ବରଗଡ଼ ଧନୁଯାତ୍ରା ଆରମ୍ଭ: ୧୧ ଦିନ ଚାଲିବ କଂସଙ୍କ ରାଜୁତି

ବରଗଡ଼ ଧନୁଯାତ୍ରା ଆରମ୍ଭ: ୧୧ ଦିନ ଚାଲିବ କଂସଙ୍କ ରାଜୁତି

Friday January 15, 2016,

2 min Read

ବିଶ୍ୱ ପ୍ରସିଦ୍ଧ ବରଗଡ଼ ଧନୁଯାତ୍ରା ଆଜିଠାରୁ ଆରମ୍ଭ ହୋଇଛି । ପ୍ରବଳପ୍ରତାପୀ ମହାରାଜ କଂସଙ୍କ ଅଟ୍ଟହାସ୍ୟ ସହ ୬୭ତମ ବିଶ୍ୱପ୍ରସିଦ୍ଧ ବରଗଡ଼ ଧନୁଯାତ୍ରା ମହୋତ୍ସବ ଉଦଘାଟିତ ହୋଇଛି । ଏହା ହେଉଛି ବିଶ୍ୱର ସବୁଠୁ ବଡ଼ ମୁକ୍ତାକାଶ ରଙ୍ଗମଂଚ । ଦୀର୍ଘ ଅର୍ଦ୍ଧଶତାବ୍ଦୀରୁ ଊର୍ଦ୍ଧ୍ଵ ହେଲା ପୌରାଣିକ କଥାବସ୍ତୁର ପ୍ରତ୍ୟେକ ଚରିତ୍ର ଜୀବନ୍ତ ଭୂମିକାରେ ଅଭିନୟ କରି ପୁଣି କୋଟି କୋଟି ଲୋକଙ୍କୁ ସେହି ଦ୍ୱାପର ଯୁଗକୁ ଫେରାଇ ନେଇପାରିଛନ୍ତି । ସେଭଳି ଏକ ବରିଷ୍ଠ ପରମ୍ପରାର ବାର୍ତ୍ତାବହ ଓ ଏକ ଚିରନ୍ତନ ସତ୍ୟର ବାହକ ସାଜିଛି ବରଗଡ଼ ଧନୁଯାତ୍ରା । ମଥୁରାନଗରୀର ପ୍ରତ୍ୟେକ ମଣିଷ ଏହି ମୁକ୍ତାକାଶ ରଙ୍ଗମଞ୍ଚ ଧନୁଯାତ୍ରାରେ ସାଜିଛନ୍ତି ଜଣେ ଜଣେ କଳାକାର । ଏହି ମହାନାଟକରେ ରାଜାଧିରାଜ ମଥୁରା ନରେଶ ମହାରାଜ କଂସଙ୍କ ରାଜ୍ୟରେ ସମାଜର ସବୁବର୍ଗର ଲୋକେ ପାଲଟିଛନ୍ତି ଜଣେ ଜଣେ ପ୍ରଜା । ୧୧ ଦିନ ଧରି ଏଠାରେ ଚାଲିବ ମହାରାଜ କଂସଙ୍କ ଆଧିପତ୍ୟ ।

image


ଏହି ଉତ୍ସବରେ ସମ୍ପୂର୍ଣ୍ଣ ବରଗଡ଼ ପୂରାଣ ଯୁଗକୁ ଫେରିଗଲା ଭଳି ମନେ ହେଉଛି । ରାଜ୍ୟ ଭିତର ତଥା ରାଜ୍ୟ ବାହାରର ଅନେକ ଲୋକ ଏହି ଯାତ୍ରାକୁ ଦେଖିବାକୁ ବରଗଡ଼ ଯାତ୍ରା କରନ୍ତି । ବିଭିନ୍ନ କଳାକାରଙ୍କୁ ନେଇ ଆରମ୍ଭ ହୋଇଥିଲା ସାଂସ୍କୃତିକ ଶୋଭାଯାତ୍ରା । ଏହା ନଗର ପରିକ୍ରମା କରିବାପରେ ବରଗଡ଼ର ଅଧିଷ୍ଠାତ୍ରୀ ଦେବୀ ମାଁ ସମଲେଶ୍ୱରୀଙ୍କ ମନ୍ଦିରରେ ପହଂଚିଥିଲା । ସେଠାରେ ଆଶୀର୍ବାଦ ଭିକ୍ଷା କରିବା ପାଇଁ ମହାରାଜ ଉଗ୍ରସେନ, ମନ୍ତ୍ରୀ ପାରିଷଦ ବର୍ଗ ସମେତ ଅତିଥିମାନଙ୍କୁ ନେଇ ମନ୍ଦିରରେ ପାରମ୍ପରିକ ପୂଜାର୍ଚ୍ଚନା କରାଯାଇଥିଲା । ଦୁଇଟି ହାତୀ, ୨ଟି ଓଟ ଓ ୨ଟି ସଜ୍ଜିତ ଘୋଡା ଗାଡି ସହ ଏକ ବର୍ଣ୍ଣାଢ଼୍ୟ ଶୋଭାଯାତ୍ରା ସହର ପରିକ୍ରମା କରି ହାଟପଦାସ୍ଥିତ ରାଜ ଦରବାରରେ ପହଚିଂଥଲେ । ଉଦଘାଟନି ସଭାରେ ବିଭିନ୍ନ ଅତିଥି ଭାଷଣ ଦେବା ପରେ ଆରମ୍ଭ ହୋଇଥିଲା ପ୍ରକୃତ ନାଟ୍ୟ ଅଭିନୟ ।

