ଆପଣଙ୍କ ଷ୍ଟାର୍ଟଅପ୍ ପାଇଁ ଲେଖୁଛି କିଏ?

ଆପଣଙ୍କ ଷ୍ଟାର୍ଟଅପ୍ ପାଇଁ ଲେଖୁଛି କିଏ?

Wednesday April 27, 2016,

6 min Read

୨୦୦୮ରେ ମୁଁ ଯେତେବେଳେ ମୋର ଷ୍ଟାର୍ଟଅପ୍ ଆରମ୍ଭ କଲି, ଏ ବାବଦରେ ସମସ୍ତେ ଜାଣନ୍ତୁ ବୋଲି ମୁଁ ଭାଆରି ଇଛା କରିଥିଲି । ଏବଂ ଏଥିପାଇଁ ସବୁଠୁ ଭଲ ପନ୍ଥା ହେଲା, ଗଣମାଧ୍ୟମଗୁଡ଼ିକ ମୋ ବାବଦରେ ଲେଖିବେ । ସର୍ବୋପରି ଗୋଟେ ଖବର ପ୍ରକାଶ ମାଧ୍ୟମରେ ହିଁ ଆମେ ଆମର ଉପସ୍ଥିତି ବାବଦରେ ଅନ୍ୟକୁ ଚେତାଇ ପାରିବା । ହାୟ, କେହି ବି ଲେଖିଲେନି । ମୁଁ ସେ ନେଇ ବେଶ୍ ହତୋତ୍ସାହିତ ହୋଇଯାଇଥିଲି - ଦୁଃଖର କଥା ମୋ କଥା ଶୁଣିବାକୁ କେହି ଆଗ୍ରହୀ ନଥିଲେ । ମୁଁ ନିଜର ସଂସ୍ଥା ଆରମ୍ଭ କରିବା ସହ କିଛି ଉତ୍ସାହପ୍ରଦ କାମ କରିବା ଲକ୍ଷ୍ୟରେ (ବା ସେମିତି କିଛି ମୁଁ ଭାବୁଥିଲି) କର୍ପୋରେଟ୍ ଚାକିରି ଛାଡ଼ି ଆସିଥିଲି । ଗଣମାଧ୍ୟମ ମୋ କାହାଣୀ କହିବା ଉଚିତ ନଥିଲା କି? ହୁଏତ ମୋର ଏ ବ୍ୟତିକ୍ରମ ବ୍ୟବସାୟ ବାବଦରେ କିଛି ଲେଖିବାର ଥିଲା? ସତ କହୁଛି, ମୋର ପୂର୍ବ କମ୍ପାନି ସିଏନବିସି ଟିଭି୧୮ ତାର ବହୁଳ ପ୍ରଚାରିତ Youg Turks କାର୍ଯ୍ୟକ୍ରମରେ ମୋ ବାବଦରେ କହୁ ବୋଲି ମୁଁ ଇଛା କରିଥିଲି । ସେ ଭାଗ୍ୟ ମୋର ନଥିଲା ।

