ସାମ୍ବାଦିକଙ୍କ ପ୍ରସ୍ତୁତ ସିଜିନେଟ ସ୍ଵର ବଦଳାଇ ଦେଲା ଅନେକ ଗାଁର କାହାଣୀ

0

ସାମାନ୍ୟ ସୂଚନା ଓ ଏକ ମୋବାଇଲ୍ କଲ୍ ଗୋଟିଏ ଗାଁର ଚିତ୍ର ବଦଳାଇଦେଲା । ଛତିଶଗଡର ରାୟଗଡ ଜିଲ୍ଲା ଏକ ପ୍ରକାରର ଆଦିମ ଜନଜାତି ପାହାଡୀ କୋର୍ୱା ବାସ କରନ୍ତି । ସେମାନେ ବାସ କରୁଥିବା ଏହି ଅଞ୍ଚଳଟି ପାହାଡିଆ ହୋଇଥିବାରୁ ସେଠାକୁ ଗମନାଗମନର ବେଶି କିଛି ସୁବିଧା ନାହିଁ । ଗାଁର ଲୋକମାନେ ସମ୍ପୂର୍ଣ୍ଣ ଅଶିକ୍ଷିତ ନହେଲେ ମଧ୍ୟ ଅଳ୍ପଶିକ୍ଷିତ । କିଛି ଦିନ ତଳେ ସେହି ଅଞ୍ଚଳର ଦୁଇ ଜଣ ଗର୍ଭବତୀ ମହିଳାଙ୍କ ମୃତ୍ୟୁ ହୋଇଥିଲା । ଠିକ୍ ସମୟରେ ପ୍ରସବ ପାଇଁ ସେମାନଙ୍କୁ ଚିକିତ୍ସାଳୟରେ ପହଞ୍ଚାଯାଇ ପାରି ନଥିଲା । ଲଗାତାର ଦୁଇ ମାସରେ ଦୁଇଜଣଙ୍କ ମୃତ୍ୟୁ ଅଞ୍ଚଳ ବାସୀଙ୍କୁ ତଟସ୍ଥ କରିଥିଲା । ସେତିକିବେଳେ ସେହି ଅଞ୍ଚଳର ଜଣେ ବ୍ୟକ୍ତ ସିଜିନେଟ୍ ସ୍ୱର ବିଷୟରେ ଜାଣିବାକୁ ପାଇଲେ । ସିଜିନେଟ୍ ସ୍ୱର ଏକ ଭଏସ୍ ବେସଡ ନିଉଜ୍ ପୋର୍ଟାଲ୍, ଯାହା ମାଧ୍ୟମରେ ଜଣେ ସାଧାରଣ ଲୋକ ନିଜ ଆଖପାଖର ଖବରକୁ ଶୁଣିପାରିବ ଓ ଏକ ମୋବାଇଲ୍ କଲ୍ ଜରିଆରେ ନିଜ ସ୍ୱରକୁ ରେକର୍ଡ ମଧ୍ୟ କରି ପାରିବ । ତତକ୍ଷଣାତ୍ ବ୍ୟକ୍ତି ଜଣଙ୍କ ଅଞ୍ଚଳର ସମସ୍ୟାକୁ ଫୋନ୍ ଜରିଆରେ ରେକର୍ଡ କଲେ । “ଯଦି କେହି ଏହାକୁ ଶୁଣୁଛନ୍ତି, ତାହାଲେ ଦୟାକରି ଆମ ଜିଲ୍ଲାପାଳଙ୍କୁ ଏହି ସମସ୍ୟା ବିଷୟରେ ଜଣାନ୍ତୁ । ତାଙ୍କ ନାମ ମୁକେଶ ବଂଶଲ ଏବଂ ତାଙ୍କ ନମ୍ବର ହେଉଛି...”, ସେ ରେକର୍ଡ କଲେ ।

