ତୃତୀୟ ଫେଲ୍ କବି ହଳଧର ନାଗଙ୍କ ପଦ୍ମଶ୍ରୀ ଯାତ୍ରାର କାହାଣୀ

ତୃତୀୟ ଫେଲ୍ କବି ହଳଧର ନାଗଙ୍କ ପଦ୍ମଶ୍ରୀ ଯାତ୍ରାର କାହାଣୀ

Wednesday March 30, 2016,

4 min Read

ତାଙ୍କ ଉପରେ ୫ଟି ପିଏଚଡି, ସବୁ କବିତା ମୁହଁରେ ମନେ ରଖିଛନ୍ତି

ପ୍ରତିଭାକୁ ସୀମା ଭିତରେ ବାନ୍ଧି ରଖାଯାଇପାରିବ ନାହିଁ । ମାନବ ଇତିହାସରେ ଏହା ଅନେକ ଥର ପ୍ରମାଣିତ ହୋଇସାରିଛି । ନିୟମିତ ବ୍ୟବଧାନରେ ଆମକୁ ପ୍ରକୃତି ଏହା ବିଭିନ୍ନ ଉଦାହରଣ ଦେଇ ମନେ ପକେଇ ଦିଏ । ଏବେ ଯେତିକି ପଶ୍ଚିମ ଓଡ଼ିଶାର କବି ରତ୍ନ ହଳଧର ନାଗଙ୍କ ଜୀବନୀ ମାଧ୍ୟମରେ ପୁଣି ସେହି ବାର୍ତ୍ତା ପ୍ରଚାରିତ ହୋଇଛି ।

ନିକଟରେ ରାଷ୍ଟ୍ରପତି ପ୍ରଣବ ମୁଖାର୍ଜୀଙ୍କଠାରୁ କବି ହଳଧର ନାଗ୍ ପଦ୍ମଶ୍ରୀ ପୁରସ୍କାର ଗ୍ରହଣ କରିବା ପରେ ତାଙ୍କୁ ନେଇ ସମଗ୍ର ଦେଶରେ ଚର୍ଚ୍ଚା ସୃଷ୍ଟି ହୋଇଛି । ନିହାତି ସରଳ ଓ ସାଧାରଣ ଜୀବନ ବ୍ୟତୀତ କରୁଥିବା ଏହି କବି ଅସାଧାରଣ ପ୍ରତିଭାର ଅଧିକାରୀ। 

image


ହଳଧର କୃଷି ସମୃଦ୍ଧ ବରଗଡ଼ ଜିଲ୍ଲାର ସେଂଘଠାରେ ଏକ ଗରିବ ପରିବାରରେ ୧୯୫୦ରେ ଜନ୍ମ ଗ୍ରହଣ କରିଥିଲେ । ପରିବାର ବହୁତ ଦୁଃଖ କଷ୍ଟରେ ଜୀବନଯାପନ କରୁଥିଲା । ହଳଧରଙ୍କୁ ଯେତେବେଳେ ୧୦ ବର୍ଷ ବୟସ ହୋଇଥିଲା ତାଙ୍କ ବାପାଙ୍କ ଦେହାନ୍ତ ହୋଇଗଲା । ସେତେବେଳେ ସେ ତୃତୀୟ ଶ୍ରେଣୀରେ ପାଠ ପଢ଼ୁଥିଲେ । ପାଠ ପଢ଼ାରେ ଡ଼ୋରି ବନ୍ଧା ହୋଇଗଲା । ବାପା ସଂସାରରୁ ଚାଲି ଯିବା ସହ ତାଙ୍କର ପିଲା ଦିନ ମଧ୍ୟ ହଜି ଯାଇଥିଲା । ସଂସାର ସବୁ ଦୁଃଖ ଯେତିକି ତାଙ୍କ ପରିବାର ଉପରେ ମାଡ଼ି ବସିଲା । ପେଟକୁ ଦାନା ଯୋଗାଡ଼ କରିବା କଷ୍ଟକର ହୋଇପଡ଼ିଲା । ଏଭଳି ପରିସ୍ଥିତିରେ ପିଲା ଦିନରୁ ପଡ଼ି ଯାଇଥିଲେ କବି ହଳଧର । ଜୀବନ ଜଞ୍ଜାଳ କଣ ବୁଝିବା ପୂର୍ବରୁ ତାଙ୍କୁ ପାଖ ଏକ ମିଠା ଦୋକାନରେ ବାସନ ମାଜିବାକୁ ପଡ଼ିିଲା । ଏମିତି କିଛି ଦିନ ତାଙ୍କ ଜୀବନ ଚାଲିଲା ।

