ପିଲାଙ୍କ ଜ୍ଞାନ ବଢାଉଛି ଅଞ୍ଜନାଙ୍କ Children’s Museum

ପିଲାଙ୍କ ଜ୍ଞାନ ବଢାଉଛି ଅଞ୍ଜନାଙ୍କ Children’s Museum

Monday November 30, 2015,

5 min Read

ଗବେଷଣା ହିଁ ଜ୍ଞାନର ମୂଳ । ଏହାକୁ ଉପରେ ପିଲାମାନେ ପରୀକ୍ଷାନିରୀକ୍ଷା କରି ପୂରା ବିଶ୍ୱ ସମ୍ବନ୍ଧରେ ଜାଣିବାରେ ସକ୍ଷମ ହୁଅନ୍ତି । ପିଲାଙ୍କ ଜ୍ଞାନବୃଦ୍ଧି ଓ ଅନୁସନ୍ଧିତ୍ସା ବଢାଇବାକୁ ଗବେଷଣା ପ୍ରକୃତ ମାଧ୍ୟମ । ଜଣେ ମା’ ଭାବେ ଏହାକୁ ଭଲରେ ବୁଝିଥିଲେ ଅଞ୍ଜନା ମେନନ୍ । ପିଲାଙ୍କ ଭିତରେ ଥିବା ସୃଜନଶୀଳତାର ବିକାଶ କରିବାକୁ ସେ ଓ ତାଙ୍କ ସ୍ୱାମୀ ମିଶି ୨୦୧୨ରେ ଗୁରୁଗାଓଁଠାରେ ଷ୍ଟେଲାର୍ ଚିଲଡ୍ରେନସ୍ ମ୍ୟୁଜିୟମ୍ (ପିଲାଙ୍କ ପାଇଁ ସଂଗ୍ରହାଳୟ) ଆରମ୍ଭ କରିଥିଲେ ।

image


ଅଞ୍ଜନା ଜଣେ ଇଞ୍ଜିନିୟର ଓ ପ୍ରୋଗ୍ରାମର୍ ଭାବେ ଆମେରିକାରେ ବହୁ ବର୍ଷ କାମ କରିଥିଲେ । ତାଙ୍କ ପିଲା ଛୋଟ ଥିବାବେଳେ ସେ ତାକୁ ଚିଲଡ୍ରେନସ୍ ମ୍ୟୁଜିୟମ୍ ଓ ସାଇନ୍ସ ମ୍ୟୁଜିୟମ୍ ବୁଲାଇବାକୁ ନେଉଥିଲେ । ଆମେରିକାରେ ଏହି ଭଳି ମୁ୍ୟଜିୟମ୍ ସଂଖ୍ୟା ୩୦୦ ପାଖାପାଖି ହେବ । ମଣିଷମାନେ କେମିତିକା ବିଶ୍ୱରେ ବାସ କରୁଛନ୍ତି, ଏହାର ସବୁ ଜ୍ଞାନ ଏହି ମ୍ୟୁଜିୟମରୁ ପାଇ ହୁଏ । ତେବେ ଅଞ୍ଜନା ଯେବେ ଭାରତ ଫେରିଲେ ଏପରି ମ୍ୟୁଜିୟମ୍ ଖୋଜିବା ପରେ ବି ପାଇଲେନି । ଆମ ଦେଶରେ ଏପରି ସୁବିଧା ନ ଥିବା ଜାଣିବା ପରେ ସେ ଚକିତ ହେଲେ । ଅଞ୍ଜନା ଏ ବିଷୟରେ କୁହନ୍ତି, ଆମ ଦେଶରେ ବାପା, ମା ଓ ଅଭିଭାବକମାନେ ପ୍ରତି ସପ୍ତାହ ଶେଷରେ ପିଲାଙ୍କୁ ସିନେମା ଦେଖାଇବା ଓ ଭିଡିଓ ଗ୍ୟାଲେରୀ ବୁଲାଇବାକୁ ନିଅନ୍ତି । ହେଲେ ପିଲାଙ୍କ ଜ୍ଞାନ ଆହରଣର ପ୍ରମୁଖ ମାଧ୍ୟମ ଏହି ମ୍ୟୁଜିୟମର ଅଭାବ ଥିଲା । ଏଥିପାଇଁ ସେ ଏହାକୁ ଭାରତରେ ଆରମ୍ଭ କରିବାକୁ ଚିନ୍ତା କଲେ । ଏଥିପାଇଁ ସେ ୧୦ବର୍ଷ ବୟସରୁ କମ୍ ପିଲାଙ୍କ ପାଇଁ ଏକ interactive museum ତିଆରି କରିବାକୁ ଯୋଜନା ପ୍ରସ୍ତୁତ କଲେ । ୨୦୧୨ ମସିହା ନଭେମ୍ବର ମାସରେ ଗୁରୁଗାଁଓର ଆମ୍ବିଏନସରେ ଏହି ମ୍ୟୁଜିୟମ୍ ଆରମ୍ଭ ହେଲା । ଏଠାକୁ ପ୍ରତି ମାସକୁ ପ୍ରାୟ ୬ହଜାର ୫୦୦ଜଣ ବୁଲିବାକୁ ଆସୁଛନ୍ତି । ପ୍ରାୟ ୧୧ହଜାର ବର୍ଗଫୁଟ ଜାଗା ଉପରେ ଠିଆ ହୋଇଥିବା ଏହି ମ୍ୟୁଜିୟମରେ ଏବେ ୭ଟି ଗ୍ୟାଲେରୀ, ଗୋଟିଏ ଥିଏଟର୍ ଓ ଗୋଟିଏ କାଫେ ଅଛି ।

