ବିମୁଦ୍ରିକରଣ ବନାମ ମୋଦିକରଣ

ଲେଖୁଛନ୍ତି ଆଶୁତୋଷ 

ବିମୁଦ୍ରିକରଣ ବନାମ ମୋଦିକରଣ

Friday November 25, 2016,

6 min Read

ମୋ ମୋବାଇଲ ସ୍କ୍ରୀନର ଲାଇଟ ହଠାତ ଜଳିଉଠିଲା। ଦେଖିଲି ତ ଗୋଟେ ନ୍ଯୁଜ ଫ୍ଲାଶ ଥିଲା – ପ୍ରଧାନମନ୍ତ୍ରୀ ମୋଦୀ କାଳେ ଏବେ ଦେଶବାସୀଙ୍କ ଉଦ୍ଦେଶ୍ୟରେ କିଛି କହିବାକୁ ଯାଉଛନ୍ତି। ସାମାନ୍ୟ ଆଶ୍ଚର୍ଯ୍ୟ ହେଲି। ସୀମାନ୍ତରେ ଘଟୁଥିବା କାଁଭାଁ ସଂଘର୍ଷ ଛଡ଼ା ଦେଶରେ ସେପରି କିଛି ସଙ୍କଟଜନକ ଘଟଣା ଘଟିନାହିଁ। ମୋ ଭିତରେ ଏପର୍ଯ୍ୟନ୍ତ ବଞ୍ଚିଥିବା ସମ୍ପାଦକଟି ଭାବିଲା ଯେ ନିହାତି କିଛି ଗୁରୁତର ଘଟଣା ନହେଲେ ପ୍ରଧାନମନ୍ତ୍ରୀ ଦେଶବାସୀଙ୍କୁ ଏପରି ଅକସ୍ମାତ ସମ୍ବୋଧନ କାହିଁକି କରିବେ। ମନକୁ କିନ୍ତୁ ସେପରି କିଛି ଗୁରୁତର ଘଟଣା ଆସିଲା ନାହିଁ। ଘଣ୍ଟାରେ ୮ଟା ବାଜିଲା, ମୁଁ ସଙ୍ଗେ ସଙ୍ଗେ ଟିଭି ଅନ କଲି।

image


ପ୍ରଧାନମନ୍ତ୍ରୀ ଆତଙ୍କବାଦ, ଭ୍ରଷ୍ଟାଚାର ଓ କଳାଧନ ଉପରେ କହିବା ଆରମ୍ଭ କଲେ। ସେପର୍ଯ୍ୟନ୍ତ ମୁଁ କିଛି ବୁଝିପାରୁନଥିଲି ଯେ ସେଇ ଗୁରୁତର ଘଟଣାଟି କଣ। ଠିକ ସେତିକି ବେଳେ ଚଡକ ପଡିଲା। ଘୋଷଣା ହେଲା ଯେ ସରକାର ମଧ୍ୟରାତ୍ରିରୁ ୫୦୦ ଓ ୧୦୦୦ ଟଙ୍କାର ନୋଟକୁ ଅଚଳ କରୁଛନ୍ତି। ଲକ୍ଷ୍ୟ ହେଲା କଳାଧନ ଉପରେ ରୋକ ଲଗାଇବା। ଅବାକ ହେଲି। ସଙ୍ଗେ ସଙ୍ଗେ ନିଜର ୱାଲେଟ ଖୋଲି ଦେଖିଲି। ଥିଲା ତିନୋଟି ୫୦୦ ଟଙ୍କାର ନୋଟ। ମୋ ପାଖରେ ସଂପୂର୍ଣ୍ଣ ସେତିକି ହିଁ ଟଙ୍କା ଥିଲା। ହଠାତ ତା’ର କୌଣସି ମୂଲ୍ୟ ନଥିଲା।କିଛି ଘଣ୍ଟା ମଧ୍ୟରେ ସେସବୁ ପାଲଟିଯିବ ମୂଲ୍ୟହୀନ କାଗଜ ମାତ୍ର। ମଥାର ଝାଳ ପୋଛିପାରିବେ ସେଥିରେ କିନ୍ତୁ କିଛି କିଣିପାରିବେ ନାହିଁ।

