ଏଡସ୍‌ ରୋଗୀଙ୍କୁ ଘୃଣା କାହିଁକି ? ଏଚଆଇଭି ପୀଡିତ ପିଲାଙ୍କ ସେବାରେ ଦିନ କାଟୁଛନ୍ତି ଦମ୍ପତ୍ତି

0

ହିନ୍ଦୀ ଫିଲ୍ମରେ ଏକ ଗୀତ ଅଛି “ନହ୍ନେ ମୁହ୍ନେ ବଚ୍ଚେ ତେରେ ମୁଠି ମେଁ କ୍ୟା ହୈ . . . ମୁଠି ମେଁ ହୈ ତକ୍‌ଦିର୍‌ ହମାରୀ . . .” ଅର୍ଥାତ୍ ପିଲାମାନେ କହୁଛନ୍ତି – ଆମ ହାତରେ ଆମରି ଭାଗ୍ୟ | ଏମିତି କିଛି ଭାବନା ରହିଛି ପୁନେରେ ରହୁଥିବା ୧୭ ଜଣ ଏଡସ୍‌ ପୀଡିତ ପିଲାମାନଙ୍କର | ଯେଉଁମାନଙ୍କ ଦାୟିତ୍ୱ ନେଉଛନ୍ତି ମହେଶ ଓ ତାଙ୍କ ପତ୍ନୀ ସୁଜାତା | କେବଳ ଏତିକି ନୁହେଁ, ଆଖପାଖ ଗାଁରେ ରହୁଥିବା ଏଡସ୍‌ ପୀଡିତ ପିଲାମାନଙ୍କର ଯତ୍ନ ମଧ୍ୟ ନେଉଛନ୍ତି ଏହି ଦମ୍ପତ୍ତି | ବ୍ୟାଙ୍କ୍‌ ମ୍ୟାନେଜର ଚାକିରି କରିଥିବା ମହେଶ ଏହି କାମ କରିବା ପାଇଁ ଚାକିରି ଛାଡିଦେଇଛନ୍ତି | ସୁଜାତାଙ୍କୁ ବିବାହ କରିବା ସମୟରେ ମଧ୍ୟ ଘର ଲୋକେ ପ୍ରବଳ ବିରୋଧ କରିଥିଲେ | କାରଣ ସୁଜାତାଙ୍କ ପିତାମାତାଙ୍କ ମୃତ୍ୟୁ ଏଡସ୍ ଯୋଗୁଁ ହୋଇଥିଲା |

ମହେଶ ଓ ସୁଜାତା ମହାରାଷ୍ଟ୍ରର ସତାରା ଜିଲ୍ଲାର ଏକ ଗାଁରେ ରୁହନ୍ତି | ସୁଜାତାଙ୍କ ପିତାମାତାଙ୍କୁ ଏଡସ୍‌ ରୋଗ ହୋଇଥିଲା ଓ ଏହା ଜଣାପଡିଲା ବେଳକୁ ବହୁତ ବିଳମ୍ବ ହୋଇସାରିଥିଲା | ଛଅ ମାସ ମଧ୍ୟରେ ହିଁ ସେମାନଙ୍କ ମୃତ୍ୟୁ ହୋଇଗଲା | ତେବେ ସୁଜାତାଙ୍କୁ ଏହି ରୋଗ ନଥିଲା | କିନ୍ତୁ ସଚେତନତା ଅଭାବରୁ ଗାଁ ଲୋକେ ସୁଜାତାଙ୍କୁ ଏକ ଘରକିଆ କରିଦେଲେ | ସେତେବେଳକୁ ମହେଶ ଏକ ବ୍ୟାଙ୍କରେ ଚାକିରି କରୁଥାନ୍ତି | ସେ ଏହା ଜାଣିଲା ପରେ ସୁଜାତାଙ୍କୁ ସାହାଯ୍ୟ କରିବାକୁ ସ୍ଥିର କଲେ | ଏଭଳିକି ତାଙ୍କୁ ବିବାହ ପାଇଁ ମଧ୍ୟ ନିଷ୍ପତି ନେଲେ | ଯାହାକୁ ମହେଶଙ୍କ ଘର ଲୋକ କଡା ବିରୋଧ କଲେ ଓ ମହେଶକୁ ବୁଝାଇବାକୁ ଚେଷ୍ଟା କଲେ | ମହେଶଙ୍କ ପରିବାର ଧନୀକ ବର୍ଗର ଥିଲା ଓ ସୁଜାତା ଅତ୍ୟନ୍ତ ଗରିବ ପରିବାର ଝିଅ ଥିଲେ | ତେଣୁ ଏହି ବିବାହ ମେଳ ଖାଇବ ନାହିଁ ବୋଲି ମଧ୍ୟ ମହେଶଙ୍କ ପିତାମାତା ତାଙ୍କୁ କହିଲେ | କିନ୍ତୁ ମହେଶ ନିଜ ନିଷ୍ପତ୍ତିରୁ ଓହରିଲେ ନାହିଁ | ସୁଜାତାଙ୍କୁ ବିବାହ କରିବା ପରେ ସେ ଗାଁ ଛାଡିଲେ | ସେ ଭାବିଥିଲେ - ଘର ଲୋକ ଓ ଗାଁ ଲୋକ ସିନା ତାଙ୍କ ଭାବନାକୁ ବୁଝି ନାହାନ୍ତି, କିନ୍ତୁ ତାଙ୍କ ସାଙ୍ଗସାଥୀ ଓ ଶୁଭେଚ୍ଛୁ ତାଙ୍କୁ ବୁଝିପାରିବେ | କିନ୍ତୁ ମହେଶଙ୍କୁ ଝଟକା ଲାଗିଲା ଯେତେବେଳେ ଯେ କେହି ବି ସୁଜାତାଙ୍କୁ ଏଡସ୍‌ ହୋଇଛି ବୋଲି ଶୁଣିଲା, ସେ ତାଙ୍କ ଠାରୁ ଦୂରେଇ ରହିଲା | ଏଭଳିକି ସେ ମଧ୍ୟ ବାଧ୍ୟ ହୋଇ ଭାବିଲେ, ପ୍ରକୃତରେ ସେ କଣ ଗୋଟେ ଭୁଲ କରିଦେଲେ କି ?

