ମହିଳା ସଶକ୍ତିକରଣରେ ଆଦିତ୍ୟ ଆଲୁମିନିୟମ୍: ଗୃହିଣୀ ବ୍ରାଣ୍ଡର ମିକ୍ସଚର୍ ବିକୁଛନ୍ତି ବଜାରରେ ଏସଏଚଜି ଦଳ

0

ଓଡ଼ିଶାର ସମ୍ବଲପୁର ଜିଲ୍ଲାର ରେଙ୍ଗାଲି ବ୍ଲକ୍ ଅନ୍ତର୍ଗତ ଗ୍ରାମଗୁଡ଼ିକରେ ବସବାସ କରୁଥିବା ମହିଳାମାନଙ୍କର ସର୍ବାଙ୍ଗୀନ ଉନ୍ନତି ନିମନ୍ତେ ଆଦିତ୍ୟ ଆଲୁମିନିୟମ କମ୍ପାନୀ ଅନେକ ଉଲ୍ଲେଖନୀୟ ପଦକ୍ଷେପ ନେଇଛି । ବିଶେଷତଃ ଗ୍ରାମାଞ୍ଚଳରେ ବସବାସ କରୁଥିବା ମହିଳାମାନେ ଉପଯୁକ୍ତ ଖାଦ୍ୟ ଓ ପୋଷାକ ପାଇପାରି ନଥାନ୍ତି। ଯେଉଁ କାରଣରୁ ସେମାନଙ୍କ ମଧ୍ୟରେ କୁପୋଷଣ ଓ ଅନ୍ୟାନ୍ୟ ସମସ୍ୟା ଦେଖାଦିଏ । ସାଧାରଣତଃ ଛୋଟ ଛୋଟ କୃଷି ଓ ଅନ୍ୟାନ୍ୟ କୃଷି କାର୍ଯ୍ୟରୁ ସେମାନେ ଛଅ ମାସ ପର୍ଯ୍ୟନ୍ତ ନିଜର ଆୟ ଉପାର୍ଜନ କରିଥାନ୍ତି । ଏହାପରେ ଏହିସବୁ ଚାଷୀମାନେ ଅନ୍ୟାନ୍ୟ ବିକଳ୍ପ ଧନ୍ଦା ଖୋଜିଥାନ୍ତି ଯାହାକି ସେମାନଙ୍କ ପରିବାର ଚଳାଇବା ପାଇଁ କଷ୍ଟକର ହୋଇପଡ଼େ । କିନ୍ତୁ ଓଡ଼ିଶାର ସମ୍ବଲପୁର ଜିଲ୍ଲାସ୍ଥିତ ରେଙ୍ଗାଲି ବ୍ଲକ୍ ଭୁଲିଆଡିହି ଗ୍ରାମର ନିଖିଳ ସେଲ୍ଫ ହେଲ୍ପ ଗ୍ରୁପର ସଦସ୍ୟମାନଙ୍କ ପାଇଁ ଏକ ନୂତନ ବଂଚିିବାର ରାହା ସୃଷ୍ଟି ହୋଇପାରିଛି ।

ପ୍ରାୟତଃ ଦେଢ଼ ବର୍ଷ ପୂର୍ବରୁ ଆଦିତ୍ୟ ବିର୍ଲା ଗ୍ରୁପର ଏକ ୟୁନିଟ୍ ଆଦିତ୍ୟ ଆଲୁମିନିୟମର ସିଏସ୍ଆର ଟିମ୍ ଏହି ଗ୍ରାମକୁ ଚିହ୍ନଟ କରିଥିଲେ ଏବଂ ଏଠାରେ ଏକ ସେଲ୍ଫ ହେଲ୍ପ ଗ୍ରୁପ୍ (ଏସ୍ଏଚ୍ଜି) ସ୍ଥାପନ ପାଇଁ ଏଠାକାର ମହିଳାମାନଙ୍କୁ ଉତ୍ସାହିତ କରିଥିଲେ । ପ୍ରଥମରୁ ମାତ୍ର ୧୦ ଜଣ ମହିଳାଙ୍କୁ ନେଇ ଏହି ଗ୍ରୁପ୍ ଆରମ୍ଭ ହୋଇଥିଲା ଯେଉଁମାନଙ୍କୁ ସ୍ଥାନୀୟ ପୋଖରୀଗୁଡ଼ିକରେ ମାଛ ଚାଷ କରିବା ପାଇଁ ପ୍ରୋତ୍ସାହନ ଦିଆଯାଇଥିଲା । ଏଥିପାଇଁ ଆଦିତ୍ୟ ଆଲୁମିନିୟମ ପକ୍ଷରୁ ସ୍ଥାନୀୟ ବିଶେଷଜ୍ଞମାନଙ୍କ ସହିତ ପରାମର୍ଶ କରାଯାଇ ସେମାନଙ୍କୁ ଆବଶ୍ୟକୀୟ ବୈଷୟିକ ସହାୟତା ଯୋଗାଇ ଦିଆଯାଇଥିଲା । ଏହା ସାଙ୍ଗକୁ ସ୍ଥାନୀୟ ବ୍ୟାଙ୍କ ପକ୍ଷରୁ ମଧ୍ୟ ଆର୍ଥିକ ସହାୟତା ପ୍ରଦାନ କରାଯାଇଥିଲା ।

