ଆପଣଙ୍କ ପାଇଁ ଜଳ ସାଇତିବ ଗ୍ରେ ୱାଟର୍

ଆପଣଙ୍କ ପାଇଁ ଜଳ ସାଇତିବ ଗ୍ରେ ୱାଟର୍

Monday October 19, 2015,

5 min Read

ରୁର୍କି ଆଇ.ଆଇ.ଟି.ରୁ ପାସ୍ କରିବାପରେ ଅରୁଣ ଦୁବେ ଗୋଟିଏ ଫାର୍ମାସ୍ୟୁଟୀକାଲ କମ୍ପାନିରେ ଚାକିରି କରୁଥିଲେ । ତାଙ୍କ କାମ ଥିଲା ଜେନେରିକ୍ ଔଷଧ ତିଆରି କରିବାରେ ବ୍ୟବହୃତ ହେବାଭଳି ନୂଆ ନୂଆ ଟେକ୍ନଲୋଜିକୁ ପରୀକ୍ଷା କରିବା ଓ ପ୍ରସ୍ତୁତ କରିବା । ନିଜ କାମ ଭିତରେ ଦୁବେ ଗୋଟିଏ ନିଆରା ପ୍ରୋଜେକ୍ଟ ସଂସ୍ପର୍ଶରେ ଆସିଥିଲେ, ଯେଉଁଥିରେ ଶୈବାଳରୁ ବାଇଓ-ଡିଜେଲ୍ ତିଆରିବାଲାଗି ଟେକ୍ନଲୋଜି ଉଦ୍ଭାବନ କରିବାର ଯୋଜନା ଥିଲା । କ୍ଲିନ୍ ଟେକ୍ନଲୋଜି ସଂସ୍ପର୍ଶରେ ଆସିବା ଏହା ତାଙ୍କ ପାଇଁ ପ୍ରଥମ ସୁଯୋଗ ଥିଲା । ଷ୍ଟାନ୍ଫୋର୍ଡରୁ ଏମ୍.ବି.ଏ. କରିବାପରେ ଦୁବେ ଅଳ୍ପକାଳ ପାଇଁ ମ୍ୟାକ୍କିନ୍ସି ଆଣ୍ଡ୍ କୋ’ରେ ଚାକିରି କରିଥିଲେ, ସେଠାରେ ସୌରଶକ୍ତି କ୍ଷେତ୍ରରେ ଥିବା ବଡ଼ ବଡ଼ କମ୍ପାନିମାନଙ୍କ ସହିତ ତାଙ୍କୁ କାମ କରିବାକୁ ହୋଇଥିଲା ।

image


ଦୁବେ କହନ୍ତି, “ଠିକ୍ ସେତିକିବେଳେ ହିଁ ନର୍ଦ୍ଧମା ଜଳକୁ ସ୍ୱଚ୍ଛ କରିବା ଭଳି ଛୋଟ ଛୋଟ ସେୱେଜ୍ ଟ୍ରିଟ୍ମେଣ୍ଟ୍ ପ୍ଲାଣ୍ଟ୍ (ଏସ୍.ଟି.ପି.) ପ୍ରସଙ୍ଗଟି ମୋ’ ମୁଣ୍ଡକୁ ଆସିଥିଲା ।”

ଦୁବେ ଭାବି ଦେଖିଲେ ଯେ, ଭାରତର ସହରଗୁଡ଼ିକର ପରିବେଶକୁ ତାହା ପୂରା ଠିକ୍ ଖାପ ଖାଇବ । ସେ ସ୍ୱପ୍ନଟି ଏକ ଯୋଜନା ରୂପରେ ତାଙ୍କ ମୁଣ୍ଡ ଭିତରେ ଗଢ଼ି ଉଠିଲା । ଦୁବେ ଭାରତ ଫେରି ଆସିଲେ ଓ ୨୦୧୦ ମସିହାରେ ନେକ୍ସସ୍ ଭେଞ୍ଚର୍ ପାର୍ଟନର୍ ଦ୍ୱାରା ଆରମ୍ଭ ହୋଇଥିବା ସଂସ୍ଥା ଗ୍ରେୱାଟରରେ ଯୋଗଦେଲେ ।

ବର୍ତ୍ତମାନ ଦୁବେ ସେ କମ୍ପାନିର ନିର୍ଦ୍ଧେଶକ ଭାବେ ତା’ର ଷ୍ଟ୍ରାଟେଜି, ବିଜିନେସ୍ ଡେଭେଲପ୍ମେଣ୍ଟ୍ ଓ ଫିନାନ୍ସ୍ ବିଭାଗର ଦାୟିତ୍ୱରେ ଅଛନ୍ତି ।

