ଶହୀଦ ଭଗତ ସିଂହ, ଆରଏସଏସଏସର ଦ୍ଵନ୍ଦ ଓ କ୍ରମବର୍ଦ୍ଧିଷ୍ଣୁ ଜାତୀୟତା(!)

ଆଶୁତୋଷ ଲେଖନ୍ତି.....

ଶହୀଦ ଭଗତ ସିଂହ, ଆରଏସଏସଏସର ଦ୍ଵନ୍ଦ ଓ କ୍ରମବର୍ଦ୍ଧିଷ୍ଣୁ ଜାତୀୟତା(!)

Wednesday March 30, 2016,

4 min Read

ଅଚାନକ ଶହୀଦ ଭଗତ ସିଂହ ଏବେ ଚର୍ଚ୍ଚାରେ। ପ୍ରଧାନମନ୍ତ୍ରୀ ମୋଦୀଙ୍କ ଠାରୁ ଆରମ୍ଭ କରି ରାହୁଲ ଗାନ୍ଧୀ ଓ କେଜରିୱାଲ, ସମସ୍ତେ ତାଙ୍କ ପ୍ରଶଂସାରେ ଶତମୁଖ। ଅକାଳୀ ଦଳ ତାଙ୍କ ପାଇଁ ଭାରତରତ୍ନ ଦାବି କରିବା ସହ ଦିଲ୍ଲୀ ବିଧାନସଭା ପରିସରରେ ଥିବା ଭଗତ ସିଂହଙ୍କ ପଗଡି ବିହୀନ ପ୍ରତିମୂର୍ତ୍ତି ଉପରେ ମଧ୍ୟ ଆପତ୍ତି ଜଣାଇଛି। ଆରଏସଏସ ମଧ୍ୟ ଭଗତ ସିଂହଙ୍କ ପ୍ରଶଂସା କରିବାରେ ବ୍ୟସ୍ତ। ଲାଗୁଛି ଦେଶପ୍ରେମ ଓ ଜାତୀୟତା କୁ ନେଇ ଅଧୁନା ସାରା ଭାରତରେ ଚାଲିଥିବା ଦ୍ଵିମୁଖୀ ବିତର୍କ ଭିତରେ ଭଗତ ସିଂହ ସବୁଠାରୁ ଅଧିକ ପ୍ରାସଙ୍ଗିକ ହୋଇଯାଇଛନ୍ତି। ସେଥିପାଇଁ ତ ଯେତେବେଳେ ଶଶୀ ଥରୁର କହ୍ନେୟା କୁମାରଙ୍କୁ ଭଗତ ସିଂହଙ୍କ ସହ ତୁଳନା କଲେ ତାହା ଅନେକଙ୍କ ଚକ୍ଷୁଶୂଳ ହେଲା। କିଛି ଦିନ ତଳେ ମୁଁ ଗୋଟିଏ ଟେଲିଭିଜନ ବିତର୍କରେ ଭାଗ ନେଇଥିଲି। ଏଥିରେ ଜଣେ ଯୁବତୀ ଉପରୋକ୍ତ ତୁଳନା ଉପରେ ନିଜ କ୍ରୋଧ ଯେପରି ଭାବେ ଜାହିର କଲେ ତାହା ଦେଖିବା ଭଳି ଥିଲା।

image


ଭଗତ ସିଂହ ଯେ ଭାରତୀୟ ସ୍ଵାଧୀନତା ସଂଗ୍ରାମର ଏକ ପ୍ରଭାବଶାଳୀ ବ୍ୟକ୍ତିତ୍ଵ ଏଥିରେ କେହି ବି ଦ୍ଵିମତ ହେବେ ନାହିଁ। ଏହା ମଧ୍ୟ ସତ୍ୟ ଯେ ତାଙ୍କର ଗାନ୍ଧୀଜୀଙ୍କ ସହ ମତାନ୍ତର ଥିଲା। ସୁଖଦେବ ଓ ରାଜଗୁରୁଙ୍କ ସହ ୧୯୩୧ ମସିହାରେ ଭଗତ ସିଂହଙ୍କ ବଳିଦାନ ସାରା ଦେଶରେ ବିପ୍ଲବର ନିଆଁ ଜାଳି ଦେଇଥିଲା। ସେତବେଳକୁ ଭଗତ ସିଂହଙ୍କ ବୟସ ଥିଲା ମାତ୍ର ୨୩ ଓ ଏହି ବଳିଦାନ ପରବର୍ତ୍ତୀ ସମୟରେ ଅନେକ ବିପ୍ଳବୀଙ୍କୁ ପ୍ରେରିତ କରିଥିଲା। ମାତ୍ର ଆରଏସଏସ ଓ ଭାଜପା ତରଫରୁ ଭଗତ ସିଂହଙ୍କୁ ଆଦର୍ଶ ଭାବେ ପ୍ୟାଟେଣ୍ଟ କରିବାର ପ୍ରୟାସ ଏତେଟା ପ୍ରେରଣାଦାୟକ ନୁହେଁ।

