ନାରୀ ସଶକ୍ତିକରଣ ପାଇଁ କାମ କରୁଛି ଶବନମ ତାନ୍ତ୍ରେଙ୍କ ଟେଣ୍ଟ ଜୁଏଲାରୀ

0

“ଆମ ଦେଶ କିମ୍ବା ଦୁନିଆର ସବୁ ନାରୀଙ୍କୁ ମୁଁ ଗୋଟିଏ ବାର୍ତ୍ତା ଦେବାକୁ ଚାହୁଁଛି, ତାହା ହେଉଛି ଅସମ୍ଭବ ବୋଲି କିଛି ନାହିଁ। ଏପରିକି ଯଦି ପରିସ୍ଥିତି ସମ୍ପୂର୍ଣ୍ଣ ପ୍ରତିକୂଳ ଥାଏ ତେବେ ମଧ୍ୟ ନିଜ ଲକ୍ଷ୍ୟ ପଥରେ ଆଗେଇ ଚାଲ ଓ ପାରୁପର୍ଯ୍ୟନ୍ତ ଉଦ୍ୟମ କର। ଯଦି କିଛି କରିବାକୁ ତୁମର ଆନ୍ତରିକ ଇଚ୍ଛାଥାଏ ତେବେ ତୁମେ ଜାଣିପାରିବ ଯେ ତୁମକୁ ସଫଳ କରିବାକୁ ସାରା ଦୂନିଆ ଉଦ୍ୟମ କରୁଛି,”କୁହନ୍ତି ଟେଣ୍ଟ ଜୁଏଲାରୀର ଶବନମ ତାନ୍ତ୍ରେ।

2013ରେ ଶବନମ କେ.ଇ.କୋର ପ୍ରତିଷ୍ଠାତାଙ୍କୁ ଭେଟି ଟେଣ୍ଟ ଜୁଏଲାରୀକୁ ପୁନଃ-ଆରମ୍ଭ କରିବାକୁ ପ୍ରାରମ୍ଭିକ ପାଣ୍ଠି ଓ ସମ୍ମତି ହାସଲ କଲେ। ଏହା ସହିତ ସାଂପ୍ରତିକ ଜୁଏଲାରୀ ଡିଜାଇନ ପ୍ରସ୍ତୁତ କରିବା ପାଇଁ ଥିବା ତାଙ୍କର ବ୍ୟକ୍ତିଗତ ଇଚ୍ଛାକୁ ସାକାର କରିବା ପାଇଁ ତାଙ୍କୁ ସୁଯୋଗ ମିଳିଗଲା। ଏହି ବ୍ୟବସାୟ ଆରମ୍ଭ କରିବା ଲାଗି ସେ ଏବେ ଏକ ଷ୍ଟୋର ଓ ଏକ ଅନଲାଇନ ୱେବସାଇଟ ସ୍ଥାପନ କରିବାକୁ ଯୋଜନା କରୁଛନ୍ତି।

ନିକଟରେ ଅନୁଷ୍ଠିତ ମୁମ୍ବଇର ୱର୍ଲି ଫେଷ୍ଟିଭାଲରେ ଶବନମ ସ୍ଥାପନ କରିଥିବା ଷ୍ଟଲ ସମସ୍ତଙ୍କ ଦୃଷ୍ଟି ଆକର୍ଷଣ କରିପାରିଥିଲା। ସେ ଏବେ ରାଜସ୍ଥାନ ଓ ଆମେରିକାରୁ ତାଙ୍କ ସହ କାମ କରୁଥିବା ବ୍ୟକ୍ତିମାନଙ୍କ ସହଯୋଗରେ ପ୍ରଦର୍ଶନୀ ଓ କର୍ମଶାଳା ମାନ ଆୟୋଜନ କରୁଛନ୍ତି। ଯେକୌଣସି ମହିଳା ମୋ ସହିତ କାମ କରି ଜୁଏଲାରୀ ଡିଜାଇନ ଶିଖିବାକୁ ଚାହୁଁଛନ୍ତି ସମସ୍ତଙ୍କୁ ମୁଁ ସ୍ଵାଗତ କରୁଛି। ସେମାନେ କାମ ଶିଖିବା ସହ ବିକ୍ରିମୂଲ୍ୟର ପ୍ରାୟ 30 ପ୍ରତିଶତ ଆୟ କରିପାରିବେ। ପୁଣି ପ୍ରତି ସାମଗ୍ରୀ ବିକ୍ରିର ଅତିରିକ୍ତ 5 ପ୍ରତିଶତ କାଶ୍ମୀର ଓ ଗ୍ରାମୀଣ ଭାରତରେ ଲୋକଙ୍କ ଉନ୍ନତି ପାଇଁ କାମ କରୁଥିବା ଏନଜିଓ ଓ ମହିଳା ସ୍ଵୟଂ ସହାୟକ ଗୋଷ୍ଠୀମାନଙ୍କୁ ଦାନ କରାଯାଉଛି। ଟେଣ୍ଟ ଜୁଏଲାରୀରରେ କାମ କରିବା ପୂର୍ବରୁ ଶବନମ କାଶ୍ମୀର ଓ ମୁମ୍ବାଇରେ କେତେକ ସ୍ଵେଚ୍ଛାସେବୀ ସଂଗଠନ ସହ ଜଡିତ ହୋଇ କାମ କରୁଥିଲେ। ସେ ମୁମ୍ବାଇ ବିଶ୍ଵବିଦ୍ୟାଳୟରୁ ସମାଜ ବିଜ୍ଞାନରେ ମାଷ୍ଟ୍ରର୍ ଡିଗ୍ରୀ ହାସଲ କରିଛନ୍ତି।