image


ଦୁଇ ବର୍ଷ ପରେ ତାଙ୍କ ଜୀବନରେ ପୁଣି ଏକ ମୋଡ଼ ଆସିଲା । ତାଙ୍କ ଗାଁର ମୁଖିଆ ତାଙ୍କୁ ନେଇ ଏକ ସ୍କୁଲରେ ରୋଷେଇଆ ଭାବେ କାମ କରିବାର ସୁଯୋଗ ପ୍ରଦାନ କଲେ । ରୋଷେଇଆ ଭାବେ ସେ ସେହି ସ୍କୁଲରେ ୧୬ ବର୍ଷ କାମ କଲେ । ଧୀରେ ଧୀରେ ସେହି ଅଂଚଳରେ ଅନେକ ସ୍କୁଲ ଗଢ଼ି ଉଠିଲା । ଏହା ହଳଧରଙ୍କୁ ଏକ ଛୋଟ କାଟିଆ ବେପାର କରିବାର ସୁଯୋଗ ଆଣିଦେଲା । ହଳଧର ଆଉ ଅଧିକ ବିଳମ୍ବ ନ କରି ନିକଟସ୍ଥ ବ୍ୟାଙ୍କଠାରୁ ଋଣ ଆଣିବାକୁ ଆବେଦନ କଲେ । ତାଙ୍କୁ ୧୦୦୦ ଟଙ୍କାର ଋଣ ମିଳିଗଲା । ସେହି ଅର୍ଥକୁ ବିନିଯୋଗ କରି ସେ ଏକ ଛୋଟ ଦୋକାନ ଖୋଲିଲେ । ସେଥିରେ ସ୍କୁଲ ପିଲାମାନଙ୍କ ଆବଶ୍ୟକତା ଅନୁଯାୟୀ ବିଭିନ୍ନ ପ୍ରକାର ଷ୍ଟେସନାରୀ ଓ ଅନ୍ୟାନ୍ୟ ସାମଗ୍ରୀ ବିକ୍ରି କଲେ ।

ଏ ଥିଲା ୧୯୯୦ ମସିହାର ସମୟ । ସଂଘର୍ଷପୂର୍ଣ୍ଣ ଜୀବନରୁ ଟିକିଏ ନିସ୍ତାର ମିଳିବା ସହ ହଳଧରଙ୍କ ଭିତରେ ଲୁଚି ରହିଥିଲା କବି ପ୍ରତିଭା ବାହାରକୁ ବାହାରିଥିଲା । ୧୯୯୦ରେ ସେ ଲେଖିଥିଲେ ନିଜର ପ୍ରଥମ କବିତା “ଢୋଡୋ ବରଗଛ୍"(ବୁଢ଼ା ବରଗଛ) । ସେ ନିଜ କବିତାକୁ ଏକ ସ୍ଥାନୀୟ ପତ୍ରିକାକୁ ପଠାଇଲେ । ପତ୍ରିକାରେ ତାହା ତୁରନ୍ତ ପ୍ରକାଶିତ ହୋଇଗଲା । ସେହି ସଫଳତା ହଳଧରଙ୍କ କବି ପ୍ରତିଭାକୁ ଆହୁରି ଆଗକୁ ନେବାର ସୁଯୋଗ ଆଣିଥିଲେ । ସେ ପୁଣି ଚାରିଟି କବିତା ଲେଖି ପତ୍ରିକା ପାଖକୁ ପଠାଇ ଦେଲେ । ସବୁ କବିତା ପ୍ରକାଶିତ ହେଲା । ସେହିଦିନଠାରୁ କଲମ ଚାଳନା କରିବା ଛାଡ଼ି ନାହାନ୍ତି ହଳଧର । ଆଜି ୬୬ ବର୍ଷ ବୟସରେ ମଧ୍ୟ ତାଙ୍କ ଲେଖନୀରୁ ଝରୁଛି କୋଶଳୀ ଭାଷାରେ ଅନେକ କବିତା ।

