ଝିଅ ଜନ୍ମର ଖୁସି ପାଳନ ପାଇଁ ତିଆରି ହେଉଛି 'ବେଟି ଗାର୍ଡେନ'

ଝିଅ ଜନ୍ମର ଖୁସି ପାଳନ ପାଇଁ  ତିଆରି ହେଉଛି 'ବେଟି ଗାର୍ଡେନ'

Tuesday April 19, 2016,

3 min Read

ଏବେ ମଧ୍ୟ ଦେଶରେ ଅନେକ ଲୋକ ଅଛନ୍ତି ଯାହାଙ୍କ ପାଇଁ ଝିଅ ଜନ୍ମ ଖବର ଖୁସିର ଖବର ନୁହେଁ। ପୁଅ ଜନ୍ମ ହେଲେ ମିଠା ବଣ୍ଟାହୁଏ କିନ୍ତୁ ଝିଅ ଜନ୍ମ ହେଲେ ମନଦୁଃଖ। ଅଧିକାଂଶ ଲୋକ ଝିଅମାନଙ୍କ ଉପରେ ହେଉଥିବା ଅତ୍ୟାଚାରକୁ ରୋକିବା ଓ ସେମାନଙ୍କୁ ପୁରୁଷମାନଙ୍କ ସମକକ୍ଷ କରିବାକୁ ଉଦ୍ୟମ ଜାରି ରଖିଥିବା ବେଳେ ଆଉ କିଛି ଲୋକ କିଭଳି ଝିଅମାନଙ୍କୁ ସମାଜରେ ପ୍ରତିଷ୍ଠା ପ୍ରଦାନ କରାଯାଇପାରିବ ତାହାର ଉପାୟ ବାହାର କରିବା ଉପରେ ଚିନ୍ତା କରୁଛନ୍ତି । କିନ୍ତୁ ଏହି ସମସ୍ତଙ୍କଠାରୁ ଭିନ୍ନ ଜଣେ ଲୋକ ଅଛନ୍ତି । ଝିଅମାନଙ୍କ ପ୍ରତି ଲୋକମାନଙ୍କର ମାନସିକତାକୁ ସମ୍ପୂର୍ଣ୍ଣ ବଦଳାଇ ଦେବା ପାଇଁ ଏହି ବ୍ୟକ୍ତି ଜଣକ ନିର୍ମାଣ କରୁଛନ୍ତି "ବେଟି ଭବନ" । ଏହି ଭବନରେ ଲୋକମାନେ ଝିଅ ଜନ୍ମ ହେବାର ଖୁସିକୁ ନିଆରା ଢ଼ଂଗରେ ପାଳନ କରିପାରିବେ ।

image


ବେଟି ଭବନକୁ ନେଇ ଏବେ ସମଗ୍ର ଦେଶରେ ଚର୍ଚ୍ଚା ଚାଲିଛି । ଏହା ରାଜସ୍ଥାନର ସହର ଉଦୟପୁରରେ ନିର୍ମାଣ କରାଯାଉଛି । ଶ୍ଲୋକ୍ ବେଟି ଗାର୍ଡେନ୍ ନାମକ ଏହି ଭବନର ନିର୍ମାଣ କାର୍ଯ୍ୟ ଜୋରସୋରରେ ଆଗେଇ ଚାଲିଛି । ଦେଶରେ ଏହା ଏଭଳି ପ୍ରଥମ ଧରଣର ପଦକ୍ଷେପ । ଏହି ଗାର୍ଡେନ ର ନିଆରାପଣ ରହିଛି । ଏଠାରେ ଅଭିଭାବକମାନେ ସମ୍ପୂର୍ଣ୍ଣ ଭିନ୍ନ ଢ଼ଂଗରେ ଝିଅ ଜନ୍ମ ହୋଇଥିବାର ଖୁସିକୁ ପାଳନ କରିପାରିବେ । ଏହାର ସବୁଠୁ ବଡ଼ ଆକର୍ଷଣ ହେଉଛି ଝିଅ ଜନ୍ମର ଖୁସି ପାଳନ କରିବା ପାଇଁ ପିତାମାତାଙ୍କୁ କିଛି ଖର୍ଚ୍ଚ ଦେବାକୁ ପଡ଼ିବ ନାହିଁ । ସିଦ୍ଧ ପୀଠ ଏହି ଉତ୍ସବର ସମ୍ପୂର୍ଣ୍ଣ ଖର୍ଚ୍ଚ ବହନ କରିବ । ଝିଅ ଜନ୍ମ ହୋଇଥିବାର ଖୁସିର ପୀଠ ପକ୍ଷରୁ ହୋମ ଓ ଯଜ୍ଞର ଆୟୋଜନ କରାଯିବ । ଲୋକମାନଙ୍କୁ ପ୍ରସାଦ ସେବନ କରାଯିବ ।

