ଗତକାଲି ହିନ୍ଦୀ ସିନେମା ‘ଦୁରନ୍ତ’କୁ ଯେତେବେଳେ ଶିଶୁ ଚଳଚ୍ଚିତ୍ର ବିଭାଗରେ ଶ୍ରେଷ୍ଠ ପୁରସ୍କାର ମିଳିଲା, ଆମର ପୁଣି ବୁଧିଆ ସିଂ କଥା ମନେପଡ଼ିଲା, ଯିଏ ବିଶ୍ୱର ସର୍ବକନିଷ୍ଠ ଶିଶୁ ଧାବକ ଭାବରେ ସର୍ବାଧିକ ପଥ ଅତିକ୍ରମ କରି ୨୦୦୬ ମସିହାରେ ଲିମକା ବୁକ୍ ଅଫ୍ ରେକର୍ଡସରେ ସ୍ଥାନ ପାଇଥିଲା ।

Budhia in Bhubaneswar, 2006
Budhia in Bhubaneswar, 2006

୨୦୦୫ ମସିହାରେ ଭୁବନେଶ୍ୱରରେ ଗୋଟେ ଅଳ୍ପ ପ୍ରସାରିତ ଦୈନିକ ଖବରକାଗଜରେ ମୁଁ କାମ ଆରମ୍ଭ କଲି । ସେତେବେଳେକୁ ବୁଧିଆ ଜଣେ ବିଚକ୍ଷଣ ମାରାଥନ୍ ଧାବକ ଭାବେ ବେଶ୍ ନାଁ କରି ସାରିଥିଲା ଏବଂ ଉଭୟ ଜାତୀୟ ତଥା ଅନ୍ତର୍ଜାତୀୟ ଗଣମାଧ୍ୟମର ଦୃଷ୍ଟି ଆକର୍ଷଣ କରିଥିଲା । ଓଡ଼ିଶାରେ ଆମର ଗଣମାଧ୍ୟମ ସବୁରେ ପ୍ରାୟ ସବୁଦିନ ବୁଧିଆ ସମ୍ପର୍କିତ କିଛି ନା କିଛି ଖବର ପ୍ରକାଶ ପାଉଥିଲା । ମୁଁ କାମ କରୁଥିବା ଖବରକାଗଜରେ ବି ଏପରି ଖବର ସବୁ ପୃଷ୍ଠାମଣ୍ଡନ କରୁଥିଲା । ମୋର ଠିକ ମନେପଡ଼ୁନି, ସମ୍ଭବତଃ ମୁଁ ସେ କାଗଜରେ ଯୋଗଦେବାର ସପ୍ତମ କି ଅଷ୍ଟମ ଦିନ ହେବ, ମୋତେ ବୁଧିଆ ଉପରେ ଆଲେଖଟିଏ ପ୍ରସ୍ତୁତ କରିବାକୁ କୁହାଗଲା ।

