଇଁ ଚିନ୍ତାର କାରଣ ହୋଇଛି । ଗତ ମଇ ୨୩ ତାରିଖରେ ରାଜଧାନୀ ଭୁବନେଶ୍ଵର, କଟକ ସମେତ ରାଜ୍ୟର ବିଭିନ୍ନ ଅଞ୍ଚଳରେ କାଳବୈଶାଖୀର ତାଣ୍ଡବ ଲୀଳାକୁ ଦେଖି ଲାଗୁଥିଲା ଯେପରି ମହାବାତ୍ୟା ହେଉଛି । ଗତବର୍ଷ ଭୟଙ୍କର ଭୂମିକମ୍ପ ନେପାଳର ଜନଜୀବନ ଓ ଅର୍ଥନୀତିକୁ ଧ୍ଵସ୍ତବିଧ୍ଵସ୍ତ କରିଦେଇଥିବା ବେଳେ ଆମ ଦେଶ ତଥା ରାଜ୍ୟରେ ମଧ୍ୟ ଏହାର ପ୍ରଭାବ ଅନୁଭୂତ ହୋଇଥିଲା । ଏହି ଭୂମକମ୍ପର ନିର୍ଘାତ ପ୍ରହାରରେ ନେପାଳ ସମେତ ସିକିମ୍, ଭୁଟାନ, ଭାରତ, ପାକିସ୍ତାନ ପର୍ଯ୍ୟନ୍ତ ଏସୀୟ ଭୂଖଣ୍ଡ ଥରିଉଠିଥିଲା । ହିମାଳୟରେ ବାଦଲଫଟା ବର୍ଷାରୁ ସୃଷ୍ଟି ଉତ୍ତରାଖଣ୍ଡ ମହାପ୍ରଳୟକୁ ଏବେ ତିନିବର୍ଷ ପୂରିବାକୁ ଯାଉଛି । ସେହି ମହାପ୍ରଳୟର କଥା ମନେ ପଡିଲେ ଏବେବି ଲୋମ ଟାଙ୍କୁରି ଉଠେ, ଦୀର୍ଘଶ୍ଵାସ ବାହାରି ଆସେ । ବିଗତ ଦିନରେ ଜାପାନରେ ଘଟିଯାଇଥିବା ଭୂମିକମ୍ପ ଓ ସୁନାମି ପ୍ରକୃତିର କ୍ରୁରତା ଓ ପରିବେଶ ପ୍ରଦୂଷଣ ଭୟାବହତାର ଜ୍ଵଳନ୍ତ ଦୃଷ୍ଟାନ୍ତ । ସେହିପରି ୧୯୯୯ ମସିହାରେ ମହାବିନାଶକାରୀ ମହାବାତ୍ୟା ଓ ୧୯୯ର ଅଂଶୁଘାତ ଜନିତ ପରିସ୍ଥିତିକୁ ଆମେ ଭୁଲିପାରିବା ନାହିଁ । ଆଗାମୀ ଦିନରେ ପ୍ରକୃତିର ଏହି କ୍ରୁର ରୂପ କିଭଳି ଆକାର ଧାରଣ କରିବ ତାହା ଆମ କଳ୍ପନାର ବାହାରେ । ପ୍ରତି ମୂହୁର୍ତ୍ତରେ ମହାପ୍ରଳୟର ଆଶଙ୍କାରେ ଆମେ ଶଙ୍କିତ ଓ ଅତିଷ୍ଠ । ପରିସ୍ଥିତି ଏପରି ହୋଇଛି ଯେ ସାମାନ୍ୟ ଟିକେ ପବନ ହେଲେ ମହାବାତ୍ୟା ଓ ଲଘୁଚାପ ସୃଷ୍ଟି ହେଲେ ସୁନାମି ଆସିବାର ଆଶଙ୍କା ଲୋକଙ୍କ ମନରେ କୋକୁଆ ଭୟ ସୃଷ୍ଟି କରୁଛି । ଜଙ୍ଗଲ ଧ୍ଵଂସ ହିଁ ଏହାର ପ୍ରମୁଖ କାରଣ ରୂପେ ଉଭା ହୋଇଛି । ଫଳସ୍ଵରୂପ, ବିଶ୍ଵ ତାପାୟନ ବଢି ଚାଲିଛି, ବ ଭୂତଳ ଜଳସ୍ତର ନିମ୍ନଗାମୀ ହେଉଛି, ମୃତ୍ତିକା କ୍ଷୟ ବଢିବାରେ ଲାଗିଛି, ବୃଷ୍ଟିପାତ ହ୍ରାସ ପାଉଛି, ଉତ୍ପାଦନ ବ୍ୟାହତ ହେଉଛି ଓ ସର୍ବୋପରି ପରିବେଶ ଦିନକୁ ଦିନ ପ୍ରଦୂଷିତ ହେବାରେ ଲାଗିଛି ।

ଋତୁ ଚକ୍ରରେ ପରିବର୍ତ୍ତନ

ବିଶ୍ଵ ତାପାୟାନ ଓ ଜଳବାୟୁ ପରିବର୍ତ୍ତନ ଯୋଗୁଁ ଋତୁ ଚକ୍ରରେ ପରିବର୍ତ୍ତନ ଦେଖାଦେଇଛି । ଛଅ ଋତୁ ଆଜି ସାତ ସପନ । ପୌଷ ଓ ମାଘର ହାଡ ଭଙ୍ଗା ଶୀତ ଆଉ ନାହିଁ । ଶୀତର ପ୍ରଭାବ ଢେର କମି ଗଲାଣି । ଗରମ ପୋଷାକ ଆଗ ଭଳି ଦରକାର ପଡୁନି । ବରଂ ଘରେ ଫ୍ୟାନ୍ ର ଆବଶ୍ୟକତା ପଡୁଛି । ଫାଲ୍ଗୁନ୍ – ଚୈତ୍ର ନା ଥାଏ ଖରା ନା ଶୀତ । ମଳୟ ପବନ ସାଥେ ଭାସିଆସେ କୋଇଲିର କୁହୁତାନ । ମୃଦୁ ମଳୟ ପବନ ତନୁମନରେ ଶିହରଣ ଅଣେ । କିନ୍ତୁ ଆଗଭଳି ଶୁଭୁନାହିଁ କୋଇଲିର ସ୍ଵର କି ବହୁନାହିଁ ସୁଲୁସୁଲିଆ ପବନ । ହେମନ୍ତ ଓ ଶରତ ଋତୁର କଥା ନକହିବା ଭଲ । ଗ୍ରୀଷ୍ମ ଋତୁର ଅବଧି ବଢି ବଢି ଚାଲିଛି । କେବଳ ବୈଶାଖ – ଜ୍ୟେଷ୍ଠ ନୁହେଁ ବର୍ଷର ଅନେକ ସମୟରେ ମୁଣ୍ଡଫଟା ଖରା । ସବୁଠି ହା-ହୁତାଶମୟ ପରିବେଶ । ଘରେ ଗରମ ତ- ବାହାରେ ଅଗ୍ନିବର୍ଷା । ଅସହନୀୟ ହେଉଛି ଜୀବନ ଯାତ୍ରା । ଆଦ୍ୟ ଆଷାଢର ପହିଲି ବର୍ଷାର ମହକ ଆଉ ନାହିଁ । ସାରୁ ଗଛମୂଳରୁ ଶୁଭୁନି ବେଙ୍ଗର ରଡି । ଏବେ ମୌସୁମୀର ରହୁନି ଠିକଣା । ଧାରା ଶ୍ରବଣ ହରାଇ ବସିଛି ତା'ର ପ୍ରାସଙ୍ଗିକତା ।

