ଦାରିଙ୍ଗବାଡ଼ିର ପ୍ରଜାପତି ଉଦ୍ୟାନ “ବଟରଫ୍ଲାଏ ପାର୍କ’

0

ପର୍ଯ୍ୟଟନ ପ୍ରେମୀଙ୍କ ପାଇଁ ଖୁସି ଖବର । ବିଶେଷ କରି ପ୍ରଜାପତିକୁ ଯେଉଁମାନେ ଭଲ ପାଉଛନ୍ତି ସେମାନଙ୍କ ପାଇଁ ଦୁଇ ଗୁଣା ଅଧିକ ଖୁସି ଖବର । ଆମ ରାଜ୍ୟରେ ଏଭଳି ଏକ ପାର୍କ ବିକଶିତ କରାଯାଇଛି ଯେଉଁଠାରେ ବିଭିନ୍ନ ପ୍ରକାର ପ୍ରଜାପତିଙ୍କ ସଂରକ୍ଷଣ ପ୍ରତି ବିଶେଷ ଗୁରୁତ୍ୱ ଦିଆଯାଉଛି । ତାହା ରହିଛି ଆଦିବାସୀ ବହୁଳ କନ୍ଧମାଳ ଜିଲ୍ଲାର ଦାରିଙ୍ଗବାଡ଼ିରେ । ବଟରଫ୍ଲାଏ ପାର୍କ ନାମରେ ତାହା ପରିଚିତ । ଓଡ଼ିଶାର କାଶ୍ମୀର ଭାବେ ଦାରିଙ୍ଗବାଡ଼ି ବେଶ ଜଣାଶୁଣା । ପ୍ରତି ବର୍ଷ ସେଠାରୁ ହଜାର ହଜାର ପର୍ଯ୍ୟଟକ ଭ୍ରମଣ କରୁଛନ୍ତି । ଏବେ ସେମାନେ ଏହି ବଟରଫ୍ଲାଏ ପାର୍କ ଭ୍ରମଣ କରି ପ୍ରକୃତିର ରୂପକୁ ଅନୁଭବ କରିବାର ସୁଯୋଗ ପାଇବେ ।

ଏହା ଏକ ନେଚର୍ ପାର୍କ । ଏଠାରେ କେବଳ ପ୍ରଜାପତିଙ୍କୁ ନୁହେଁ ଔଷଧୀୟ ବୃକ୍ଷକୁ ମଧ୍ୟ ସଂରକ୍ଷଣ କରାଯାଉଛି । ପର୍ଯ୍ୟଟକମାନେ ହଜାର ହଜାର ପ୍ରକାର ବିରଳ ଔଷଧିୟ ବୃକ୍ଷକୁ ସେଠାରେ ଦେଖିବାର ସୁଯୋଗ ପାଇବେ । ଚଳିତ ବର୍ଷ ମାର୍ଚର୍ଚ୍ଚରେ ଏହି ପାର୍କଟି ସାଧାରଣ ଲୋକଙ୍କ ଭ୍ରମଣ ପାଇଁ ଖୋଲାଯାଇଛି । ଚାରି ହେକ୍ଟର ଜମି ଉପରେ ଏହାକୁ ନିର୍ମାଣ କରାଯାଇଛି । ବନ ସୁରକ୍ଷା ସମିତି ପକ୍ଷରୁ ଏହି ପାର୍କର ଦେଖାଶୁଣା କରାଯାଉଛି । ଏହି ସମିିତି ହେଉଛି ସ୍ଥାନୀୟ ଲୋକମାନଙ୍କୁ ନେଇ ଗଠନ କରାଯାଇଥିବା ଏକ ଦଳ ଯାହା ବନ ସୁରକ୍ଷା ଓ ସଂରକ୍ଷଣ ଦିଗରେ କାର୍ଯ୍ୟ କରୁଛି ।

ଏହି ନେଚର୍ ପାର୍କକୁ ଜଙ୍ଗଲ ବିଭାଗ ପକ୍ଷରୁ ୫୫ ଲକ୍ଷ ଟଙ୍କାରେ ବିକଶିତ କରାଯାଇଛି । ପାର୍କଟି ସମ୍ପୂର୍ଣ୍ଣ ବିକଶିତ ହୋଇଯିବା ପରେ ତାହାର ରକ୍ଷଣାବେକ୍ଷଣ ପାଇଁ ବନ ବିଭାଗ ପକ୍ଷରୁ ବନ ସୁରକ୍ଷା ସମିତିକୁ ଦାୟିତ୍ୱ ପ୍ରଦାନ କରାଯାଇଛି । ଶ୍ରଣିକେଟା ଜଙ୍ଗଲ ପାଖରେ ରହିଛି ବଟରଫ୍ଲାଏ ପାର୍କ । କେବଳ ଏହି ପାର୍କ ନୁହେଁ ନିକଟସ୍ଥ ଜଙ୍ଗଲକୁ ନିଆଁ ଓ ଅନ୍ୟାନ୍ୟ ପ୍ରାକୃତିକ ଦୁର୍ବିପାକରୁ ରକ୍ଷା କରିବାର ଦାୟିତ୍ୱ ସମିତିକୁ ପ୍ରଦାନ କରାଯାଇଛି ।