image


ଜଣେ ପ୍ରେରଣାଦାୟୀ ମା ଭାବେ ପିଲାଙ୍କ ଜ୍ଞାନ ବଢାଇବାକୁ ଖୋଲିଥିବା ମ୍ୟୁଜିୟମ୍ ବାବଦରେ ଅଞ୍ଜନାଙ୍କୁ କିଛି ପଚାରି ବୁଝିଥିଲା YourStory । ତାଙ୍କର ସ୍ୱପ୍ନ ଓ ସେ ଆରମ୍ଭ କରିଥିବା ମ୍ୟୁଜିୟମର ଭବିଷ୍ୟତ ଯୋଜନା ବିଷୟରେ ପ୍ରଶ୍ନ କରିଥିଲା ।

YS-ପିଲାଙ୍କ ପାଇଁ ସ୍ୱତନ୍ତ୍ର ମୁ୍ୟଜିୟମ୍, ଏହା ଏକ ନୂଆ କ୍ଷେତ୍ର ଓ ଅଭିନବ ପରିକଳ୍ପନା । ଏହା କାହିଁକି ଆରମ୍ଭ କରିବାକୁ ଚିନ୍ତା କଲେ ?

ଅଞ୍ଜନା- ଆମେ ଆମେରିକାରେ ଥିବା ସମୟରେ ମୁଁ ମୋ ପିଲାକୁ ସେଠାରେ ପିଲାଙ୍କ ପାଇଁ ଥିବା ସ୍ୱତନ୍ତ୍ର ମ୍ୟୁଜିୟମକୁ ନେଉଥିଲି । ଏଠାରେ ପିଲାଙ୍କ ଶିଖିବା ପାଇଁ ବହୁ ଶିକ୍ଷଣୀୟ ଉପକରଣ ଥିଲା । ଛୋଟ ପିଲାମାନେ ରଙ୍ଗ ଓ ଆକୃତି ଭଳି ସରଳ ଶିକ୍ଷାକୁ ସେଠାରେ ଥିବା ଖେଳ ସାମଗ୍ରୀରୁ ଜାଣି ପାରୁଥିଲେ । ସେହିପରି ସାମାନ୍ୟ ବଡ ପିଲାମାନେ ମଧ୍ୟ ମାଧ୍ୟାକର୍ଷଣ ଓ ଚୁମ୍ବକତ୍ୱ ଭଳି ବିଜ୍ଞାନ ଶିକ୍ଷା ବାବଦରେ ଏଥିରୁ ଜ୍ଞାନ ପାଉଥିଲେ । ପିଲାମାନେ ହସଖୁସି ଓ ଖେଳକୁଦ ମାଧ୍ୟମରେ ଏସବୁ ସହଜରେ ଜାଣି ପାରୁଥିଲେ । କିନ୍ତୁ ଭାରତକୁ ଆସିଲା ପରେ ଏପରି ମ୍ୟୁଜିୟମର ଅଭାବ ଦେଖି ମୁଁ ଏହାକୁ ଆରମ୍ଭ କରିବାକୁ ଚିନ୍ତା କଲି । ଫଳରେ ପିଲାମାନେ ଏଠାକୁ ଆସି ବିଭିନ୍ନ ସାମଗ୍ରୀ ଦେଖି ବହୁତ କିଛି ଜିନିଷ ଶିଖିବେ, ବିଶ୍ୱ ବାବଦରେ ଜାଣିବେ ଓ ନିଜ ଜ୍ଞାନ ବଢାଇ ପାରିବେ।

YS-ଏହି ମ୍ୟୁଜିୟମର ଥିମ୍ କଣ ଓ ପିଲାମାନେ ଏଥିରୁ କଣ ଶିଖିବାକୁ ପାଉଛନ୍ତି ?

ଅଞ୍ଜନା- ଏହି ମ୍ୟୁଜିୟମରେ ୭ଟି ଗ୍ୟାଲେରୀ ଅଛି । ଏଠାରେ ବିଜ୍ଞାନ, ଭୂଗୋଳ, କଳା, ହସ୍ତଶିଳ୍ପ, ସାହାସିକ କାର୍ଯ୍ୟ((adventure) ଓ କମ୍ୟୁନିଟି ଲିଭିଂ ଭଳି (ସାମାଜିକ ଜୀବନ) ଭଳି ବିଭିନ୍ନ ଥିମ୍ ଥିବା ଗ୍ୟାଲେରୀ ରହିଛି । ଏସବୁର ପ୍ରକୃତ ଉଦ୍ଧେଶ୍ୟ ହେଉଛି, ପିଲାମାନେ ଖସଖୁସିରେ ଏଥିରେ ଥିବା ଜ୍ଞାନକୁ ହାସଲ କରିବେ । ଗୂଢ ରହସ୍ୟକୁ ସରଳ ଭାବେ ପିଲାଙ୍କୁ ବୁଝାଇ ଦେଇ ହେବ । ପୂରା ମ୍ୟୁଜିୟମରେ ଦୁଇ ଜଣ ଏଜୁକେଟର୍ ବା ପ୍ରଶିକ୍ଷକ ଅଛନ୍ତି । ଏହାସହ ପ୍ରତି ଗ୍ୟାଲେରୀରେ ପିଲାଙ୍କୁ ବୁଝାଇବାକୁ ଗ୍ୟାଲେରୀ ସୁପରଭାଇଜର୍ ରହିଛନ୍ତି । ପିଲାଙ୍କ ମନରେ ଆସୁଥିବା ସନ୍ଦେହ ଓ ପ୍ରଶ୍ନକୁ ସେମାନେ ଦୂର କରିଥାନ୍ତି ।

image


YS- କେଉଁ ବୟସର ପିଲାଙ୍କ ପାଇଁ ମୁ୍ୟଜିୟମ ତିଆରି ହୋଇଛି? ଏହାର ଡିଜାଇନ୍ ଓ ଏଥିରେ ଥିବା ଉପକରଣ ବାବଦରେ କଣ କହିବେ ?