ଅଳ୍ପ ଖର୍ଚ୍ଚରେ ଓ ସହଜରେ ନର୍ଦ୍ଧମା ଜଳକୁ ବିଶୁଦ୍ଧ କରି ତା’କୁ ପୁଣି ବ୍ୟବହାର ଉପଯୋଗୀ କରିବା ଭଳି ସାମଗ୍ରୀ ଗ୍ରେୱାଟର୍ ତିଆରି କରୁଛି ।

ଦୁବେ କହନ୍ତି, “ମୁଁ ଏହି ଚିନ୍ତାଧାରାଟିକୁ କାମରେ ଲଗାଇବାଲାଗି ନିଷ୍ପତ୍ତି ଗ୍ରହଣ କରିବାର ମୁଖ୍ୟ କାରଣ ହେଉଛି, ଗ୍ରେୱାଟର୍ ଭାରତୀୟ ସହରାଞ୍ଚଳର ପରିବେଶ ସାମ୍ନା କରୁଥିବା ଏକ ଅତ୍ୟନ୍ତ ମୌଳିକ ଆବଶ୍ୟକତାକୁ ପୂରଣ କରିବାର ଲକ୍ଷ୍ୟ ରଖିଛି । ତା ହେଉଛି ନର୍ଦ୍ଧମା ଜଳକୁ ପରିଚାଳନା କରିବା ଏବଂ ସର୍ବନିମ୍ନ ଖର୍ଚ୍ଚରେ ତା’କୁ ପୁନଃ ବ୍ୟବହାର ଉପଯୋଗୀ କରିବା । ଉପଯୁକ୍ତ ମୁନିସିପାଲ ଭିତ୍ତିଭୂମି ନ ଥାଇ ଭାରତରେ ସହରଗୁଡ଼ିକର ଆକାର ଓ ସଂଖ୍ୟା ବଢ଼ି ଚାଲିଥିବା ସମୟରେ ଆମ ଦ୍ୱାରା ପ୍ରସ୍ତୁତ ସାମଗ୍ରୀଗୁଡ଼ିକ ହେଉଛନ୍ତି ଏ ସମୟର ଆବଶ୍ୟକତା । ନର୍ଦ୍ଧମା ଜଳକୁ ସେମିତି ଖାଲି ଛାଡ଼ି ଦେବାଦ୍ୱାରା ସୃଷ୍ଟି ହେଉଥିବା ପ୍ରଦୂଷଣକୁ ଆମେ କମ୍ କରିବା ସହିତ ସେହି ଜଳକୁ ବିଶୋଧିତ କରି ଲୋକମାନଙ୍କୁ ଆମେ ଦଶଭାଗରୁ ଭାଗେ ଖର୍ଚ୍ଚରେ ବିଭିନ୍ନ କାମରେ ବ୍ୟବହାର ହୋଇ ପାରୁଥିବା ଜଳ ଯୋଗାଇ ଦେଇ ପାରୁଛୁ ।”

ଗ୍ରେୱାଟର୍ ଟିମ୍ ରେ ଥିବା ଲୋକମାନଙ୍କ ପାଖରେ ସଂପୃକ୍ତ କ୍ଷେତ୍ରରେ ଲମ୍ବା ଅଭିଜ୍ଞତା ତ ଅଛି, ଅଛି ମଧ୍ୟ ବିଭିନ୍ନ ଟେକ୍ନଲୋଜି ଓ ସିଷ୍ଟମ୍ ସଂପର୍କରେ ସଂପୂର୍ଣ୍ଣ ନିଆରା ଅନୁଭବ । କୋର୍ ଟିମ୍ ରେ ସୁନିଲ୍ ଟୁପେ (ସି.ଇ.ଓ.), ରାଜେଶ ନାୟାର (ନିର୍ଦ୍ଧେଶକ, ସେଲ୍ସ୍) ଓ ସଚିନ୍ ପରଦେଶୀଙ୍କ ପାଖରେ ଅଛି ମିଳିତ ଭାବେ ୧୦୮ ବର୍ଷର ଅଭିଜ୍ଞତା ।