image


ଝିଅର ଜନ୍ମକୁ ଏଠାରେ ପୁରାଣରେ ବର୍ଣ୍ଣିତ ହିନ୍ଦୁ ଦେବାଦେବୀ ଯଥା ପାର୍ବତୀ, ଶକ୍ତି, ବିମଳା, ସରସ୍ୱତୀ, ଲକ୍ଷ୍ମୀ ଆଦିଙ୍କ ନାମରେ ପାଳନ କରାଯିବ । ଏହି ଅବସରରେ ଗାର୍ଡେନ୍ ପରିସରରେ ପିତାମାତା ଓ ତାଙ୍କ ପ୍ରିୟଜନଙ୍କ ଦ୍ୱାରା ବିଭିନ୍ନ ଔଷଧୀୟଗୁଣ ଥିବା ବୃକ୍ଷରୋପଣ କରାଯିବ ।

ବେଟି ଗାର୍ଡେନ୍ ହେଉଛି ଏକ ବେସରକାରୀ ସଂସ୍ଥା ଗଠନ କରିଥିବା ଦେବେନ୍ଦ୍ର ଅଗ୍ରୱାଲ ନାମକ ଯୁବକଙ୍କ ମୁଣ୍ଡରୁ ବାହାରିଥିବା ଯୋଜନା । ବିଗତ ୯ ବର୍ଷ ହେଲା ଦେବେନ୍ଦ୍ର, ଜନ୍ମ କରିବା ପରେ ଯେଉଁ ପିଲାମାନଙ୍କୁ ରାସ୍ତାରେ ଫୋପାଡ଼ି ଦିଆଯାଉଛି, ସେମାନଙ୍କ ଳାଳନପାଳନ କାମ କରୁଛନ୍ତି। ଏହା ପୂର୍ବରୁ ଦେବେନ୍ଦ୍ର ଦିବ୍ୟ ମଦର ମିଲକ୍ ବ୍ୟାଙ୍କ ଆରମ୍ଭ କରିଥିଲେ । ଏହି ବ୍ୟାଙ୍କ ଜରିଆରେ ମା’ କ୍ଷୀର ସଂଗ୍ରହ କରାଯାଉଛି । କେବଳ ରାଜସ୍ଥାନ ନୁହେଁ ସମ୍ପୂର୍ଣ୍ଣ ଉତର ଭାରତରେ ପ୍ରତିଷ୍ଠା ହୋଇଥିବା ଏହା ପ୍ରଥମ ଧରଣର ବ୍ୟାଙ୍କ । ଯେଉଁ ପିଲାମାନଙ୍କ ମା’ଙ୍କର ପ୍ରସବ ସମୟରେ ମୃତୁ୍ୟ ହେଉଛି ସେମାନଙ୍କ ପାଇଁ ଏହି ବ୍ୟାଙ୍କ ଜରିଆରେ ମା କ୍ଷୀର ଯୋଗାଡ଼ କରାଯାଉଛି । ଉଦୟପୁରରେ ଏହି ବ୍ୟାଙ୍କର ବ୍ୟାପକ ସଫଳତା ପରେ ସେଠାକାର ରାଜ୍ୟ ସରକାର ମିଲକ୍ ବ୍ୟାଙ୍କ ପ୍ରତିଷ୍ଠା କରିବା ପାଇଁ ଦେବେନ୍ଦ୍ରକୁ ଉପଦେଷ୍ଟା ଭାବେ ନିଯୁକ୍ତି ଦେଇଛନ୍ତି । ସରକାରଙ୍କ ଲକ୍ଷ୍ୟ ରହିଛି ଚଳିତ ବର୍ଷ ଶେଷ ସୁଦ୍ଧା ସବୁ ଜିଲ୍ଲାରେ ଅତିକମରେ ଗୋଟିଏ ଲେଖାଏଁ ମିଲକ୍ ବ୍ୟାଙ୍କ ଖୋଲିବା ।

