ପୃଥିବୀରୁ ଦାରିଦ୍ର୍ୟ ଦୂରୀକରଣ ପାଇଁ ପ୍ରୟାସରତ ୨୬ ବର୍ଷୀୟ ଯୁବତୀ

0

ପୃଥିବୀରେ ଅନେକ ସମସ୍ୟା ରହିଛି। ଆଉ ଏହି ସମସ୍ୟା ମାନଙ୍କ ପାଇଁ କୌଣସି ସହଜ ସମାଧାନ ମଧ୍ୟ ନାହିଁ। ଏସବୁର ସମାଧାନ ପାଇଁ ଅନେକ ଏନଜିଓ ଓ ସାମାଜିକ ସଂସ୍ଥା ଚେଷ୍ଟା କରୁଛନ୍ତି। ସେମାନଙ୍କ ମଧ୍ୟରୁ ଏପରି କିଛି ବ୍ୟକ୍ତି ବା ସଂସ୍ଥା ଅଛନ୍ତି ଯେଉଁମାନେ ଭିନ୍ନ ଉପାୟ ଅବଲମ୍ବନ କରି ସାମାଜିକ ପ୍ରଭାବକୁ ସୁଦୂର ପ୍ରସାରୀ କରି ପରିଛନ୍ତି। ଏହିପରି ଗୋଟିଏ ଅଭିନବ ଉପାୟ ହେଲା ସର୍ତ୍ତମୂଳକ ଅର୍ଥ ହସ୍ତାନ୍ତର ବା Conditional Cash Transfer (CCT)। ଏହି କାର୍ଯ୍ୟକ୍ରମରେ ଅର୍ଥ ଗ୍ରହୀତା କେତେକ ନିର୍ଦ୍ଦିଷ୍ଟ କାମ କରିବେ ବୋଲି ସର୍ତ୍ତ ରଖାଯାଏ। ଏପରି ସର୍ତ୍ତ ଦ୍ଵାରା ଉନ୍ନୟନ ମୂଳକ କାର୍ଯ୍ୟ କରି ଦାରିଦ୍ର୍ୟ ଦୂରୀକରଣ କରିବା CCTର ଲକ୍ଷ୍ୟ।

ସରକାର ବା ଦାତବ୍ୟ ସଂସ୍ଥା ଗୁଡିକ କେବଳ ସେହି ହିତାଧିକାରୀମାନଙ୍କୁ ଅର୍ଥ ଦେଇଥାଆନ୍ତି ଯେଉଁ ମାନେ କିଛି ନିର୍ଦ୍ଦିଷ୍ଟ ମାନଦଣ୍ଡକୁ ପୂରଣ କରିଥାଆନ୍ତି। ଏହି ମାନଦଣ୍ଡ ଗୁଡିକ ବିଭିନ୍ନ ପ୍ରକାରର ହୋଇଥାଏ। ଯେପରିକି ନିଜ ପିଲାଙ୍କୁ ସରକାରୀ ବିଦ୍ୟାଳୟକୁ ପଠାଇବା, ଟୀକାକରଣ କରାଇବା କିମ୍ବା ଡାକ୍ତରଙ୍କ ପାଖରେ ନିୟମିତ ସ୍ୱାସ୍ଥ୍ୟ ପରୀକ୍ଷା କରାଇବା। ହେଲେ Conditional Cash Transfer (CCT) ଏପରି କାର୍ଯ୍ୟକ୍ରମ ଠାରୁ ଭିନ୍ନ। ଦାରିଦ୍ର୍ୟ କବଳରେ ଥିବା ବର୍ତ୍ତମାନର ପିଢୀକୁ ସାହାଯ୍ୟ କରି ଦାରିଦ୍ର୍ୟ ଚକ୍ରକୁ ଭାଙ୍ଗିବା ଓ ମାନବ ସମ୍ବଳର ବିକାଶ କରିବା ଏହାର ଲକ୍ଷ୍ୟ ଅଟେ। ଲାଟିନ ଆମେରିକାର ଦେଶମାନଙ୍କରେ ଏହି କାର୍ଯ୍ୟକ୍ରମ ସଫଳତାର ସହ ଗରିବ ମାନଙ୍କୁ ସାହାଯ୍ୟ କରିପାରିଛି।