ଆଶ୍ଚର୍ଯ୍ୟର କଥା ଯୁକ୍ତରାଷ୍ଟ୍ର ଆମେରିକାର ନ୍ୟୁ ଜର୍ସି ଅବସ୍ଥାପିତ ଆଉ ଜଣେ ବ୍ୟକ୍ତି ସିଜିନେଟ୍ ସ୍ୱର ୱେବ୍ସାଇଟରୁ ବ୍ୟକ୍ତି ଜଣଙ୍କର କଣ୍ଠ ସ୍ୱରକୁ ଶୁଣିଲେ । ଏବଂ ସେ ଜିଲ୍ଲାପାଳଙ୍କୁ ଫୋନ୍ କରି ଅଞ୍ଚଳର ସମସ୍ୟା ବିଷୟରେ ଅବଗତ କରାଇଲେ । ଜିଲ୍ଲାପାଳ ଚକିତ ହେଲେ । କେମିତି ନ୍ୟୁ ଜର୍ସିରେ ଥିବା ଜଣେ ଲୋକ ତାଙ୍କୁ ଫୋନ୍ କରି ତାଙ୍କରି ଅଞ୍ଚଳର ସମସ୍ୟା ବିଷୟରେ କହୁଛି । ଜିଲ୍ଲାପାଳ ସମ୍ପୃକ୍ତ ଅଞ୍ଚଳରେ ପହଞ୍ଚି ସ୍ଥିତି ଅନୁଧ୍ୟାନ କଲେ ଏବଂ ଗାଁକୁ ବିକଶିତ କରିବାକୁ ପ୍ରଚେଷ୍ଟା ଚଳାଇଲେ । ଆଜି ସେହି ଅଞ୍ଚଳରେ ସ୍କୁଲ୍ ଅଛି, ରାସ୍ତାଘାଟ କାମ ଚାଲୁଛି । ଏସବୁ ସମ୍ଭବ ହେଲା ମାତ୍ର ଏକ ଫୋନ୍ କଲ୍ ଜରିଆରେ ।

ପଢନ୍ତୁ - ଏମିତି ଏକ ଗାଁ, ଯେଉଁଠି ବିବାହ ପୂର୍ବରୁ ଏଚ୍ଆଇଭି ପରୀକ୍ଷା ଜରୁରୀ

ସିଜିନେଟ୍ ସ୍ୱର ଏକ ଭଏସ୍ ବେସଡ୍ ନ୍ୟୁଜ୍ ପୋର୍ଟଲ୍ । ଛତିଶଗଡର ଜଣେ ସାମ୍ବାଦିକ ଶୁଭ୍ରାଶୁ ଚୌଧୁରୀ ଏହାକୁ ପ୍ରସ୍ତୁତ କରିଛନ୍ତି । ତାଙ୍କ ମାତାପିତା ଅବିଭକ୍ତ ବାଂଲାଦେଶରୁ ଭାରତକୁ ଆସିଥିଲେ । ତାଙ୍କ ପିତା ଏକ ଆଦିବାସୀ ଅଧ୍ୟୁଷିତ ଅଞ୍ଚଳରେ ରେଳବାଇ ତରଫରୁ କାର୍ଯ୍ୟରତ ଥିଲେ । ଏଣୁ ଶୁଭ୍ରାଂଶୁଙ୍କ ପିଲାବେଳ ଆଦିବାସୀ ଅଞ୍ଚଳରେ କଟିଥିଲା । ପରେ ପ୍ରଥମ ବର୍ଷରେ ଇଂଜିନିୟରିଂ ଛାଡି ସେ ସ୍ନାତକ ପଢ଼ିଲେ । କିନ୍ତୁ ତାଙ୍କର ବେଶି ସମୟ ଲାଇବ୍ରେରୀରେ କଟୁଥିଲା । ପରେ ସେ ସାମ୍ବାଦିକତାକୁ ବୃତ୍ତି ଭାବେ ଗ୍ରହଣ କଲେ । ଅନେକ ସଂସ୍ଥା ସହ ଜଡିତ ହେବା ପରେ ୯୦ ଦଶକରେ ସେ ବିବିସି ଟିଭି ଓ ରେଡିଓ ପାଇଁ ଦକ୍ଷିଣ ଏସିଆ ପ୍ରଯୋଜକ ସାଜିଲେ । ସେ ମୁଖ୍ୟତଃ ପ୍ରାକୃତିକ ବିପର୍ଯ୍ୟୟ, ଯୁଦ୍ଧ ଆଦିରେ ରିପୋର୍ଟିଂ କରୁଥିଲେ । ଶ୍ରୀଲଙ୍କା, ପାକିସ୍ତାନ, କାଶ୍ମୀର, ଆଫ୍ଗାନିସ୍ତାନ ଭଳି ସ୍ଥାନକୁ ତାଙ୍କ ଯିବା ଆସିବା ଲାଗି ରହିଥିଲା । ଏକଦା ତାଙ୍କ କାର୍ଯ୍ୟ ତାଙ୍କୁ ଟାଣି ଆଣିଥିଲା ତାଙ୍କର ଅତୀତକୁ । ସେହି ସ୍ଥାନକୁ ଯେଉଁଠି ସେ ନିଜର ପିଲାବେଳ କାଟିଥିଲେ । ସେ ମଧ୍ୟ ପ୍ରଦେଶ ଫେରି ମାଓବାଦୀ ବିବାଦ ସମ୍ପର୍କରେ ରିପୋର୍ଟିଂ କଲେ । ସେଠାରେ ସେ ଅନେକ ଲୋକଙ୍କୁ ଜାଣିଥିଲେ । ଏପରିକି ତାଙ୍କର କିଛି ସହପାଠୀ ମଧ୍ୟ ମାଓବାଦୀଙ୍କ ସହ ସାମିଲ ହୋଇଥିଲେ । ଏହା ତାଙ୍କୁ ମାଓବାଦୀଙ୍କ ସହ ସିଧାସଳଖ କଥା ହେବାର ସୁଯୋଗ ଦେଇଥିଲା । ମାଓବାଦୀମାନେ ଶୁଭ୍ରାଂଶୁଙ୍କୁ କହିଥିଲେ, “ତୁମେ କୌଣସି ସମସ୍ୟାର ସମାଧାନ କରିବାକୁ ଚାହୁଁଥିଲେ, ପ୍ରଥମେ ତାକୁ ଜାଣିବା ଦରକାର । ଯେଉଁ ସାମ୍ବାଦିକତା ଏବେ ତୁମେ କରୁଛ, ତାହା ହିଁ ସମସ୍ୟା । ଆମେ ଯେଉଁ ମାଧ୍ୟମ ଏବେ ବ୍ୟବହାର କରୁଛେ ତାହା ଠିକ୍ ନୁହେଁ । ଯେତେବେଳେ ଜଣେ ବସି ସ୍ଥିର କରୁଛି, କେଉଁଟି ଆମ ନ୍ୟୁଜରେ ଯିବ ଏବଂ କେଉଁଟା ଯିବ ନାହିଁ; ସେଇଠି ହିଁ ସେ ପକ୍ଷପାତିତା କରି ଦେଉଛି । ଏବଂ ସମସ୍ୟାର ସମାଧାନ ହୋଇ ପାରୁ ନାହିଁ । ଭଗବାନ ଆମକୁ ସବୁଠୁ ଉକ୍ରୃଷ୍ଟ ମାଧ୍ୟମ ପ୍ରଦାନ କରିଛନ୍ତି । ଯାହର ବ୍ୟବହାର ଆମେ କରୁ ନାହୁଁ ।”