ମୋର ବନ୍ଧୁ ଓ ମୁଁ ସେତେବେଳେ ଠିକ କଲୁ ଯେ ଏହି ନୋଟ ଗୁଡ଼ିକର ମଧ୍ୟରାତ୍ରୀ ପୂର୍ବରୁ ସଦୁପଯୋଗ କରିବାକୁ ହେବ। ତେଣୁ ଆମେ ପେଟପୂଜା କରିବାକୁ ବାହାରିଗଲୁ। ସ୍ଵାଦିଷ୍ଟ ଭୋଜନ କରୁଥିବା ସମୟର ଆଲୋଚନା ଏହି ଘୋଷଣା ଉପରେ କେନ୍ଦ୍ରିତ ଥିଲା। ଯଦିଓ ଏପରି ଏକ ଘୋଷଣା ଖୁବ ସାହସିକ ଲାଗୁଥିଲା କିନ୍ତୁ ଅସଲ ପ୍ରଶ୍ନ ଥିଲା ଏହା କଣ ସତରେ କଳାଧନକୁ କାବୁ କରିପାରିବ? ଏଇ ସିଦ୍ଧାନ୍ତ କଣ ବାସ୍ତବିକ? ଏଥିରେ କଣ ତାଙ୍କର ଭାବମୂର୍ତ୍ତି ଆହୁରି ଭଲ ହେବ? ଏହି ସିଦ୍ଧାନ୍ତଟି କଣ ଆର୍ଥିକ କ୍ଷେତ୍ରରେ ସମତା ଓ ଶ୍ରୁଙ୍ଖଳା ଆଣିବ ନା ଅରାଜକତା ଆଣିବ?

ସତ କହିବାକୁ ଗଲେ ମୁଁ ନିଜେ ସଂଶୟରେ ପଡ଼ିଯାଇଥିଲି। ଭାବିଲି ବୋଧହୁଏ ମଧ୍ୟରାତ୍ରି ଭିତରେ ପ୍ରଧାନମନ୍ତ୍ରୀଙ୍କ ଭାବମୂର୍ତ୍ତି ଆହୁରି ଶକ୍ତିଶାଳୀ ହେଇଯିବ। ତାଙ୍କୁ ଭ୍ରଷ୍ଟାଚାର ଓ ଦୁର୍ନୀତି ବିରୁଦ୍ଧରେ ଲଢୁଥିବା ଜଣେ ସୈନିକ ଭାବରେ ଲୋକେ ଦେଖିବେ। କିନ୍ତୁ ପ୍ରଶ୍ନ ଥିଲା ଯେ ରାଜନୈତିକ ଭାବେ ସେ ଏଥିରୁ କିପରି ଭାବେ ଲାଭବାନ ହେବେ ? ମୋ ପାଖରେ କିନ୍ତୁ ସେ ପ୍ରଶ୍ନର କୌଣସି ଉତ୍ତର ନଥିଲା। ଇତିମଧ୍ୟରେ ଖବର ଆସିବାକୁ ଲାଗିଲା ଯେ ପେଟ୍ରୋଲ ପମ୍ପ ମାନଙ୍କରେ ଲମ୍ବା ଲାଇନ। କିଛି ଘଣ୍ଟା ମଧ୍ୟରେ ସାଧାରଣ ନାଗରିକ ମାନେ ଖୁବ ବିଚଳିତ ହୋଇପଡ଼ିଛନ୍ତି।.