ବର୍ଷ ବର୍ଷ ଧରି ପ୍ରକୃତି ମାତା ଉପରେ ହୁମ୍ଦୁମ୍ ଚାଲିଛି । ମାଆ ଚପଳ ବାଳକର ହୁମ୍ଦୁମ୍ ସମ୍ଭାଳି ନିଏ । କିନ୍ତୁ ଏକବିଂଶ ଶତାବ୍ଦୀର ମଣିଷ ବଡ ହୋଇଛି । ଏହାର ଜ୍ଞାନ ହୋଇଛି । ବିଜ୍ଞାନ ବଳରେ ଜଗତକୁ ଜିଣିବାର ପ୍ରୟାସ ଜାରି ରଖିଛି । କିନ୍ତୁ ଏସବୁ ସତ୍ତ୍ୱେ ସେ ଜାଣି ନ ଜାଣିଲା ପରି ପ୍ରକୃତି ଉପରେ ଅତ୍ୟାଚାର କରିଚାଲିଛି । କାରଣ ଖୋଜି ବସିଲେ ପ୍ରକୃତି ବିଶ୍ଵ ମାନବ ସମାଜକୁ ଦେଇଛି ଜଳ, ବାୟୁ, ମୃତ୍ତିକା, ଓ ଜଙ୍ଗଲ । ମାତ୍ର ଦ୍ରୁତ ଜନ ବିସ୍ଫୋରଣ, ଶିଳ୍ପ ଅଭିବୃଦ୍ଧି, ସଡକ ନିର୍ମାଣ, ଲୋକଙ୍କ ଚାହିଦା ମେଣ୍ଟାଇବା ପାଇଁ ବସତି ନିର୍ମାଣ ପ୍ରଭୁତି ହେତୁ ବ୍ୟାପକ ଜଙ୍ଗଲ କଟା ଚାଲିଛି । ଫଳରେ ବାୟୁ ମଣ୍ଡଳରୁ ଅମ୍ଳଜାନ କମି ବିଷାକ୍ତ ଅଙ୍ଗାରକାମ୍ଳ ଗ୍ୟାସ ବୃଦ୍ଧି ପାଇଁ ବିଶ୍ଵ ତାପମାତ୍ରା ବଢିବାରେ ଲାଗିଛି । ଖାଲି ସେତିକି ନୁହେଁ କଳକାରଖାନାରୁ ନିର୍ଗତ ଗ୍ୟାସ ଏବଂ ଅନ୍ୟାନ୍ୟ ରାସାୟନିକ ପ୍ରକ୍ରିୟା ଓ ପ୍ରତିକ୍ରିୟାରୁ ବାୟୁ, ଜଳ, ମୃତ୍ତିକା ମଧ୍ୟ ପ୍ରଦୂଷିତ ହେଉଛି । ଅଜ୍ଞାନ ବାଳକ ସିନା ଜାଣି ନ ଥିଲା, ହେଲେ ଏବଂ ବିଜ୍ଞାନୀପୁଅମାନେ ଭଲଭାବେ ଜାଣିଛନ୍ତିଯେ ପ୍ରକୃତିମାତା ସୁକୁମାର ଭାବେ ଗଢା । ଯଦି ପୃଥିବୀର ତାପମାତ୍ରା ଆଉ ୩ଡିଗ୍ରୀ ବଢି ଚାଲେ ତାହେଲେ ମେରୁ ନିକଟରେ ଜମା ହୋଇ ଜଳବାୟୁକୁ ନିୟନ୍ତ୍ରଣ କରୁଥିବା ବରଫ ପାହାଡ ସବୁ ତରଳି ଯିବ । ଏପରି ଭାବେ ଯଦି ବରଫ ତରଳେ, ସମୁଦ୍ର ଜଳ ପତ୍ତନ ଆଉ ୧୫ ଫୁଟ୍ ବଢିଯିବ । ୧୫ ଫୁଟ୍ ତ ଦୂରର କଥା, ଜଳପତ୍ତନ ୩ ରୁ ୫ ଫୁଟ୍ ବଢିଗଲେ ସମଗ୍ର ବିଶ୍ଵ ପ୍ରଳୟରେ ଲୀନ ହେବ । ସତରେ ଏକଥା ଆମେ କେବେ ବୁଝିବା କେଜାଣି ?