ଏହାପରେ ମହେଶ ଚିନ୍ତାକଲେ ଯଦି ପିତାମାତଙ୍କୁ ଏଡସ୍ ହୋଇଥିଲା ବୋଲି ଜଣେ ଭଲ ଝିଅକୁ ସମାଜରୁ ଏମିତି ବ୍ୟବହାର ସହିବାକୁ ପଡୁଛି, ତେବେ ଯେଉଁ ପିଲାମାନେ ଏଚଆଇଭି ପୀଡିତ ଅଛନ୍ତି, ସେମାନଙ୍କ ଅବସ୍ଥା କଣ ହେଉଥିବ ! ଏହା ପରେ ମହେଶ ଓ ସୁଜାତା ପୁନେ ଆସିଲେ | ମହେଶ ଚାକିରି ଛାଡି ଏଚଆଇଭି ପୀଡିତ ପିଲାଙ୍କ ପାଇଁ କାମ କରିବାକୁ ସ୍ଥିର କଲେ | ଏଡସ୍ କ୍ଷେତ୍ରରେ କାମ କରୁଥିବା ଏକ ସ୍ୱେଚ୍ଛାସେବୀ ସଂସ୍ଥା ସହ ସେ ସାମିଲ ହେଲେ | ଏହି ସଂସ୍ଥା ମାଧ୍ୟମରେ ସେ ଗାଁ ଗାଁ ବୁଲି ଲୋକଙ୍କୁ ଏଚଆଇଭି ପ୍ରତି ସଚେତନ କରାଇଲେ | ଏହି ସମୟରେ ସେ ଦେଖିଲେ ଗୋଟିଏ ଆଦିବାସୀ ଗାଁରେ ଗୋଟିଏ ପିଲାକୁ ଗାଁ ବାହାରେ ରଖାଯାଇଛି | କାରଣ ତାର ଦେହ ପଚି ଯାଇଥିଲା | ଏଡସ୍‌ ହୋଇଥିବାରୁ ତାକୁ କେହି ହସ୍ପିଟାଲ୍‍‌ ନେବାକୁ ପ୍ରସ୍ତୁତ ନଥିଲେ | ତାକୁ ଦେଖି ମହେଶ ଓ ତାଙ୍କ ପତ୍ନୀ ସୁଜାତା ସେହି ପିଲାକୁ ପୁନେ ଆଣି ଚିକିତ୍ସା କରାଇଲେ | ଏହା ପରେ ସେମାନେ ଗାଁ ଗାଁ ବୁଲି ଏମିତି ଏଡସ୍ ଗ୍ରସ୍ତ ପିଲାଙ୍କୁ ଆଣିଲେ ଯାହାର କେହି ନାହିଁ |