ପରଦିନ ଠାରୁ ବ୍ୟାପାରଟି ଗୋଳମାଳ ଓ ପରେ ଏକ ପ୍ରକାର ଅରାଜକତାର ରୂପ ନେବାକୁ ଲାଗିଲା। ଲୋକେ ବ୍ଯାଙ୍କ ଓ ଏଟିଏମରେ ଲାଇନ ଲଗାଇବାକୁ ଲାଗିଲେ। ବିମୁଦ୍ରିକରଣ ସାଧାରଣ ଜନତା ମଧ୍ୟରେ ଚର୍ଚ୍ଚାର ବିଷୟ ପାଲଟିଯାଇଥିଲା। ଏକ ସମୟରେ ଚର୍ଚ୍ଚିଲ କହିଥିଲେ, ରାଜନୀତିରେ ଏକ ସପ୍ତାହ ମାନେ ଏକ ବିରାଟ ସମୟ। କିନ୍ତୁ ବର୍ତ୍ତମାନ ପରିପ୍ରେଖୀରେ ୪୫ ମିନିଟ ଏକ ସପ୍ତାହ ଠାରୁ ଅଧିକ ଲମ୍ବା ଲାଗୁଛି। ବିମୁଦ୍ରିକରଣ ଘୋଷଣା ସହ ରାଜନୀତିର ରଙ୍ଗ ବଦଳିଯାଇଛି। ରାଜନୀତି ବୋଧହୁଏ ସେଇ ପୁରୁଣା ରଙ୍ଗଢଙ୍ଗକୁ ଫେରିଯାଇପାରିବ ନାହିଁ। ଦୁଇ ସପ୍ତାହ ମଧ୍ୟରେ ଅନେକ କିଛି ବଦଳିଛି। ରାଜନୀତି ଏବେ ଦୁଇ ଶିବିରରେ ବିଭକ୍ତ ହେଇଛି। ପ୍ରଧାନମନ୍ତ୍ରୀ କଳାଧନ ଓ ଦୁର୍ନୀତି ବିରୁଦ୍ଧରେ ଯୁଧ୍ୟ ଡାକରା ଦେଇଛନ୍ତି। କିନ୍ତୁ ମୋ ନିଜ ପାଇଁ ସଂପୂର୍ଣ୍ଣ ବିଷୟବସ୍ତୁଟି ହଜମ କରିବା ଟିକିଏ କଷ୍ଟ ହେଇଛି।

୨୦୧୪ ସାଧାରଣ ନିର୍ବାଚନ ସମୟରେ ମୋଦି ବିଦେଶରେ ଥିବା କଳାଧନ ଫେରାଇଆଣିବେ ଓ ପ୍ରତି ଦେଶବାସୀଙ୍କ ବ୍ଯାଙ୍କଖାତାରେ ୧୫ ଲକ୍ଷ ଟଙ୍କା ଲେଖାଏଁ ଜମା କରିବେ ବୋଲି ସ୍ଵପ୍ନ ଦେଖାଇଥିଲେ। ପୂର୍ବତନ କଂଗ୍ରେସ ସରକାରର ପତନର ମୂଳ କାରଣ ଥିଲା ସେସମୟରେ ହେଇଥିବା ଦୁର୍ନୀତି। ଏହା ଫଳରେ ୨୦୧୪ ସାଧାରଣ ନିର୍ବାଚନରେ କଂଗ୍ରେସ ପାର୍ଲିଆମେଣ୍ଟରେ ୫୦ଟି ସିଟ ମଧ୍ୟ ପାଇପାରିନଥିଲା। ଏକଦା ଏକ ବିଶାଳ ବଟବୃକ୍ଷ ପରି ଗଢ଼ିଉଠିଥିବା କଂଗ୍ରେସ ଦଳ ଯାହାକି ବିଂଶଶତାବ୍ଦୀରେ ଭାରତୀୟ ର୍ରାଜନୀତି ଓ ଇତିହାସକୁ ଅପ୍ରତିଦ୍ଵନ୍ଦୀ ଭାବେ ପ୍ରଭାବିତ କରିଆସିଛି,ଯାହା ସମଗ୍ର ବିଶ୍ବରେ ନିଆରା , ସେହି ଦଳ ଯେ ଆଉଥରେ ନିଜକୁ ପୁନଃ ପ୍ରତିଷ୍ଠିତ କରିପାରିବ ରାଜନୈତିକ ବିଶାରଦ ମାନେ ସନ୍ଦିହାନ।`