Image: www.shutterstock.com

Image: www.shutterstock.com


ପ୍ରକୃତରେ, ପାରମ୍ପରିକ ଗଣମାଧ୍ୟମ ସବୁ ମୋ ଠାରୁ ହାତେ ଦୂରରେ ଥିଲେ । (ଏବଂ ମୁଁ ସେମାନଙ୍କୁ ଅଶେଷ ଧନ୍ୟବାଦ ଦେଉଛି ଯେ ମୋ ପାଇଁ ସେମିତି କିଛି ବଡ଼ କାମ ସେମାନେ କରିନାହାନ୍ତି ।) ମୋର ମନେପଡ଼ୁଛି, କିଛି ବର୍ଷ ତଳେ ଯେତେବେଳେ ଗୋଟିଏ ଶିଳ୍ପ ସଂସ୍ଥା ପକ୍ଷରୁ ତିନିଜଣଙ୍କୁ ପୁରସ୍କାର ଦିଆଯାଉଥିଲା (ତନ୍ମଧ୍ୟରୁ ଜଣେ ମୁଁ), ଅନ୍ୟ ଦୁଇଜଣଙ୍କ ବାବଦରେ ଦେଶର ଗୋଟେ ବଡ଼ ବାଣିଜ୍ୟ ଦୈନିକ କାଗଜ (ଯେଉଁଠି ମୁଁ ଏକଦା କାମ କରୁଥିଲି) ଅଧ ପୃଷ୍ଠା ଲେଖାଏଁ ବର୍ଣ୍ଣନା ଥିଲା, କିନ୍ତୁ ମୋତେ ବାଦ ଦିଆଯାଇଥିଲା । ମୋର ମନେପଡ଼ୁଛି ମୁଁ ବାରମ୍ବାର କେମିତି କାଗଜଟିକୁ ତନ୍ନତନ୍ନ ପଢ଼ୁଥିଲି: କାଳେ ବାହାରିଥିବ ମୁଁ ଦେଖି ପାରିନଥିବି, କାଳେ କେଉଁଠି କେଉଁ ଲେଖା ଭିତରେ ମୋ ବିଷୟରେ ଲେଖା ହୋଇଥିବ, ହୁଏତ ଛୋଟ ଲେଖା ଟିକେ, ନହେଲେ ଧାଡ଼ିଏ ବି ବାହାରିଥିବ । ମୁଁ ଆଗ୍ରହୀ ଥିଲି, ହୁଏତ ମୋ ବାବଦରେ ନହେଲେ ନାହିଁ, ୟୋରଷ୍ଟୋରି ବାବଦରେ କେଉଁଠି ଟିକେ ଉଲ୍ଲେଖ ଥିବ । (ଆପଣ ଜାଣନ୍ତି ଆପଣଙ୍କ ସଂସ୍ଥାର ପ୍ରଚାର ପାଇଁ ଯେତେବେଳେ ଆପଣଙ୍କ ପାଖରେ ଅର୍ଥ ନଥାଏ, କୋଉଠି ଟିକେ ଉଲ୍ଲେଖ ହେବା ବି ବଡ଼ କଥା ।) ନା, ସେତିକି ବି ନଥିଲା । ଗତ କିଛି ବର୍ଷ ଭିତରେ, ଯାହାହେଉ, ମୁଁ ଏଇ ଭାବେ କାମ କରିଚାଲିଲି, ସତେ ଯେମିତି ମୁଖ୍ୟସ୍ରୋତର ଗଣମାଧ୍ୟମ ପାଇଁ ମୋର ଅସ୍ତିତ୍ୱ ହିଁ ନଥିଲା । ଅବଶ୍ୟ, ଗଣମାଧ୍ୟମରେ କେବେକେବେ ମୋ ବାବଦରେ ଲେଖା ହେଉଥିଲା ଏବଂ ସେଥିପାଇଁ ମୁଁ କୃତଜ୍ଞ । କିନ୍ତୁ, ମୋଟାମୋଟି ଭାବେ, ଏଭଳି ବ୍ୟତିକ୍ରମ ମୋ ଭିତରେ ଗୋଟେ ଅତିରିକ୍ତ ସ୍ଫୁରଣ ଆଣିଲା, ଯେଉଁଥି ପାଇଁ ମୁଁ ୟୋରଷ୍ଟୋରିରେ ଉଦ୍ୟୋଗୀଙ୍କ ପାଇଁ ସବୁଠୁ ଅଧିକ ସ୍ଥାନ ଦେବାକୁ ଚାହିଁଲି । ଯେଉଁମାନେ ଅଣଦେଖା ରହିଯାଉଛନ୍ତି, ସେମାନେ ନିଜର କଥା କହିବା ଲାଗି ଏଇଠି କିଛି ସ୍ଥାନ ପାଇବା ଉଚିତ । ଏଯାଏଁ ୩୦ ହଜାରରୁ ଅଧିକ ଉଦ୍ୟୋଗୀ ଏଭଳି ସ୍ଥାନ ପାଇ ସାରିଛନ୍ତି । ଏହା ସତ ଯେ, ଆମର ଅବାରିତ ପ୍ରଚେଷ୍ଟା ସତ୍ତ୍ୱେ ଏଭଳି ବହୁ କାହାଣୀ ଆମେ ପାଇ ପାରିନାହୁଁ ।

