ଜୈବିକ ଧାନଚାଷରେ ବିହାରୀ ଚାଷୀଙ୍କ ବିଶ୍ୱରେକର୍ଡ

ଜୈବିକ ଧାନଚାଷରେ ବିହାରୀ ଚାଷୀଙ୍କ ବିଶ୍ୱରେକର୍ଡ

Friday December 04, 2015,

2 min Read

ଭାରତର ଦରିଦ୍ରତମ ରାଜ୍ୟ ଭାବେ ପରିଚିତ ବିହାରର ନାଳନ୍ଦା ଜିଲ୍ଲାର ଗୋଟେ ନିପଟ ମଫସଲ ଗାଁ ଦର୍ଭେଶପୁରାର ଯୁବଚାଷୀ ହେଲେ ସୁମନ୍ତ କୁମାର । ବିନା କୌଣସି କୃତ୍ରିମ ସାର ପ୍ରୟୋଗରେ ସେ ନିଜ ଅଞ୍ଚଳରେ ବିପ୍ଳବ ଆଣିଛନ୍ତି ଓ ସମସ୍ତଙ୍କୁ ଆଶ୍ଚର୍ଯ୍ୟଚକିତ କରି ଏକ ହେକ୍ଟର ଜମିରେ ୨୨.୪ ଟନ୍ ଧାନ ଉତ୍ପାଦନ କରି ପାରିଛନ୍ତି । ‘ଧାନର ଜନକ’ ଭାବେ ପରିଚିତ ଚୀନର କୃଷି ବୈଜ୍ଞାନିକ ୟୁଆନ୍ ଲଙ୍ଗଫିଙ୍ଗଙ୍କ ବିଶ୍ୱରେକର୍ଡ ହେକ୍ଟର ପିଛା ୧୯.୪ ଟନ୍ ଅମଳକୁ ଅତିକ୍ରମ କରିଯାଇଛନ୍ତି ସୁମନ୍ତ । ଏ ବିପ୍ଲବ କେବଳ ଥରେ ବା ସୁମନ୍ତଙ୍କ ପାଖରେ ସୀମିତ ନୁହେଁ । ତାଙ୍କ ବନ୍ଧୁ ଚାଷୀମାନେ ହେକ୍ଟର ପିଛା ୧୭ ଟନ୍ ଅମଳ କରିଛନ୍ତି ।

image


ଦି ଗାର୍ଡିଆନରେ ପ୍ରକାଶିତ ରିପୋର୍ଟ ଅନୁସାରେ, ଦର୍ଭେଶପୁରାର ଚାଷୀମାନେ ନୂଆ ପ୍ରଣାଳୀର ଜୈବିକ କୃଷି ପଦ୍ଧତି ବ୍ୟବହାର କରି ଏପରି ଚମତ୍କାର ଦେଖାଇ ପାରିଛନ୍ତି । ପାରମ୍ପରିକ ପଦ୍ଧତିରେ ତିନି ସପ୍ତାହ ପୁରୁଣା ତଳିରୁ ଏକାଠି ତିନି ଚାରୋଟି ଲେଖାଏଁ ପାଣି ବିଲରେ ପକାଇବା ବଦଳରେ, ଦର୍ଭେଶପୁରାର ଚାଷୀମାନେ ଆହୁରି କମ ବୟସର ତଳିକୁ ୨୫ ସେଣ୍ଟିମିଟର ଦୂରତାରେ ରହୁଥିବା ଶିଆରରେ ଗୋଟିଏ ଗୋଟିଏ ରୋଇଥାନ୍ତି । ମାଟିକୁ ଶୁଷ୍କ ରଖିଥାନ୍ତି । ଏମିତି ଭାବରେ ଏଠାରେ ଚାଷୀମାନେ କମ ତଳି, କମ ପାଣି, କମ ସାର ବ୍ୟବହାର କରି ଅଧିକ ଅମଳ କରିଥାନ୍ତି ।

ଏଗ୍ରିକଲ୍ଚର୍ସ ନେଟୱର୍କ ତଥ୍ୟ ମୁତାବକ, ଦର୍ଭେଶପୁରାର ଚାଷୀମାନେ ବ୍ୟବହାର କରୁଥିବା ଏହି ପଦ୍ଧତିକୁ ‘ସିଷ୍ଟମ ଅଫ୍ ରାଇସ୍ ଇଣ୍ଟେନ୍ସିଫିକେସନ୍(ଏସ୍ଆର୍ଆଇ)’ କୁହାଯାଏ । ୧୯୮୩ରେ ମାଡାଗାସ୍କରେ ପ୍ରଥମେ ଫରାସୀ ପାଦ୍ରୀ ହେନ୍ରି ଦେ ଲୌଲାନି ଏହି ପଦ୍ଧତି ବ୍ୟବହାର କରିଥିଲେ । ଏସ୍ଆର୍ଆଇ ପଦ୍ଧତିରେ କମ ବିହନରୁ ଅଧିକ ଅମଳ କରାଯାଇ ପାରିବ । ଜୈବିକ କୃଷି କ୍ଷେତ୍ରରେ ଏହା ଏକ ଯୁଗାନ୍ତକାରୀ ପଦକ୍ଷେପ ।

ଦର୍ଭେଶପୁରାର ଚାଷୀଙ୍କ ଦ୍ୱାରା ପ୍ରଭାବିତ ହୋଇ ୨୦୧୩ରେ ନୋବେଲ ବିଜେତା ଅର୍ଥନୀତିଜ୍ଞ ଜୋସେଫ୍ ଷ୍ଟିଗ୍ଲିଜ୍ ନାଳନ୍ଦା ପରିଦର୍ଶନରେ ଆସିଥିଲେ । ଚାଷୀମାନଙ୍କୁ ସେ କହିଥିଲେ ଯେ, ସେମାନେ ବୈଜ୍ଞାନିକମାନଙ୍କ ଠାରୁ ଅଧିକ ବୁଦ୍ଧିମାନର କାମ କରିଛନ୍ତି । ଜୈବବିତ୍ ଅନିଲ ବର୍ମାଙ୍କ ମତରେ, ‘ଯଦି ବିନା କୌଣସି ଅଧିକ ଖର୍ଚ୍ଚରେ ଦୁଇଗୁଣା ଅମଳର ସୂତ୍ର ନେଇ କୌଣସି କମ୍ପାନୀ କିମ୍ବା ବୈଜ୍ଞାନିକ ଆସିଥାନ୍ତେ, ସେମାନେ ନୋବେଲ ଜିତିଥାନ୍ତେ । କିନ୍ତୁ ଯେତେବେଳେ ଯୁବ ବିହାରୀ ଏହା କରି ଦେଖାଇଲେ, ତାଙ୍କୁ କିଛି ବି ମିଳିଲାନି । ମୁଁ, ଏତିକି ଚାହୁଁଛି, ଗରିବ ଚାଷୀମାନେ ଖାଇବାକୁ ଯଥେଷ୍ଟ ଖାଦ୍ୟ ପାଆନ୍ତୁ ।"

ମୂଳ ଲେଖା - Think Change India

ଭାଷାନ୍ତର - ଶୁଭ୍ରାଂଶୁ ପଣ୍ଡା