ମୋର ସାମ୍ବାଦିକତାର ଆରମ୍ଭ ଘଡ଼ି । ମୁଁ ଭାଆରି ଉତ୍ସାହିତ ଥାଏ । କୌଣସି ମତେ ବୁଧିଆର ପ୍ରଶିକ୍ଷକ ତଥା ପାଳନକର୍ତା ବିରଞ୍ଚି ଦାସଙ୍କ ଫୋନ୍ ନମ୍ବରଟି ସଂଗ୍ରହ କଲି । ତାଙ୍କ ସହ କଥା ହୋଇ ବୁଧିଆ ସାଙ୍ଗରେ ସାକ୍ଷାତ ସମୟ ସ୍ଥିର କଲି । ପରଦିନ ସକାଳୁ ଆମ ଫଟୋ ସାମ୍ବାଦିକଙ୍କ ଲୁନା ପଛରେ ବସି ଯାଇ ପହଞ୍ଚିଲି କଳ୍ପନା ଛକରେ । ସେଠାରେ କୋଚ୍ ବିରଞ୍ଚି ଦାସ ଓ ତାଙ୍କ ପତ୍ନୀ ଗୋଟିଏ ଜୁଡୋ ଶିକ୍ଷା କେନ୍ଦ୍ର ପରିଚାଳନା କରନ୍ତି । ଆମେ ଜୁଡୋ ହଲରେ ପହଞ୍ଚି ଆମ ଆସିବାର ଅଭିପ୍ରାୟ ଜଣାଇଲୁ । କେହି ଜଣେ ଆମକୁ କାଠ ବେଞ୍ଚରେ ବସାଇ ଚା’ ପରସିଲେ । ମୋ ଆଖି ଜୁଡୋ ହଲ୍ ସାରା ପହଁରି ଆସୁଥାଏ, ମୁଁ କେବଳ ବୁଧିଆକୁ ଖୋଜୁଥାଏ । ପିଲାଟିକୁ ସେଯାଏଁ ମୁଁ କେବଳ ଯାହା ଘଟୋରେ ଦେଖିଥାଏ । ଗୁଡ଼ାଏ ସମୟ ଅପେକ୍ଷା କଲା ପରେ ବିରଞ୍ଚି ଓ ବୁଧିଆ ଝାଳନାଳ ହୋଇ ଆସି ପହଞ୍ଚିଲେ । ସେମାନେ ଖର ନିଶ୍ୱାସ ମାରୁଥାନ୍ତି । ବିରଞ୍ଚି କହିଲେ, ପ୍ରତ୍ୟହ ସକାଳୁ ବୁଧିଆକୁ ନେଇ ସେ ଦୌଡ଼ ଅଭ୍ୟାସ କରାନ୍ତି ।

ଘଣ୍ଟାଏ ପର୍ଯ୍ୟନ୍ତ ଆମେ ଗପିଲୁ । ମୁଁ ବୁଧିଆକୁ ଯାହା ପ୍ରଶ୍ନ ପଚାରୁଥାଏ ସେସବୁର ଉତ୍ତର ବିରଞ୍ଚି ଦେଉଥାନ୍ତି । ବେଳେବେଳେ ସେ ବୁଧିଆକୁ ଉତ୍ତର କହି ଦେଉଥାନ୍ତି । ତଥାପି ମଧ୍ୟ ଖନିଖନି ପାଟିରେ ବୁଧିଆ କଥା କହିବାକୁ ସଂକୋଚ କରୁଥାଏ । ସେତେବେଳକୁ ତାକୁ ବୟସ ମାତ୍ର ୩ ବର୍ଷ । ଠିକରେ କଥା କହିବା ବି ସେ ଶିଖି ନଥାଏ । ସେହି ସପ୍ତାହାନ୍ତ ଖବରକାଗଜରେ ମୋର ବୁଧିଆ ସମ୍ପର୍କିତ ଲେଖାଟି ଯଦିଓ ପ୍ରକାଶ ପାଇଲା, ମୁଁ ସେଥିରେ ସେତେଟା ସନ୍ତୁଷ୍ଟ ନଥିଲି ।

ଏ ଘଟଣାର ୭-୮ ମାସ ପରେ ୨୦୦୬ ମେ’ ମାସରେ ବୁଧିଆ ନୂଆ କୀର୍ତିମାନ ସ୍ଥାପନ କରି ବିଶ୍ୱବାସୀଙ୍କ ଦୃଷ୍ଟି ଆକର୍ଷଣ କଲା । ଭୁବନେଶ୍ୱରରୁ ପୁରୀ ୭ ଘଣ୍ଟାରେ ଅବିରାମ ୬୫ କିଲୋମିଟର ଦୌଡ଼ି ସେ ବିଶ୍ୱର ଶ୍ରେଷ୍ଠ କୁନି ଧାବକ ଭାବେ ଲିମକା ବୁକ୍ ଅଫ୍ ରେକର୍ଡସରେ ସ୍ଥାନ ପାଇଲା । ତା ସହ ସିଅ‍ାରପିଏଫ୍ ଯବାନ୍ ଦୌଡ଼ୁଥିଲେ ।

Budhia during Bhubaneswar-Puri marathon, 2006
Budhia during Bhubaneswar-Puri marathon, 2006