ଦେବେନ୍ଦ୍ର କହିଛନ୍ତି ଯେ ବେଟି ଗାର୍ଡେନ୍ ର ନିର୍ମାଣ କାର୍ଯ୍ୟ ୨ ଏକର ଜମିରେ କରାଯାଉଛି । କାମ ଜୋରସୋରରେ ଆଗେଇ ଚାଲିଛି । ଏ ଦିଗରେ ୧ କୋଟି ଟଙ୍କା ଖର୍ଚ୍ଚ ହେବ ବୋଲି ଅନୁମାନ କରାଯାଉଛି । ଲୋକଙ୍କଠାରୁ ଦାନ ସଂଗ୍ରହ କରି ଏହି ଅର୍ଥ ଯୋଗାଡ଼ କରାଯାଉଛି । ଛଅ ମାସ ମଧ୍ୟରେ ଗାର୍ଡେନର ନିର୍ମାଣ କାମ ଶେଷ କରିବାକୁ ଲକ୍ଷ୍ୟ ରଖାଯାଇଛି । ବେଟି ଗାର୍ଡେନ୍ ନିର୍ମାଣ କରିବାର ପ୍ରକୃତ ଲକ୍ଷ୍ୟ ବିଷୟରେ ସେ କହିଛନ୍ତି ଯେ, ଲୋକମାନଙ୍କ ମନରେ ପୁଅ ଓ ଝିଅଙ୍କୁ ନେଇ ଯେଉଁ ଭେଦଭାବ ରହିଛି ତାହାକୁ ଦୂର କରିବା । ଝିଅର ଜନ୍ମକୁ ମଧ୍ୟ ପୁଅଙ୍କ ଭଳି ସ୍ୱାଗତ କରାଯିବା ଉଚିତ ବୋଲି ଦେବେନ୍ଦ୍ର ଭାବୁଛନ୍ତି ।

ସିଦ୍ଧ ପୀଠ ପକ୍ଷରୁ ଝିଅର ଜନ୍ମ ଖୁସି ପାଳନ ପାଇଁ କୌଣସି ଅର୍ଥ ସଂଗ୍ରହ କରାଯିବ ନାହିଁ । ତେବେ ଲୋକମାନେ ନିଜ ଆଡୁ ପ୍ରସାଦ ଦେବାକୁ ଚାହିଁଲେ ବହୁତ କମ ଅର୍ଥ ଦେବାକୁ ପଡ଼ିବ । ୨୦୦୭ରେ ଦେବେନ୍ଦ୍ର ପାଳନା ଯୋଜନା ଆରମ୍ଭ କରିଥିଲେ । ବର୍ତ୍ତମାନ ସୁଦ୍ଧା ସେ ୧୨୮ଟି ଶିଶୁ ସଂଗ୍ରହ କରିସାରିଲେଣି । 

Share on
close