ଭାଇରାଲ ହେଲା ଝିଅ ପାଖକୁ ଚନ୍ଦା କୋଚରଙ୍କ ଚିଠି- ସବୁ ମାଆ ଓ ଝିଅଙ୍କ ପାଇଁ ସେଥିରେ ଅଛି ଶିଖିବା ପାଇଁ କିଛି

ଭାଇରାଲ ହେଲା ଝିଅ ପାଖକୁ ଚନ୍ଦା କୋଚରଙ୍କ ଚିଠି- ସବୁ ମାଆ ଓ ଝିଅଙ୍କ ପାଇଁ ସେଥିରେ ଅଛି ଶିଖିବା ପାଇଁ କିଛି

Thursday April 21, 2016,

4 min Read

ଉଦ୍ୟୋଗ ଓ ବାଣିଜ୍ୟ ଜଗତରେ ଚନ୍ଦା କୋଚରଙ୍କୁ କିଏ ବା ନ ଜାଣେ। ଆଇସିଆଇସିଆଇ ବ୍ୟାଙ୍କର ସିଇଓ ତଥା ପରିଚାଳନା ନିର୍ଦ୍ଦେଶକ ଚନ୍ଦା କୋଚର, ସମଗ୍ର ଏସିଆ ମହାଦେଶରେ ଉଦ୍ୟୋଗ ଓ ବାଣିଜ୍ୟ ଜଗତରେ ଜଣେ ପ୍ରଭାବଶାଳୀ ବ୍ୟକ୍ତିତ୍ଵ। ନିକଟରେ ସେ ForbesAsia ପତ୍ରିକା ଦ୍ଵାରା ପ୍ରକାଶିତ Power Businesswomen 2016 listରେ ସ୍ଥାନ ପାଇଛନ୍ତି । ହେଲେ ଏଠି ଚର୍ଚ୍ଚା ତାଙ୍କ ବ୍ୟବସାୟ କୌଶଳ ବା ସଫଳତା ବିଷୟରେ ନୁହେଁ। ବରଂ ଗୋଟିଏ ଚିଠି ବିଷୟରେ ଯାହା ସେ ନିକଟରେ ନିଜ ଝିଅ ଆରତୀ ପାଖକୁ ଲେଖିଛନ୍ତି। ଆରତୀ ଏବେ ନିଜର ପେଷାଦାର ଜୀବନ ଆରମ୍ଭ କରିବାକୁ ଯାଉଛନ୍ତି। ଏହା ପୂର୍ବରୁ ତାଙ୍କ ପାଖକୁ ମାଆ ଚନ୍ଦା ଯେଉଁ ଚିଠି ଲେଖିଛନ୍ତି ସେଥିରେ ପେଷାଦାର ଜୀବନରେ କିପରି ସଫଳତା ମିଳିବ ସେ ବିଷୟରେ ବିଶେଷ କିଛି ଲେଖା ନାହିଁ, ବରଂ ଅଛି ଜୀବନ, ପ୍ରେମ, ଅବସର ଓ ପରିବାରର ଗୁରୁତ୍ଵ ସମ୍ପର୍କରେ କିଛି ପରାମର୍ଶ। ଚନ୍ଦା କୋଚରଙ୍କ ଚିଠିର କିଛି ଅଂଶ ଆମେ ଏଠାରେ ସ୍ଥାନିତ କରୁଛୁ। ଏହା ସମସ୍ତ ମାଆ ଓ ପିଲାଙ୍କ ପାଇଁ ଶିକ୍ଷଣୀୟ।

image


ଛୋଟ ବେଳୁ ଠିକ ଶିକ୍ଷା

ଚନ୍ଦା ନିଜ ଚିଠିରେ ଲେଖିଛନ୍ତି,

ମୋ ବାପା ମାଆ ଆମ ତିନି ଭାଇ ଭଉଣୀଙ୍କୁ ସମାନ ଭାବେ ଲାଳନ ପାଳନ କରିଥିଲେ। ଶିକ୍ଷା ହେଉ କି ଭବିଷ୍ୟତ, ସେମାନେ ପୁଅ ଝିଅ ଭିତରେ ବାଛବିଚାର କରିନଥିଲେ। ଆଉ ବାପା ମାଆଙ୍କ ଏହି ବ୍ୟବହାର ମତେ ମୋ ଜୀବନକୁ ଠିକ ଭାବେ ଗଢିବା ପାଇଁ ପ୍ରେରଣା ଦେଇଥିଲା।