ବିଶ୍ଵ ପରିବେଶ ଏଭଳି ସଙ୍କଟ ଜନକ ପରିସ୍ଥିତିରେ ଗତି କରୁଥିବା ବେଳେ ଏହି କଥାକୁ ଆଖି ଆଗରେ ରଖି ମିଳିତ ଜାତିସଂଘ ୧୯୭୨ ମସିହାରେ ପ୍ରତିବର୍ଷ ଜୁନ୍ ୫ ତାରିଖକୁ ବିଶ୍ଵ ପରିବେଶ ଦିବସ ରୂପେ ପାଳନ କରିବା ପାଇଁ ନିଷ୍ପତ୍ତି ନେଇଥିଲା । ବିଶ୍ଵ ପରିବେଶ ଦିବସର ରୂପେ ପାଳନ କରିବାର ଉଦ୍ଦେଶ୍ୟ ହେଲା ପରିବେଶ ସମସ୍ୟାକୁ ମାନବିକ ଦୃଷ୍ଟିକୋଣରୁ ବିଚାର କରିବା ଓ କାର୍ଯ୍ୟରେ ତାକୁ ରୂପାନ୍ତରିତ କରିବା । ଅନ୍ୟ ଅର୍ଥରେ କହିଲେ ବିଶ୍ଵ ପରିବେଶ ଦିବସ ପାଳନ କରିବାର ଉଦ୍ଦେଶ୍ୟ ହେଉଛି ପ୍ରଦୂଷଣର ଭୟଙ୍କରତା ସମ୍ବନ୍ଧରେ ପ୍ରତ୍ୟେକ ଦେଶର ଜନସାଧାରଣଙ୍କୁ ସଚେତନ କରିବା ଓ ଏହି ପ୍ରଦୂଷଣର ଦୂରୀକରଣ ପାଇଁ ସର୍ବତ୍ର ଜନସହଯୋଗକୁ ଉତ୍ସାହିତ କରିବା । ଯାହାଫଳରେ ପରିବେଶର ସୁରକ୍ଷା ହେବା ସଙ୍ଗେ ସଙ୍ଗେ ଆଗାମୀ ପିଢି ପାଇଁ ପରିବେଶ ସଂରକ୍ଷିତ ହୋଇ ରହିପାରିବ । ଇତି ମଧ୍ୟରେ ବିଶ୍ଵ ପରିବେଶ ଦିବସ ପାଳନ ହେବା ୪୪ ବର୍ଷରେ ପହଞ୍ଚିଲାଣି । ସାରା ପୃଥିବୀରେ ପ୍ରତିଦିନ ହଜାର ହଜାର ହେକ୍ଟର ଜଙ୍ଗଲ ଧ୍ଵଂସ ପାଉଛି, ଏହାର ପ୍ରତିରୋଧ ପାଇଁ ଆଇନ୍ ପରେ ଆଇନ ତିଆରି ହେଉଛି । ମାତ୍ର ଏଥିରୁ ଆଶାଜନକ ସଫଳତା ମିଳୁନାହିଁ । ଆମ ଦେଶରେ ୧୯୫୦ ମସିହାରେ ଭାରତ ସରକାର ବନମହୋତ୍ସବ ଆୟୋଜନ କରିଥିଲେ । ସେହିପରି ପରିବେଶ ଓ ଜଙ୍ଗଲ ବିଭାଗ ମନ୍ତ୍ରଣାଳୟ ଅଧୀନରେ ଆଉ ଏକ ପରିଷଦ ଅଛି ଜାତୀୟ ବନୀକରଣ ଓ ପରିବେଶ ବିକାଶ ପରିଷଦ । ମାତ୍ର ଏସବୁ ବ୍ୟବସ୍ଥା ସତ୍ତ୍ୱେ ପରିବେଶ ପ୍ରଦୂଷଣକୁ ରୋକିବାରେ ଆମର ପ୍ରଚେଷ୍ଟା ସେତେ ସନ୍ତୋଷଜନକ ନୁହେଁ । ବିଶ୍ଵ ସ୍ୱାସ୍ଥ୍ୟ ସଂଗଠନ ସୂଚନା ଅନୁଯାୟୀ ନୂଆଦିଲ୍ଲୀର ବାୟୁମଣ୍ଡଳ ପୃଥିବୀରେ ସବୁଠାରୁ ଅଧିକ ପ୍ରଦୂଷିତ । ସେହି ରିପୋର୍ଟରୁ ଆହୁରି ଜଣାପଡିଛି ଯେ ଭାରତର ଛୋଟଛୋଟ ସହର ଗୁଡିକରେ ବି ବାୟୁ ପ୍ରଦୂଷଣ ବିପଜ୍ଜନକ ସ୍ଥିତିରେ ପହଞ୍ଚିଲାଣି ।

