ଏ ବର୍ଷ ହୋଲିକୁ କରନ୍ତୁ ହର୍ବାଲ ହୋଲି- ଚାଲନ୍ତୁ ଶିଖିବା ଘରେ ଅର୍ଗାନିକ ରଙ୍ଗ ତିଆରି କରିବାର ଉପାୟ

ଏ ବର୍ଷ ହୋଲିକୁ କରନ୍ତୁ ହର୍ବାଲ ହୋଲି- ଚାଲନ୍ତୁ ଶିଖିବା ଘରେ ଅର୍ଗାନିକ ରଙ୍ଗ ତିଆରି କରିବାର ଉପାୟ

Wednesday March 23, 2016,

2 min Read

image


ରଙ୍ଗର ପର୍ବ ହେଉଛି ହୋଲି। ବିଭିନ୍ନ ରଙ୍ଗରେ ନିଜକୁ ଓ ଅନ୍ୟମାନଙ୍କୁ ରଙ୍ଗେଈ ଦେବା ହେଉଛି ଏହି ଉତ୍ସବର ଲକ୍ଷ୍ୟ। ମାତ୍ର ଆପଣ ଜାଣିଛନ୍ତି କି ବଜାରରେ ମିଳୁଥିବା ରାସାୟନିକ ଓ ସିନ୍ଥେଟିକ ରଙ୍ଗ ଆପଣଙ୍କ ଦେହରେ ଅନେକ ପ୍ରକାରର ଚର୍ମ ଆଲର୍ଜି ଓ ଚର୍ମ ରୋଗର କାରଣ ହେଇପାରେ? ଡାକ୍ତରମାନଙ୍କ ମତରେ ଏହି ରଙ୍ଗରେ ଟେଟ୍ରାଏଥିଲିନ, ସୀସା ଓ ବେଞ୍ଜିନ ଭଳି ଅନେକ ରାସାୟନିକ ପଦାର୍ଥ ଥାଏ ଯାହା ଆପଣଙ୍କ ଚର୍ମକୁ ଶୁଖିଲା କରିଦେଇ ପାରେ। ଆଉ କେତେକ ରଙ୍ଗରେ କପର ସଲଫେଟ, ଲେଡ ଆକ୍ସାଇଡ ଓ ମରକ୍ୟୁରୀ ସଲଫାଇଟ ଭଳି ଉତ୍କଟ ରାସାୟନିକ ପଦାର୍ଥ ଥାଏ ଯାହା ଚର୍ମ କର୍କଟର କାରଣ ମଧ୍ୟ ହୋଇପାରେ। ଆଉ ବିଶେଷ କରି ଏହି ସବୁ ବିପଦ ଛୋଟ ପିଲାଙ୍କ ପାଇଁ ଅଧିକ ଥାଏ।

ଏ ସବୁରୁ ରକ୍ଷା ପାଇବାର ଉପାୟ ହେଲା ପ୍ରାକୃତିକ ବା ଜୈବିକ ରଙ୍ଗ। ଏହି ରଙ୍ଗ ଗୁଡିକ ଚର୍ମ ପାଇଁ ନିରାପଦ ମାତ୍ର ଏହାର ଦାମ ଅଧିକ। କିନ୍ତୁ ଆପଣ ଏପରି ରଙ୍ଗ ବିଭିନ୍ନ ଫଳଫୁଲ ଓ ପରିବାପତ୍ରରୁ ଘରେ ତିଆରି କରିପାରିବେ ଓ ବ୍ୟବହାର କରି ନିଜ ଚର୍ମ ସହ ପରିବେଶକୁ ମଧ୍ୟ ସୁରକ୍ଷିତ ରଖିପାରିବେ। ଆସନ୍ତୁ ପଢିବା ବିଭିନ୍ନ ଜୈବିକ ରଙ୍ଗର ପ୍ରସ୍ତୁତି ସମ୍ପର୍କରେ।

image


ନାଲି: ଡାଳିମ୍ବର ଚୋପାକୁ ପାଣିରେ ପକାଇ ନାଲି ହେବା ପର୍ଯ୍ୟନ୍ତ ଗରମ କରନ୍ତୁ। ଡାଳିମ୍ବର ଶୁଖିଲା ଚୋପାକୁ ଭଲଭାବେ ଗୁଣ୍ଡ କରି ଏହାକୁ ଅଟା ସହ ମିଶାଇ ଆପଣ ନାଲି ଅବିର ବ୍ୟବହାର କରିପାରିବେ। ତା ଛଡା ଶୁଖିଲା ମନ୍ଦାର ଫୁଲ କିମ୍ବା ଗୋଲାପ ପାଖୁଡାକୁ ଗୁଣ୍ଡ କରି ରକ୍ତ ଚନ୍ଦନ ପାଉଡର ସହ ମିଶେଇ ନାଲି ଅବିର ତିଆରି କରିହେବ।