ତେଣୁ ଜଣେ ଉଦ୍ୟୋଗୀ ଭାବେ ମୁଁ ସମ୍ପୂର୍ଣ୍ଣ ବୁଝି ସାରିଛି ଯେ କାହିଁକି ଆମେ ଆମର କଥା ଗଣମାଧ୍ୟମ ମାଧ୍ୟମରେ କହିବା ଜରୁରୀ । କଥା ହେଲା, ମୋର ମନେପଡ଼ୁଛି ଯେତେବେଳେ ମୁଁ ସିଏନବିସି ଓ ୟୋରଷ୍ଟୋରି ମଝିରେ ଥିଲି, ଫ୍ଲିପକାର୍ଟର ଜଣେ ପୂର୍ବ କର୍ମଚାରୀ (ଏବେ ଜଣେ ବନ୍ଧୁ) ମୋତେ ଫୋନ କରିଥିଲେ ଓ Young Turks କାର୍ଯ୍ୟକ୍ରମରେ ସାମିଲ ହେବାକୁ ଅନୁରୋଧ ଜଣାଇ କହିଥିଲେ: ‘ଏହା ଆମକୁ କର୍ମଚାରୀ ସନ୍ଧାନରେ ସହଯୋଗ କରିବ, କାରଣ ଆମେ ପ୍ରମୁଖ କଲେଜ କ୍ୟାମ୍ପସକୁ ଗଲାବେଳେ ସେମାନେ ଆମକୁ ଜାଣିନାହାନ୍ତି ।’ ଗଣମାଧ୍ୟମରେ ଟିକେ ସ୍ଥାନ ପାଇବା ଲାଗି ଆମ ସମସ୍ତଙ୍କ ପାଖରେ କିଛି ନା କିଛି କାରଣ ଅବଶ୍ୟ ଅଛି, କାରଣ ହୁଏତ ସମୟାନ୍ତରରେ ବଦଳି ପାରେ, କିନ୍ତୁ ଆପଣ ବ୍ୟବସାୟରେ ଅଛନ୍ତି ମାନେ ଆପଣଙ୍କୁ ଜନସଂଚାର ଆବଶ୍ୟକ ଏବଂ ଗଣମାଧ୍ୟମ ହିଁ ଏଥିପାଇଁ ସବୁଠୁ ଉପଯୁକ୍ତ ମାଧ୍ୟମ ।

୨୦୦୮ରେ ୟୋରଷ୍ଟୋରି ପ୍ରତିଷ୍ଠା ହେବା ପରଠାରୁ ଭାରତୀୟ ଗଣମାଧ୍ୟମରେ ଉଲ୍ଲେଖନୀୟ ଅଭ୍ୟୁଦୟ ଆସିଛି । ଆଜି ୮ ବର୍ଷ ପରେ ଦେଶର ପ୍ରାୟ ସବୁ ଖବରକାଗଜ, ପତ୍ରିକା ଓ ଖବର ୱେବାସାଇଟ୍ ଷ୍ଟାର୍ଟଅପ୍ କାହାଣୀ କହିବାକୁ ଆତୁର ।

କିଛି ବର୍ଷ ପରେ ଗଣମାଧ୍ୟମ ଜଗତର ବଡ଼ପଣ୍ଡାମାନେ ସମ୍ଭବତଃ ଅନୁଭବ କଲେ ଯେ ଷ୍ଟାର୍ଟଅପ୍ ବାବଦରେ କହିବା ଓ ଲେଖିବା ଗୋଟେ ବଡ଼ କଥା । ଇ-କମର୍ସରେ ବହୁ ଅର୍ଥ ବିନିଯୋଗ ହେଉଥିବାରୁ ଏଭଳି ତରଙ୍ଗ ସୃଷ୍ଟି ହୋଇଛି, ଓ ଶେଷରେ ଷ୍ଟାର୍ଟଅପ୍ ଖବରର ଶିରୋନାମ ହେବାର ଯୋଗ୍ୟତା ହାସଲ କରିଛି । ପ୍ରତିଦିନ ଷ୍ଟାର୍ଟଅପ୍ ଖବର ହେଡଲାଇନ୍ ପାଲଟୁଛି, ଅଧିକାଂଶ ପୁଞ୍ଜିଲଗାଣ ସମ୍ବନ୍ଧୀୟ । ୧୦୦ କୋଟି ଡଲାର କ୍ଲବରେ କିଏ ସାମିଲ ହେଲା? କିଏ ନୂଆ ପୋଷ୍ଟର ବୟ? କିଏ ଅଧିକ ପୁଞ୍ଜି ବିନିଯୋଗ କରୁଛି? ହଁ, ଚିୟରଲିଡର ଭଳି ଭୂମିକା ନିର୍ବାହ କରୁଥିବା ୟୋରଷ୍ଟୋରି ବି ବେଳେବେଳେ ଚାପରେ ହେଡଲାଇନ୍ ପାଲଟୁଛି, କାରଣ ଆମେ ଜାଣୁ ଅନଲାଇନ ଗଣମାଧ୍ୟମରେ ପୃଷ୍ଠାଦର୍ଶନ ସଂଖ୍ୟା ବଢ଼ିବା ଦରକାର ।

