ଓଡ଼ିଶାର ହସ୍ତଶିଳ୍ପରେ ଆଧୁନିକତାର ଛାପ, ନୋଏଡାରେ ପ୍ରଦର୍ଶିତ ହେବ

ଓଡ଼ିଶାର ହସ୍ତଶିଳ୍ପରେ ଆଧୁନିକତାର ଛାପ, ନୋଏଡାରେ ପ୍ରଦର୍ଶିତ ହେବ

Thursday February 18, 2016,

2 min Read

ଓଡ଼ିଶାର ହସ୍ତଶିଳ୍ପ ସାମଗ୍ରୀର ମହତ୍ୱ ସମଗ୍ର ବିଶ୍ୱରେ ରହିଛି । ଏହି ଚିନ୍ତାଧାରାକୁ ଆହୁରି ସୁଦୃଢ଼ କରିବା ଲକ୍ଷ୍ୟ ନେଇ ବିଭିନ୍ନ ରୋମାଂଚକର ତଥା ମନ ମୁଗ୍ଧକର ହସ୍ତଶିଳ୍ପ ସାମଗ୍ରୀଗୁଡ଼ିକୁ ନୋଏଡାଠାରେ ଅନୁଷ୍ଠିତ ହେବାକୁ ଥିବା ଏକ ପ୍ରଦର୍ଶନୀରେ ପ୍ରଦର୍ଶନ କରିବାକୁ ନିଷ୍ପତି ନିଆଯାଇଛି । କେବଳ ଦେଶ ଭିତର ଲୋକ ନୁହେଁ, ବିଦେଶୀମାନେ ମଧ୍ୟ ଆମ ଓଡ଼ିଶାର ଏହି ସାମଗ୍ରୀଗୁଡ଼ିକୁ ଦେଖିବା ସହ ସେଗୁଡ଼ିକୁ ହାସଲ କରିପାରିବେ । ଚଳିତ ମାସ ୨୦ରୁ ନୋଏଡାଠାରେ ଆରମ୍ଭ ହେଉଥିବା ଆନ୍ତର୍ଜାତିକ ଉପହାର ପ୍ରଦର୍ଶନୀରେ ଏହି ସାମଗ୍ରୀଗୁଡ଼ିକୁ ସାମିଲ କରାଯିବ ।

ନ୍ୟାସନାଲ୍ ଇନଷ୍ଟିଚୁ୍ୟଟ୍ ଅଫ୍ ଫେସନ ଟେକ୍ନୋଲୋଜି ଓଡ଼ିଆ ଛାତ୍ରଛାତ୍ରୀଙ୍କୁ ଏହି ପ୍ରଦର୍ଶନୀରେ ଭାଗନେବାର ସୁଯୋଗ ଆଣିଦେଇଛି । ସେମାନଙ୍କ ଦ୍ୱାରା ପ୍ରସ୍ତୁତ ୫୦ଟି ସାମଗ୍ରୀକୁ ଅନୁଷ୍ଠାନ ପରିସରରେ ପ୍ରଦର୍ଶନ କରାଯାଇଥିଲା । ଜାପାନୀ ପଂଖା ଉପରେ ରଘୁରାଜପୁରର ପଟ୍ଟଚିତ୍ରର ଫ୍ୟୁଜନ୍ ଭଳି ହସ୍ତଶିଳ୍ପ ସାମଗ୍ରୀ ଏହି ପ୍ରଦର୍ଶନୀରେ ଦେଖିବାକୁ ମିଳିଥିଲା । ସେମାନେ ତାରକସୀ ବର୍ଗରେ ବୁଢ଼ିଆଣି, ଝିଟିପିଟି ଓ ପ୍ରଜାପତିର ଅଳଙ୍କାର ଓ ବିଭିନ୍ନ ଫଳର ମଂଜିକୁ ନେଇ ଅଳକାଂର ଆଦି ପ୍ରସ୍ତୁତ କରିଥିଲେ ।

ପଢନ୍ତୁ - ଆଦିବାସୀ, ମହିଳା କାରିଗରଙ୍କୁ ଅନଲାଇନକୁ ଆଣିବ Craftsvilla

image


ଓଡ଼ିଆ କାରିଗରମାନଙ୍କୁ ଆନ୍ତର୍ଜାତିକ ପ୍ଲାଟଫର୍ମ ପ୍ରଦାନ କରିବା ହେଉଛି ଏହି ସମ୍ମିଳନୀ ଆୟୋଜନ କରିବାର ମୁଖ୍ୟ ଉଦ୍ଦେଶ୍ୟ ।

ବି କେ କଲେଜ ଅଫ୍ ଆର୍ଟ, ଖଲ୍ଲିକୋଟ ଆର୍ଟ କଲେଜ ଓ ଉକ୍ରଳ ସଂସ୍କୃତି ବିଶ୍ୱବିଦ୍ୟାଳୟର ପ୍ରାୟ ୫୦ରୁ ଅଧିକ ଛାତ୍ରଛାତ୍ରୀ ନିଫ୍ଟ ପରିସରରେ ଏକ ମାସ ଧରି ଚାଲିଥିବା କର୍ମଶାଳାରେ ଭାଗ ନେଇ ନୋଏଡାରେ ପ୍ରଦର୍ଶିତ ହେବାକୁ ଥିବା ସାମଗ୍ରୀଗୁଡ଼ିକୁ ପ୍ରସ୍ତୁତ କରିଛନ୍ତି ।