ବୈଜ୍ଞାନିକଙ୍କ ମତ

ବୈଜ୍ଞାନିକଙ୍କ ମତରେ ତାପ ଓ ଶୀତଳତା ମଧ୍ୟରେ ଭାରସାମ୍ୟ ରକ୍ଷା କରିବା ପାଇଁ ବୃକ୍ଷରାଜି ଓ ବନାନୀ ଏକାନ୍ତ ଆବଶ୍ୟକ । ବର୍ତ୍ତମାନ ଗାଁ ଗଣ୍ଡା ବୃକ୍ଷ ଶୂନ୍ୟ । କାଁ ଭାଁ ଦୁଇ ଚାରିଟା ଗଛ ଥିବ କି ନ ଥିବ । ସେଗୁଡ଼ିକର ଶାଖା ମଧ୍ୟ କର୍ତ୍ତିତ । ଯାହାଫଳରେ ଅଦିନରେ ଅନେକ ପ୍ରାକୃତିକ ବିପର୍ଯ୍ୟୟକୁ ଆମେ ଡାକି ଆଣିଛୁ ବୋଲି କହିଲେ ଭୁଲ୍ ହେବ ନାହିଁ । ବିଗତ ଦିନରେ ମିଆଁମାର ଓ ବାଂଲାଦେଶରେ ସାମୁଦ୍ରିକ ବାତ୍ୟା ଯୋଗୁଁ ଲକ୍ଷ ଲକ୍ଷ ଲୋକଙ୍କ ପ୍ରାଣହାନି ଘଟିଲା ତାହାର ମୂଳ କାରଣ ହେଉଛି ଜଙ୍ଗଲ ଧ୍ଵଂସ । ଆମ ଦେଶରେ ମଧ୍ୟ ସେହିପରି ଜଙ୍ଗଲ ଧ୍ଵଂସ ଯୋଗୁଁ ଅସମୟରେ ବନ୍ୟା, ଝଡବାତ୍ୟା, ବଜ୍ରପାତ, ସୁନାମ, ଅଂଶୁଘାତ ଓ ଭୂକମ୍ପ ଭଳି ବିପର୍ଯ୍ୟୟର ସମ୍ଭାବନା ବଢି ବଢି ଚାଲିଛି । ଏବେ ସାରା ଦେଶରେ ଅସହ୍ୟ ଗ୍ରୀଷ୍ମ ପ୍ରବାହ ଲାଗି ରହିଛି । ପରିସ୍ଥିତି ଏପରି ହୋଇଛି ଯେ ଆମରାଜ୍ୟରେ ମଇ ୩୦ ତାରିଖ ସୁଦ୍ଧା ୧୩ଟି ସହରର ତାପମାତ୍ରା ୪୦ ଡିଗ୍ରୀ ସେଲ୍ସିୟସ୍ ରୁ ଅଧିକ ରହିଥିବା ବେଳେ, ୮ଟି ସ୍ଥାନରେ ତାପମାତ୍ରାରେ ୪୩ ଡିଗ୍ରୀ ଡେଇଁଥିଲା । ଏପରିକି ଟିଟିଲାଗଡ ଓ ବଲାଙ୍ଗୀର ତାପମାତ୍ରା ୪୬ ଡିଗ୍ରୀ ଅତିକ୍ରମ କରିଥିଲା । ଏହି ତାପମାତ୍ରା ବୃଦ୍ଧି ଯୋଗୁଁ ରାଜ୍ୟରେ ଅଂଶୁଘାତ ମୃତ୍ୟୁ ଅଭିଯୋଗ ୧୯୧କୁ ବୃଦ୍ଧି ପାଇଛି । ସେଥିମଧ୍ୟରୁ ୧୯ଜଣଙ୍କର ମୃତ୍ୟୁ ଅଂଶୁଘାତ ଜନିତ ବୋଲି ସ୍ପଷ୍ଟ ହୋଇଛି । ଅନୁଗୁଳ ଜିଲ୍ଲାରେ ସର୍ବାଧିକ ୬ ଜଣଙ୍କର ମୃତ୍ୟୁ ଅଂଶୁଘାତ ଜନିତ ହୋଇଥିବା ବେଳେ ବାଲେଶ୍ଵରରେ ୪, ବଲାଙ୍ଗିରରେ ୩, ଢେଙ୍କାନାଳ ଓ ଝାରସୁଗୁଡାରେ ୨ଜଣ ଲେଖାଏଁ ଏବଂ କେନ୍ଦୁଝର