ଏବଂ ଏଇ ଖବର ଓ ଶିରୋନାମ କଥା ଗପିବା ବେଳେ, ଗୋଟେ ପ୍ରଶ୍ନ ମୋ ମନକୁ ଆସୁଛି, ଯାହା ବାବଦରେ ସମସ୍ତେ ଭାବିବା ଉଚିତ:

କାହିଁକି ଷ୍ଟାର୍ଟଅପ୍ ଖବର ସବୁବେଳେ ଶୀର୍ଷରେ? ବଡ଼ ସଂସ୍ଥା ଠାରୁ ପାଣିଫୋଟକା ଯାଏଁ, ଦେଶର ତ୍ରାଣକର୍ତା ପାଲଟିଥିବା ଷ୍ଟାର୍ଟଅପ୍ ଠାରୁ ନିଜେ ପରିତ୍ରାଣ ଚାହୁଁଥିବା ଷ୍ଟାର୍ଟଅପ୍ ଯାଏଁ, ସବୁବେଳେ ଗଣମାଧ୍ୟମ କିଛି ନିର୍ଣୟ କଲାବେଳେ କାହିଁକି ଶୀର୍ଷ କଥା ଉପରେ ଅଧିକ ଭରସା କରୁଛି?

ଗତ ସପ୍ତାହରେ ଗୁଡ଼ାଏ ସୁକୁସୁକୁ ହେଉଥିବା ଷ୍ଟାର୍ଟଅପ୍ ସବୁର କାହାଣୀ ପଢ଼ି ମୁଁ ନିରାଶ ହୋଇଗଲି । ଆଉ ହଁ, ମୁଁ ବଡ଼ ପୁଞ୍ଜି ବିନିଯୋଗ ଖବର ପଢ଼ିଲେ ବି ସେତେ ଉତ୍ସାହିତ ହୁଏନି । ଅଧିକାଂଶ ଉଦ୍ୟୋଗୀଙ୍କ ଭଳି ମୋ ପାଇଁ ଫଣ୍ଡିଂ ହେଉଛି ଗୋଟେ ଦୀର୍ଘ ଯାତ୍ରାରେ ଗୋଟିଏ ପାହାଚ । ଯେତେବେଳେ ବଡ଼ବଡ଼ ମାନେ ଫସରଫାଟି ଯାଆନ୍ତି, ଲାଗେ ସତେ ଯେମିତି ଅନ୍ତିମ ସମୟ ଆଉ ମାତ୍ର ସପ୍ତାହେ ବାକି ।

ମୁଁ ଗୋଟେ ବିଦ୍ୱାନ ନୁହେଁ, କିନ୍ତୁ ଗଣମାଧ୍ୟମ ଓ ପାଣିଫୋଟକା ତତ୍ତ୍ୱର ସମର୍ଥକମାନଙ୍କୁ ଗୋଟିଏ ପ୍ରଶ୍ନ ପଚାରିବାକୁ ଚାହେ: ଯେ କୌଣସି ଯାତ୍ରାରେ ଉଠିବା ଓ ଖସିବା ଗୋଟେ ସାଧାରଣ କଥା ନୁହେଁ କି? କାହିଁକି ଜଣକୁ ଦିନେ ନାୟକ କରି ମୁଣ୍ଡରେ ବସାଉଛ ଓ ପୁଣି କିଛିମାସ ପରେ ମଇଳା ଗଦାକୁ ଫିଙ୍ଗିଦେଉଛ - ଏମିତିକି ତା’ର କାର୍ଯ୍ୟକ୍ରମ ନ ପରଖି କେବଳ ଅନୁମାନରେ ଜଣକୁ ରସାତଳକୁ ଫିଙ୍ଗିଦେବା କେତେ ଯୁକ୍ତିଯୁକ୍ତ?