ମୋଦି ଦୁର୍ନୀତି ବିରୁଦ୍ଧରେ ଲଢ଼ିବେ ଏବଂ ବିଦେଶୀ ବ୍ୟାଙ୍କଗୁଡ଼ିକରୁ ବିଶେଷତଃ ସ୍ଵିସ ବ୍ୟାଙ୍କରୁ କଳାଧନ ଫେରାଇ ଆଣିବେ ବୋଲି ଲୋକେ ତାଙ୍କୁ ଭୋଟ ଦେଇଥିଲେ। ଆମ ଭାରତୀୟ ମାନଙ୍କର ସ୍ଵିସ ବ୍ୟାଙ୍କ ସହିତ ଏକ ରୋମାଣ୍ଟିକ ସମ୍ପର୍କ ଅଛି । ତାହାର ନାମ ହିଁ ଆମ ମନରେ ଈର୍ଷା ଓ କ୍ରୋଧଭାବ ସଂଚାର କରିଥାଏ। ସ୍ଵିସ ବ୍ଯାଙ୍କ କହିଲେ ମନରେ ଆସେ ଧନାଢ୍ୟ, ଶକ୍ତିଶାଳୀ, ଭ୍ରଷ୍ଟାଚାରୀ ଲୋକ ମାନଙ୍କର ଧନର ଗନ୍ତାଘର। ବିଦେଶୀ ବ୍ଯାଙ୍କରେ ଏକାଉନ୍ଟ ଥିବା ଅର୍ଥ ସେ ବ୍ୟକ୍ତି ନିଶ୍ଚୟ ଭାବେ ଏକ ସଫଳ ଓ ଶକ୍ତିଶାଳୀ ଦଳ ସହ ସମ୍ପର୍କ ରଖୁଥିବ।

ବିଜେପିର ବରିଷ୍ଠ ନେତା ଲାଲକୃଷ୍ଣ ଆଡଭାନୀଏବଂ ବର୍ତ୍ତମାନର ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ୨୦୦୯ରେ ସାଧାରଣ ନିର୍ବାଚନ ସମୟରେ କଳାଧନ ପ୍ରସଙ୍ଗ ଉଠାଇଥିଲେ। ଅନେକ ସାମ୍ବାଦିକ ସମ୍ମିଳନୀ ତଥା ରାଲିରେ ମଧ୍ୟ ସେ ଏହି ପ୍ରସଙ୍ଗ ଉଠାଇଥିଲେ। କିନ୍ତୁ ଏହା ଏକ ବଡ଼ ନିର୍ବାଚନ ପ୍ରସଙ୍ଗ ହେଇପାରିନଥିଲା। ୨୦୦୮ର ବିଶ୍ଵବ୍ୟାପୀ ଅର୍ଥନୈତିକ ମାନ୍ଦା ଅବସ୍ଥା ସତ୍ତ୍ୱେ ମଧ୍ୟ ଭାରତର ଅର୍ଥବ୍ୟବସ୍ଥା ୯% ହାରରେ ବଢିଥିଲା। ଲୋକେ ପୁଣି ଥରେ ମନମୋହନ ସିଂଙ୍କୁ ଦେଶର ପ୍ରଧାନମନ୍ତ୍ରୀ ଭାବେ ବାଛିଲେ, ଏଥର ୨୦୦୪ ଠାରୁ ଅଧିକ ଭୋଟ ଦେଇ। କଳାଧନ ପ୍ରସଙ୍ଗ ସେତେ କାମ ଦେଇନଥିଲା। କିନ୍ତୁ ୨୦୧୧ ପରଠାରୁ ରାଜନୈତିକ ଦୃଶ୍ୟପଟ୍ଟରେ ବେଶ କିଛି ପରିବର୍ତ୍ତନ ଆସିଲା। ଏହା ସହ ସବୁ ବ୍ୟାଖ୍ୟା ବଦଳିବାକୁ ଲାଗିଲା।