image


ଦୁବେ କହନ୍ତି, “ଆମ ସାମଗ୍ରୀଗୁଡ଼ିକ ୪ଟି ମୂଳ ନୀତିର ଆଧାରରେ ତିଆରି: ପ୍ୟାକେଜ୍ଡ୍ ଓ ସଂପୂର୍ଣ୍ଣ ଭାବେ ସ୍ୱୟଂଚାଳିତ, ପୁନଃବ୍ୟବହାର ପାଇଁ ପ୍ରସ୍ତୁତ ଜଳ, ବ୍ୟବହାରକାରୀର ଖର୍ଚ୍ଚ ଉଠିବାର ସର୍ବନିମ୍ନ ଗ୍ୟାରେଣ୍ଟି ଏବଂ ସାରା ଭାରତର ପରିବେଶ ବୋର୍ଡଗୁଡ଼ିକର ସ୍ୱୀକୃତି ।”

ଦୁବେ ଆହୁରି ଦାବି କରନ୍ତି, “ଆମ ସାମଗ୍ରୀଗୁଡ଼ିକ ବିଦ୍ୟୁତ ଖର୍ଚ୍ଚକୁ ଅଧା କରିବା ସହିତ ତା’କୁ ଚଲାଇବା ଓ ଦେଖାରଖା କରିବାର ଖର୍ଚ୍ଚକୁ ମଧ୍ୟ ଅଧା କରିଦିଏ । ଫଳରେ ବ୍ୟବହାରକାରୀମାନେ ବେଶ୍ କିଛି ସଞ୍ଚୟ କରି ପାରନ୍ତି । ଏହା ସହିତ ଭିନ୍ନ ଭିନ୍ନ ପରିମାଣର ଲୋଡ୍କୁ ସମ୍ଭାଳିବାଲାଗି ଆମେ ସେଥିରେ କିଛି ଅଲଗା ପ୍ରକାର ବ୍ୟବସ୍ତା କରିଛୁ । ଗ୍ରେୱାଟର୍ ନିଜେ ନିଜେ ନର୍ଦ୍ଧମା ପାଣିର ପରିମାଣକୁ ଜାଣିପାରି ସ୍ୱୟଂଚାଳିତ ଭାବେ ସୁରୁଖୁରୁରେ କାର୍ଯ୍ୟକରି ପାରେ । ଆମ ଦେଶରେ ବିକ୍ରି ହେଉଥିବା ଅନ୍ୟ କୌଣସି ଏସ୍ଟିପିରେ ଏ ସୁବିଧା ନାହିଁ।

image


ତେବେ ଦୁବେ କହନ୍ତି, ଗ୍ରେୱାଟର୍ ର ଅଗ୍ରଗତିକୁ ଯଦି ଆମ ସମାଜର କୌଣସି ପ୍ରସଙ୍ଗ ବାଧା ଦେଉଛି, ତା ହେଉଛି ଏହି ପ୍ରସଙ୍ଗକୁ ଉପଯୁକ୍ତ ଗୁରୁତ୍ତ୍ୱ ନ ଦେବାର ମାନସିକତା । ନିଜ ଅଭିଜ୍ଞତାରୁ ସେ କହନ୍ତି, ଅନେକ ସ୍ଥାନରେ ସାଧାରଣ ଏସ୍.ଟି.ପି. ଲଗା ଯାଇଛି କେବଳ ଅକୁ୍ୟପାସନ୍ ସାର୍ଟିଫିକେଟ୍ ହାସଲ କରିବାର ଲକ୍ଷ୍ୟ ନେଇ ।

ତେବେ ଦୁବେ କହନ୍ତି, “ଆଇନକୁ କଡ଼ାକଡ଼ି ଭାବେ ଲାଗୁ କରାଯିବା ଆରମ୍ଭ ହେଉଥିବାରୁ ଏବଂ ସ୍ୱଚ୍ଛ ଜଳର ଅଭାବ ଏବଂ ମୂଲ୍ୟବୃଦ୍ଧି କାରଣରୁ ପରିସ୍ଥିତିରେ ଏବେ କ୍ରମଶଃ ଉନ୍ନତି ପରିଲକ୍ଷିତ ହେଉଛି ।”

