ବିଶ୍ୱବିଦ୍ୟାଳୟର ପୋଷ୍ୟ ଗ୍ରାମ ଯୋଜନା, ସଚେତନତା ବାର୍ତ୍ତା ପ୍ରଚାର କରୁଛନ୍ତି ଛାତ୍ରଛାତ୍ରୀ

ବିଶ୍ୱବିଦ୍ୟାଳୟର ପୋଷ୍ୟ ଗ୍ରାମ ଯୋଜନା, ସଚେତନତା ବାର୍ତ୍ତା ପ୍ରଚାର କରୁଛନ୍ତି ଛାତ୍ରଛାତ୍ରୀ

Saturday February 06, 2016,

3 min Read

ଆଧୁନିକ ଛାତ୍ରଛାତ୍ରୀମାନେ ମେଟ୍ରୋ ସଂସ୍କୃତିରେ ଗାଁ କଥା ଭୁଲି ଯାଇଥାନ୍ତି | ଗାଁକୁ ଯାଇ ସେଠାକାର ଲୋକଙ୍କ ସମସ୍ୟା କଥା ବୁଝିବା ପ୍ରସଙ୍ଗ ଉଠିଲେ ସେମାନେ ପଛଘୁଂଚା ଦିଅନ୍ତି | କିନ୍ତୁ ଏବେ ସେହି ଧାରାରେ କିଛିଟା ପରିବର୍ତ୍ତନ ହୋଇଛି | ସାମାଜିକ ବିଜ୍ଞାନ, ସମାଜ ସେବା ଓ ସାମ୍ବାଦିକତା ଆଦି ପାଠ ପଢୁଥିବା ବିଶ୍ୱ ବିଦ୍ୟାଳୟ ଛାତ୍ରଛାତ୍ରୀମାନେ ସେମାନଙ୍କ ପଢା ସମୟରେ ଗାଁକୁ ଯାଇ କାମ କରିବାକୁ ଆଗ୍ରହ ଦେଖାଉଛନ୍ତି | ହୁଏତ ଭବିଷ୍ୟତରେ ସେମାନେ ମୋଟ୍ରୋ ସହରରେ ଚାକିରି କରିପାରନ୍ତି, କିନ୍ତୁ ସେମାନଙ୍କ ମଧ୍ୟରୁ ଅନେକ ଗାଁ ଗହଳିର ବିଭିନ୍ନ ସମସ୍ୟା ନେଇ କାମ କରୁଥିବାର ମଧ୍ୟ ଦେଖାଯାଉଛି |

ଓଡିଶାର କୋରାପୁଟରେ ଥିବା କେନ୍ଦ୍ରୀୟ ବିଶ୍ୱବିଦ୍ୟାଳୟର କିଛି ଛାତ୍ରଛାତ୍ରୀ ବିଭିନ୍ନ ସମୟରେ ବିଶ୍ୱବିଦ୍ୟାଳୟ ନିକଟରେ ଥିବା କିଛି ଗାଁକୁ ଯାଇ ସଚେତନତା କାର୍ଯ୍ୟକ୍ରମ କରନ୍ତି | ସେମାନେ ସେଠାରେ ବିଭିନ୍ନ ବିଷୟରେ ଲୋକଙ୍କୁ ସଚେତନ କରାଇବା ସହ ସେମାନଙ୍କ ସହ ଭାବ ଆଦାନ ପ୍ରଦାନ କରନ୍ତି | ଲୋକଙ୍କ ଚାଲିଚଳଣି ବୁଝିବାକୁ ଚେଷ୍ଟା କରୁଛନ୍ତି |

ପଢନ୍ତୁ - ଗ୍ରାମୀଣ ତାମିଲୁନାଡ଼ୁରେ କେବଳ ଜଳ ଓ ପରିମଳ ଲକ୍ଷ୍ୟ ନେଇ ଗଠିତ ପ୍ରଥମ ମାଇକ୍ରୋଫାଇନାନ୍ସ