ଅଞ୍ଜନା- ଦୁଇ ବର୍ଷରୁ ପ୍ରାୟ ୧୦ବର୍ଷ ପର୍ଯ୍ୟନ୍ତ ପିଲାଙ୍କୁ ଆଖି ଆଗରେ ରଖି ଏହି ମୁ୍ୟଜିୟମ୍ ତିଆରି କରାଯାଇଛି । ଏଠାକୁ ଆସୁଥିବା ଛୋଟ ପିଲାମାନେ ସ୍ୱତନ୍ତ୍ର ପ୍ରଶିକ୍ଷକଙ୍କ ଦ୍ୱାରା ବହୁ ଜିନିଷ ଶିଖିବାରେ ସକ୍ଷମ ହୁଅନ୍ତି । ସେହିପରି ମୁ୍ୟଜିୟମ୍ ଉପରେ ପ୍ରାୟ ୨୫ବର୍ଷ ଅଭିଜ୍ଞତା ଥିବା ଚିକାଗୋର ଜଣେ ଡିଜାଇନର୍ଙ୍କୁ ଆଣି ଆମେ ଗୁରୁଗାଓଁରେ ହୋଇଥିବା ମୁ୍ୟଜିୟମ ତିଆରି କରିଛୁ । ଏହାକୁ ତିଆରି କରିବାକୁ ପ୍ରାୟ ୬ ମାସ ସମୟ ଲାଗିଥିଲା । ଉଭୟ ଡିଜାଇନର ଓ ପ୍ରଶିକ୍ଷକ ମିଶି ପିଲାଙ୍କ ପାଇଁ ଆବଶ୍ୟକ ଉପକରଣ ସବୁ ରଖିଛନ୍ତି । ସେହିପରି ନିୟମିତ ଭାବେ ବିଭିନ୍ନ ସ୍କୁଲର ଛାତ୍ରଛାତ୍ରୀମାନେ ଏଠାକୁ ଟୁର୍ରେ ଆସନ୍ତି ।

YS- ମୁ୍ୟଜିୟମ୍ ତିଆରି ପାଇଁ ବ୍ୟୟ ହୋଇଥିବା ଅର୍ଥ ଓ ଭବିଷ୍ୟତରେ ଏହାର ସଂପ୍ରସାରଣ ପାଇଁ କଣ ଯୋଜନା ଅଛି ?

ଅଞ୍ଜନା- ନୋଏଡାରେ ଥିବା ଆମ ପାରିବାରିକ ରିଅଲ ଇଷ୍ଟେଟ୍ କମ୍ପାନୀ ଷ୍ଟେଲାର୍ ଗ୍ରୁପ୍ ଦ୍ୱାରା ଷ୍ଟେଲାର୍ ଚିଲଡ୍ରେନସ୍ ମୁ୍ୟଜିୟମ ଆରମ୍ଭ ହୋଇଥିଲା । ସେହିପରି ଏହି ମୁ୍ୟଜିୟମ୍ ଆରମ୍ଭ କରିବାକୁ ଡେଟଲ୍ ଭଳି ବହୁ କର୍ପାରେଟ୍ ପ୍ରାୟୋଜକ ଆମକୁ ସହାୟତା କରିଥିଲେ । ସେହିପରି ଏହାକୁ ତିଆରି କରିବାକୁ Harper Collins, Traveller Kids, Frank Toys ଭଳି ପ୍ରାୟୋଜକ ମିଳି ଯାଇଥିଲା । ଏହି କମ୍ପାନୀମାନେ ବହି ଓ DIY kits ଭଳି ସାମଗ୍ରୀ ମୁ୍ୟଜିୟମ୍ ଷ୍ଟୋର୍ରେ ବିକିବାକୁ ଯୋଗାଉଥିଲେ । ତେବେ ଏହାର ଲାଭ ଉଦେ୍ଧଶ୍ୟ ରହୁଥିବାରୁ ଆମେ କେବେବି ସରକାରଙ୍କୁ ସହାୟତା ମାଗିନୁ । ଭବିଷ୍ୟତରେ ଏହି ମୁ୍ୟଜିୟମର ସଂପ୍ରସାରଣ ପାଇଁ ଆମେ ଚିନ୍ତା କରିଛୁ । ଦିଲ୍ଲୀରେ ଆମେ ଏହି ଢାଞ୍ଚାର ଏକ ମୁ୍ୟଜିୟମ୍ ଖୋଲିବାକୁ ଯୋଜନା ରଖିଛୁ । ସେହିପରି ଅନ୍ୟ ସହରରେ ସିଧାସଳଖ ମୁ୍ୟଜିୟମ୍ ନ ଖୋଲି ଫ୍ରାଞ୍ଚାଇଜ୍ ଦେବାକୁ ଆମେ ଲକ୍ଷ୍ୟ ରଖିଛୁ ।