ବୁଧିଆ ସିଂ: ଉଭାହେଲା, ପୁଣି ହଜିଗଲା

କୋଚ୍ ବିରଞ୍ଚି ଦାସ ଗୋଟେ ଅନାଥ ଆଶ୍ରମ କରିଥିଲେ । କିଛି ଅନାଥ ଶିଶୁଙ୍କୁ ପାଖରେ ରଖି ଯତ୍ନ କରୁଥିଲେ । ୨୦୦୨ ମସିହାରେ ଅତ୍ୟନ୍ତ ଗରିବ ପରିବାରରେ ଜନ୍ମିତ ବୁଧିଆ ଜନ୍ମର କିଛି ମାସ ପରେ ନିଜ ବାପାଙ୍କୁ ହରାଇଲା । ତାକୁ ପାଳିପୋଷି ବଡ଼ କରିବାରେ ଅସମର୍ଥ ବୁଧିଆର ମା’ ୨୦୦୪ରେ ତାକୁ ଗୋଟେ ଦୋକାନି ହାତରେ ମାତ୍ର ୮୦୦ ଟଙ୍କା ବିନିମୟରେ ବିକିଦେଲା । ଦୋକାନି ତାକୁ ପାଠ ପଢ଼ାଇବାର ପ୍ରତିଶ୍ରୁତି ଦେଇଥିଲା, କିନ୍ତୁ ନେଇ କାମରେ ଖଟାଇଥା’ନ୍ତା ବୋଲି ବୁଧିଆର ମା’ ସନ୍ଦେହ କରୁଥିଲେ । ଦୋକାନି ବୁଧିଆ ଉପରେ ଅତ୍ୟାଚାର ଆରମ୍ଭ କରିବାରୁ ତା’ ମା’ ବିରଞ୍ଚିଙ୍କ ପାଖକୁ ଆସି ପୁଅକୁ ବଞ୍ଚାଇବାକୁ ନେହୁରା ହେଲେ । ବିରଞ୍ଚି ସେହି ଦୋକାନିକୁ ୮୦୦ ଟଙ୍କା ଫେରସ୍ତ ଦେଇ ବୁଧିଆକୁ ନିଜ ପାଖକୁ ଆଣିଲେ । ଅନ୍ୟ ଅନାଥ ପିଲାଙ୍କ ସହ ବୁଧିଆ ବି ସେଠାରେ ରହିଲା । ଦିନେ ବୁଧିଆର ଦୁଷ୍ଟାମୀରେ ଅତିଷ୍ଟ ହୋଇ ବିରଞ୍ଚି ତାକୁ ଦଣ୍ଡଦେଲେ । ବିରକ୍ତିରେ ‘ମୁଁ ଆସିବା ଯାଏଁ ତୁ ଏ ଖୁଣ୍ଟ ଚାରିପାଖେ ଦୌଡ଼ୁଥା’ କହି ବିରଞ୍ଚି ଚାଲିଗଲେ । ଏ ଭିତରେ ପାଞ୍ଚ ଘଣ୍ଟା ବିତି ଯାଇଥାଏ । ବିରଞ୍ଚି ଫେରିବା ବେଳେକୁ ବୁଧିଆ ସେମିତି ଦୌଡ଼ିବା ଜାରି ରଖିଥାଏ । ଭୟରେ ତାକୁ ସେଥିରୁ କ୍ଷାନ୍ତ ହେବାକୁ କହି ତୁରନ୍ତ ଡାକ୍ତରଖାନା ନେଇଗଲେ । ଆଶ୍ଚର୍ଯ୍ୟ, ବୁଧିଆର ହୃତସ୍ପନ୍ଦନ ଠିକ ଥିଲା, ଏତେ ସମୟ ଦୌଡ଼ିବା ପରେ ବି ତା’ ଶରୀରରେ କୌଣସି ଅସ୍ୱାଭାବିକତା ଦେଖିନଥିଲେ ଡାକ୍ତର । ସେଇଠୁ ତାକୁ ଜଣେ ଧାବକ ଭାବେ ପ୍ରଶିକ୍ଷଣ ଦେବା ଆରମ୍ଭ କଲେ ବିରଞ୍ଚି । ମାତ୍ର ୪ ବର୍ଷ ବୟସରେ ବୁଧିଆ ୪୮ଟି ମାରାଥନରେ ଭାଗ ନେଇ ସାରିଥିଲା ।