ଉନ୍ନତ ଭାରତ ଅଭିଯାନ

ଏହି ଗାଁ ଗୁଡିକୁ ବିଶ୍ୱବିଦ୍ୟାଳୟ ପୋଷ୍ୟ ଗ୍ରାମ ଭାବେ ଗ୍ରହଣ କରିଛି | ସୁନାବେଡା ନିକଟ ବିଶ୍ୱବିଦ୍ୟାଳୟର କ୍ୟାମ୍ପସ୍ ରେ ନିକଟରେ ଥିବା ପାଂଚଟି ଗାଁକୁ ପୋଷ୍ୟ ଗ୍ରାମ ଭାବେ ନିଆଯାଇଛି | ଗତ ବର୍ଷ ସେପ୍ଟେମ୍ବର ୨୫ ତାରିଖରେ ଉନ୍ନତ ଭାରତ ଅଭିଯାନ ଅନ୍ତର୍ଗତ ଚିକାପାର, ଚକରଲିପୁଟ, ରାଜପଲମା, ବଲଦା, ନୂଆଗୁଡା ଗାଁକୁ ବିଶ୍ୱବିଦ୍ୟାଳୟ ପୋଷ୍ୟ ଭାବେ ନେଇଥିଲା |

image


ବିଶ୍ୱବିଦ୍ୟାଳୟର କୂଳପତି ପ୍ରଫେସର ସଚ୍ଚିଦାନନ୍ଦ ମହାନ୍ତି କହନ୍ତି,

ବିଶ୍ୱବିଦ୍ୟାଳୟର ଉନ୍ନତି ଆଖପାଖ ଗାଁରୁ ଆରମ୍ଭ ହେବା ଦରକାର | ଏହି ଭାବନାରୁ ହିଁ ପାଂଚଟି ଗାଁକୁ ପୋଷ୍ୟ ଭାବେ ନିଆଯାଇଛି | ସେଠାରେ ବିଭିନ୍ନ ପ୍ରକାର ବିକାଶ ମୂଳକ କାମ କରାଯାଉଛି | ମଝିରେ ମଝିରେ ପିଲାମାନେ ଯାଇ ଗାଁ ଲୋକଙ୍କୁ ବିଭିନ୍ନ ପ୍ରସଙ୍ଗରେ ସଚେତନ କରାଉଛନ୍ତି |

ବିଶ୍ୱବିଦ୍ୟାଳୟର ସାମ୍ବାଦିକତା ଓ ଗଣ ଯୋଗାଯୋଗର ଛାତ୍ରଛାତ୍ରୀମାନେ ଏହି ନିକଟରେ ଯାଇଥିଲେ ଅନ୍ୟତମ ପୋଷ୍ୟ ଗ୍ରାମ ଚକରଲିପୁଟ ଓ ଚିକାପାର | ଚକରଲିପୁଟରେ ସେମାନେ ପ୍ରଥମେ ଲୋକଗୀତ ଗାଇ ସେମାନଙ୍କ କାର୍ଯ୍ୟକ୍ରମ ଆରମ୍ଭ କରିଥିଲେ | ପରେ ଗାଁ ଲୋକଙ୍କ ସମସ୍ୟା କଥା ପଚାରି ବୁଝିଥିଲେ | ସୁରକ୍ଷିତ ପାଇଖାନା, ଅନାଥ ପିଲାଙ୍କ ଥଇଥାନ ଓ ବାସଗୃହ ନିର୍ମାଣ ଆଦି ପ୍ରସଙ୍ଗରେ ସେଠାକାର ମହିଳାମାନେ ଗୁରୁତ୍ୱ ଦେଇଥିଲେ |

image


ଚିକାପାର ଗାଁରେ ଛାତ୍ରଛାତ୍ରୀମାନେ ଗାଁ ଲୋକଙ୍କ ସହ ଆଲୋଚନା କରିଥିଲେ | ‘ଚାଲ ଡାକ୍ତରଖାନା ଯିବା’ ଶୀର୍ଷକ ପଥପ୍ରାନ୍ତ ନାଟକ ପ୍ରଦର୍ଶନ କରିଥିଲେ | ଏଥିରେ ସ୍ୱାସ୍ଥ୍ୟ ବିଷୟରେ ସଚେତନତା ସୃଷ୍ଟି କରିବା ଥିଲା ଏହି ନାଟକ ପ୍ରଦର୍ଶନର ମୁଖ୍ୟ ଉଦ୍ଦେଶ୍ୟ | ସରକାରୀ ହସ୍ପିଟାଲ ଗୁଡିକରେ ମିଳୁଥିବା ସ୍ୱାସ୍ଥ୍ୟସେବା, ମାଗଣା ‌ଔଷଧ, ଡାକ୍ତରଙ୍କ ପରାମର୍ଶ ନେବା ଉଚିତ୍ ବୋଲି ଏଥିରେ କୁହାଯାଇଥିଲା | ସେହିପରି କ୍ୱାକ୍ କିମ୍ବା ଝଡାଫୁଙ୍କାରେ ବିଶ୍ୱାସ ନକରିବାକୁ ନାଟକ ମାଧ୍ୟମରେ ସଚେତନତା ସୃଷ୍ଟି କରାଯାଇଥିଲା |

