ମୁସଲିମ୍ ଯୁବକ ଆକବର ନିର୍ମାଣ କଲେ ଶିବଙ୍କ ମନ୍ଦିର

ମୁସଲିମ୍ ଯୁବକ ଆକବର ନିର୍ମାଣ କଲେ ଶିବଙ୍କ ମନ୍ଦିର

Friday July 29, 2016,

2 min Read

ଭାରତରେ ଆକବର ନାମ ଓ ଶିବ ମନ୍ଦିର ଶବ୍ଦ ଏକ ସଙ୍ଗେ ବ୍ୟବହାର କରିବା ଏତେ ସହଜ ନୁହେଁ । ଆକବର ଥିଲେ ଜଣେ ସମ୍ରାଟ । ଏଠାରେ ତାଙ୍କ ବିଷୟରେ କୁହାଯାଉ ନାହିଁ । ଜୟପୁରର ଯୁବକ ଆକବରଙ୍କର ହେଉଛି ଏହି କାହାଣୀ । ଜାତିରେ ମୁସଲମାନ ହୋଇଥିଲେ ମଧ୍ୟ ସେ ଧର୍ମକୁ ନେଇ କେବେ ଭେଦଭାବ କରିନାହାନ୍ତି । ଭାରତରେ ଆଜି ତାଙ୍କ ଭଳି ଲୋକଙ୍କ ଆବଶ୍ୟକତା ବଢ଼ିଯାଇଛି ।

image


ଆକବର ନିଜ ଅଂଚଳରେ ଏକ ଶିବ ମନ୍ଦିର ନିର୍ମାଣ କରି ଚର୍ଚ୍ଚା ସୃଷ୍ଟି କରିଛି । ଆଜି ଦେଶରେ ଯେଉଁମାନେ ଧର୍ମ ନାମରେ ଲଢ଼େଇ କରୁଛନ୍ତି ଆକବର ସେମାନଙ୍କ ପାଇଁ ନିଶ୍ଚିତ ରୂପେ ଉଦାହରଣ ହୋଇପାରିବେ । ଦୁଃଖ ପଡ଼ିଲେ ଏହି ଆକବର ମସଜିଦରେ ଯାଇ ଭଗବାନ ଆଲ୍ଲାଙ୍କୁ ପ୍ରାର୍ଥନା କରନ୍ତି । ପୁଣି ନିଜ ସାଙ୍ଗ ସାଥୀମାନଙ୍କ ସହ ମନ୍ଦିରକୁ ମଧ୍ୟ ଯାଆନ୍ତି । ତାହାର ପ୍ରଭାବ ଏହା ଯେ ଭଗବାନ ଶିବଙ୍କ ପ୍ରତି ସେ ଆକୃଷ୍ଟ ହୋଇଥିଲେ।

ଆକବର ଖାନ୍ ଙ୍କ ବୟସ ହେଉଛି ୩୯ ବର୍ଷ । ସେ ଯେଉଁ ମନ୍ଦିର ନିର୍ମାଣ କରିଛନ୍ତି ତାହାର ଲୋକାର୍ପଣ ଏପ୍ରିଲ ୩୦ ତାରିଖରେ କରାଯାଇଥିଲା । ହିନ୍ଦୁ ଧର୍ମପ୍ରତି ଆକବର ଆକର୍ଷିତ ହେବା ଏହା ଅପ୍ରତ୍ୟାଶିତ କିମ୍ବା ପ୍ରଥମ ଘଟଣା ନୁହେଁ । ଏହା ପୂର୍ବରୁ ସେ ପ୍ରଭୂ ଗଣେଶଙ୍କ ଘଟପୂଜାଠାରୁ ଆରମ୍ଭ କରି ଯଞ୍ଜ, ଭଜନ ସଂଧ୍ୟା ଓ କଳସ ଯାତ୍ରା ମଧ୍ୟ ଆୟୋଜନ କରିଥିଲେ । ଜୀବନରେ କେବେଠାରୁ ଭଗବାନ ଶିବଙ୍କ ପ୍ରତି ଆକର୍ଷିତ ହୋଇଥିଲେ ତାହା ଆକବରଙ୍କର ମନେ ନାହିଁ । ଯଦି ସେ କେବେ ମାନସିକ ସ୍ତରରେ କିମ୍ବା ଆର୍ଥିକ ସ୍ତରରେ ଚିନ୍ତାଗ୍ରସ୍ତ ହୋଇଥାନ୍ତି ସଙ୍ଗେ ସଙ୍ଗେ ସେ ଭଗବାନ ଶିବଙ୍କୁ ପ୍ରାର୍ଥନା କରିବାକୁ ଭୁଲି ନ ଥାନ୍ତି ।