ଗତ ଜୁଲାଇ ୨୦୧୩ରେ ନିଖିଳ ସେଲ୍ଫ ହେଲ୍ପ ଗ୍ରୁପର କାର୍ଯ୍ୟକ୍ରମ ଆରମ୍ଭ ହୋଇଥିଲା । ସେମାନେ ସ୍ଥାନୀୟ ମତ୍ସ୍ୟ ବିଭାଗରୁ ୨୦୦୦ ମାଛ ଯାଆଁଳ କିଣିଥିଲେ ଓ ତାହାକୁ ନେଇ ସ୍ଥାନୀୟ ପୋଖରୀ ଗୁଡ଼ିକରେ ମାଛ ଚାଷ ଆରମ୍ଭ କରିଥିଲେ । ଆଠ ମାସ ପରେ ସେମାନେ ପାଖାପାଖି ୧ କ୍ୱିଂଟାଲ୍ ମାଛ ଅମଳ କରିଥିଲେ ଏବଂ ସେଥିରୁ ୧୨୦୦୦ ଟଙ୍କା ଲାଭ ପାଇଥିଲେ । ବର୍ତମାନ ଏହି ଏସ୍ଏଚ୍ଜିର ବାର୍ଷିକ ଉତ୍ପାଦନ ପ୍ରାୟତଃ ୧୦ ରୁ ୧୨ କ୍ୱିଂଟାଲ୍ ଏବଂ ବାର୍ଷିକ ଲାଭ ପରିମାଣ ପ୍ରାୟ ୧ ଲକ୍ଷ ଟଙ୍କା ଅଟେ ।

ଆଦିତ୍ୟ ଆଲୁମିନିୟମର ସିଏସ୍ଆର ପଦକ୍ଷେପ ଅଧିନରେ ଜୀବିକା ନିର୍ବାହ ପାଇଁ ଏକ ନୂତନ ପଦକ୍ଷେପର ଶୁଭାରମ୍ଭ କରାଯାଇଛି । ଏଥିରେ ସ୍ଥାନୀୟ ମହିଳାମାନଙ୍କୁ ଶୁଖିଲା ଖାଦ୍ୟ ତିଆରି କରିବା ଓ ତାହାର ବିକ୍ରୟ ପାଇଁ ପ୍ରୋତ୍ସାହନ ଯୋଗାଇ ଦିଆଯାଉଛି । ରେଙ୍ଗାଲି ବ୍ଲକର ୪ ଗୋଟି ଏସ୍ଏଚ୍ଜି –ସମଲେଶ୍ୱରି (ତିଳେଇମାଲ), ଓମେନ୍ସ ଷ୍ଟାର (ଲାହାମଣି), ଲକ୍ଷ୍ମୀ (ଲୁଧାପାଲି) ଏବଂ ଜୟ ମା ସନ୍ତୋଷି (ପୋଣ୍ଡାଲୋଇ) ଏସ୍ଏଚ୍ଜିର ପ୍ରାୟ ୪୦ ଜଣ ମହିଳାମାନଙ୍କୁ ଆଦିତ୍ୟ ବିର୍ଲା ଦ୍ୱାରା ଆୟୋଜିତ ତିନି ଦିବସୀୟ ତାଲିମ୍ କାର୍ଯ୍ୟକ୍ରମରେ ତାଲିମ୍ ପ୍ରଦାନ କରାଯାଇଥିଲା । ପ୍ରାଥମିକ ତାଲିମ୍ ସମାପ୍ତ ପରେ ତାଲିମ୍ ଦାତାଙ୍କ ସହାୟତାରେ ଏହିସବୁ ମହିଳାମାନେ ୫୦ କେଜି ସ୍ନାକ୍ସ ପ୍ରସ୍ତୁତ କରି ପ୍ଳାଣ୍ଟ ଓ କ୍ୟାଟିଂନ୍ ସାଙ୍ଗକୁ ସ୍ଥାନୀୟ ମାର୍କେଟରେ ବିକ୍ରୟ କରିଛନ୍ତି । ଏହି ଉତ୍ପାଦିତ ସ୍ନାକ୍ସର ବ୍ରାଣ୍ଡ ନାମ ଭାରତ ଓ ଗୃହିଣୀ ମିକ୍ସର ନାମରେ ରଖାଯାଇଛି ।

