ବାରଙ୍ଗର ଅମିତଙ୍କ ଅଟୋ “ମନ ମନ୍ଦିର’: ଠାକୁରଙ୍କ ଫଟୋରେ ଭର୍ତି

ବାରଙ୍ଗର ଅମିତଙ୍କ ଅଟୋ “ମନ ମନ୍ଦିର’: ଠାକୁରଙ୍କ ଫଟୋରେ ଭର୍ତି

Friday February 19, 2016,

3 min Read

image


ଘର ଭୁବନେଶ୍ୱର ପାଖ ବାରଙ୍ଗରେ । ନାମ ଅମିତ କୁମାର ଶାହ । ଧର୍ମ ପ୍ରତି ଲୋକମାନଙ୍କ ରହିଥିବା ଭାବନାକୁ ବଦଳାଇବା ଭଳି ଶକ୍ତି ତାଙ୍କ ପାଖରେ ରହିଛି । ଇଶ୍ୱର ସମସ୍ତଙ୍କର । ସେ କୌଣସି ନିର୍ଦ୍ଧିଷ୍ଟ ଗୋଷ୍ଠୀର ନୁହନ୍ତି । ସମଗ୍ର ପ୍ରାଣୀ ସମାଜର ମଙ୍ଗଳକାମନା କରୁଛନ୍ତି ଭଗବାନ । ଏହା ସେ ଲୋକମାନଙ୍କୁ ଏଭଳି ନିଆରା ଢ଼ଙ୍ଗରେ ଜଣାଉଛନ୍ତି ଯାହା ଜାଣିଲେ ଯେ କେହି ରୋମାଂଚିତ ହୋଇପଡ଼ିବେ ।

ଅମିତଙ୍କ ବେଉସା ହେଉଛି ଅଟୋ ଚଲାଇବା । ସେ ନିଜର ଅଟୋକୁ ବିଭିନ୍ନ ଠାକୁରଙ୍କ ମୂର୍ତି ଓ ଫୋଟୋରେ ଭର୍ତି କରିଦେଇଛନ୍ତି । ତାଙ୍କ ଅଟୋର ନାମ ହେଉଛି 'ମନ ମନ୍ଦିର’ । ନାମ ଯେତିକି ଅଟୋଟି ମଧ୍ୟ ସେତିକି । ମନ ମନ୍ଦିରକୁ ଦେଖିଲେ କେବେ ବି ଅଟୋର ଭାବନା ମନରେ ଜାଗ୍ରତ ହେବ ନାହିଁ । ଅଟୋ ଭିତରେ ବସିଗଲେ ଲାଗିବ ସତେ ଯେଭଳି ଭଗବାନଙ୍କ ଦରବାରରେ ପହଂଚିଗଲେ । ଏଭଳି ଲାଗିବ ଯେମିତି ଅଟୋରେ ନୁହେଁ ମନ୍ଦିରରେ ଭଗବାନଙ୍କ ସାମ୍ନାରେ ଠିଆ ହୋଇଛେ ।

ଅମିତଙ୍କ ଅଟୋ ମନ ମନ୍ଦିରରେ ଯିଏ ଥରେ ବସିଛି ଯେ ଓଡ଼ିଶାର ଦେବାଦେବୀଙ୍କଠାରୁ ଆରମ୍ଭ କରି କଳା ସଂସ୍କୃତି ପର୍ଯ୍ୟନ୍ତ ସବୁ କିଛିର ଏକ ସମ୍ୟକ ଝଲକ ପାଇପାରିବ । ତାଙ୍କର ଅଟୋଟି ସର୍ବଧର୍ମ ସମନ୍ୱୟର ବାର୍ତ୍ତା ପ୍ରେରଣ କରୁଛି ।

image


ସେ ଭୁବନେଶ୍ୱରର ଜନପଥ ଅଂଚଳରେ ରହି ନିଜ ଅଟୋ ଚଳାଉଛନ୍ତି । ସେହି ଅଟୋରୁ ହେଉଥିବା ଉପାର୍ଜନରେ ନିଜର ପରିବାର ପ୍ରତିପୋଷଣ କରନ୍ତି । ପ୍ରତିଦିନ ସକାଳୁ ଅପରାହ୍ନ ପର୍ଯ୍ୟନ୍ତ ସେ ରାମ ମନ୍ଦିର ନିକଟରେ ନିଜର ଅଟୋକୁ ରଖି ଯାତ୍ରୀମାନଙ୍କୁ ଅପେକ୍ଷା କରନ୍ତି । ସେହିପରି ରାତି ୯ଟାରେ ରାମ ମନ୍ଦିର ପାଖ ଏକାମ୍ର ହାଟ ଷ୍ଟାଣ୍ଡରେ ନିଜର ଅଟୋଟିକୁ ରଖନ୍ତି । ସେ କେବେ ରାସ୍ତାରେ ଅଟୋ ଚଳାଇ ଯାତ୍ରୀ ଉଠାନ୍ତି ନାହିଁ । ଯେଉଁମାନେ ରିଜର୍ଭ କରି ତାଙ୍କ ଅଟୋକୁ ନେବାକୁ ଚାହିଁବେ କେବଳ ସେଭଳି ଯାତ୍ରୀଙ୍କୁ ସେ ପରିବହନ କରୁଛନ୍ତି ।