ଓ ସମ୍ବଲପୁରରେ ଜଣେ ଲେଖାଏଁ ବ୍ୟକ୍ତିଙ୍କ ମୃତ୍ୟୁ ଅଂଶୁଘାତ ଜନିତ ବୋଲି ଜଣାପଡିଛି । ମୋଟ ୧୯୧ଟି ଅଭିଯୋଗ ମଧ୍ୟରୁ ୯୮ ମାମଲାର ତଦନ୍ତ ଶେଷ ହୋଇଥିବା ବେଳେ ୯୩ଟିର ତଦନ୍ତ ଜାରି ରହିଛି ବୋଲି ସ୍ଵତନ୍ତ୍ର ରିଲିଫ୍ କମିଶନରଙ୍କ କାର୍ଯ୍ୟାଳୟ ତରଫରୁ ସୂଚନା ଦିଆଯାଇଛି । ସବୁଠୁ ଦୟନୀୟ ଅବସ୍ଥା ପଶୁପକ୍ଷୀଙ୍କର, ଅବସ୍ଥା ନକହିଲେ ଭଲ ।

ପରିବେଶ ସୁରକ୍ଷା ବର୍ତ୍ତମାନ ସମୟରେ ଏକ ବଡ ଆହ୍ଵାନ । ଏହି ଆହ୍ଵାନର ସାମ୍ନା କରିବାକୁ ହେବ ବ୍ୟକ୍ତିଗତ ଭାବେ ଓ ସମଷ୍ଟିଗତ ଭାବେ । ଏହାର ନିରାକରଣ ପାଇଁ ବ୍ୟାପକ ଭାବରେ ବୃକ୍ଷରୋପଣ, ସାମାଜିକ ବନୀକରଣ, ନୂତନ ଜଙ୍ଗଲ ସୃଷ୍ଟି ଉପଡ଼େ ଆଗ୍ରାଧିକାର ଦେବାକୁ ହେବ । ପରିବେଶ ସୁରକ୍ଷା ପାଇଁ ବିଶ୍ଵ ସ୍ତରରେ ଯେଉଁ ପ୍ରଚେଷ୍ଟା ଆରମ୍ଭ ହୋଇଛି ତାହା କେବଳ କୌଣସି ସଂଗଠନ ବା ପ୍ରତିଷ୍ଠାନ ଜରିଆରେ ସଂପୂର୍ଣ୍ଣ ସଫଳ ହେବା ଅସମ୍ଭବ । ବ୍ୟକ୍ତିର ସଚେତନତା ହିଁ ଏହାର ସଫଳତାର ଅସଲ ଚାବିକାଠି । ପରିବେଶକୁ ଭଲ ପାଉଥିବା ଓ ଏହାର ସୁରକ୍ଷା ପାଇଁ ଚିନ୍ତା କରୁଥିବା ପ୍ରତ୍ୟେକ ବ୍ୟକ୍ତି ଏକଥା ଜାଣିବା ଜରୁରୀ ।

a dreamer...a believer...an optimist...I refuse to look at the glass half empty. Its always a glass half full for me..I believe happiness and optimism is contagious. I am determined to spread them everywhere I go... When I am not dreaming, writing and spreading happiness, you can catch me watching food/cooking/cuisines of the world shows on TV..Reach me at ruchismita@yourstory.com

Related Stories

Stories by Ruchi Panigrahi