ଏହିପରି ଏକ ଅଭିନବ ଯୋଜନାର ସଫଳ ରୂପାୟନ କରିପାରିଛନ୍ତି ୨୬ ବର୍ଷିୟା ଶ୍ଵେତା ଜାନୁମପଲ୍ଲି। ଆମେରିକାରେ ଜନ୍ମିତ ଏହି ଭାରତୀୟ ବଂଶୋଦଭବ ଯୁବତୀ ଜଣକ ନିଜ ସ୍ନାତକ ଶିକ୍ଷା ଶେଷ କଲାପରେ କିଛି ତୃଣମୂଳ ସ୍ତରୀୟ ଗବେଷଣା ପାଇଁ ବାଙ୍ଗାଲୋର ଆସିଥିଲେ। ଏହି ସମୟରେ ହିଁ ତାଙ୍କ ମନକୁ ଏହି ଅଭିନବ ଚିନ୍ତାଧାରା ଆସିଥିଲା। ଏହା ପୂର୍ବରୁ ସେ କିଛି ବାର ନିଜ ବାପାଙ୍କ ସହ ଆନ୍ଧ୍ର ପ୍ରଦେଶରେ ଥିବା ନିଜ ପୂର୍ବ ପୁରୁଷଙ୍କ ଘରକୁ ଆସିଥିଲେ। ମାତ୍ର, ତୃଣମୂଳ ସ୍ତରୀୟ ଗବେଷଣା ତାଙ୍କ ପାଇଁ ସମ୍ପୂର୍ଣ ଏକ ଭିନ୍ନ ଅନୁଭୂତି ଆଣିଦେଇଥିଲା। ଦାରିଦ୍ର୍ୟ ଭଳି ଉତ୍କଟ ସମସ୍ୟାର ସମାଧାନ ପାଇଁ ମାଇକ୍ରୋ ଫାଇନାନ୍ସ ଏକ ବଳିଷ୍ଠ ମାଧ୍ୟମ ହୋଇ ପାରିବ ବୋଲି ତାଙ୍କ ବିଶ୍ବାସ ଥିଲା। ତୃଣମୂଳ ସ୍ତରୀୟ ଗବେଷଣା ପରେ ସେ ଗ୍ରାମୀଣ ବ୍ୟାଙ୍କରେ କାମ କରିବାର ସୁଯୋଗ ପାଇଥିଲେ। ଏହି ସମୟରେ ସେ CCT ବିଷୟରେ ଜାଣିବାକୁ ପାଇଥିଲେ ଓ ଏହା ତାଙ୍କୁ ବହୁତ ପ୍ରଭାବିତ କରିଥିଲା।

ସେତେବେଳେ ଶ୍ଵେତାଙ୍କ ବୟସ ଥିଲା ୨୩। ମାତ୍ର କମ ବୟସ ତାଙ୍କ ରାସ୍ତାରେ ପ୍ରତିବନ୍ଧକ ସାଜି ପାରି ନଥିଲା। ଏହାପରେ ସେ ସ୍ଥାନୀୟ ସ୍ତରରେ ସେହି ଲୋକମାନଙ୍କୁ ଖୋଜିବାକୁ ଆରମ୍ଭ କାଲେ ଯିଏ ତାଙ୍କୁ ସାହାଯ୍ୟ କରିପାରିବେ। ଆରମ୍ଭରେ ତାଙ୍କ କାର୍ଯ୍ୟଶୈଳୀ ଟିକିଏ ଜଟିଳ ଥିଲା ଓ ସେ ଅନେକ ଭୁଲ ମଧ୍ୟ କରିଥିଲେ। ଲୋକମାନଙ୍କୁ CCT ବିଷୟରେ ବୁଝାଇବା ଏତେ ସହଜ ନଥିଲା। ସାହାଯ୍ୟ କରିବାକୁ ଚାହୁଁଥିବା ଲୋକମାନେ ମଧ୍ୟ ଶ୍ଵେତାଙ୍କ ସନ୍ଦେଶକୁ ଠିକ ଭାବେ ବୁଝି ପାରୁନଥିଲେ। ଏହାପରେ ଶ୍ଵେତା ନିଜ କାର୍ଯ୍ୟଶୈଳୀକୁ ସହଜ କରିବା ଆରମ୍ଭ କଲେ ଓ ଏକ ନୂତନ ମାଧ୍ୟମର ମଧ୍ୟ ପ୍ରବର୍ତ୍ତନ କଲେ। ବର୍ତ୍ତମାନ କେବଳ ଭାରତ ନୁହେଁ , କମ୍ବୋଡିଆ, ନାଇଜେରିଆ ଓ କେନିୟାରେ ମଧ୍ୟ ଶ୍ଵେତାଙ୍କ CCT ପ୍ରକଳ୍ପ କାମ କରୁଛି।

