ଓଡ଼ିଶାର ପ୍ରଥମ କିନ୍ନର ବିବାହ

ମେଘନା ଓ ବାସୁଦେବଙ୍କ ବାହାଘର ହେବ ଆଜି

0

ଡିସେମ୍ବର ୩୧ରେ ଦେଶରେ ପ୍ରଥମ ଥର ପାଇଁ ଜଣେ କିନ୍ନର ଖୋଲାଖୋଲି ଭାବେ ମୁମ୍ବାଇ ଠାରେ ଖୁବ ଧୁମଧାମରେ ବିଭା ହେଇଥିଲେ। ମାଧୁରୀ ସୋରାଡେ ଓ ଜୟକୁମାର ଶର୍ମା ଦୁଇବର୍ଷ ଧରି ପ୍ରେମ ସମ୍ପର୍କରେ ରହିବା ପରେ ନିଜ ପରିବାରବର୍ଗଙ୍କ ସହ ଦୁନିଆ ଆଗରେ ଏକ ମନ୍ଦିରରେ ବାହା ହେଇଥିଲେ। ଯଦିଓ ଏହା ଦେଶର ପ୍ରଥମ କିନ୍ନର ବିବାହ ନୁହେଁ କିନ୍ତୁ ପ୍ରଥମ ଥର ପାଇଁ ଏହା ଲୁଚାଛପାରେ ନ ହୋଇ ଖୁବ ଖୋଲାଖୋଲି ଭାବେ ହେଇଥିଲା।

୨୦୧୪ରେ ସୁପ୍ରିମ କୋର୍ଟ କିନ୍ନରଙ୍କୁ ତୃତୀୟ ଲିଙ୍ଗ ଭାବେ ଲିଙ୍ଗଗତ ପରିଚୟ ପ୍ରଦାନ କରିଥିଲେ। ଏହା ସହ କିନ୍ନର ମାନେ ଭୋଟ ଦେବାର, ଶିକ୍ଷା ଲାଭ କରିବାର, ପାସପୋର୍ଟ ଓ ଡ୍ରାଇଭିଂ ଲାଇସେନ୍ସ ପାଇଁ ଆବେଦନ କରିବାର ଅଧିକାର ପାଇଲେ। କିନ୍ତୁ ଏଥିରେ ତାଙ୍କର ବୈବାହିକ ଅଧିକାର ସମ୍ପର୍କରେ କେଉଁଠାରେ ଉଲ୍ଲେଖ ନଥିଲା। ମାଧୁରୀ ସାହସିକତାର ପଦକ୍ଷେପ ନେଇ ଏ ଦିଗରେ ନିଜର ଅଧିକାର ନେବାକୁ ପ୍ରତିବଦ୍ଧ।

ଆଜି ଓଡ଼ିଶାରେ ମଧ୍ୟ ଏପରି ଏକ ବାହାଘର ହେବାକୁ ଯାଉଛି। ରାଜ୍ୟରେ ପ୍ରଥମ ଥର ପାଇଁ ଖୋଲାଖୋଲି ଏକ କିନ୍ନର ବାହାଘର ହେବାକୁ ଯାଉଛି। ଓଡ଼ିଆ ଘରର ପରମ୍ପରା ଅନୁସାରେ ନୂଆପଲ୍ଲୀ ଦୁର୍ଗା ମଣ୍ଡପରେ ହେବ ବାହାଘର। ସମ୍ପୂର୍ଣ୍ଣ ବୈଦିକ ରୀତିନୀତିରେ ପଡ଼ିବ ଉଭୟଙ୍କର ହାତଗଣ୍ଠି। ଏଥିପାଇଁ ଭୁବନେଶ୍ୱରରେ ସମାଜସେବୀଠୁ ଆରମ୍ଭ କରି ସିନେ ଅଭିନେତା ଓ ଅଭିନେତ୍ରୀଙ୍କ ଘରେ ପହଞ୍ଚିଗଲାଣି ନିମନ୍ତ୍ରଣ କାର୍ଡ। ବାସୁଦେବ ନାୟକ କିନ୍ନର ମେଘନା ସାହୁଙ୍କୁ ବାହା ହେଉଛନ୍ତି। ପଳାଶପଲ୍ଲୀରୁ ବାସୁଦେବ ବରଯାତ୍ରୀ ଧରି ଆସିବେ ଭରତପୁର ମେଘନାଙ୍କ ଘରକୁ। 