ପୂର୍ବରୁ ଆରଏସଏସ ଓ ଭାଜପା ସରଦାର ପଟେଲ ଓ ନେତାଜୀଙ୍କ ପାଇଁ ମଧ୍ୟ ସମାନ ଚେଷ୍ଟା କରିଥିଲା। ଏଠାରେ ଉଲ୍ଲେଖନୀୟ କଥା ଟି ହେଲା ନା ପଟେଲ ନା ସୁଭାଷ, କେହି ବି ଆରଏସଏସ ସହ ସମ୍ପୃକ୍ତ ନଥିଲେ ଓ ଆରଏସଏସ ମଧ୍ୟ ଗୋଟିଏ ସଂଗଠନ ଭାବେ କେବେ ବି ଭାରତୀୟ ସ୍ଵାଧୀନତା ସଂଗ୍ରାମରେ ଭାଗ ନେଇନଥିଲା। ଉଭୟ ପଟେଲ ଓ ବୋଷ କଂଗ୍ରେସର ବରିଷ୍ଠ ନେତା ଥିଲେ। ସର୍ଦ୍ଦାର ପଟେଲଙ୍କର ହୁଏତ ଆରଏସଏସ ସହ କିଛି ଟା ବୈଚାରିକ ସାମ୍ୟ ଥାଇପାରେ ମାତ୍ର ସୁଭାଷ ଥିଲେ ସମାଜବାଦୀ ଓ କ୍ରାନ୍ତିକାରୀ।

ଠିକ ସେହି ପରି ନା ଆରଏସଏସ ନା ଭାଜପା କାହା ସହ ଭଗତ ସିଂହଙ୍କର କୌଣସି ବୈଚାରିକ ସାମ୍ୟ ଥିଲା। ମୁଁ ସମ୍ପୂର୍ଣ ଦୃଢତାର ସହ କହି ପାରେ ଯେ ଆଜି ଭଗତ ସିଂହ ବଞ୍ଚିଥାନ୍ତେ ତାହାଲେ ମୋଦୀ ସରକାର ଜେଏନୟୁ ଘଟଣାରେ ଯେପରି ପଦକ୍ଷେପ ନେଲେ ତାହାର ସେ ହିଁ ସବୁଠାରୁ ବଡ ସମାଲୋଚକ ହୋଇଥାନ୍ତେ। ଜେଏନୟୁକୁ ଦେଶଦ୍ରୋହୀଙ୍କ ଆଡ୍ଡା ଭାବେ ମୋଦୀ ସରକାର ଓ ଆରଏସଏସ ପକ୍ଷରୁ ଚିତ୍ରଣ କରାଗଲା। ଏହା ସତ ଯେ ଆରଏସଏସ ମଧ୍ୟରେ ବାମପନ୍ଥୀମାନଙ୍କ ପାଇଁ ଘୃଣା ଭାବ ରହିଛି ଓ ଜେଏନୟୁରେ ବାମପନ୍ଥୀ ଚିନ୍ତାଧାରାର ପ୍ରଭାବ ସର୍ବାଧିକ। ସେଥିପାଇଁ ହିଁ ଆରଏସଏସ ଜେଏନୟୁକୁ ଟାର୍ଗେଟ କରିଥିଲା। ଭାରତ ବିରୋଧୀ ସ୍ଲୋଗାନ ଆରଏସଏସକୁ ଗୋଟିଏ ସୁଯୋଗ ଦେଇଥିଲା। ମାତ୍ର ମୋ ପାଇଁ ସବୁଠାରୁ ଆଶ୍ଚର୍ଯ୍ୟଜନକ ଜିନିଷଟି ହେଲା ଆରଏସଏସ ଦ୍ଵାରା ଭଗତ ସିଂହଙ୍କ ଚିତ୍ରଣ।

