ଆମ ପାଇଁ ଖାଦ୍ୟ ବଞ୍ଚାଉଛନ୍ତି ୩ ଆଇଆଇଟି ଡିଗ୍ରିଧାରୀ

0

ଭାରତରେ ସୌର ଉଦ୍ୟୋଗ ପାଇଁ ଥିବା ପର୍ଯ୍ୟାପ୍ତ ସୁଯୋଗ ଦ୍ୱାରା ୨୦୦୯ ମସିହାରେ ଆକର୍ଷିତ ହେଲେ ଖଡ଼ଗପୁର ଆଇଆଇଟିର ତିନି ଛାତ୍ର । କଲେଜରେ ବିଭିନ୍ନ ପ୍ରକାରର ତର୍କ ପ୍ରତିଯୋଗିତାରୁ ପାଇଥିବା ଏ ସମ୍ପର୍କିତ ଜ୍ଞାନ ସେମାନଙ୍କୁ ଏକ ନୂଆ ଉଦ୍ୟୋଗ କରିବାରେ ସହାୟକ ହେଲା ।

ଦେବେନ୍ଦ୍ର ଗୁପ୍ତା, ପ୍ରତୀକ ସିଂଘଲ ଓ ବିକାଶ ପାଣ୍ଡେ ୨୦୧୦ରେ ଇକୋଜୋନ୍ ସଲ୍ୟୁସନ ନାମରେ ଏକ ଷ୍ଟାର୍ଟଅପ୍ ଆରମ୍ଭ କଲେ ।

ଦେବେନ୍ଦ୍ର ସେହିବର୍ଷ ଆଇଆଇଟି ସ୍ନାତକ ହୋଇଥିବା ବେଳେ ପ୍ରତୀକ ଓ ବିବେକ ଯଥାକ୍ରମେ ୨୦୧୧ ଓ ୨୦୧୨ରେ ଉତ୍ତୀର୍ଣ୍ଣ ହୋଇଥିଲେ ।

ଇକୋଜେନ୍ ମାଧ୍ୟମରେ ସେମାନେ ଲୋକଙ୍କ ଶକ୍ତି ଅପଚୟ କମାଇବା ସହ ସୌର ଶକ୍ତି ବ୍ୟବହାରକୁ ପ୍ରୋତ୍ସାହିତ କରୁଛନ୍ତି । ସୌର ଲଣ୍ଠନ, ଘର ଆଲୋକୀକରଣ, LED ଷ୍ଟ୍ରିଟ୍ ଲାଇଟ୍, ଛାତ ଉପରେ ଶକ୍ତି ଉତ୍ସରୁ ଆରମ୍ଭ କରି ସୋଲାର ପାୱାର ପ୍ଲାଣ୍ଟ ପର୍ଯ୍ୟନ୍ତ ବିଭିନ୍ନ ପ୍ରକାରର ଶକ୍ତି ସମାଧାନ ସୌର ଶକ୍ତି ମାଧ୍ୟମରେ କରୁଛି ଇକୋଜେନ୍ ।

ସୌର ଶକ୍ତି ପରିଚାଳିତ କୃଷିଯନ୍ତ୍ରପାତିର ପ୍ରଚଳନ ମଧ୍ୟ କରୁଛି ଇକୋଜେନ୍; ଯେମିତିକି ପିଇବା ଓ କୃଷି କାର୍ଯ୍ୟ ପାଇଁ ପାଣି ଉଠା । ସେହିପରି ସେମାନେ ଇକୋଫ୍ରୋଷ୍ଟ ଟେକନଲୋଜିସ୍ କାର୍ଯ୍ୟକ୍ରମ ମାଧ୍ୟମରେ ଚାଷୀଙ୍କ ପାଇଁ ଶୀତଳଭଣ୍ଡାରର ବ୍ୟବସ୍ଥା କରୁଛନ୍ତି ।

ତିନିଜଣ ଆମକୁ କହିଛନ୍ତି ଯେ, ଭାରତରେ ୩୦ ପ୍ରତିଶତ ଖାଦ୍ୟଶସ୍ୟ ନଷ୍ଟ ହେଇଯାଉଥିବା ବେଳେ ଏଥିପାଇଁ ଏକ କୋଟି ଟନ କ୍ଷମତାର ଶୀତଳଭଣ୍ଡାରର ଆବଶ୍ୟକତା ରହିଛି । ଭାରତରେ ବାର୍ଷିକ ୪୪ ହଜାର କୋଟି ଟଙ୍କାର ଖାଦ୍ୟଶସ୍ୟ ନଷ୍ଟ ହେଉଛି । ଉଚ୍ଚ କ୍ଷମତାସମ୍ପନ୍ନ ଶୀତଳଭଣ୍ଡାର ଓ ଶୀତଳୀକରଣ ପରିବହନ ବ୍ୟବସ୍ଥାର ଅଭାବ ଯୋଗୁଁ ହିଁ ଏହି ଖାଦ୍ୟଶସ୍ୟ ନଷ୍ଟ ହେଉଛି । ବର୍ତ୍ତମାନ ଯେତିକି ସାଧନ ରହିଛି ତାହା କେବଳ ବୃହତ୍ ଚାଷୀ ଓ ମଧ୍ୟସ୍ଥିମାନଙ୍କ ପାଇଁ ଉପଲବ୍ଧ ହେଉଛି । ଯେତେବେଳେ ଯୋଗାଣ ବଢ଼ୁଛି ସେମାନେ ଜମା ଶସ୍ୟ ଚାପିଦେନଇ କଳାବଜାରୀ କରିବା ଫଳରେ ଅହେତୁକ ମୂଲ୍ୟବୃଦ୍ଧି ଘଟୁଛି ଓ ସେମାନେ ପ୍ରଚୁର ଲାଭ ପାଉଛନ୍ତି । କିନ୍ତୁ କ୍ଷୁଦ୍ରଚାଷୀଙ୍କ ପାଖରେ ଶୀତଳଭଣ୍ଡାର ନଥିବାରୁ ଅମଳ ପରେ ପରେ ସେମାନେ କମ ଦରରେ ବିକ୍ରି କରିବାକୁ ବାଧ୍ୟ ହେଉଛନ୍ତି । ଇକୋଫ୍ରୋଷ୍ଟ ଶୀତଳଭଣ୍ଡାର ଗ୍ରାମାଞ୍ଚଳ ଚାଷୀଙ୍କୁ ଲକ୍ଷ୍ୟ ରଖି ପ୍ରସ୍ତୁତ କରାଯାଇଛି । ଅଳ୍ପ ଖର୍ଚ୍ଚରେ ବିନା କୌଣସି ବିଦ୍ୟୁତ ସଂଯୋଗରେ ଚାଷୀମାନେ ଦୁଇ ବର୍ଷରେ ୪୦ ଶତାଂଶ ଅଧିକ ଲାଭ କରିପାରିବେ ବୋଲି ତିନି ଆଇଆଇଟିଆନ୍ କହିଛନ୍ତି ।