ଉଦ୍ୟୋଗୀମାନଙ୍କୁ ମୋର ପ୍ରଶ୍ନ:

ପ୍ରଥମ ପୃଷ୍ଠାରେ ଆମ ବିଷୟରେ ଲେଖା ହୋଇଗଲେ ଆମମାନଙ୍କ ଛାତି କାହିଁକି କୁଣ୍ଢେମୋଟ ହୋଇଯାଏ?

ବିଗତ କିଛି ବର୍ଷ ଭିତରେ ମୁଁ ବହୁ ଷ୍ଟାର୍ଟଅପ୍ ନାୟକଙ୍କୁ ଦେଖିଛି, ଟିକିଏ ଗଣମାଧ୍ୟମ ତାଙ୍କୁ ଅନେଇ ଦେଲେ, ସେମାନେ ଭାବିନିଅନ୍ତି ଯେ ‘ମୁଁ ଏଥର ଲାଇନକୁ ଆସିଗଲି ।’ ଜଣେ ଉଦ୍ୟୋଗୀଙ୍କ ଠାରୁ ମୁଁ ସାକ୍ଷାତକାର ନେବାକୁ ଚାହିବା ବେଳେ ସେ ଉତ୍ତର ଦେଲେ,

ମତେ ଟିଭି ଚ୍ୟାନେଲ ସବୁ ଏତେ ପଚାରୁଛନ୍ତି । ତାଙ୍କ ପାଇଁ ମୁଁ ସମୟ କାଢ଼ି ପାରୁନି, ତମକୁ କୁଆଡ଼ୁ ସମୟ ଦେବି?

ମୁଁ ଚିନ୍ତାକଲି, ସେମାନେ କେମିତି ଜାଣି ପାରୁନାହାନ୍ତି ଗଣମାଧ୍ୟମରେ ଏ ପ୍ରକାର ପ୍ରସିଦ୍ଧି କ୍ଷଣସ୍ଥାୟୀ?

ଏ ଲେଖାଟି ଗଣମାଧ୍ୟମ ବାବଦରେ ବେଶି ନୁହେଁ, କାରଣ ଗଣମାଧ୍ୟମ ଗଣମାଧ୍ୟମ ହୋଇ ରହିବନି ଯଦି ସେମାନେ ଦେଖୁଦେଖୁ ଚାଟି ପକାଇବା ଭଳି ଶିରୋନାମ ନ ଦିଅନ୍ତି । ଖବରକୁ ଖବର ପରି ଯୋଗ୍ୟ କରିବାକୁ ହେବ । ଏହା ଆମକୁ ଆକର୍ଷିତ କରିପାରୁଥିବ । ନହେଲେ, ଏହା ବିରକ୍ତିକର, ମାନ୍ଦା ହେବ ଓ ଆମ ସମୟକୁ ଖାପ ଖାଇବନି । ଏହା ଆମକୁ ସାମନା କରିବାକୁ ହେବ ଯେ- ଗୋଟେ ମସଲାଦାର କାହାଣୀ ହେଲେ ଯାଇ ଆମେ ତା ଉପରେ କ୍ଲିକ୍ କରୁ, ସମ୍ଭବତଃ ଆମ ମାନ୍ଦା ସ୍ଥତାବସ୍ଥାରୁ ଟିକେ ହାଲକା ସ୍ଥରକୁ ଯିବା ପାଇଁ ଆମେ ଏଭଳି ଖବର ଖୋଜିଥାଉ ।

ଆମେ ଉଦ୍ୟୋଗୀମାନେ ନିଜ କାହାଣୀ ନିଜେ କାହିଁକି କହି ପାରିବାନି? ସମୟ ନାହିଁ? ବା ଆମେ ଭାବୁଛେ ଏବେ ଆମ ପାଇଁ ସେ ସମୟ ଆସିନି । ଆମେ ସବୁବେଳେ ଆମ ପାଇଁ କହିବା ପାଇଁ ଗୋଟେ ଲୋକସମ୍ପର୍କ ବ୍ୟକ୍ତିତ୍ୱ କିମ୍ବା ପ୍ରବୀଣ କାହାଣୀକାର ଖୋଜୁ ।