ମନ ମନ୍ଦିରର ନିଆରା ପଣଟି ହେଉଛି ଏହି ଅଟୋରେ କେବଳ ହିନ୍ଦୁ ଦେବାଦେବୀଙ୍କ ଫଟୋ ନାହିଁ । ସେଥିରେ ଇସଲାମ୍, ଶିଖ୍, ଖ୍ରୀଷ୍ଟିୟାନ ଧର୍ମର ଠାକୁରଙ୍କ ଫଟୋ ମଧ୍ୟ ରହିଛି । ରାଜ୍ୟର କଳା ସଂସ୍କୃତିକୁ ମଧ୍ୟ ସେ ନିଜ ଫଟୋରେ ସ୍ଥାନ ଦେଇଛନ୍ତି ।

ଓଡ଼ିଶାର ପଟ୍ଟଚିତ୍ର, ତାରକସୀ, ଚାନ୍ଦୁଆ, ପିତଳ କଳା ଆଦିର ଫଟୋ ଅଟୋ ଭିତରେ ରହିଛି । ସେହିପରି ପର୍ଯ୍ୟଟନର ଗୁରୁତ୍ୱ ରଖୁଥିବା ଫଟୋଗୁଡ଼ିକୁ ମଧ୍ୟ ସେ ଅଟୋରେ ବ୍ୟବହାର କରିଛନ୍ତି । ତାଙ୍କ ଅଟୋରେ ଧଉଳି, ଖଣ୍ଡଗିରି, ଲିଙ୍ଗରାଜ, ନନ୍ଦନକାନନ, ଲଳିତଗିରି, କୋଣ୍ଣାର୍କ ଓ ପୁରୀ ମନ୍ଦିରର ଫଟୋ ରହିଛି । ବିଶ୍ୱ ପ୍ରସିଦ୍ଧ ରଥଯାତ୍ରାର ଫଟୋ ମଧ୍ୟ ରହିଛି । ନିଜର ପରିଚୟପତ୍ରକୁ ମଧ୍ୟ ସେ ଭଲ ଭାବେ ସଜାଇ ରଖିଛନ୍ତି । ରାତିରେ ଅଟୋ ଚଲାଇବା ବେଳେ ଯାତ୍ରୀମାନଙ୍କ ସୁବିଧା ପାଇଁ ସେ ଅଟୋର ଭିତର ପାଶ୍ୱର୍କୁ ଆଲୋକିତ ରଖିଥାନ୍ତି । ଏହା ଦ୍ୱାରା ଅଟୋ ଭିତରେ ଥିବା ଠାକୁରଙ୍କ ଫଟୋଗୁଡ଼ିକୁ ଯାତ୍ରୀମାନେ ସୁବିଧାରେ ଦେଖିପାରିବେ ।

image


ବିଦେଶୀ ପର୍ଯ୍ୟଟକମାନେ ତାଙ୍କ ଅଟୋକୁ ଦେଖି ବିମୋହିତ ହୋଇଯାଆନ୍ତି ବୋଲି କହିଛନ୍ତି ଅମିତ୍ । କେତେକ ଯାତ୍ରୀ ବହୁତ ଖୁସି ହୋଇ ତାଙ୍କୁ କିଛି ସାମଗ୍ରୀ ପ୍ରଦାନ କରିଛନ୍ତି ଯାହାକୁ ସେ ଅଟୋରେ ଲଗାଇଛନ୍ତି । ଅମିତ ଏବେ ଭଦ୍ରଲୋକ ତାହା ତାଙ୍କର ସ୍ୱାଭାବରୁ ଜଣାପଡ଼େ । ଯଦି କୌଣସି ଯାତ୍ରୀ ତାଙ୍କ ଅଟୋରେ କିଛି ସାମଗ୍ରୀ ଛାଡ଼ି ଯାଆନ୍ତି ସେମାନେ କେବେ ଚିନ୍ତା କରନ୍ତି ନାହିଁ ଯେ ତାହା ହଜିଗଲା ବୋଲି । ଅମିତ ସେହି ସାମଗ୍ରୀ ଫେରାଇବା ଦାୟିତ୍ୱ ନେଇଥାନ୍ତି ।

ଦୀର୍ଘ ୧୦ ବର୍ଷ ହେଲାଣି ଅମିତ ଅଟୋ ଚଳାଉଛନ୍ତି । ନିଜର ଅଭିଜ୍ଞତା ବିଷୟରେ ସେ କହିଛନ୍ତି ଯେ ଯାତ୍ରୀମାନଙ୍କୁ ପରିବହନ ସେବା ଯୋଗାଇ ଦେଇ ସେ ବହୁତ ଆନନ୍ଦ ପାଆନ୍ତି । ତାଙ୍କୁ ଏହି ବେଉସା ବହୁତ ଭଲ ଲାଗୁଛି । ଅଟୋକୁ ସଜାଇବା ସଂପର୍କରେ ସେ କହିଛନ୍ତି ଯେ କିଛି ପର୍ଯ୍ୟଟକ ତାଙ୍କ ଗାଡ଼ିରେ ବସି ଯିବା ବେଳେ ଓଡ଼ିଶାରେ ଅଟୋଗୁଡ଼ିକ ବାହାର ରାଜ୍ୟର ଅଟୋ ଭଳି ସାଜସଜ୍ଜା ହୋଇ ନଥିବା କଥାବାର୍ତା ହୁଅନ୍ତି । ତାହା ଶୁଣିବା ପରେ ଅଟୋଟିକୁ ଠାକୁରଙ୍କ ଫଟୋରେ ସଜାଇବା ପାଇଁ ଅମିତ ନିଷ୍ପତି ନେଇଥିଲେ । ଏବେ ତାଙ୍କ ଅଟୋ ସହରରେ ସବୁଠୁ ହିଟ୍ । 

    Share on
    close