ଭଗତ ସିଂହ ଜଣେ ବାମପନ୍ଥୀ ଥିଲେ ଓ ତରୁଣ ବୟସରୁ ମାର୍କ୍ସ ଏବଂ ଲେନିନଙ୍କ ଚିନ୍ତାଧାରା ଦ୍ଵାରା ପ୍ରଭାବିତ ହୋଇଥିଲେ। ବଲସେଭିକ ବିପ୍ଲବ ଦ୍ଵାରା ଅନୁପ୍ରାଣିତ ଭଗତ ସିଂହଙ୍କ ପାଇଁ ଆଦର୍ଶ ଥିଲେ ଲେନିନ। ଭାରତର ଗରିବ ଶୋଷିତ ସମାଜକୁ ସାମାଜିକ ଅର୍ଥନୈତିକ ବୈଷମ୍ୟରୁ ମୁକ୍ତ କରିବାକୁ ହେଲେ "dictatorship of the proletariat"ର ଆବଶ୍ୟକତା ଅଛି ବୋଲି ତାଙ୍କର ଦୃଢ ଧାରଣା ଥିଲା। ବିଧାନସଭାରେ ବୋମା ଫିଙ୍ଗିବା ପରେ ସେ ସୁଖଦେବ ଓ ରାଜଗୁରୁଙ୍କ ସହ ମିଶି ଯେଉଁ ପ୍ରଚାରପତ୍ର ବାଣ୍ଟିଥିଲେ ତାର ଲେଖା “ଦାସ କ୍ୟାପିଟାଲ” ଓ କମ୍ୟୁନିଷ୍ଟ ମାନିଫେଷ୍ଟୋ” ଦ୍ଵାରା ଅନୁପ୍ରାଣିତ ଥିଲା। ଆରଏସଏସ କେବଳ ହିନ୍ଦୁ ଏକତାର କଥା କହେ। ମାତ୍ର ଭଗତ ସିଂହଙ୍କ ମତରେ ଗଣତନ୍ତ୍ର ଓ ଲୋକଙ୍କ ଶାସନ ପ୍ରତିଷ୍ଠା ପାଇଁ ସମସ୍ତ ଖଟିଖିଆ ଓ କର୍ମଜୀବିଙ୍କୁ ଏକାଠି ହେବାକୁ ପଡିବ।

ବାମପନ୍ଥୀ ଚିନ୍ତାଧାରା ଅନୁସାରେ ଧର୍ମ ଲୋକମାନଙ୍କୁ ଭାଗ ଭାଗ କରେ। ସେଥିପାଇଁ କାର୍ଲମାର୍କ୍ସ ଧର୍ମକୁ ସମାଜର ଅଫିମ ବୋଲି କହୁଥିଲେ। ବାମପନ୍ଥୀମାନେ ଧର୍ମ ଓ ଭଗବାନଙ୍କ ଅସ୍ତିତ୍ଵ ସ୍ଵୀକାର କରନ୍ତି ନାହିଁ। ଯଦି ଆମେ ଆରଏସଏସର କାର୍ଯ୍ୟଧାରାକୁ ଅନୁଶୀଳନ କରିବା ତାହାଲେ ଦେଖିବା ଯେ ଧର୍ମ ହିଁ ଏହି ସଂଗଠନର ମୂଳପିଣ୍ଡ ଓ ହିନ୍ଦୁତ୍ଵ ହିଁ ଏହାର ଆଦର୍ଶ। ମାତ୍ର ଭଗତ ସିଂହ କାୟାମନୋବାକ୍ୟରେ ଜଣେ ବାମପନ୍ଥୀ, ସମାଜବାଦୀ ଓ ନାସ୍ତିକ ଥିଲେ। ସେ କେବେ ବି ଏହି କଥା ଲୁଚେଇ ନାହାନ୍ତି ଓ ତାଙ୍କ ରଚିତ "Why I am an atheist" ଏହାର ଉଦାହରଣ। ଭଗତ ସିଂହଙ୍କୁ ବୁଝିବାକୁ ଓ ଜାଣିବାକୁ ଚାହୁଁଥିବା ସମସ୍ତେ ଏହି ଲେଖାଟିକୁ ପଢିବା ଉଚିତ। ଯଦି ଭଗବାନ ଅଛନ୍ତି ତାହାଲେ ଏ ଦୁନିଆରେ ଏତେ ଲୋକ କାହିଁକି ଗରିବ ବୋଲି ସେ ଏଥିରେ ପ୍ରଶ୍ନ କରିଛନ୍ତି। ଆଉ ମଧ୍ୟ ପଚାରିଛନ୍ତି ଯେ ଯଦି ଭଗବାନ ସର୍ବବ୍ୟାପୀ ଓ ସବୁଠାରେ ଅଛନ୍ତି ତାହାଲେ ଏ ଦୁନିଆରେ ଏତେ ଦୁଃଖ ଓ କଷ୍ଟ କାହିଁକି ଭରି ହୋଇ ରହିଛି।