ସେ ସୂଚନା ଦେଇ କହନ୍ତି, “ସେଣ୍ଟ୍ରାଲ୍ ପଲୁ୍ୟସନ୍ କଣ୍ଟ୍ରୋଲ୍ ବୋର୍ଡର ହିସାବ ଅନୁସାରେ, ଭାରତର ଟାୟାର୍-୧ରେ ଥିବା ସହରଗୁଡ଼ିକର ନର୍ଦ୍ଧମାଜଳର କେବଳ ୩୨ ପ୍ରତିଶତ ହିଁ ସଫାକରି ପୁନଃ ବ୍ୟବହାରକ୍ଷମ କରା ଯାଉଛି । ଟାୟାର୍-୨ରେ ଥିବା ସହରଗୁଡ଼ିକରେ ଏହାର ମାତ୍ର ମାତ୍ର ୯ ପ୍ରତିଶତ । ହିସାବ କରା ଯାଇଛି ଯେ, ୨୦୧୮ ମସିହା ସୁଦ୍ଧା ପ୍ରତିଦିନ ୨୪,୦୦,୦୦୦ ଲକ୍ଷ ଲିଟର୍ ନର୍ଦ୍ଧମା ଜଳ ବିଶୋଧିତ ନ ହୋଇ ରହିଯିବ । ଏହା ଆମ ସହରଗୁଡ଼ିକ ପ୍ରତି ସ୍ୱାସ୍ଥ୍ୟ ଓ ପରିବେଶ ଦିଗରୁ ଭୟଙ୍କର ବିପଦକୁ ଡାକି ଆଣିବ । ସେହି ଭୟଙ୍କର ମହାମାରୀକୁ ଟାଳି ଦେବାପାଇଁ ଛୋଟ ଛୋଟ ବା ବ୍ୟକ୍ତିଗତ ସ୍ତରରେ ସ୍ଥାପନା କରି ହେଉଥିବା ଏସ୍ଟିପି ସାରା ଦେଶରେ ପ୍ରଚଳ କରିବା ହେଉଛି ଏକମାତ୍ର ବାଟ ।”

ଏଇଠି ରହିଛି ଗ୍ରେୱାଟର୍ ଟେକ୍ନଲୋଜିର ଅସଲ ଗୁରୁତ୍ତ୍ୱ । ଦୁବେ କହନ୍ତି, “ଆମର ଉନ୍ନତ ଓ ଆଧୁନିକ ଇଂଜିନିୟରିଂ ଜରିଆରେ ଆମେ ଏମିତି ଏକ ଏସ୍ଟିପି ତିଆରି କରିଛୁ, ଯାହା ଏବେ ଘରମାନଙ୍କରେ ବ୍ୟବହାର କରା ଯାଉଥିବା ଡିଜେଲ୍ ଜେନେରେଟର୍ ଭଳି । ଆମ ଏସ୍ଟିପିଗୁଡ଼ିକରେ ଅଛି ସିଙ୍ଗଲ୍ ଟ୍ୟାଙ୍କ୍ ବ୍ୟବସ୍ତା, ଯାହା ତା’ର କାର୍ଯ୍ୟକୁଶଳତାକୁ ଶୀର୍ଷରେ ପହଞ୍ଚାଇବା ସହିତ ଖର୍ଚ୍ଚକୁ କମାଇଥାଏ । ଏଗୁଡ଼ିକୁ ଚଳାଇବାଲାଗି ଜରେ ଲୋକ ସବୁବେଳେ ଜଗି ବସିବା ଆବଶ୍ୟକ ନୁହେଁ, କାରଣ ଏହା ବିଭିନ୍ନ ସ୍ତରର ଲୋଡକୁ ଆପଣାଛାଏଁ ଜାଣି କାମ କରିପାରେ । ଆମ ସାମଗ୍ରୀଗୁଡ଼ିକ ଚାଲିବାବେଳେ ଶବ୍ଦ କରନ୍ତି ନାହିଁ, ଗନ୍ଧ ବାହାରେ ନାହିଁ । ସେଗୁଡ଼ିକୁ ୨-୩ ସପ୍ତାହ ଭିତରେ ଅର୍ଡର୍ ଦିଆଯାଇ ଲଗାଯାଇ ପାରନ୍ତି ।”

ଚଳିତ ବର୍ଷ ନେଟେଲ୍ (ଇଣ୍ଡିଆ) କମ୍ପାନି ସହିତ ଗ୍ରେୱାଟର୍ ର ବୁଝାମଣା ହୋଇଛି । ପରିବେଶ ସୁରକ୍ଷାକୁ ଦୃଷ୍ଟିରେ ରଖି ତିଆରି ହୋଇଥିବା ସାମଗ୍ରୀ ବିକ୍ରି କରିବା ଏବେ ସେବା ଯୋଗାଇ ଦେବାରେ ନେଟେଲ୍ ହେଉଛି ଏକ ଅଗ୍ରଣୀ ସଂସ୍ଥା ।