ସେତେବେଳେ ଏସବୁ କଥା ଶୁଭ୍ରାଂଶୁଙ୍କୁ ପ୍ରଭାବିତ କରି ନଥିଲା । ମାତ୍ର ସେ ଗୋଟିଏ କଥା ବୁଝି ପାରିଥିଲେ । ଗଣମାଧ୍ୟମ କାର୍ଯ୍ୟ ସର୍ବସାଧାରଣଙ୍କୁ ନେଇ ହେବା କଥା । ଏହାକୁ ଜନ ନିୟନ୍ତ୍ରଣ ମାଧ୍ୟମରେ କରାଗଲେ, ପ୍ରକୃତ ସମସ୍ୟା ପଦାକୁ ଆସନ୍ତା । ପରେ ସେ ଏକ ରେଡିଓ ଚ୍ୟାନେଲ୍ ତିଆରି କଲେ ଏବଂ ଲୋକଙ୍କ ସମସ୍ୟାଙ୍କୁ ପଦାକୁ ଆଣିବାକୁ ଚେଷ୍ଟା କଲେ । ମାତ୍ର ତାହା ଭଲ ଚାଲିଲା ନାହିଁ । ଏହାପରେ ଶୁଭ୍ରାଂଶୁ ଏକ ଇ-ଆଲୋଚନା ଫୋରମ୍ ସିଜି ନେଟ୍ ଗଠନ କଲେ । ଯେଉଁଠି ଲୋକମାନେ ନିଜ ଅଞ୍ଚଳର ସମସ୍ୟା ବିଷୟରେ ଲେଖି ପାରିବେ । ଏହା ଭଲ ଚାଲିଲା, ମାତ୍ର ଅତ୍ୟଧିକ ଲୋକ ଏହା ସହ ଜଡିତ ହୋଇ ପାରିଲେ ନାହିଁ । ଶେଷରେ ଫେବୃଆରୀ ୨୦୧୦ରେ ସେ ସିଜି ନେଟ୍ ସ୍ୱର ପ୍ରସ୍ତୁତ କଲେ, ଯାହାକି ଏକ ଫୋନ୍ ବେସଡ ପ୍ଲାଟଫର୍ମ । ୮୦୫୦୦୬୮୦୦୦ ନମ୍ବରକୁ କଲ୍ କରି ଜଣେ ଏହାକୁ ଉପଲବ୍ଧ କରି ପାରିବ ।