ଫାଇନ୍ ଆର୍ଟର ଛାତ୍ରଛାତ୍ରୀମାନେ ବିଭିନ୍ନ ସାମଗ୍ରୀର ଡିଜାଇନ୍ ପ୍ରସ୍ତୁତ କରିଛନ୍ତି । ନିଫ୍ଟର ଅଭିଜ୍ଞ ଶିକ୍ଷକ ମଣ୍ଡଳୀ ସେହି ଡିଜାଇନ୍ଗୁଡ଼ିକୁ ଚୟନ କରି ତାକୁ ଆଧୁନିକତାର ଛାପ ଦେବାର ସହାୟତା ପ୍ରଦାନ କରିଥିଲେ । ପିଲାମାନଙ୍କୁ ୫ଟି ଭାଗରେ ବିଭକ୍ତ କରାଯାଇଥିଲା ।

-ଧୋକ୍ରା

-ଚାନ୍ଦୁ୍ଆ

-ତାରକସୀ

-ଆଦିବାସୀ କଳା

-ପଟ୍ଟଚିତ୍ର

ପ୍ରତି ଦଳକୁ ଦୁଇଟି ଲେଖାଏଁ ସାମଗ୍ରୀ ପ୍ରସ୍ତୁତ କରିବାକୁ କୁହାଯାଇଥିଲା । ଦଳଗୁଡ଼ିକ କିଭଳି ସାମଗ୍ରୀ ପ୍ରସ୍ତୁତ କରୁଛନ୍ତି ଓ ସେଗୁଡ଼ିକର ଡିଜାଇନ୍ ଓ ମାନ ପରଖିବାକୁ ୫ ଜଣ ସ୍ୱତନ୍ତ୍ର ବିଶେଷଜ୍ଞଙ୍କୁ ନିଯୁକ୍ତି ଦିଆଯାଇଥିଲା । ଟ୍ରାଇବାଲ୍ ଆର୍ଟରେ ଗୁରୁ ଦୀନାନାଥ ପାଠୀ, ପଟ୍ଟଚିତ୍ରରେ ଗୁରୁ ରାମହରି ଜେନା, ଧୋକ୍ରା ପାଇଁ ଗୁରୁ ବିରଂଚି ସାହୁ, ଚାନ୍ଦୁଆରେ ଗୁରୁ ଅନବ ପାଳ ଓ ଚିନ୍ତାମଣି ବିଶ୍ୱାଳ ଓ ତାରକସୀରେ ଗୁରୁ ବିବେକ ରଂଜନ ଛାତ୍ରଛାତ୍ରୀଙ୍କୁ ପରାମର୍ଶ ପ୍ରଦାନ କରିଥିଲେ ।

image


ନିଫ୍ଟର ନିର୍ଦ୍ଦେଶିକା ମୋନିକା ଅଗ୍ରୱାଲ୍ କହିଛନ୍ତି ଯେ ଉକ୍ରଳିକା ସହାୟତାରେ ଛାତ୍ରଛାତ୍ରୀମାନେ ପ୍ରସ୍ତୁତ କରିଥିବା ସାମଗ୍ରୀଗୁଡ଼ିକୁ ନୋଏଡାରେ ପ୍ରଦର୍ଶନ କରାଯିବ । ଯେଉଁ ଡିଜାଇନ୍ ପ୍ରସ୍ତୁତ କରାଯାଇଛି ତାହା ପାଇଁ ଯଦି ବଡ଼ ଧରଣର ବରାଦ ମିଳିବ ତେବେ ଓଡ଼ିଆ କାରିଗରମାନେ ସିଧାସଳଖ ଲାଭବାନ ହେବେ ବୋଲି ସେ କହିଛନ୍ତି ।

ପଢନ୍ତୁ ଆଉ କିଛି ସମ୍ପର୍କିତ କାହାଣୀ -

1। ଅକ୍ସଫୋର୍ଡରେ ଓଡ଼ିଶୀ : ବୈଶାଳୀ ମହାନ୍ତିଙ୍କ ଅଭିନବ ଉଦ୍ୟମ

2। ନାରୀ ସଶକ୍ତିକରଣ ପାଇଁ କାମ କରୁଛି ଶବନମ ତାନ୍ତ୍ରେଙ୍କ ଟେଣ୍ଟ ଜୁଏଲାରୀ

3। ଆତ୍ମନିର୍ଭରଶୀଳତାରେ ଆତ୍ମସମ୍ମାନ - ଦୃଷ୍ଟିହୀନଙ୍କୁ ଆତ୍ମନିର୍ଭର କରାଉଛି Made in the Dark