ଦୁବେ କହନ୍ତି, “ବଜାରରେ ନେଟେଲ୍ର ଭଲ ପ୍ରବେଶ ଅଛି । ଗ୍ରେୱାଟର୍ ନିକଟରେ ଅଛି ସେ କ୍ଷେତ୍ରରେ ସର୍ବୋତ୍ତମ ସାମଗ୍ରୀ । ତେଣୁ ଉଭୟଙ୍କ ମିଳନ ଗୋଟିଏ ଚମକ୍ରାର ବିଷୟ । ସବୁଠାରୁ ବଡ଼କଥା ହେଉଛି, ଆମର ଅନେକ ଗ୍ରାହକ, ସେମାନଙ୍କର ମଧ୍ୟ ଗ୍ରାହକ । ତେଣୁ ଆମ ଉତ୍ପାଦନକୁ ବିକ୍ରି କରିବା ନେଟେଲ୍ ପାଇଁ ଖୁବ୍ ସହଜ । ଆଜିଯାଏ ଏସ୍ଟିପି ସାମଗ୍ରୀଗୁଡ଼ିକୁ ସ୍ଥାନୀୟ ସଂସ୍ଥାଗୁଡ଼ିକ ବିକ୍ରି କରି ଆସିଛନ୍ତି, ଯେଉଁ ସଂସ୍ଥାଗୁଡ଼ିକର ମାଲିକ ଜଣେ । ଏହା ସହିତ ବିକ୍ରେତାମାନେ ଗ୍ରାହକଙ୍କ ଆବଶ୍ୟକତା ଅନୁସାରେ ଆସେମ୍ବଲ୍ କରି ପ୍ଲାଣ୍ଟ୍ ବିକ୍ରି କରୁଥିଲେ । ଆମର ଲକ୍ଷ୍ୟ ଗୋଟିଏ ସାଧାରଣ ବାଟରେ ଗୋଟିଏ ସମାନ ବା ଷ୍ଟାଣ୍ଡାର୍ଡ ସାମଗ୍ରୀ ବିକ୍ରି କରିବା । ଆମ ଷ୍ଟାଣ୍ଡାର୍ଡ ଗ୍ରେୱାଟର୍ କୁ ନେଟେଲ୍ ଗ୍ରାହକମାନଙ୍କୁ ସିଧାସଳଖ ବିକ୍ରି କରିବ । ଏହା ସାରା ଦେଶର ବଜାରରେ ପହଞ୍ଚିବାରେ ଆମକୁ ସାହାଯ୍ୟ କରିବ । ଦେଖିବେ, ଉଭୟ ପକ୍ଷଙ୍କ ପାଇଁ ଲାଭଦାୟକ ହୋଇ ପାରୁଥିବା ଏ ଦୁଇ କମ୍ପାନିର ଏହି ସହଭାଗୀତାକୁ ଅତିଶିଘ୍ର ଲୋକେ ଦେଖି ପାରିବେ ଏବଂ ଏମିତି ଆହୁରି ଅନେକ ଉଦାହରଣ ନିକଟ ଭବିଷ୍ୟତରେ ସୃଷ୍ଟିହେବ ।”

ଆରମ୍ଭ ହେବା ଦିନଠାରୁ ଗ୍ରେୱାଟର୍ ସଂପୃକ୍ତ କ୍ଷେତ୍ରରେ ଥିବା ବଡ଼ ବଡ଼ କମ୍ପାନିଙ୍କ ତୁଳନାରେ ଭଲ ଅଗ୍ରଗତି କରିଛି । ଏହାର ବଡ଼ ଗ୍ରାହକମାନଙ୍କ ଭିତରେ ଅଛନ୍ତି- ଡେଲ୍, କ୍ଲବ୍ ମହିନ୍ଦ୍ରା, ବିପିସିଏଲ୍ ଓ ୱାଧ୍ୱା ବିଲ୍ଡର୍ସ ।

ବର୍ତ୍ତମାନ ଗ୍ରେୱାଟର୍ର ଲକ୍ଷ୍ୟ ହେଉଛି ନିଜକୁ ସହରୀ ଜୀବନର ଏକ ଅବିଚ୍ଛେଦ୍ୟ ଆବଶ୍ୟକତା ଭାବରେ ପ୍ରତିଷ୍ଠିତ କରିବା।