ଓମଲେଶ୍ୱରୀ ଗ୍ରୁପର ସମ୍ପାଦିକା ମିସ୍ ସୁରଭି ବାରିକ କହିଛନ୍ତି ଯେ ଆଦିତ୍ୟ ଆଲୁମିନିୟମ ଦ୍ୱାରା ପ୍ରଦାନ କରାଯାଇଥିବା ତାଲିମ୍ ବଳରେ ଆମେ ଆଜି ଏହି କାର୍ଯ୍ୟକୁ ସୁଚାରୁ ରୂପେ କରିପାରୁଛୁ ଓ ଭବିଷ୍ୟତରେ ଆମେ ଏହି ଉଦ୍ୟୋଗକୁ ଅଧିକ ବଢ଼ାଇବାକୁ ଆଶା କରିଛୁ ।

ଏହି ଅଞ୍ଚଳର ମହିଳାମାନଙ୍କର ସର୍ବାଙ୍ଗୀନ ବିକାଶ ପାଇଁ ଆମେ ସଦା ସର୍ବଦା ଯତ୍ନବାନ ରହିଛୁ । ଏସ୍ଏଚ୍ଜିର ବିକାଶ ଜରିଆରେ ଆମେ ସ୍ଥାନୀୟ ଲୋକମାନଙ୍କର ଔଦ୍ୟୋଗିକ ବିକାଶ ଓ ଜୀବିକା ନିର୍ବାହ ପାଇଁ ସୁବ୍ୟବସ୍ଥା କରିପାରିଥିବାରୁ ନିଜକୁ ଗର୍ବ ଓ ଗୌରବାନ୍ୱିତ ମନେ କରୁଛୁ । ସେମାନଙ୍କ ପାଇଁ ଆମ ପକ୍ଷରୁ ପ୍ରଦାନ କରାଯାଉଥିବା ତାଲିମ୍ ପ୍ରଦାନଗୁଡ଼ିକ ଖୁବ୍ ଉପଯୋଗୀ ହୋଇପାରୁଥିବା ଆମେ ଦେଖିପାରୁଛୁ ବୋଲି ଆଦିତ୍ୟ ଆଲୁମିନିୟମର ପ୍ରେସିଡେଣ୍ଟ ତଥା ୟୁନିଟ୍ ହେଡ୍ ବିଭୁ ମିଶ୍ର ପ୍ରକାଶ କରିଛନ୍ତି । ଆଦିତ୍ୟ ଆଲୁମିନିୟମ ପକ୍ଷରୁ ଯୋଗାଇ ଦିଆଯାଉଥିବା ପଦକ୍ଷେପ ବଳରେ ମହିଳା ଉଦ୍ୟୋଗୀମାନେ ନିଜ ନିଜର ବ୍ୟବସାୟ ଯଥା ମାଛ ଚାଷ, କୁକୁଡା ଚାଷ ଆଉ ମଧ୍ୟ କିଛି ଧନ୍ଦାମୂଳକ ତାଲିମ୍ ଜରିଆରେ ସିଲାଇ ଓ ଅନେକ ଜୀବିକା ନିର୍ବାହମୂଳକ କାର୍ଯ୍ୟକ୍ରମ ଗ୍ରହଣ କରି ନିଜକୁ ଆତ୍ମନିର୍ଭରଶୀଳ କରାଇପାରିଛନ୍ତି ବୋଲି ମଧ୍ୟ ଶ୍ରୀ ମିଶ୍ର କହିଛନ୍ତି ।