With Odisha CM

With Odisha CM


ହଳଧର ନାଗ ପଶ୍ଚିମ ଓଡ଼ିଶାରେ ଲୋକ କବି ରତ୍ନ ଭାବେ ପରିଚିତ । ବିଭିନ୍ନ ପତ୍ର ପତ୍ରିକାରେ ତାଙ୍କ ଲେଖା ପ୍ରକାଶିତ ହେବା ପରେ ତାଙ୍କୁ ଅନେକ ପ୍ରଶଂସା ମିଳିଲା । ସେ ବିଭିନ୍ନ ଗାଁ ଗଣ୍ଡା ବୁଲି ତାଙ୍କ କବିତା ପାଠ କଲେ । ଲୋକମାନେ ତାଙ୍କୁ ଶୁଣି ବିମୋହିତ ହେବା ସହ ପ୍ରଶଂସାରେ ପୋତି ପକାଇଲେ ।

ହଳଧରଙ୍କ ସବୁଠୁ ବଡ଼ ପ୍ରତିଭାଟି ହେଉଛି ସେ ଲେଖିଥିବା ନିଜର ସବୁ କବିତାକୁ ମୁହଁରେ ମନେ ରଖିଛନ୍ତି । ତାଙ୍କୁ ଯଦି କବିତାର ଶୀର୍ଷକ କହିଦିଆଯାଏ, ତେବେ ସେ ସମ୍ପୂର୍ଣ୍ଣ କବିତାଟିକୁ ମୁହଁରେ ଶୁଣାଇ ଦେବେ । ତାଙ୍କୁ ଲେଖା ଦେଖିବାକୁ ପଡ଼ିବ ନାହିଁ । ପ୍ରତିଦିନ ସେ ଦୁଇରୁ ତିନି ଲେଖାଏଁ କାର୍ଯ୍ୟକ୍ରମରେ ଭାଗ ନେଇ ନିଜର କବିତା ପାଠ କରୁଛନ୍ତି ।

ନିଜ ସଂଘର୍ଷ କାହାଣୀ ବିଷୟରେ ହଳଧର କହନ୍ତି,

ଜଣେ ବିଧବାର ପୁଅ ହୋଇ ବଂଚିବା ଏତେ ସହଜ ନ ଥିଲା । ପିଲାଟି ଦିନରୁ ବାସନ ମାଜି ଜୀବନ ଆରମ୍ଭ କରିବା, ରୋଷଇଆ ହେବା, ପରେ ଦୋକାନ କରି କବିତା ଲେଖିବା ଆରମ୍ଭ କରିବା ଏତେ ସହଜ ନ ଥିଲା । ମୁଁ କବିତାଗୁଡ଼ିକ ପାଇଁ ମୁଁ ଅନେକ ସମ୍ମାନ ପାଇଛି । ମୁଁ ଅନେକ ଗାଁ ବୁଲି ମୋର କବିତା ଲୋକମାନଙ୍କୁ ଶୁଣାଇଛି ।