୨୦୦୮ରେ ଶୁଭ୍ରାଂଶୁଙ୍କର ବିଲ୍ ଥିଜ୍ ନାମ ଜଣେ ଗବେଷକଙ୍କ ସହ ସାକ୍ଷାତ ହୋଇଥିଲେ । ପରେ ଉଭୟେ ଏହି ପ୍ଲାଟଫର୍ମଟି ପ୍ରସ୍ତୁତ କରିଥିଲେ । ଏଥିରେ ଥିବା ଆଇଭିଆର୍ ପ୍ରଣାଳୀ ବ୍ୟବହାରକାରୀକୁ ଦୁଇଟି ପଥ ପ୍ରଦର୍ଶିତ କରିଥାଏ । ଗୋଟିଏ ଜରିଆରେ ବ୍ୟବହାରକାରୀ ଆଖପାଖ ଅଞ୍ଚଳର ସମ୍ବନ୍ଧୀୟ ପୂର୍ବରୁ ରେକର୍ଡ କରାଯାଇଥିବା ସ୍ୱରକୁ ଶୁଣି ପାରିବେ । ସେହିଭଳି ଅନ୍ୟ ପଥଟି ବ୍ୟବହାରକାରୀଙ୍କୁ ନିଜ ଭଏସ୍ ରେକର୍ଡ କରିବାକୁ ସୁଯୋଗ ଦେବ । ସିଜିନେଟ୍ ସ୍ୱର ଏବେ ମହାରାଷ୍ଟ୍ର, ମଧ୍ୟପ୍ରଦେଶ, ଛତିଶଗଡ. ଝାଡଖଣ୍ଡ, ଓଡିଶା, ତେଲେଙ୍ଗାନା, ରାଜସ୍ଥାନ ଏବଂ ଗୁଜରାଟ ଭଳି ଆଦିବାସୀ ଅଧ୍ୟୁଷିତ ଅଞ୍ଚଳରେ କାର୍ଯ୍ୟ କରୁଛି । ଏହାର ଅନେକ ଫାଇଦା ଆଦିବାସୀମାନେ ପାଇସାରିଲେଣି । ଅନେକ ଅଞ୍ଚଳର ସ୍ଥିତି ମଧ୍ୟ ବଦଳିଲାଣି । ଖାଲି ଏତିକି ନୁହେଁ ଶୁଭ୍ରାଂଶୁ ତାଙ୍କର ଏହି ପ୍ରଚେଷ୍ଟାକୁ ବିଭିନ୍ନ ସଚେତନା କାର୍ଯ୍ୟକ୍ରମ ଜରିଆରେ ପ୍ରଚାର ପ୍ରସାର ମଧ୍ୟ କରୁଛନ୍ତି । ଆଗକୁ ଯେ ଏହା ଏକ ଭଲ ମାଧ୍ୟମ ହୋଇ ଲୋକମାନଙ୍କ ସମସ୍ୟା ସୁଧାର ଦିଗରେ ସହାୟକ ହେବ, ତାହା ଆଶା କରାଯାଇପାରେ ।

ଆଉ କିଛି ସମ୍ପର୍କିତ କାହାଣୀ -

1। ବୟସ 100 ପାର, ତଥାପି ଛେଳି ବିକି ପାଇଖାନା ତିଆରି କଲେ ମହିଳା, ଗାଁକୁ କଲେ ମଳତ୍ୟାଗ ମୁକ୍ତ ଅଞ୍ଚଳ

2। ଗାଁ ମାଟିର ଡାକ : ହୀରା ବ୍ୟବସାୟୀରୁ 'ନଦୀମାନବ'

3। ଓଡିଶାରେ ଗୀତ, ଗପ ମାଧ୍ୟମରେ ଆଦିବାସୀ ପିଲାଙ୍କ ଜୀବନ ବଦଳେଇ ଦେଇଥିବା ଶିକ୍ଷକ