ରାଜ୍ୟର ପ୍ରଥମ ପ୍ରଜାପତି ଉଦ୍ୟାନ ଭୁବନେଶ୍ୱରରେ ଥିବା ନନ୍ଦନକାନନରେ ରହିଛି । ଦାରିଙ୍ଗବାଡ଼ିରେ ହେଉଛି ଏହା ଦ୍ୱିତୀୟ ପ୍ରଜାପତି ଉଦ୍ୟାନ । ନନ୍ଦନକାନନରେ ଥିବା ଉଦ୍ୟାନଟି ନିବୁଜ ଅଂଚଳରେ ରହିଛି । କିନ୍ତୁ ଦାରିଙ୍ଗବାଡ଼ିର ଉଦ୍ୟାନଟି ପର୍ଯ୍ୟାପ୍ତ ଖୋଲା ସ୍ଥାନରେ ବିକଶିତ କରାଯାଇଛି । ସେଥିପାଇଁ ଏହାକୁ ସ୍ୱତନ୍ତ୍ର ବୋଲି ବିବେଚନା କରାଯାଉଛି । ପର୍ଯ୍ୟଟନମାନେ ଏଠାରେ ବିଭିନ୍ନ ପ୍ରକାର ପ୍ରଜାପତିକୁ ଦେଖିବା ସହ ସେମାନଙ୍କ ସ୍ୱତନ୍ତ୍ରତାକୁ ଭଲ ଭାବେ ବୁଝିପାରିବେ । ପ୍ରଜାପତିମାନଙ୍କର ବଂଶ ବୃଦ୍ଧି ପାଇଁ ସେମାନଙ୍କୁ ଖାଦ୍ୟ ଓ ଅନ୍ୟାନ୍ୟ ପାଣିପାଗ ସଂପର୍କିତ ପରିବେଶ ପ୍ରଦାନ କରାଯାଉଛି । ପ୍ରଜାପତିମାନେ ବ୍ୟବହାର କରୁଥିବା ବହୁ ପ୍ରକାର ଗଛ ଉଦ୍ୟାନ ଭିତରେ ଲଗାଯାଇଛି । ବାଉଁଶ, ଆମ୍ବ ଓ ପିଜୁଳି ଭଳି ଗଛ ମଧ୍ୟ ଲଗାଯାଇଛି । ପାର୍କ ମଧ୍ୟ ଭାଗରେ ଏକ ଛୋଟ ପୋଖରି ଖୋଳାଯାଇଛି । ସେହି ପୋଖରୀ ମଧ୍ୟକୁ ପାଣି ଏକ ଛୋଟ ଝରଣା ଜରିଆରେ ଆସୁଛି । ପ୍ରଜାପତିମାନେ ସେହି ଝରଣା ଓ ପୋଖରିକୁ ଯେଭଳି ବ୍ୟବହାର କରିପାରିବେ, ତାହାକୁ ନଜରରେ ରଖି ସେଗୁଡ଼ିକୁ ବିକଶିତ କରାଯାଇଛି ।

ଔଷଧୀୟ ବୃକ୍ଷ ପାଇଁ ସୃଷ୍ଟି କରାଯାଇଛି ଉଦ୍ୟାନରେ ଚରକଙ୍କର ଏକ ପ୍ରତିମୂର୍ତି ସ୍ଥାପନ କରାଯାଇଛି । ସେଠାରେ ୫୦ରୁ ଅଧିକ ପ୍ରକାରର ବିରଳ ପ୍ରଜାତିର ଔଷଧୀୟ ବୃକ୍ଷ ରହିଛି । ପ୍ରକୃତି, ପରିବେଶ ଓ ବନ ସଂରକ୍ଷକ ଉପରେ ପ୍ରସ୍ତୁତ କରାଯାଇଥିବା ସିନେମା ଦେଖିବା ପାଇଁ ଏକ କ୍ଷୁଦ୍ର ପ୍ରେକ୍ଷାଳୟ ସେଠାରେ ବିକଶିତ କରାଯାଇଛି । 3ଡ଼ି ସିନେମା ପ୍ରଦର୍ଶନ କରାଯାଉଛି । ବନ୍ୟଜନ୍ତୁଙ୍କ ଜୀବନ୍ତ ଚାଲି ଚଳନଠାରୁ ଆରମ୍ଭ କରି କନ୍ଧମାଳର କୁଟିଆ କନ୍ଧଙ୍କ ଜୀବନଶୈଳୀକୁ ପ୍ରେକ୍ଷାଳୟରେ ପ୍ରଦର୍ଶନ କରାଯାଉଛି ।