image


ସବୁଜ: ମେହେନ୍ଦୀ ଓ ଅଟାକୁ ମିଶେଇ ଆପଣ ସବୁଜ ଅବିର ଭାବେ ବ୍ୟବହାର କରିପାରିବେ। ତା ଛଡା ପୋଦିନା ପତ୍ର, ପାଳଙ୍ଗ ଶାଗ ଓ ସବୁଜ ପତ୍ରକୁ ମିଶେଇ ଗୁଣ୍ଡ କରି ତା ସହ ପାଣି କିମ୍ବା ତେଲ ମିଶେଇ ଆପଣ ଏହାକୁ ସବୁଜ ରଙ୍ଗର ପେଷ୍ଟ ଭାବେ ମଧ୍ୟ ବ୍ୟବହାର କରି ପାରିବେ।

image


ହଳଦିଆ: ଦୁଇ ଚାମଚ ହଳଦୀ ସହ ଚାରି ଚାମଚ ବେସନ ମିଶେଇ ଆପଣ ହଳଦିଆ ରଙ୍ଗର ଅବିର ତିଆରି କରିପାରିବେ।

image


ନୀଳ: ଶୁଖିଲା ଜାକରନ୍ଦା ଫୁଲକୁ ଗୁଣ୍ଡକରି ପାଣି କିମ୍ବା ଅଟା ସହ ମିଶେଇ ଆପଣ ଜୈବିକ ନୀଳ ରଙ୍ଗ ଭାବେ ବ୍ୟବହାର କରିପାରିବେ।

image


ମଜେଣ୍ଟା ବା ଗାଢ ଲାଲ: ଗୋଟିଏ ବିଟକୁ ଛୋଟ ଛୋଟ କରି କାଟି ଏକ ଲିଟର ପାଣିରେ ପକେଇ ଦିଅନ୍ତୁ। ଗାଢ ରଙ୍ଗ ପାଇବା ପାଇଁ ଆପଣ ଏହାକୁ ଗରମ କରି ପାରିବେ ବା ଗୋଟେ ରାତି ସେହିପରି ଭିଜେଇ ରଖି ପାରିବେ। ଗୋଲାପି ରଙ୍ଗର ପିଆଜ ଚୋପାକୁ ଅଧ ଲିଟର ପାଣି ରେ ଗରମ କରି ଆପଣ ତାକୁ ଗୋଲାପି-କମଳା ରଙ୍ଗ ଭାବେ ବ୍ୟବହାର କରିପାରିବେ।

image


କମଳା: ପଳାଶ ଫୁଲକୁ ପାଣିରେ ଗୋଟିଏ ରାତି ଭିଜେଇ ରଖନ୍ତୁ। ଯଦି ଅଧିକ ଗାଢ ରଙ୍ଗ ଚାହୁଁଛନ୍ତି ତାହାଲେ ଆପଣ ଏହାକୁ ଏ ଫୁଟେଇ ମଧ୍ୟ ପାରିବେ।

image


କଳା: ଅଁଳା ମଞ୍ଜିକୁ ଗୋଟିଏ ଲୁହ ପାତ୍ରରେ ପାଣି ଦେଇ ଫୁଟାନ୍ତୁ ଓ ଫୁଟିଗଲା ପରେ ତାକୁ ଗୋଟିଏ ରାତି ଥଣ୍ଡା ହେବା ପାଇଁ ଛାଡି ଦିଅନ୍ତୁ। ଏହାପରେ ଆପଣ ଏଥିରେ ଅଧିକ ପାଣି ମିଶେଇ କଳା ରଙ୍ଗ ଭାବେ ବ୍ୟବହାର କରି ପାରିବେ।

image


ବାଦାମି: ଖଇରକୁ ପାଣି ସହ ମିଶେଇ ଆପଣ ବାଦାମୀ ରଙ୍ଗ ତିଆରି କରି ପାରିବେ। ତା ଛଡା ଚା କିମ୍ବା କଫି ପତ୍ରକୁ ପାଣିରେ ଫୁଟେଇ ଜୈବିକ ବାଦାମୀ ରଙ୍ଗ ପ୍ରସ୍ତୁତ କରିପାରିବେ।

ଯେକୌଣସି ଅର୍ଗାନିକ ରଙ୍ଗ ତିଆରି କରିବା ପରେ ସେଥିରେ ଅଳ୍ପ କିଛି କେଶର ମିଶେଇ ଦିଅନ୍ତୁ। ଏହା ରଙ୍ଗକୁ ସୁଗନ୍ଧିତ କରିବା ସହ ରଙ୍ଗର ଔଷଧୀୟ ଗୁଣ ମଧ୍ୟ ବଢେଇ ଥାଏ।