ପୁଅ ହେଉ କି ଝିଅ, ଅଭିଭାବକ ମାନଙ୍କ ପାଇଁ ତାଙ୍କର ସମସ୍ତ ସନ୍ତାନ ସମାନ ହେବା ଉଚିତ। ଛୋଟବେଳୁ ସବୁ ସନ୍ତାନଙ୍କୁ ସେମାନଙ୍କ ଲିଙ୍ଗ ନିର୍ବିଶେଷରେ ସମାନ ଶିକ୍ଷା ଓ ସୁଯୋଗ ମିଳିବା ଦରକାର। ଏହା ଭବିଷ୍ୟତରେ ପିଲାମାନଙ୍କୁ ବାସ୍ତବ ଦୁନିଆରେ ସମସ୍ୟାମାନଙ୍କର ସଠିକ ସମାଧାନ ଦିଗରେ ସାହାଯ୍ୟ କରେ।

ବଡ ବ୍ୟାଙ୍କ ଖାତା ଠାରୁ ବେଶୀ ଦରକାରୀ ବଡ ହୃଦୟ

ଚନ୍ଦା ତାଙ୍କ ଚିଠିରେ ଲେଖିଛନ୍ତି,

ପୂର୍ଣକାଳୀନ ଚାକିରିରେ ଥିବା ଅଭିଭାବକମାନେ ସେମାନଙ୍କ କାମ ଯେପରି ସେମାନଙ୍କ ପାରିବାରିକ ଜୀବନ ପାଇଁ ବାଧକ ନହେବ ସେଥିପ୍ରତି ଯତ୍ନବାନ ହେବା ଦରକାର। ମୋତେ ଯେତେବେଳେ ଆଇସିଆଇସିଆଇ ବ୍ୟାଙ୍କର ଏମଡ଼ି ଓ ସିଇଓ ଭାବେ ନିଯୁକ୍ତି ଦିଆଗଲା ତୁମେ ଆମେରିକାରେ ପଢୁଥାଅ। ଏହି ଖବର ପାଇ ତୁମେ ମତେ ଇ-ମେଲ କରିଥିଲ ଯେ ମୋର କର୍ମମୟ ଜୀବନ ଏତେ ବ୍ୟସ୍ତ ବହୁଳ ଓ ସଫଳ ବୋଲି ମୁଁ ତୁମମାନଙ୍କୁ କେବେ ଜଣାଇ ଦେଇନି। ଘରେ ମୁଁ କେବଳ ତୁମର ମାଆ ହୋଇ ରହିଛି। ବର୍ତ୍ତମାନ ତୁମର ପାଳି। ତୁମେ ମଧ୍ୟ ନିଜ ଜୀବନ ଠିକ ସେହି ଭାବେ ଗଢ। ଗୋଟିଏ କଥା ମାନେ ରଖିଥିବ ଯେ ଜୀବନରେ ସମ୍ପର୍କ ହିଁ ସବୁଠାରୁ ଅଧିକ ଗୁରୁତ୍ଵପୂର୍ଣ। ଏହା ଏକ ଦୁଇ ମୁହାଁ ରାସ୍ତା। ଯଦି ଅନ୍ୟ ଜଣକ ଠାରୁ ତୁମେ କିଛି ପାଇବାକୁ ଚାହୁଁଛ, ତାହାଲେ ନିଜେ ଦେବା ପାଇଁ ମଧ୍ୟ ପ୍ରସ୍ତୁତ ରୁହ।

ଏଠାରେ ଲକ୍ଷ୍ୟ କରନ୍ତୁ ଯେ ଚନ୍ଦା ଚିଠିରେ ଅଭିଭାବକ ବୋଲି ଲେଖିଛନ୍ତି, କେବଳ ମାଆ ନୁହେଁ। କର୍ମକ୍ଷେତ୍ରରେ ସଫଳ ମାଆ ହୁଅନ୍ତୁ କି କର୍ମବ୍ୟସ୍ତ ପିତା, ଚନ୍ଦାଙ୍କର ଏ ପରାମର୍ଶ ଉଭୟଙ୍କ ପାଇଁ। କର୍ମକ୍ଷେତ୍ର ଓ ପରିବାର ଉଭୟ ସମ ପରିମାଣରେ ଗୁରୁତ୍ଵପୂର୍ଣ୍ଣ। ଆପଣ ଯେତେ ଅଧିକ ସମୟ ନିଜ ପରିବାର ପାଇଁ ସମୟ ବାହାର କରିବେ, ସେମାନଙ୍କ ସୁଖ ଦୁଃଖରେ ଠିଆ ହେବେ, ସଠିକ ପରାମର୍ଶ ଦେବେ, ଆପଣ ନିଜ ପରିବାର ଠାରୁ ସେତେ ଅଧିକ ଭଲ ପାଇବା ଓ ସମ୍ମାନ ପାଇବେ।