ତାଙ୍କ କାହାଣୀ ଯୁବ ପିଢୀ ପାଇଁ ଏକ ପ୍ରେରଣା। Forbes’, PartyCorps and Changemakers ପରି ପତ୍ରିକା ଶ୍ଵେତାଙ୍କ ବିଷୟରେ ଲେଖା ମାନ ପ୍ରକାଶିତ କରିଛନ୍ତି। ଏହା ଛଡା Clinton Global Initiative in 2012 ରେ ସେ ମଞ୍ଚାସୀନ ଅତିଥିଙ୍କ ଭିତରୁ ଜଣେ ଥିଲେ। ନିଜ ସଫଳତା ଉପରେ ମତ ରଖି ଶ୍ଵେତା କୁହନ୍ତି ଯେ ପ୍ରକଳ୍ପକୁ ବାହାରୁ ଦେଖୁଥିବା ଲୋକଙ୍କ ପାଇଁ ଏହା କଷ୍ଟସାଧ୍ୟ ମାନେ ହୋଇ ପାରେ। ମାତ୍ର ନିଷ୍ଠାର ସହ ଥରେ କାମ କରିବା ଆରମ୍ଭ କଲେ ଏହା ସହଜ ହୋଇଯାଏ। ଲୋକମାନଙ୍କୁ ନିଜ ପ୍ରକଳ୍ପ ସହ ଯୋଡିବାରେ ପ୍ରକଳ୍ପର ସଫଳତା ନିର୍ଭର କରେ। ଯୋଡି ହୋଇଥିବା ଲୋକ ମାନେ ଧୀରେ ଧୀରେ ଅନ୍ୟମାନଙ୍କୁ ଯୋଡିବାକୁ ଆରମ୍ଭ କରନ୍ତି।“

ଏତେ କମ ବୟସରୁ ସଫଳତା ପାଇଥିଲେ ବି ସ୍ଵଭାବରେ ଶ୍ଵେତା ଭାରି ବିନୟୀ। ସମସ୍ତ ବିନମ୍ରତାର ସହ ସେ ନିଜ ଭୁଲ ତ୍ରୁଟି ଓ ସାମ୍ନା କରିଥିବା ସମସ୍ୟା ଗୁଡିକୁ ସ୍ଵୀକାର କରନ୍ତି। ତାଙ୍କ ମତରେ, “ ପ୍ରାରମ୍ଭିକ ଦିନମାନଙ୍କରେ ମୁଁ ଅନେକ ଭୁଲ କରିଛି। ଆବଶ୍ୟକତାଠାରୁ ତିନି ପାଦ ଆଗକୁ ଯାଇ ଭାବିବା ମୋର ଅଭ୍ୟାସ। ଆଉ ଏପରି ଭାବିବା ଭିତରେ ହିଁ ଆଗକୁ କଣ କରିବାକୁ ହେବ ତାହା ମୁଁ ଭୁଲି ଯାଏ। ସେଥିପାଇଁ ମୁଁ ନିଜର ବାରମ୍ବାର ମୂଲ୍ୟାୟନ କରିଥାଏ। ଉଦ୍ୟୋଗକୁ ସଫଳ ଭାବେ ଚଳାଇବା ପାଇଁ ଏକାଧିକ ଲୋକଙ୍କ ସହାୟତାର ଆବଶ୍ୟକତା ରହିଛି।“

ନିଜ ସଂସ୍ଥା New Incentives ଉପରେ ମତ ରଖି ଶ୍ଵେତା କୁହନ୍ତି, “ ଏହା ଏକ ନୂତନ ସଂସ୍ଥା ଓ ଏହି ସଂସ୍ଥାକୁ ବହୁ ଆଗକୁ ଯିବାର ଅଛି। CCT କ୍ଷେତ୍ରରେ ଆମେ ନିଜକୁ ଗୋଟିଏ ଅଗ୍ରଣୀ ଓ ପଥ ପ୍ରଦର୍ଶନକାରୀ ସଂସ୍ଥା ଭାବେ ପ୍ରମାଣିତ କରିବାକୁ ଲକ୍ଷ ରଖିଛୁ।“ ଯେକୌଣସି ନୂଆ ସଂସ୍ଥା ଆରମ୍ଭ କରିବା ପୂର୍ବରୁ ନିଜ ଭାବନା ବିଷୟରେ ଅନ୍ୟମାନଙ୍କୁ ଜଣେଇବା ଓ ସେମାନଙ୍କର ମତତମତ ଓ ଉପଦେଶ ନେବାକୁ ଶ୍ଵେତା ନବ ଉଦ୍ୟୋଗୀମାନଙ୍କୁ ପରାମର୍ଶ ଦିଅନ୍ତି।

New Incentives ବିଷୟରେ ଅଧିକ ଜାଣିବାକୁ ହେଲେ ତାଙ୍କର ୱେବସାଇଟ ଚେକ କରନ୍ତୁ