YS- ମୁ୍ୟଜିୟମ ଖୋଲା ରହିବାର ସମୟସୀମା କଣ ଓ ଫି କେତେ ?

ଅଞ୍ଜନା- ସପ୍ତାହ ସାରା ଏହା ଖୋଲା ରୁହେ । ପ୍ରତିଦିନ ସକାଳ ୧୦ଟାରୁ ରାତି ୮ଟା ଯାଏ ଏହା ଖୋଲା ରୁହେ । ତେବେ ଆମେ ମୁ୍ୟଜିୟମ୍ ପାଇଁ ମେମ୍ବରସିପ୍ ସ୍କିମ୍ କରିଛୁ । ଏଥିରେ ମେମ୍ବର ଥିବା ସମସ୍ତଙ୍କୁ ସ୍ୱତନ୍ତ୍ର ରିହାତି ମିଳେ । ଏବେ ଆମର ପ୍ରାୟ ୧୪୦ଜଣ ମେମ୍ବର ଅଛନ୍ତି । ସେହିପରି ପିଲାଙ୍କ ସ୍କୁଲ ଟୁର୍ ବା ଟ୍ରିପ୍ ପାଇଁ ୨ଘଣ୍ଟାର ସ୍ୱତନ୍ତ୍ର ସୁବିଧା ରହିଛି । ତେବେ ସାଧାରଣ ଭାବେ ଜଣେ ମୁ୍ୟଜିୟମ୍ ବୁଲିବାକୁ ଚାହିଁଲେ ଅଧ ଘଣ୍ଟା ପାଇଁ ୨୦୦ଟଙ୍କା ଦେବାକୁ ପଡେ । ବର୍ଷକରୁ କମ ବୟୟର ପିଲାଙ୍କ ପାଇଁ କୌ÷÷ଣସି ଫି’ ଦେବାକୁ ପଡେନି । ସେହିପରି ବୁଧବାର, ଜନ୍ମଦିନ ଓ କିଛି ଅନ୍ୟ ଉତ୍ସବ ପାଇଁ ସ୍ୱତନ୍ତ୍ର ପ୍ୟାକେଜ୍ ରହିଛି ।

YS- ଆପଣଙ୍କ ଲକ୍ଷ୍ୟ କଣ? ମୁ୍ୟଜିୟମ କେମିତି ଚଲାଉଛନ୍ତି ?