Chanda Kochar with her daughter

Chanda Kochar with her daughter


ଧୈର୍ଯ୍ୟ ହିଁ ବିପଦ ସମୟରେ ସଫଳତାର ଚାବିକାଠି

କଠିନ ସମୟର କିପରି ସଠିକ ମୁକାବିଲା କରି ଆଗକୁ ବଢିବାକୁ ହେବ ତାହା ମୁଁ ମୋ ମାଆଙ୍କ ଠାରୁ ଶିଖିଛି। ଆମ ବାପା ଚାଲିଗଲା ପରେ ସେ ଯେଉଁ ଧୈର୍ଯ୍ୟ ସହ ଜୀବନର ବଡ ବଡ ସମସ୍ୟାର ସମାଧାନ କରୁଥିଲେ ତାହା ମୋର ଆଜି ବି ମନେ ଅଛି। ୨୦୦୮ ମସିହାର କଥା। ସାରା ବିଶ୍ଵରେ ସେତେବେଳେ ଆର୍ଥିକ ମାନ୍ଦାବସ୍ଥାର ରାଜୁତି। ଏହି ସମୟରେ ମୁଁ ଗୋଟିଏ ଦିନ କିଛି ସମୟ କାଢି ତୁମ ଭାଇ ଖେଳୁଥିବା ସ୍କ୍ଵାଶ ପ୍ରତିଯୋଗିତା ଦେଖିବାକୁ ଯାଇଥିଲି। ଏହା କୌଣସି ଯୋଜନାବଦ୍ଧ କାମ ନଥିଲା। ହେଲେ ସେଠାରେ କିଛି ଘଣ୍ଟା ପାଇଁ ମୋର ଉପସ୍ଥିତି ଆମ ବ୍ୟାଙ୍କର ଗ୍ରାହକମାନଙ୍କ ଆତ୍ମବିଶ୍ଵାସ ବଢେଇବାରେ ସାହାଯ୍ୟ କରିଥିଲା। ସେଠାରେ ଉପସ୍ଥିତ ଆଉ କିଛି ସ୍ତ୍ରୀ ଲୋକ ମତେ କହିଥିଲେ ଯେ ଏଭଳି ବିପଦ ମଝିରେ ଯଦି ମୋ ପାଖରେ ପ୍ରତିଯୋଗିତା ଦେଖିବା ପାଇଁ ସମୟ ଅଛି, ତାହାଲେ ସେମାନେ ନିଶ୍ଚିତ ଯେ ବ୍ୟାଙ୍କରେ ସେମାନଙ୍କ ପଇସା ସୁରକ୍ଷିତ ରହିଛି।

ଚନ୍ଦା ଛୋଟ ଥିବା ବେଳେ ହିଁ ତାଙ୍କ ବାପାଙ୍କ ଦେହାନ୍ତ ହେଇଥିଲା। ହେଲେ ତାଙ୍କ ମା ପିଲାମାନଙ୍କୁ ବାପାଙ୍କ ଅଭାବ ଉପଲବ୍ଧି କରିବାକୁ ଦେଇନଥିଲେ। ଚନ୍ଦା ମଧ୍ୟ ତାଙ୍କ ବୃତ୍ତିଗତ ଜୀବନରେ ଏପରି ସମସ୍ୟାର ସମ୍ମୁଖୀନ ହୋଇଥିଲେ ଓ ସେ ପରିସ୍ଥିତିରେ ତାଙ୍କ ସାହସ ଓ ଧୈର୍ଯ୍ୟ ହିଁ ତାଙ୍କୁ ସମସ୍ୟାର ସଫଳ ମୁକାବିଲା କରିବାରେ ସାହାଯ୍ୟ କରିଥିଲା।

