ଏସିଆର ପ୍ରଥମ ମହିଳା ଟ୍ରେନ ଡ୍ରାଇଭର ମୁମତାଜ ଏମ କାଜି

0

ତିନି ବର୍ଷ ପୂର୍ବେ ମୁମ୍ବାଇର ମୁମତାଜ ଏମ କାଜି ଏସିଆରେ ଡିଜେଲ ଇଞ୍ଜିନ ଟ୍ରେନର ସର୍ବପ୍ରଥମ ମହିଳା ଚାଳକ ଭାବେ ମାନ୍ୟତା ପାଇଥିଲେ । ଏବେ ନିକଟରେ ସେ ରାଷ୍ଟ୍ରପତି ପ୍ରଣବ ମୁଖାର୍ଜୀଙ୍କ ହାତରୁ ଭାରତୀୟ ରେଳ ପ୍ରତି ତାଙ୍କର ସେବା ଓ ଅବଦାନ ନିମନ୍ତେ ନାରୀ ଶକ୍ତି ପୁରସ୍କାର ଗ୍ରହଣ କରିଛନ୍ତି। ନାରୀ ଶକ୍ତି ପୁରସ୍କାର ଦ୍ଵାରା ସମ୍ମାନିତ ହେଇଥିବା ସାତ ଜଣ ମହିଳାଙ୍କ ମଧ୍ୟରେ ସେ ଅନ୍ୟତମା।

Source: Northeast Today
Source: Northeast Today

ମଧ୍ୟ ରେଳର ଜଣେ କର୍ମଚାରୀ ଭାବେ ଏହି ୪୫ ବର୍ଷ ବୟସ୍କା ମହିଳା ଜଣକ ବିଭିନ୍ନ ପ୍ରକାରର ଇଞ୍ଜିନ ଥିବା ଟ୍ରେନ ଚଳାଇ ଆସୁଛନ୍ତି। ବର୍ତ୍ତମାନ ସେ ମୁମ୍ବାଇର ଛତ୍ରପତି ଶିବାଜୀ ଟର୍ମିନସରୁ ଥାଣେ ଯାଏଁ ଚାଲୁଥିବା ଲୋକାଲ ଟ୍ରେନ ଚଲାଉଛନ୍ତି। ମୁମ୍ବାଇରେ ଥିବା ସମସ୍ତ ଲୋକାଲ ରେଳପଥ ମଧ୍ୟରେ ଏହି ରୁଟ ଟି ସବୁଠାରୁ ଅଧିକ ଭିଡ଼ ରୁଟ ଭାବେ ଜଣାଶୁଣା।

ଏକ ରକ୍ଷଣଶୀଳ ମୁସଲମାନ ପରିବାରରୁ ଆସନ୍ତି ମୁମତାଜ। ଏବେ ଚାକିରିରେ ରହିବାର ପ୍ରାୟ ୨୫ ବର୍ଷ ହେଇସାରିଲାଣି। ମୁମତାଜ ସେଠ ଆନନ୍ଦିଲାଲ ପୋଦାର ହାଇସ୍କୁଲ, ସାନ୍ତାକୃଜରୁ ୧୯୮୯ ମସିହାରେ ମେଟ୍ରିକ ପାସ କରିବା ପରେ ଭାରତୀୟ ରେଳରେ ଚାକିରି ପାଇଁ ଦରଖାସ୍ତ ଦେଇଥିଲେ। ଆଜି ଲକ୍ଷ ଲକ୍ଷ ଲୋକଙ୍କୁ ପ୍ରେରଣା ଦେଉଥିବା ଏହି ମହିଳା ଜଣକ କିନ୍ତୁ ସେସମୟରେ ନିଜ ବାପା, ଆଲ୍ଲାରଖୁ ଇସମାଇଲ କାଠୱାଲା ଯିଏ ନିଜେ ଭାରତୀୟ ରେଳରେ କାର୍ଯ୍ୟରତ ଥିଲେ, ତାଙ୍କ ଠାରୁ ତିରସ୍କାର ପାଇଥିଲେ। କିନ୍ତୁ ସୌଭାଗ୍ୟବଶତଃ ତାଙ୍କର କିଛି ସମ୍ପର୍କୀୟ ଏବଂ କିଛି ରେଳ କର୍ମଚାରୀ ତାଙ୍କୁ ଉତ୍ସାହିତ କରିଥିଲେ ଏବଂ ନିଜର ସ୍ଵପ୍ନ ଖୋଜିବା ପାଇଁ ଆଗେଇଯିବାକୁ ପ୍ରେରଣା ଦେଇଥିଲେ।

ଏତେ ବର୍ଷର କର୍ମମୟ ଜୀବନ ଭିତରେ ମୁମତାଜ ଅନେକ ପୁରସ୍କାର ପାଇଛନ୍ତି ଓ ଅନେକଙ୍କୁ ପ୍ରେରିତ କରିଛନ୍ତି। ତାଙ୍କର ପରିବାର ଆଜି ତାଙ୍କୁ ନେଇ ଗର୍ବିତ। ମକସୁଦ କାଜି ହେଉଛନ୍ତି ମୁମତାଜଙ୍କ ପତି। ସେମାନେ ୧୪ ବର୍ଷର ଗୋଟିଏ ପୁଅ ତୌସିଫ ଏବଂ ୧୧ ବର୍ଷର ଗୋଟିଏ ଝିଅ ଫାତୀନଙ୍କର ପିତାମାତା।

୧୯୯୫ରେ ସେ ଲିମକା ବୁକ ଅଫ ରେକର୍ଡ୍ସରେ ପ୍ରଥମ ମହିଳା ରେଳଗାଡ଼ି ଚାଳକ ଭାବେ ସ୍ଥାନ ପାଇଥିଲେ। ୨୦୧୫ରେ ସେ ଭାରତୀୟ ରେଳର ଜେନେରାଲ ମ୍ୟାନେଜର ପୁରସ୍କାର ମଧ୍ୟ ପାଇଛନ୍ତି।