ସାଂପ୍ରଦାୟିକ ସଦଭାବନାର ଏକ ଜ୍ୱଳନ୍ତ ଉଦାହରଣ ହେଉଛନ୍ତ ଆକବର । ସମାଜ ପାଇଁ ନିହାତି ଆବଶ୍ୟକ ଥିବା ଏହି ସଦଭାବନା ପାଇଁ ସେ ଏକ ଶକ୍ତି ଉତ୍ସରେ ପରିଣତ ହୋଇଛନ୍ତି । ଆକବର୍ କହନ୍ତି ଭଗବାନ ଜଣେ । ସେ ଆଲ୍ଲା ଓ ସେ ରାମ । କିଛି ପ୍ରଭେଦ ନାହିଁ ତାଙ୍କ ଭିତରେ ।

ରାଜସ୍ଥାନର ଜୟପୁର ସହରର ଓମ୍ ବିହାର କଲୋନିରେ ୧୦୦ ବର୍ଗଫୁଟ୍ ଜମିରେ ଆକବର ଶିବ ମନ୍ଦିରକୁ ନିର୍ମାଣ କରିଛନ୍ତି । ତାହାର ନାମ ରଖାଯାଇଛି ଭୁତେଶ୍ୱର ମହାଦେବ ମନ୍ଦିର । ମନ୍ଦିରରେ କେବଳ ଭଗବାନ ଶିବଙ୍କର ନୁହେଁ ତାଙ୍କ ପରିବାର ସଦସ୍ୟ ଯଥା କାର୍ତ୍ତିକ, ଗଣେଶ ଓ ମାତା ପାର୍ବତୀଙ୍କ ମନ୍ଦିର ମଧ୍ୟ ରହିବ । ଏହି ମନ୍ଦିର ନିର୍ମାଣ ପାଇଁ ଭଗବାନ ତାଙ୍କୁ ଚୟନ କରିଥିବାରୁ ସେ ଶିବଙ୍କୁ ଧନ୍ୟବାଦ ଦେଇଛନ୍ତି । ଏହି ମନ୍ଦିର ନିର୍ମାଣ କରିବାକୁ ଆକବର କାହାଠାରୁ ଟଙ୍କାଟିଏ ସହାୟତା ଆଣି ନାହାନ୍ତି । ସମ୍ପୂର୍ଣ୍ଣ ନିଜ ଉଦ୍ୟମରେ ଏହି ମନ୍ଦିର ନିର୍ମାଣ କରିଛନ୍ତି । ଓମ୍ ବିହାର କଲୋନିରେ ପୂର୍ବରୁ କୌଣସି ମନ୍ଦିର ନ ଥିଲା । ସେଥିପାଇଁ ସେ ସେଠାରେ ମନ୍ଦିର ତିଆରି କରିବାକୁ ଚାହିିଁଥିଲେ ବୋଲି କହିଛନ୍ତି । ସିକନ୍ଦରାରୁ ମୂର୍ତ୍ତୀ ତିଆରି କରି ସେ ଆଣିଛନ୍ତି । ସେ ଏକ ସ୍କୁଲ ମଧ୍ୟ ଚଲାଉଛନ୍ତି ।

ଆକବର କହିଛନ୍ତି ଯେ ମନ୍ଦିର ନିର୍ମାଣ କରିବା ବେଳେ ତାଙ୍କୁ ହିନ୍ଦୁ କିମ୍ବା ମୁସଲମାନ କୌଣସି ସଂପ୍ରଦାୟର ବିରୋଧ ସାମ୍ନା କରିବାକୁ ପଡ଼ିନାହିଁ । ସମସ୍ତେ ସହଯୋଗ କରିଛନ୍ତି । ମନ୍ଦିରରେ ଯଦିଓ ଶିବଙ୍କ ମୂର୍ତ୍ତୀ ସ୍ଥାପନ କରାଯାଉଛି, ଲୋକମାନେ କିନ୍ତୁ ଭଗବାନଙ୍କୁ ଯେ କୌଣସି ନାମରେ ଡାକି ପାରିବେ । ତାଙ୍କୁ ଶିବ ଡାକନ୍ତୁ ଅଥବା ଆଲ୍ଲା । ସେ ହେଉଛନ୍ତି ଜଣେ । ଆକବରଙ୍କ କହିବା କଥା ହେଉଛି ସବୁ ଧର୍ମର ଲୋକ ପରସ୍ପରକୁ ସମ୍ମାନ ଦେବା ଉଚିତ ।