ନିଜ ଜୀବନସାଥି ବାଛିବାରେ ବୁଦ୍ଧିମତା ଦେଖାନ୍ତୁ

“ତୁମ ବାପା ଓ ମୁଁ ଉଭୟଙ୍କ ବୃତ୍ତିଗତ ଜୀବନ ବ୍ୟସ୍ତ ବହୁଳ ଥିଲା। ମାତ୍ର ତା ପରେ ବି ଆମେ ପରସ୍ପର ପାଇଁ ଓ ପରିବାର ପାଇଁ ସମୟ କାଢିଥିଲୁ। ମୋର ବିଶ୍ଵାସ, ଠିକ ସମୟ ଆସିଲେ ତୁମେ ମଧ୍ୟ ତୁମ ଜୀବନସାଥୀ ସହ ସମାନ ବ୍ୟବହାର କରିବ”

ଉତ୍ତମ ବୁଝାମଣା ସମ୍ପନ୍ନ ଜୀବନ ସାଥୀଟିଏ ବାଛିବା ସମସ୍ତ ମହିଳାଙ୍କ ପାଇଁ ଅତ୍ୟନ୍ତ ଜରୁରୀ। ପରିବାରର ସମର୍ଥନ ନରହିଲେ ଦୁନିଆ ଓ ସମସ୍ୟାର ମୁକାବିଲା କରିବା ସହଜ ନୁହେଁ। ତେଣୁ ଜୀବନସାଥୀ ବାଛିଲା ବେଳେ ସାମାଜିକ ସାମଞ୍ଜସ୍ୟ ଓ ବିଚାରଧାରାରେ ସମାନତା ପ୍ରତି ଦୃଷ୍ଟି ଦେବା ନିହାତି ଆବଶ୍ୟକ।

ଆତ୍ମବିଶ୍ଵାସ ଓ ସମସ୍ୟା ମୁକାବିଲା କରିବାର ସାହାସ

ତୁମେ ଯେତେ ଯେତେ ଆଗକୁ ବଢିବ, ସମସ୍ୟା ସେତେ ସେତେ ଜଟିଳ ହେବ। ଏପରି ସମୟ ମଧ୍ୟ ଆସିପାରେ, ଯେଉଁଠି ତୁମର ନିଷ୍ପତ୍ତି ଅନ୍ୟମାନଙ୍କୁ ଆହତ କରିବ। ହେଲେ ଏପରି ସମୟରେ ସାହାସର ସହ କାମ କରିବାକୁ ହେବ। ତୁମେ ଯଦି ଦୃଢ ନିଶ୍ଚିତ ଯେ ତୁମେ ଯାହା ଭାବୁଛ ତାହା ଠିକ, ଅନ୍ୟମାନେ ଯାହା କହିଲେ ବି ଲକ୍ଷ୍ୟ ଭ୍ରଷ୍ଟ ହୁଅ ନାହିଁ। ସାଧୁତା ଓ ସ୍ଵଚ୍ଛତା ସହ କେବେ ବି ବୁଝାମଣା କରିବ ନାହିଁ। ତୁମ ଚାରିପାଖର ଲୋକଙ୍କ ପାଇଁ ସଂବେଦନଶୀଳ ହେବା ଶିଖ। ଚାପ ଯେପରି ତୁମ ଜୀବନକୁ ନିୟନ୍ତ୍ରଣ ନ କରିବ ସେଥିପାଇଁ ଯତ୍ନବାନ ହୁଅ। ବଡ ଲକ୍ଷ୍ୟ ରଖ ଓ ଲକ୍ଷ୍ୟ ଦିଗରେ ଧୀରସ୍ଥିର ଭାବରେ ଅଗ୍ରସର ହୁଅ। ଅଗ୍ରସର ହେବାର ପ୍ରତିଟି ସୋପାନକୁ ଉପଭୋଗ କର। ଏହା ତୁମ ଜୀବନଯାତ୍ରାକୁ ସମ୍ପୂର୍ଣ କରିବ।

ଚନ୍ଦାଙ୍କର ଏହି ଚିଠି କେବଳ ଆରତୀ ନୁହେଁ, ସମସ୍ତ ଯୁବ ସମାଜକୁ ପ୍ରେରଣା ଦେବ ଏଥିରେ ସନ୍ଦେହର ଅବକାଶ ନାହିଁ।