ଭିଲଗ୍ରୋ ଇନୋଭେସନ୍ ଫାଉଣ୍ଡେସନ୍ ଏବେ ଇକୋଜେନକୁ ସିଡ୍ ଫଣ୍ଡିଂ କରିଛି । ଦେବେନ୍ଦ୍ର କହନ୍ତି, ‘ପ୍ରଥମେ ଆମେ ଭାବୁଥିଲୁ, ଆମ ପାଖରେ ଜ୍ଞାନ ଅଛି, ଆମେ ପ୍ରଯୁକ୍ତି ମାଧ୍ୟମରେ ଏହା କରିପାରିବୁ । କିନ୍ତୁ ପରେ ଅନୁଭବ କଲୁ କ୍ଷେତ୍ର ଆଉ ବଜାର ଆକଳନ ନିହାତି ଜରୁରୀ ।’

ବର୍ତ୍ତମାନ ଇକୋଜେନ୍ ଓଡ଼ିଶା, ବିହାର, ଛତିଶଗଡ଼ ଓ ମହାରାଷ୍ଟ୍ରରେ କାର୍ଯ୍ୟ କରୁଛି । ପରେ ପଶ୍ଚିମବଙ୍ଗ ଓ ଆନ୍ଧ୍ରପ୍ରଦେଶକୁ ସେବା ବଢ଼ାଇବାକୁ ସେମାନେ ଯୋଜନା କରିଛନ୍ତି । ୧୫ ଜଣିଆ ଇକୋଜେନ୍ ଗୋଷ୍ଠୀ ଏବେ ସୋଲାର ରିଭର୍ସ ଅସ୍ମୋସିସ୍(ଆର୍ଓ) ଉପରେ କାର୍ଯ୍ୟ କରୁଛନ୍ତି । ଭବିଷ୍ୟତରେ ସେମାନେ ସୌରଶକ୍ତିକୁ ବ୍ୟବହାର କରି ଅଧିକ ପ୍ରଯୁକ୍ତିଜଡ଼ିତ ସମାଧାନ ପ୍ରସ୍ତୁତ କରିବାକୁ ଲକ୍ଷ୍ୟ ରଖିଛନ୍ତି ।

ଚାଷୀମାନଙ୍କ ସହ କାମ କରିବାର ଅନୁଭବ ବଖାଣି ପ୍ରତୀକ ଓ ବିବେକ କହନ୍ତି, "ଗ୍ରାହକଙ୍କ ମନୋଭାବ ବୁଝିବା ସବୁଠୁ ଗୁରୁତ୍ୱପୂର୍ଣ ଓ ଆହ୍ୱାନର କଥା । ଅମଳ ପରେ ସଙ୍ଗେସଙ୍ଗେ ଶସ୍ୟ ବିକ୍ରି କରିବା ଚାଷୀଙ୍କ ଅଭ୍ୟାସ । ସେମାନେ କେମିତି ବ୍ୟବସାୟ ଦୃଷ୍ଟିକୋଣରୁ ଚିନ୍ତା କରିବେ ସେକଥା ପ୍ରତି ଆମକୁ ଦୃଷ୍ଟିଦେବାକୁ ହେବ । ସେମାନଙ୍କୁ ଆମ ଯନ୍ତ୍ର ବାବଦରେ ବୁଝାଇବା, ଏହାର ଉପକାରୀତା ବାବଦରେ ଜ୍ଞାନ ଦେବା, ଏହାକୁ କିଭଳି ସ୍ଥାପନ କରିବେ ଓ ବ୍ୟବହାର କରିବେ ତାହା ବୁଝାଇବା ଲାଗି ପ୍ରଚୁର ଧୈର୍ଯ୍ୟ ଆବଶ୍ୟକ । ଅନେକଙ୍କର ବୁଝିବା ଓ କଥାବାର୍ତ୍ତା କରିବାରେ ବି ସମସ୍ୟା ରହିଛି । ଚାଷୀମାନେ ବେଳେବେଳେ ଭୟ ବି କରୁଛନ୍ତି । ସେମାନଙ୍କୁ ଆମ ପ୍ରଯୁକ୍ତି ବ୍ୟବହାର ସହ ସାମିଲ କରିବା ଲାଗି ବହୁ ପରିଶ୍ରମ ଓ ବିଶ୍ୱାସ ଲଗାଇବାକୁ ପଡ଼ୁଛି ।"