ଅଞ୍ଜନା- ଜଣେ ଅଭିଭାବକ ଭାବେ ପ୍ରଥମେ ଭାରତରେ ପିଲାଙ୍କ ପାଇଁ ଏପରି ମୁ୍ୟଜିୟମର ଆବଶ୍ୟକତା ଅଛି ବୋଲି ମୁଁ ଅନୁଭବ କଲି । ଏହି ମୁ୍ୟଜିୟମରେ ପିଲାଙ୍କ ପାଇଁ ଶିକ୍ଷଣୀୟ ଜିନିଷ ରହିଛି । ଏଠାରେ ଟେକ୍ନୋଲୋଜିକୁ ଦୂରେଇ ପିଲାଙ୍କ ଅନୁଭବରୁ ଶିକ୍ଷା ଉପରେ ଜୋର୍ ଦିଆଯାଇଛି । କେବଳ ବେପାର ଉଦେ୍ଧଶ୍ୟରେ କେବେବି ମୁଁ ଏହି ମୁ୍ୟଜିୟମ୍କୁ ଦେଖିନି । ଏହାକୁ ମୋର ଏକ ସ୍ୱପ୍ନ ଥିଲା ଓ ଏହାକୁ ମୁଁ ଆଗକୁ ନେଇଛି । ଆହୁରି ଆଗକୁ ନେବାକୁ ମୋର ବଡ ସ୍ୱପ୍ନ ଅଛି । ମୁଁ ଭାବେ ଦେଶରେ ଏମିତି ଆହୁରି ବହୁତ ମୁ୍ୟଜିୟମ୍ର ଆବଶ୍ୟକତା ରହିଛି । ଫଳରେ ସବୁ ପିଲାଙ୍କ ଜ୍ଞାନ ବଢିବ । ମୋତେ ପ୍ରତିଦିନ ନୋଏଡାରୁ ଗୁରୁଗାଓଁ ଯିବାକୁ ପଡେ । ମୋତେ ଲାଗେ ତୁମେ ଯାହା କରିବାକୁ ବହୁତ ଭଲ ପାଉଛ ଏହା ନିଶ୍ଚୟ ତୁମକୁ ମିଳିବ । ତେବେ ମୋ କାମକୁ ଆଗକୁ ନେବାକୁ ମୋତେ ମୋ ପରିବାର ବହୁତ ସାହାର୍ଯ୍ୟ କରିଛି । ମୋ ସ୍ୱାମୀ ଅକ୍ଷୟ ଓ ଶାଶୂଘର ଲୋକେ ମୁ୍ୟଜିୟମ୍କୁ ଆଗକୁ ନେୂାରେ ଆର୍ଥିକ ଦିଗରେ ମୋତେ ସହାୟତା କରୁଛନ୍ତି ।

YS- ଏହି କ୍ଷେତ୍ରରେ ଆଗ୍ରହୀ ଭବିଷ୍ୟତର ଉଦ୍ୟୋଗୀ, ବିଶେଷ କରି ମହିଳାଙ୍କୁ କଣ ପ୍ରେରଣା ଦେବେ?

ଅଞ୍ଜନା- ମୁଁ ଜୀବନରେ ସବୁବେଳେ ରିସ୍କ୍ ନେଇ ସାହସର ସହ ଆଗକୁ ବଢିଛି । ମୋ ସ୍ୱାମୀ ବି ମୋତେ ବହୁତ ପ୍ରେରଣା ଦେଇଛନ୍ତି । ତେବେ ମୁଁ ଭାବେ ଯଦି ତୁମର ଇଚ୍ଛା ଅଛି ଓ ସବୁକୁ ସାମ୍ନା କରିବାର ସାହସ ଅଛି ତା ହେଲେ ଲମ୍ଫ ଦିଅ । ତା ପରେ ସଫଳତା ତୁମ ପଛରେ ପଡିବ । ତୁମେ କିଛି ଗୋଟେ ବଡ ଚିନ୍ତା କରିବା ଆବଶ୍ୟକ ନୁହେଁ । ଯାହା ବି ଚିନ୍ତା କରୁଛ, ତାକୁ ଭଲ ପାଇବା ଦରକାର । ବାସ୍ ନିଶ୍ଚୟ ସଫଳସ ହେବ ।