ଆନ୍ନା ହଜାରେଙ୍କ ଆନ୍ଦୋଳନ ଦେଶବାସୀଙ୍କୁ ଜାଗୃତ କଲା। ଦୁର୍ନୀତି ଏକ ମୁଖ୍ୟ ପ୍ରସଙ୍ଗ ହେଲା। ସ୍କାମ ପରେ ସ୍କାମ ଓ ତାକୁ ଘଣ୍ଟ ଘୋଡାଇବାର ପ୍ରବୃତ୍ତି ମନମୋହନ ଓ ସୋନିଆଙ୍କ ଭାବମୂର୍ତ୍ତିକୁ ଆଘାତ ଦେଲା। କଂଗ୍ରେସର ପ୍ରତିଛବି ହେଇଗଲା ଏକ ନିର୍ଲଜ, ଦୁର୍ନୀତିଗ୍ରସ୍ତ ରାଜନୈତିକ ଦଳ ଭାବେ। ଦେଶର ଅର୍ଥବ୍ୟବସ୍ଥା ଧିମେଇବାକୁ ଲାଗିଥିଲା। ଏହି ପରିସ୍ଥିତିରେ ମୋଦିଙ୍କର ଉଦୟ ହେଲା। ଦେଶ\ର ବୃହତ୍ତର ଜନତା ନିକଟରେ ଏକ ଦୁର୍ନୀତିମୁକ୍ତ ଏବଂ ଦୃଢ ନେତା ଯିଏକି କଠିନ ସିଦ୍ଧାନ୍ତ ନେଇପାରିବାର ଶକ୍ତି ରଖନ୍ତି, ଏପରି ଏକ ଭାବମୂର୍ତ୍ତି ମୋଦି ଭଲଭାବେ ବିକି ପାରିଥିଲେ। ଏହି ପରିସ୍ଥିତିରେ ଜନତା ମନମୋହନଙ୍କୁ ବିଦାୟ ଦେଇ ମୋଦିଙ୍କୁ ବାଛିଲେ।