ସେ କୁହନ୍ତି, ନିଜେ ଯାହା ଠିକ ବୋଲି ଭାବୁଛ ତା ଉପରେ ଭରସା ରଖାଯିବା ଆବଶ୍ୟକ ଓ ନିଜ ମୂଲ୍ୟବୋଧ ପାଇଁ ପ୍ରୟାସ କରିବା ଆବଶ୍ୟକ। ଟେଣ୍ଟ ଜୁଏଲାରୀ ହେଉଛି ମହିଳାଙ୍କ ଦ୍ଵାରା ଓ ମହିଳାଙ୍କ ପାଇଁ ଏକ ସ୍ଥାୟୀ ପ୍ଲାଟଫର୍ମ ଓ ମୋ ମତରେ ଏହା ହିଁ ଏକ ପ୍ରକାରର ନାରୀ ସଶକ୍ତିକରଣ। ମୋ ମତରେ ଭାରତର ଯେକୌଣସି କୋଣରେ ଥାଆନ୍ତୁ ନା କାହିଁକି ଏକ ନାରୀ ପାଖରେ ଆମକୁ ପହଞ୍ଚିବାକୁ ହେବ। ବ୍ୟକ୍ତିଗତଭାବରେ ଶବନମଙ୍କ ଜୀବନର କେତୋଟି ସଂଘର୍ଷମୟ ସମୟ ଭାରତର ଦୁଇଟି ଭିନ୍ନ ଭିନ୍ନ ସ୍ଥାନ କାଶ୍ମୀର ଓ ମୁମ୍ବାଇରେ କଟିଥିଲା। ଶବନମଙ୍କ ପିଲାବେଳ କାଶ୍ମୀରରେ କଟିଥିଲା ଓ 14 ବର୍ଷ ବୟସରେ ଉଚ୍ଚଶିକ୍ଷା ପାଇଁ ସେ ମୁମ୍ବାଇ ଚାଲିଆସିଲେ। କିନ୍ତୁ ବିଧିର ବିଧାନ ଥିଲା ବିଚିତ୍ର। 2006ରେ ମୁମ୍ବାଇରେ ହୋଇଥିବା ଏକ ଆତଙ୍କବାଦୀ ଆକ୍ରମଣରେ ତାଙ୍କ ପିତା ନିହତ ହେବାପରେ ତାଙ୍କ ପରିବାରଉପରେ ବିପଦର କଳାବାଦଲ ଛାଇ ଆସିଥିଲା। ମୋ ବାପା ଆମ ପରିବାର ପାଇଁ ସବୁକିଛି ଥିଲେ ଓ ତାଙ୍କର ପରଲୋକ ପରେ ଯେପରି ଆମ ଉପରେ ଆକାଶ ଛିଡି ପଡିଲା। ମୋ ବାପା ବିଦ୍ୟୁତ ବିଭାଗରେ ଜଣେ ଇଂଜିନିୟର ଥିଲେ। ଏହା ସହିତ ସମାଜ ପାଇଁ ନିଜର କର୍ତ୍ତବ୍ୟ କରୁଥିଲେ। ସେ ଶ୍ରୀନଗରରେ ଏକ ସ୍କୁଲ ଚଳାଉଥିଲେ। ବିବାହ ପୂର୍ବରୁ ସେ ଖ୍ରୀଷ୍ଟ ଧର୍ମ ଗ୍ରହଣ କରିଥିଲେ,” ସେ କୁହନ୍ତି।

କାଶ୍ମୀରରେ ଅନେକ ସମୟରେ ମୋ ବାପାଙ୍କୁ ଧମକ ମିଳୁଥିଲା, କିନ୍ତୁ ସେ କାଶ୍ମୀର ଛାଡି ନଥିଲେ। ମୋ ବାପା ଶିକ୍ଷା ମାଧ୍ୟମରେ ଲୋକଙ୍କ ସଶକ୍ତିକରଣ ଉପରେ ବିଶ୍ଵାସ କରୁଥିଲେ। ବାପାଙ୍କ ଏସବୁ ଗୁଣ ଦ୍ଵାରା ସେ ପ୍ରଭାବିତ ହୋଇଥିଲେ ଓ ଅନ୍ୟକୁ ସାହାଯ୍ୟ କରିବାରେ ଯେ କେତେ ଆନନ୍ଦ ତାହା ଜାଣିପାରିଥିଲେ। ନିଜ ସ୍ଵାର୍ଥ ସାଧନ ପୂର୍ବରୁ ଅନ୍ୟକଥା ଚିନ୍ତା କରିବା ସଂପର୍କରେ ତାଙ୍କ ବାପାହିଁ ଶିକ୍ଷା ଦେଇଥିଲେ ବୋଲି କୁହନ୍ତି ଶବନମ। ଟେଣ୍ଟରେ କାମ କରି ନିଜର ଏହି ମୂଲ୍ୟବୋଧକୁ ଆଗେଇ ନେବାର ସୁଯୋଗ ପାଇଁଛନ୍ତି ବୋଲି ସେ କୁହନ୍ତି। ଶବନମ ନିଜର ଅନୁଭୁତିକୁ ନେଇ ଏକ ବହି ଲେଖୁଛନ୍ତି ଓ ଖୁବ ଶୀଘ୍ର ବହିଟି ପ୍ରକାଶିତ ହେବ।