Also read: I don’t know. And I’m fine with that

ଏବେ ସମୟ ଆସିଛି, ଆମେ ଆମ କହିବା ଶୈଳୀକୁ ଆୟତ କରିବା - ଅନ୍ତତଃ ଯେତିକି ସମ୍ଭବ । ଆଉ ଏଭଳି ସ୍ଥିତିରେ ନିୟମିତ ଗଣମାଧ୍ୟମରେ ଆମ ବାବଦରେ ବାହାରିବା କାହିଁକି ଗୁରୁତ୍ୱପୂର୍ଣ ହେବ? କାହିଁକି ଆପଣ ନିରନ୍ତର ଖବରରେ ରହିବାକୁ ଚାହିବେ? ପ୍ରକୃତରେ, ଆପଣ ଯଦି ବେଶି ମିଡିଆ କଭରେଜ୍ ପାଉଛନ୍ତି ବରଂ ବ୍ୟସ୍ତ ହେବା କଥା । ସର୍ବତ୍ର ବିଦ୍ୟମାନ ସୋସିଆଲ ମିଡିଆରେ ନିଜର ଗଣମାଧ୍ୟମ କାହିଁକି ନକରିବା? ମୁଁ ଏଇଠି ପିପରଟ୍ୟାପ୍ କାହାଣୀ ଉଲ୍ଲେଖ କରୁଛି । ତାଙ୍କ ବ୍ୟବସାୟ ବନ୍ଦ ହୋଇଯିବ ବୋଲି ଗଣମାଧ୍ୟମରେ ଯେତେବେଳେ ବାହାରିଲା ଏହାର ପ୍ରତିଷ୍ଠାତା ନବନୀତ ସିଂ ଆଦୌ ଚିନ୍ତିତ ହେଲେନି । ନବନୀତ ନିଜେ ନିଜ ଭାଷାରେ ନିଜର କାହାଣୀ କହିଲେ । ସମସ୍ତେ ତ ଆଶା ଛାଡ଼ି ଦେଇଥିଲେ, କିନ୍ତୁ ସେ ନିଜେ ନିଜର କାହାଣୀ କହି ଚାଲିଲେ । ସେ ଯାହା ଚାହୁଥିଲେ କହିଲେ ଓ ତାଙ୍କ ସ୍ୱର ଅଧିକ ସ୍ପଷ୍ଟ ଓ ଅଧିକ ତୀବ୍ର ହେଲା ।

ଅନେକ ଉଦ୍ୟୋଗୀ ମୋତେ କହନ୍ତି:

ମୁଁ ଆଗକୁ ଏକାଙ୍ଗ ଚକ୍ରବର୍ତୀ ହୋଇଯିବି ଓ ଆପଣ ବି ମୋତେ ନେଇ ଶିରୋନାମ ପାଇବେ ।

ମୁଁ ସେମାନଙ୍କର ଆତ୍ମବିଶ୍ୱାସକୁ ଭଲପାଏ, କିନ୍ତୁ ଭିତରେ ଡରିଯାଏ: ପ୍ରଭୁ ନକରନ୍ତୁ, ସତରେ ସେମାନେ ଯଦି ଖବରରେ ଆସୁଛନ୍ତି ତେବେ ସେମାନଙ୍କୁ ଆଗାମୀ ଦିନରେ ଅନ୍ଧାରକୁ ସାମନା କରିବାକୁ ପ୍ରସ୍ତୁତି ଆରମ୍ଭ କରିବା ଉଚିତ ।

ଏବଂ ମୁଁ ଯେତେବେଳେ ଏ କଥା ଲେଖୁଛି ମୁଁ ପୁଣି ଶିଖିବାକୁ ଚାହୁଛି ଯେ ଖବର, କାମ ଓ ଜୀବନରେ ଭାରସାମ୍ୟ ରହିବାର ମାନେ କ’ଣ । ଏବଂ ଆମ ସମସ୍ତଙ୍କ ପାଇଁ ମୁଁ କହିବି, ଆସନ୍ତୁ ଆମେ ନିଜେ ନିଜର ଶିରୋନାମ ଲେଖିବା ଓ ନିଜେ ନିଜର ଷ୍ଟାର୍ଟଅପ୍ କାହାଣୀ କହିବା ।

Read more from this author:

How fertile are you going to be in 2016?

Why we shy away from saying ‘I love you’

ମୂଳ ଲେଖା - ଶ୍ରଦ୍ଧା ଶର୍ମା

ଭାଷାନ୍ତର - ଶୁଭ୍ରାଂଶୁ ପଣ୍ଡା