ବୁଧିଆର ଏ ବିରଳ ଧୌଡ଼ ଦକ୍ଷତା ତାକୁ ପ୍ରସିଦ୍ଧିର ଶିଖରକୁ ନେଇ ଯାଇଥିଲା । ସେ ଏକାଧିକ ଭିଡିଓ ବିଜ୍ଞାପନରେ ସ୍ଥାନ ପାଇଲେ । ଏହା ଦ୍ୱାରା କୋଚ୍ ବିରଞ୍ଚି ପ୍ରଚୁର ମୁନାଫା ପାଇଲେ ବୋଲି ପରେ ଅଭିଯୋଗ ଉଠିଲା । ଅଭିଯୋଗ ତୀବ୍ର ହେବାରୁ ୨୦୦୬ ଜାନୁଆରି ୬ ତାରିଖରେ ଜାତୀୟ ଶିଶୁ ମଙ୍ଗଳ ଅଧିକାରୀଙ୍କ ନେତୃତ୍ୱରେ ଏକ ତଦନ୍ତ ଆରମ୍ଭ ହେଲା । ଅବଶ୍ୟ ଏଭଳି ଅଭିଯୋଗକୁ ବିରଞ୍ଚି ବରାବର ଖଣ୍ଡନ କରିଥିଲେ ।

Marathon Boy poster
Marathon Boy poster

ବୁଧିଆ ଓ କୋଚ୍ ବିରଞ୍ଚିଙ୍କ ସମ୍ପର୍କକୁ ନେଇ ୨୦୧୧ରେ ମାରାଥନ୍ ବଏ ନାମରେ ଏକ ଫିଚର ସିନେମା ଦୀର୍ଘ ପ୍ରାମାଣିକ ଚଳଚ୍ଚିତ୍ର ପ୍ରସ୍ତୁତ ହେଲା ।ଏଚବିଓ ଓ ବିବିସି ଷ୍ଟୋରିଭିଲ୍ ଦ୍ୱାରା ଏହା ପ୍ରସ୍ତୁତ ହୋଇଥିଲା । ଏହି ସିନେମାରେ କୋଚ୍ ବିରଞ୍ଚିଙ୍କ ବିରୋଧରେ ବୁଧିଆ ପୂର୍ବରୁ କରିଥିବା ଅଭିଯୋଗକୁ ପ୍ରତ୍ୟାହାର କରି ନେଇଥିଲେ । ମାରାଥନ୍ ବଏ (୨୦୧୧) ସିନେମାଟି ଏମି ପୁରସ୍କାର ମନୋନୟତ ତାଲିକାରେ ରହିଥିଲା । ବୁଧିଆଙ୍କ ଉପରେ ଏକାଧିକ ପ୍ରମାଣିକ ଚଳଚ୍ଚିତ୍ର ହୋଇଛି । ତାଙ୍କ ଉପରେ ନିର୍ମିତ ବଲିଉଡ୍ ସିନେମା ‘ଦୂରନ୍ତ’ ଚଳିତ ବର୍ଷ ଶ୍ରେଷ୍ଠ ଶିଶୁ ଚଳଚ୍ଚିତ୍ର ଭାବେ ଜାତୀୟ ପୁରସ୍କାର ପାଇଛି । ଏହି ସିନେମାରେ ମନୋଜ ବାଜପେୟୀ କୋଚ୍ ବିରଞ୍ଚି ଦାସଙ୍କ ଚରିତ୍ରରେ ଅଭିନୟ କରିଛନ୍ତି ।

Manoj Bajpayi plays Biranchi Das in Duranta
Manoj Bajpayi plays Biranchi Das in Duranta