ତୃତୀୟ ଶ୍ରେଣୀରୁ ପାଠପଢ଼ା ଛାଡ଼ିଥିବା ଏହି କବି ପ୍ରତିଭାଙ୍କ ଉପରେ ୫ ଜଣ ପ୍ରତିଭାଶାଳୀ ଛାତ୍ରଛାତ୍ରୀ ନିଜର ପିଏଚ୍ଡି କରିଛନ୍ତି । ଏଥିରୁ ସେ କେତେ ପ୍ରତିଭାବାନ ତାହା ସହଜରେ ଅନୁମାନ କରାଯାଇପାରିବ । ସେ ୨୦ଟି କବିତା ସଙ୍କଳନ ଓ ଅନେକ କବିତା ଲେଖିଛନ୍ତି । ତାଙ୍କ କବିତାଗୁଡ଼ିକୁ ନେଇ ସମ୍ବଲପୁର ବିଶ୍ୱବିଦ୍ୟାଳୟ ହଳଧର ଗ୍ରନ୍ଥାବଳୀ-୨ ପ୍ରସ୍ତୁତ କରିବା କାମ ଆରମ୍ଭ କରିଦେଇଛି । ସେହି ସବୁ କବିତାଗୁଡ଼ିକୁ ବିଶ୍ୱବିଦ୍ୟାଳୟର ପାଠ୍ୟକ୍ରମରେ ସାମିଲ କରିବାର ମଧ୍ୟ ଯୋଜନା ରହିଛି ।

ହଳଧର କହନ୍ତି, 

କୋଶଳୀ ଭାଷାର କବିତାକୁ ନେଇ ଲୋକମାନଙ୍କ ଆଗ୍ରହ ମୋତେ ବିମୋହିତ କରେ । ଅଧିକ ଲେଖିବାକୁ ପ୍ରେରଣା ଯୋଗାଏ । ସମେସ୍ତ ଜଣେ ଜଣେ କବି । କିନ୍ତୁ ସେହିମାନେ ସଫଳ ଯେଉଁମାନେ କବିତାକୁ ସଠିକ ରୂପ ପ୍ରଦାନ କରିପାରନ୍ତି । ସେ କହନ୍ତି ଯେ ମୁଁ ପରିବେଶ ଓ ଆଖପାଖର ଚାଲିଚଳନିରୁ ମୋର କବିତାର ପାତ୍ର ଯୋଗାଡ଼ କରେ । ବିଶେଷ କରି ମୁଁ ସମାଜ, ସଂସ୍କୃତି, ଧର୍ମ ଓ ପୂରାଣ ଉପରେ ମୋର ଲେଖାଗୁଡ଼ିକ ଲେଖିଛି । ସେ କହନ୍ତି ଯେ କବିତା ସବୁ ବେଳେ ବାସ୍ତବ ଜୀବନ ଧର୍ମୀ ହେବା ଦରକାର । ତାହାର ଲୋକମାନଙ୍କ ସହ ସଂପର୍କ ଥିବା ଦରକାର ଓ ସେଥିରେ ନିଶ୍ଚିତରୂପେ କିଛି ବାର୍ତ୍ତା ରହିବା ଦରକାର ।

ହଳଧର କେବେ ବି ନିଜ ଜୀବନରେ ଚପଲ ପିନ୍ଧି ନାହାନ୍ତି । ନିହାତି ସାଧାରଣ ଚାଲିଚଳଣି । ଗୋଟିଏ ଧଳା ଧୋତି ପିନ୍ଧୁଥିବା ବେଳେ ବେକରେ ଖଣ୍ଡିଏ ଗାମୁଛା ପଡ଼ିଥାଏ । ତାଙ୍କୁ ଯେତେବେଳେ ଦେଖିଲେ ସେହି ବେଶରେ ସେ ମିଳିବେ । ଏଭଳି ପୋଷାକ ମୋତେ ପିନ୍ଧିବାକୁ ଆରାମ ଲାଗେ ବୋଲି ଦଳଧର କହିଛନ୍ତି ।

୨୦୧୬ ମାର୍ଚ୍ଚ ୨୮ରେ ରାଷ୍ଟ୍ରପତି ପ୍ରଣବ ମୁଖାର୍ଜୀ ତାଙ୍କୁ ପଦ୍ମଶ୍ରୀ ସମ୍ମାନ ପ୍ରଦାନ କରିଛନ୍ତି ।