ଏହି ପରିପ୍ରେକ୍ଷୀରେ ମୁଁ ଆରଏସଏସ କୁ କିଛି ପ୍ରଶ୍ନ ପଚାରିବାକୁ ଚାହେଁ। ଧର୍ମ ଓ ଭଗବାନଙ୍କ ଅସ୍ତିତ୍ଵ ପ୍ରତି ଭଗତ ସିଂହଙ୍କର ଥିବା ନକରାତ୍ମକ ମନୋଭାବକୁ ଆରଏସଏସ ଅନୁମୋଦନ କରେ କି? ତାଙ୍କର ବାମପନ୍ଥୀ ଚିନ୍ତାଧାରା ପ୍ରତି ଏହି ସଂଗଠନର ସମର୍ଥନ ରହିଛି କି? ଆରଏସଏସ ମୁଖ୍ୟ ଗୋଲୱାଲକର ତାଙ୍କ ପୁସ୍ତକ “the Bunch of Thoughts” ରେ ଲେଖିଛନ୍ତି ଯେ ଭାରତର ତିନୋଟି ଶତ୍ରୁ ରହିଛି ଓ ସେମାନେ ହେଲେ ବାମପନ୍ଥୀ, ମୁସଲମାନ ଓ ଖ୍ରୀଷ୍ଟିୟାନ। ଯଦି ଆରଏସଏସ ଗୋଲୱାଲକରଙ୍କ ଚିନ୍ତାଧାରାରେ ପରିଚାଳିତ ତାହାଲେ ସେଠାରେ ଭଗତ ସିଂହଙ୍କର ସ୍ଥାନ କାହିଁ?

ଆଉ ଗୋଟିଏ ମଜାଦାର କଥା ହେଲା ନେହରୁଙ୍କ ପ୍ରତି ଭଗତ ସିଂହଙ୍କର ପ୍ରଗାଢ ସମ୍ମାନ ଥିଲା। ନେହରୁ ଓ ସୁଭାଷ ବୋଷଙ୍କ ଭିତରେ ତୁଳନା କରି ଭଗତ ସିଂହ କହିଥିଲେ ଯେ ବୋଷ ହେଉଛନ୍ତି ଭାବପ୍ରବଣ ମାତ୍ର ନେହେରୁ ହେଉଛନ୍ତି ବାସ୍ତବବାଦୀ। ସେଥିପାଇଁ ଭଗତ ସିଂହ ପଞ୍ଜାବର ଯୁବକ ମାନଙ୍କୁ ନେହେରୁଙ୍କୁ ଅନୁସରଣ କରିବା ପାଇଁ ଉପଦେଶ ଦେଇଥିଲେ। ଏପରି ପରିସ୍ଥିତିରେ, ଆରଏସଏସ ନେହେରୁଙ୍କ ଉପରେ ଭଗତ ସିଂହଙ୍କର ଆସ୍ଥା ଓ ଅନୁକୂଳ ମନ୍ତବ୍ୟର ସମର୍ଥନ କରେକି?

ମୁଁ ନିଶ୍ଚିତ ଯେ ଆରଏସଏସ ନିଜ ଅବସ୍ଥା ଓ ଚିନ୍ତାଧାରାରେ ଅଟଳ ଅଛି। ଭଗତ ସିଂହଙ୍କର ବଳିଦାନକୁ ରାଜନୈତିକ ଅସ୍ତ୍ର ଭାବେ ବ୍ୟବହାର କରି ନିଜ ରାଜନୈତିକ ପ୍ରତିଦ୍ଵନ୍ଦୀମାନଙ୍କୁ ଛୋଟ ଦେଖାଇବାର ପ୍ରୟାସ ବନ୍ଦ ହେଉ। ଭଗତ ସିଂହଙ୍କୁ ନେଇ ରାଜନୀତି କରା ନଯାଉ। ଏହା ତାଙ୍କ ବଳିଦାନ ପ୍ରତି ଅପମାନ। 

*Disclaimer

ଲେଖକ ଆଶୁତୋଷ AAPର ନେତା ଓ ସାମ୍ବାଦିକ। ଲେଖାର ମତ ଓ ବକ୍ତବ୍ୟ ସଂପୂର୍ଣ୍ଣ ଭାବେ ଲେଖକଙ୍କର ନିଜସ୍ୱ।