୨୦୦୮ ଏପ୍ରିଲ ୧୩ରେ ତାଙ୍କ ଭୁବନେଶ୍ୱର ଜୁଡୋ ହଲ ବାହାରେ କେହି ଗଳିକରି ହତ୍ୟା କରେ । ଅବଶ୍ୟ ବିରଞ୍ଚିଙ୍କ ହତ୍ୟା ଘଟଣା ସହ ବୁଧିଆ ସିଂ ପ୍ରସଙ୍ଗର କୌଣସି ସମ୍ପର୍କ ନଥିଲା । ଓଡ଼ିଆ ମଡେଲ ଲେସଲି ତ୍ରିପାଠୀଙ୍କୁ ଗ୍ୟାଙ୍ଗଷ୍ଟର୍ ରାଜା ଆଚାର୍ଯ୍ୟ ବାରମ୍ବାର ଦୁର୍ବ୍ୟବହାର କରୁଥିବା ଅଭିଯୋଗ ହୋଇଥିଲା । ଏହି ସଂକ୍ରାନ୍ତ କୌଣସି କାରଣରୁ ଲେସଲିଙ୍କୁ ସମର୍ଥନ କରୁଥିବା ବିରଞ୍ଚିଙ୍କୁ ହତ୍ୟା କରାଯାଇଥଇବା କଥା ସେତେବେଳେ ପୁଲିସ ଜାଣିବାକୁ ପାଇଲା । ତଦନ୍ତ ପରେ ଜଣାପଡ଼ିଲା ହତ୍ୟାକାରୀ ରାଜା ଆଚାର୍ଯ୍ୟ ଓ ତାର ସହଯୋଗୀ ଚଗଲା ପୂର୍ବରୁ ୬୦ରୁ ଅଧିକ ହତ୍ୟା ମାମଲାରେ ଜଡ଼ିତ । ବିରଞ୍ଚିଙ୍କ ହତ୍ୟା ସେତେବେଳେ ସାରା ଦେଶବାସୀଙ୍କୁ ହତଚକିତ କରିଥିଲା । ଏ ଘଟଣା ପରେ ଉଭୟ ରାଜନୈତିକ ଓ ଉଚ୍ଚସ୍ତରୀୟ ପ୍ରାଶାସନିକ ସ୍ତରରେ ବହୁ ଭିତିରି କଥା ପଦାକୁ ଆସିଲା ।

୧୩ ଡିସେମ୍ବର ୨୦୧୦ରେ କୋର୍ଟ ଉଭୟ ଅଭିଯୁକ୍ତଙ୍କୁ ଦୋଷୀ ପ୍ରମାଣିତ କରି ୧୭ ଡିସେମ୍ବରରେ ରାୟ ଶୁଣାଇଲେ ଓ ହତ୍ୟାକାରୀଙ୍କୁ ଜେଲ ପଠାଇ ଦିଆଗଲା ।

ଦିନେ ତାକୁ ଅଲିମ୍ପିକ୍ ପଠାଇବାକୁ ସ୍ୱପ୍ନ ଦେଖୁଥିବା ବିରଞ୍ଚିଙ୍କ ହତ୍ୟା ସହିତ ବୁଧିଆର ଉତ୍ଥାନରେ ମଧ୍ୟ ପୂର୍ଣ୍ଣଛେଦ ପଡ଼ିଗଲା । କଅଁଳ ବୟସରେ ଦୌଡ଼ିବା ତା ଦେହ ପାଇଁ ହାନିକାରକ ବୋଲି ଆପାତତଃ ସ୍ଥିର ହେବା ପରେ ତାକୁ ଏଥିରୁ ବିରତ କରି ସରକାର କ୍ରୀଡ଼ା ଛାତ୍ରାବାସକୁ ପଠାଇଦେଲେ । ୧୪ ବର୍ଷୀୟ ବୁଧିଆ ଏବେ ଜନମାନସରୁ ପ୍ରାୟ ବିସ୍ମୃତ ହୋଇ କ୍ରୀଡ଼ା ଛାତ୍ରାବାସରେ ଅନ୍ୟ ଅନ୍ତେବାସୀଙ୍କ ସହ ଏକ ସାଧାରଣ ଛାତ୍ର ଭାବେ ଜୀବନ ବଞ୍ଚୁଛି ।

ଲେଖକ ଶୁଭ୍ରାଂଶୁ ପଣ୍ଡା ଜଣେ ସାହିତ୍ୟିକ ଓ ସାମ୍ବାଦିକ ଭାବେ ଜଣାଶୁଣା । ତାଙ୍କୁ +91 9338655845 କିମ୍ବା subhransupanda@yahoo.co.in ରେ ଯୋଗାଯୋଗ କରାଯାଇ ପାରିବ।

Related Stories