ମଥୁରାନଗରୀ ଭୋଜବଂଶ ସମ୍ରାଟ ମହାରାଜ ଉଗ୍ରସେନ, ପାଟରାଣୀ, ମହାମନ୍ତ୍ରୀ ଅକ୍ରୁର ସେନାପତିମାନଙ୍କ ସହ ରାଜ ଦରବାରରେ ପଦାର୍ପଣ କରିଥିଲେ । ମହାରାଜ ଉଗ୍ରସେନ, ମହାମନ୍ତ୍ରୀ ଅକ୍ରୁର ଓ ମନ୍ତ୍ରୀ ଶକ୍ରାଜିତ୍ ମଥୁରା ରାଜ୍ୟର କୁଶଳ ମଙ୍ଗଳ ସଂପର୍କରେ ପଚାରି ବୁଝିଥିଲେ । ଅକ୍ରୁର ଓ ଶକ୍ରାଜିତ୍ ମଥୁରାନଗରୀ ପରିସ୍ଥିତି ସଂପର୍କରେ ବଖାଣି ସାଂପ୍ରତିକ ସାମାଜିକ ସ୍ଥିତିର ବର୍ଣ୍ଣନା କରିଥିଲେ । ଏହା ପରେ ମହାରାଜ ଉଗ୍ରସେନ୍ ତାଙ୍କର ଏକମାତ୍ର ଅଲିଅଳ କନ୍ୟା ଦେବକୀର ବିବାହ ପାଇଁ ଚିନ୍ତିତ ରହିଥିବା ସଂପର୍କରେ ମହାମନ୍ତ୍ରୀ ଅକ୍ରୁରଙ୍କୁ ଜଣାଇଥିଲେ । ଅକ୍ରୁରଙ୍କ ପରାମର୍ଶ କ୍ରମେ ଝିଅର ବିବାହ ପାଇଁ ମହାରାଜ ସୌମ୍ୟ, ଶାନ୍ତି, ସୁଶିଳ ବସୁଦେବଙ୍କୁ ଚୟନ କରିଥିଲେ। ରାଜ ପୁରୋହିତଙ୍କୁ ଡକାଇ ବିବାହର ଲଗ୍ନ ସ୍ଥିର କରିଥିଲେ । ରାଜକୀୟ ଆଡମ୍ବର ସହକାରେ ଦେବକୀ-ବସୁଦେବଙ୍କ ବିବାହ ସଂପନ୍ନ ହୋଇଥିଲା । ଯୁବରାଜ କଂସ ପହଂଚି ଭଉଣୀର ବିବାହ କଥା କଥା ଶୁଣି ରାଗି ଯାଇଥିଲେ । ପରେ ବସୁଦେବଙ୍କ ସହ ବିବାହ ହୋଇଥିବା ଶୁଣିବା ପରେ ଖୁସି ହୋଇଥିଲେ । ଏହାପରେ ବାହାରିଥିଲେ ନବବଧୂ ଦେବକୀ -ବସୁଦେବଙ୍କୁ ଶାଶୂଘରକୁ ଛାଡିବାକୁ ଯିବା ପାଇଁ । ହେଲେ ଯାଉଥିବା ସମୟରେ ହଠାତ୍ ଦୈବବାଣୀ ହୋଇଛି - କଂସର ମୃତ୍ୟୁର କାରଣ ହେବ ଦେବକୀର ଅଷ୍ଟମ ଗର୍ଭର ସନ୍ତାନ । ବ୍ୟସ୍ତବିବ୍ରତ ହୋଇ ଉଠିଥିଲେ ଯୁବରାଜ କଂସ । ବିଚଳିତ ହୋଇ ଅବିଳମ୍ବେ ପିତା ଉଗ୍ରସେନଙ୍କୁ ଗାଦିଚ୍ୟୁତ କରି ତାଙ୍କ ମୁକୁଟ ଛଡ଼ାଇ ନେଇ ନିଜେ ମଥୁରା ସିଂହାସନ ଆରୋହଣ କରିଥିିଲେ । କାରାଗାର ଭିତରେ ଭଉଣୀ ଦେବକୀ ଓ ବସୁଦେବଙ୍କୁ ବନ୍ଦୀ କରିଥିଲେ କଂସ । ନିଜକୁ ମଥୁରାନଗରୀର ସମ୍ରାଟ୍ ଘୋଷଣା କରିଥିଲେ । ନୃତ୍ୟଗୀତର ଆସର ଭିତରେ ରାଜାଭିଷେକ ସଂପନ୍ନ ହୋଇଥିଲା । ନିଷ୍କଳଂକ ମହାରାଜ ହୋଇ ମଧ୍ୟ ଚିନ୍ତାମୁକ୍ତ ହୋଇପାରୁ ନାହାନ୍ତି ମହାରାଜ କଂସ କର୍ଣ୍ଣରେ ବାରମ୍ବାର ଗୁଞ୍ଜରିତ ହେଉଛି ସେହି ଦେବବାଣୀ ।