ମୋଦି ଅନେକ ବଡ଼ ବଡ଼ ପ୍ରତିଶ୍ରୁତି ଦେଇଥିଲେ। କିନ୍ତୁ ପ୍ରତିଶ୍ରୁତି ଅନୁସାରେ ଶାସନର ୧୦୦ ଦିନ ମଧ୍ୟରେ ବିଦେଶରେ ବ୍ଯାଙ୍କରେ ଗଚ୍ଛିତ ଭାରତୀୟ କଳାଧନକୁ ଫେରାଇ ଆଣିପାରିଲେ ନାହିଁ। ସୁପ୍ରିମ କୋର୍ଟର ଆଦେଶ ସତ୍ତ୍ୱେ ମୋଦି କେବଳ ମାତ୍ର ଏକ ସ୍ପେଶାଲ ଇନଭେସ୍ଟିଗେଶନ ଟିମ ଗଠିତ କରିପାରିଥିଲେ ଯାହା ଅନ୍ୟାନ୍ୟ ଟିମ ଭଳି କୌଣସି କାମକୁ ନଥିଲା। ଶେଷରେ ବିଜେପିର ସଭାପତି ଅମିତ ଶାହଙ୍କୁ ସ୍ଵୀକାର କରିବାକୁ ପଡିଥିଲା ଯେ ଏହି ପ୍ରତିଶ୍ରୁତି ଏକ ନିର୍ବାଚନ ‘ଯୁମଲା’ (ଏକ ଏପରି ସ୍ଵପ୍ନ ଯାହା ରାଜନୈତିକ ନେତା ମାନେ ନିର୍ବାଚନ ସମୟରେ ଦେଖାନ୍ତି ଓ ଯାହାକୁ ଜନତା ଆଦୌ ଗମ୍ଭୀର ଭାବେ ନେବା ଉଚିତ ନୁହେଁ) ଥିଲା। ସ୍ଵାଧୀନ ଭାରତରେ ଏଯାବତ ହେଇଥିବା ନିର୍ବାଚନ ପ୍ରଚାର ମଧ୍ୟରେ ମୋଦିଙ୍କର ପ୍ରଚାର ଥିଲା ସବୁଠାରୁ ମହଙ୍ଗା। ଆନୁମାନିକ ଭାବେ ଏହି ପ୍ରଚାରର ଖର୍ଚ୍ଚ କିଛି ନହେଲେ ୧୦,୦୦୦ କୋଟିରୁ ୨୦,୦୦୦ କୋଟି ମଧ୍ୟରେ ଥିଲା। ବଡ଼ ବଡ଼ କର୍ପୋରେଟ ମାନେ ମୋଦିଙ୍କ ପାଇଁ ତାଙ୍କ ତିଜୋରି ଖୋଲିଦେଇଥିଲେ। ମୋଦି ଆଜି ପର୍ଯ୍ୟନ୍ତ ସେ ପ୍ରଚାରରେ ହେଇଥିବା ଖର୍ଚ୍ଚର ହିସାବ ଦେଇନାହାନ୍ତି। ସେ ସେ ସମ୍ପର୍କରେ କେବେ କଥା ମଧ୍ୟ ହେଇନାହାନ୍ତି। ନିର୍ବାଚନ କମିଶନ ଅନୁସାରେ ବିଜେପି ଖର୍ଚ୍ଚର ୮୦% ଅର୍ଥ କେଉଁଠୁ ଆସିଥିଲା ବୋଲି ତଥ୍ୟ ଦେବାକୁ ସିଧାସଳଖ ମନା କରିଥିଲା। ଯେକୌଣସି ସାଧାରଣ ବ୍ୟକ୍ତିଙ୍କୁ ବା ବିଶେଷଜ୍ଞଙ୍କୁ ପଚାରନ୍ତୁ – ଉତ୍ତର ମିଳିବ ଯେ ସେସବୁ କଳାଧନ ଥିଲା।

ଗତ ଅଢେଇ ବର୍ଷ ଧରି ପ୍ରଧାନମନ୍ତ୍ରୀ ରହିବା ସତ୍ତ୍ୱେ ଏଯାଏଁ ଲୋକପାଳ ନିଯୁକ୍ତିକୁ ନେଇ ସେ କୌଣସି ପଦକ୍ଷେପ ନେଇନାହାନ୍ତି। ଲୋକପାଳକୁ ନେଇ ଆଇନ ମନମୋହନ ସିଂ ଥିବା ସମୟରେ ପାସ ହେଇଥିଲା। ମୋଦି ୧୨ ବର୍ଷ ଧରି ଗୁଜୁରାଟର ମୁଖ୍ୟମନ୍ତ୍ରୀ ଥିଲେ କିନ୍ତୁ ଲୋକଆୟୁକ୍ତ ଙ୍କୁ କେବେ ନିୟୋଗ କରିନାହାନ୍ତି। ଯଦିଓ ଏହି ସବୁ ଅନୁଷ୍ଠାନ ଦୁର୍ନୀତି ବିରୁଦ୍ଧରେ ଲଢେଇ କରିବା ପାଇଁ ଅସ୍ତ୍ର। ନିଜ କ୍ଯ୍ଯାବିନେଟରେ ଥିବା ଦୁର୍ନୀତିଗ୍ରସ୍ତ ମନ୍ତ୍ରୀଙ୍କ ବିରୁଦ୍ଧରେ କୌଣସି କାର୍ଯ୍ୟନୁଷ୍ଠାନ ନେଇନାହାନ୍ତି। ବରଂ ଅନେକ ଦୁର୍ନୀତିଗ୍ରସ୍ତ ବ୍ୟକ୍ତିଙ୍କୁ ସେ ମନ୍ତ୍ରୀ ଭାବେ ନିଯୁକ୍ତି ଦେଇଛନ୍ତି। ଦିଲ୍ଲୀରେ AAPର ପରିସର ମଧ୍ୟରେ ଥିବା ଦୁର୍ନୀତି ନିବାରଣ ବ୍ଯୁରୋକୁ ମଧ୍ୟ ସେ ବାହାର କରିନେଇଯାଇଛନ୍ତି।