ଆଜି ଏମାନେ ୧୭ ପିଲାଙ୍କୁ ନିଜ ପିଲାଙ୍କ ପରି ପାଳୁଛନ୍ତି | ମହେଶଙ୍କ କହନ୍ତି, “ମୁଁ ପିଲାଙ୍କୁ କୁହେ, ଆମକୁ ମାଗି କରି ନୁହେଁ, ବଂର ସଂଘର୍ଷ କରି ମରିବାକୁ ହେବ |” ଏହି କାରଣରୁ ମହେଶ କେବେ ବି ସାହାଯ୍ୟ ମାଗିବା ପାଇଁ ଯାଇନାହାନ୍ତି | ଆଜି ନିଜ ପାଖରେ ଥିବା ପିଲାଙ୍କ ସହାୟତାରେ ପରଫ୍ୟୁମ, ଫିନାଇଲ୍, ଫ୍ଲାୱାର ପଟ୍, ଗ୍ରିଟିଂ କାର୍ଡ, ଦ୍ୱୀପ ଓ ମହମବତୀ ଆଦି ତିଆରି କରୁଛନ୍ତି | ଏହା ଦ୍ୱାରା ପିଲାମାନେ ଆତ୍ମନିର୍ଭର ହୋଇ ପାରୁଛନ୍ତି | ଏଠାକାର ଜିନିଷପତ୍ର ସବୁ ଆଇଟି କମ୍ପାନୀକୁ ବିକ୍ରି କରାଯାଏ | ମହେଶ କହନ୍ତି, ଏହି ପିଲାମାନଙ୍କୁ ଖାଇବା ଅପେକ୍ଷା ପିରବାରର ସ୍ନେହ ଦରକାର | କାରଣ ପରିବାର କଣ ଏମାନଙ୍କୁ ଜଣାନାହିଁ |

ମହେଶ ଓ ସୁଜାତଙ୍କ ସହ ରହୁଥିବା ୧୭ ଜଣ ଏଡସ୍ ଗ୍ରସ୍ତ ଆଦିବାସୀ ପିଲା ସରକାରୀ ସ୍କୁଲ ଯାଉଛନ୍ତି | ଏମାନଙ୍କ ମଧ୍ୟରେ ୭ ଝିଅ ଅଛନ୍ତି | ଏମାନଙ୍କ ବୟସ ୬ରୁ ୧୬ ବର୍ଷ ବୟସ ମଧ୍ୟରେ | ଏମାନେ ଭଲ ପାଠ ପଢୁଛନ୍ତି | ଦୁଇ ଜଣ ଝିଅ ଦଶମ କ୍ଲାସରେ ପଢୁଛନ୍ତି |

ଏହି ସବୁ ପିଲାଙ୍କର ଚିକିତ୍ସା ପାଖରେ ଥିବା ଏକ ସରକାରୀ ହସ୍ପିଟାଲ୍‌ରେ ଚାଲିଛି | ସୁଜାତା କହନ୍ତି, ସେମାନେ କାମ ଆରମ୍ଭ କରିବା ବେଳେ ପୁନେରେ ଏକ ଘର ଭଡାରେ ମିଳିଥିଲା | ସେଠାକାର ପଡୋଶୀମାନଙ୍କ ବ୍ୟବହାର ଭଲ ନଥିଲା | କିନ୍ତୁ ସମୟକ୍ରମେ ସେମାନଙ୍କ ଚିନ୍ତାଧାରା ମଧ୍ୟ ବଦଳିଗଲା | ସେହି ଲୋକମାନେ ଏବେ ସେମାନଙ୍କ ସହ ଉଠାବସା କରୁଛନ୍ତି | ଏମିତିକି ଜରୁରୀ ସମୟରେ ସାହାଯ୍ୟ ମଧ୍ୟ କରୁଛନ୍ତି |

ପୁନେର ଆଖପାଖ ଗାଁରେ ନିଜ ପରିବାର ସହ ରହୁଥିବା ଏଡସ୍‌ ପୀଡିତ ପିଲାମାନଙ୍କ ଦେଖାଶୁଣା ମଧ୍ୟ କରୁଛନ୍ତି ଏହି ଦମ୍ପତ୍ତି | ମହେଶ ଓ ସୁଜାତାଙ୍କ ବିବାହକୁ ୯ ବର୍ଷ ପୂରିଗଲାଣି | ଆଜି ଏମାନଙ୍କର ୭ ବର୍ଷର ପୁଅ ଅଛି | ଯିଏ ଏଚଆଇଭି ପୀଡିତ ପିଲାମାନଙ୍କ ସହ ମିଶି ସ୍କୁଲ ଯାଉଛି, ସେମାନଙ୍କ ସହ ଖେଳୁଛି ଓ ଖାଉଛି | ମହେଶଙ୍କ ସ୍ୱପ୍ନ ଯେ ଏହି ପିଲାମାନଙ୍କ ପାଇଁ ଏକ ସ୍ୱତନ୍ତ୍ର ରହିବା ବ୍ୟବସ୍ଥା ହେଉ, ଯେଉଁଠାରେ ସେମାନେ ଆହୁରି ସ୍ୱଚ୍ଛନ୍ଦରେ ରହିପାରିବେ |

ମୂଳ ଲେଖା - ହରିଶ ବିଷ୍ଟ

ଭାଷାନ୍ତର - ଅଖଣ୍ଡ

Akhand is a noted social worker, freelance journalist and writer. He basically writes on various development issues. Can be reached at: indiamediacentre@gmail.com / +91 9938871989

Related Stories

Stories by Akhand