Image : Sambad
Image : Sambad

ଫେସବୁକ୍‌ରୁ ତାଙ୍କର ବନ୍ଧୁତ୍ଵ ଆରମ୍ଭ ହେଇଥିଲା। ବନ୍ଧୁତ୍ୱର ଗୋଟିଏ ବର୍ଷ ପରେ ବାହାଘର ପାଇଁ ବିବାହ ପ୍ରସ୍ତାବ ଦେଲେ ବାସୁଦେବ ନାୟକ। ମେଘନା ଏଇ ପ୍ରସ୍ତାବକୁ ପ୍ରଥମେ ସତ ବୋଲି ମଣିନଥିଲେ। ଥଟ୍ଟା ମଜାରେ ବୋଧହୁଏ କହୁଥିବେ ବୋଲି ଭାବିଥିଲେ। କିନ୍ତୁ ଯେତେବେଳ ସେ ପ୍ରସ୍ତାବ ନେଇ ତାଙ୍କ ଘରେ ପହଞ୍ଚିଥିଲେ ସେଦିନ ସେ ବିଶ୍ୱାସ କରିଥିଲେ। ମେଘନା ସାହୁ ଲୁଚି କରି ବାହା ହେବାକୁ ଚାହୁଁନଥିଲେ। ଜାକଜମକରେ ବାହା ହେବାକୁ ଚାହୁଁଥିଲେ। ବାସୁଦେବ ମଧ୍ୟ ତାଙ୍କ କଥାରେ ରାଜି ହୋଇଥିଲେ।

ବାସୁଦେବ ନାୟକ ୬ ବର୍ଷ ତଳେ ପ୍ରଥମ ଥର ପାଇଁ ବିବାହ କରିଥିଲେ। କିଛି ଦିନ ପରେ ତାଙ୍କ ପୁତ୍ର ସନ୍ତାନଟିଏ ହୋଇଥିଲା। ତା’ପରେ ତାଙ୍କ ସ୍ତ୍ରୀ ଅନ୍ୟ ପୁରୁଷଙ୍କ ସହ ପଳାଇଥିଲେ। ନିଜ ପତ୍ନୀଙ୍କଠୁ ଧୋକା ଖାଇବା ପରେ ଆଉ କେଉଁ ଝିଅକୁ ଆପଣେଇବାକୁ ଚାହୁଁନଥିଲେ। ପୁଣି ଜନ୍ମ ହୋଇଥିବା ପିଲାଟି ମା ସ୍ନେହରୁ ବଞ୍ଚିତ ହେଉଥିଲା। ସେଥିପାଇଁ ବାସୁଦେବ ଦିତ୍ୱୀୟ ବିବାହ କରିବାକୁ ଚହିଁଥିଲେ। କିନ୍ତୁ ବିବାହ ପରେ ଆଉ ପିଲା ଚାହୁଁନଥିଲେ। ବାସୁଦେବ ଏପରି ସର୍ତ୍ତରେ କେହି ଝିଅ ବାହା ହେବାକୁ ରାଜି ହେଉନଥିଲେ। ସବୁ ଝିଅ ବାହା ହେବା ପାର ମା ହେବାକୁ ଚାହାଁନ୍ତି। ଶେଷରେ ମେଘନା କିନ୍ନରକୁ ବାହା ହେବା ପାଇଁ ପ୍ରସ୍ତାବ ଦେଇଥିଲେ। ସେ ମଧ୍ୟ ଏହି ବାହାଘରରେ ରାଜି ହୋଇଯାଇଥିଲେ। ବର୍ତ୍ତମାନ ବାସୁଦେବ ରାଜଧାନୀରେ ପଳାଶପଲ୍ଲୀରେ ତାଙ୍କ ଭାଇ, ଭାଉଜ ଓ ୪ ବର୍ଷର ପୁଅ ସହ ରହୁଛନ୍ତିିି।

ଓଡ଼ିଶା ଇତିହାସରେ ଏପରି ବାହାଘର ପ୍ରଥମ। ମୁଁ ଓ ମୋ ସ୍ତ୍ରୀ କନ୍ୟା ମେଘନାର ପିତା ଓ ମାତା ହୋଇ କନ୍ୟାଦାନ କରିବୁ। ମୋର କେହି ଝିଅ ନାହିଁ। ସେଥିପାଇଁ ମୋର ଏଇଟା ସୌଭାଗ୍ୟ କହିଲେ କିଛି ଭୁଲ ହେବ ନାହିଁ, ବୋଲି କହନ୍ତି ବରଦା ଶତପଥୀ ଯିଏ ମେଘନାଙ୍କ ପିତା ଭାବେ ବିବାହ କାର୍ଯ୍ୟରେ କର୍ତ୍ତା ସ୍ଥାନରେ ବସିବେ ଓ କନ୍ୟାଦାନ କରିବେ। (ସୂତ୍ର - ସମ୍ବାଦ)

ବରପାତ୍ରଙ୍କ ମା' ମୀରା ପରିଡ଼ା ଏହି ବିବାହ ନେଇ ନିଜର ଖୁସି ଜାହିର କରିଛନ୍ତି। ସେ କୁହନ୍ତି ତାଙ୍କ ପୁଅ ବାସୁଦେବ ଏକ ନୂଆ ଇତିହାସ ସୃଷ୍ଟି କରିଛନ୍ତି ଏବଂ ଅନ୍ୟ ପୁରୁଷ ମାନଙ୍କ ପାଇଁ ଏକ ଉଦାହରଣ ସାଜିଛନ୍ତି। 


Related Stories