ବର୍ତ୍ତମାନ ମୋଦିଙ୍କ ବିରୁଦ୍ଧରେ ଗୁରୁତର ଅଭିଯୋଗ ଆସିଛି ଯେ ସେ ଦୁଇଟି ବଡ଼ ବ୍ଯବସାୟିକ ସଂସ୍ଥା ଠାରୁ ଟଙ୍କା ନେଇଥିଲେ। ସରକାରୀ ସଂସ୍ଥାରେ ସେସମ୍ପର୍କରେ ରେକର୍ଡ ମଧ୍ୟ ରହିଛି। କିନ୍ତୁ ମୋଦି ଏପର୍ଯ୍ୟନ୍ତ ସେ ନେଇ କୌଣସି ପ୍ରତିକ୍ରିୟା ବ୍ୟକ୍ତ କରିନାହାନ୍ତି। ଅଥଚ ଆଜି ସେଇ ସମାନ ମୋଦି ଆମକୁ ବୁଝାଇବାକୁ ଚାହୁଁଛନ୍ତି ଯେ ସେ ଦୁର୍ନୀତିକୁ ମୂଳରୁ ହଟାଇବେ, ଭାରତୀୟ ବ୍ୟବସ୍ଥାକୁ କଳାଧନ ମୁକ୍ତ କରିବେ। ଏହା ମୁଁ କେମିତି ବିଶ୍ଵାସ କରିବି? ଏହା ଖାଣ୍ଟି ରାଜନୀତି ନୁହେଁ କି?

ଏଥିରେ ତିଳେ ମାତ୍ର ସନ୍ଦେହ ନାହିଁ ଯେ ଏପରି ଏକ ଐତିହାସିକ ପଦକ୍ଷେପକୁ ନେଇ ଜନତାଙ୍କ ମନ୍ତବ୍ୟ ମିଶାମିଶି ଓ ଦୁଇଟି ଶିବିରରେ ବିଭକ୍ତ। ମୋଦି ଦୁର୍ନୀତି ବିରୁଦ୍ଧରେ ଲଢେଇ କରୁଥିବା ଏକ ଯୋଦ୍ଧା ରୂପେ ନିଜର ଭାବମୂର୍ତ୍ତି ତିଆରି କରୁଛନ୍ତି। ସମୟ ହିଁ କହିପାରିବ ଏହି ପଦକ୍ଷେପଟି ତାଙ୍କୁ ସଫଳତାର ଆହୁରି ନିକଟତର କରିବା ଅବା ଏକ ବିରାଟ ଭୁଲ ଭାବେ ପ୍ରମାଣିତ ହେବ। କିଛି ସମୟ ଯାଉ। ଟଙ୍କାର ଅଭାବରେ ଘାରି ହେଉଥିବା ଜନତା ନିଜର ମନ ସ୍ଥିର କରନ୍ତୁ। ଉଭୟ ମୋଦି ଓ ଜନତାଙ୍କ ପାଇଁ ଏହି ସମୟଟି ବଡ଼ କଠିନ ସମୟ। ଆସନ୍ତୁ ଅପେକ୍ଷା କରିବା। ସମୟ ହିଁ କହିପାରିବ ଏହା କଣ ଥିଲା। 

ଲେଖକ - ଆଶୁତୋଷ, ଆପ ନେତା (ଅନୁବାଦ - Team YS ଓଡ଼ିଆ)

(Disclaimer: The views and opinions expressed in this article are those of the author and do not necessarily reflect the views of YourStory)