ଗାଁର ଜଣେ ପ୍ରମୁଖ ବ୍ୟକ୍ତି ରବି ପାମିଆ ଛାତ୍ରଛାତ୍ରୀଙ୍କ ଏହି କାମକୁ ପ୍ରଶଂସା କରିବା ସହିତ କହନ୍ତି,

ପିଲାମାନଙ୍କର କଥା ଗାଁ ଲୋକମାନଙ୍କୁ ଭଲ ଲାଗୁଛି | ଆମକୁ ଭଲ କଥା ଶିଖାଉଛନ୍ତି ସେମାନେ | କେମିତି ଭଲ ପରିବେଶରେ ରହିବାକୁ ପଡିବ, କେମିତି ସଫା ସୁତୁରାରେ ରହିବ, ସେ କଥା ମଧ୍ୟ ଶିଖାଉଛନ୍ତି ସେମାନେ |

ପୋଷ୍ୟ ଗ୍ରାମ ଭାବେ ପାଂଚଟି ଗ୍ରାମରେ ଶିକ୍ଷା, ସ୍ୱାସ୍ଥ୍ୟ, ପରିମଳ, ଦକ୍ଷତା ବିକାଶ, ପୌଢ ଶିକ୍ଷାର ବିକାଶ ଦିଗରେ କାର୍ଯ୍ୟ ଆରମ୍ଭ ହୋଇଛି | ସର୍ଭେ ପରେ ବିଧିବଦ୍ଧ ଯୋଜନା କାର୍ଯ୍ୟକାରୀ କରାଯାଉଛି | ଗାଁର ପିଲାମାନଙ୍କୁ କମ୍ପ୍ୟୁଟର ଶିକ୍ଷା, ପ୍ରତିଯୋଗିତାମୂଳକ ପରୀକ୍ଷା ପ୍ରସ୍ତୁତି ପାଇଁ କୋଚିଂ, ଇଂରାଜୀ ଓ ଗଣିତରେ ଦକ୍ଷତା ବୃଦ୍ଧି ପାଇଁ କାର୍ଯ୍ୟକ୍ରମ ଚାଲିଛି |

ଏହିପରି ଦେଶର ଅନ୍ୟ ସବୁ ବିଶ୍ୱବିଦ୍ୟାଳୟ ପାଂଚ ପାଂଚଟି ଗ୍ରାମକୁ ପୋଷ୍ୟ ଗାଁ ଭାବେ ଗ୍ରହଣ କଲେ, ଅନେକ ଗାଁର ଚିତ୍ର ବଦଳି ଯାଇପାରନ୍ତା |

ପଢନ୍ତୁ ଆଉ କିଛି ସମ୍ପର୍କିତ କାହାଣୀ -

1। କ୍ଷୁଦ୍ର ଚାଷୀଙ୍କ ନୂତନ ଆଶା - ଜନନୀ ଆଗ୍ରୀସର୍ଭ୍

2। ଗ୍ରାମୀଣ ମହିଳାମାନଙ୍କୁ ଆର୍ଥିକ ସହାୟତା ପ୍ରଦାନ କରି ଗରିବୀ ହଟାଇବା ଲକ୍ଷ୍ୟରେ ତାମିଲ ନାଡୁର ଗ୍ରାମାଳୟ ମାଇକ୍ରୋ ଫିନ ଫାଉଣ୍ଡେସନ

3। ରକ୍ତଦାନ ଦ୍ଵାରା ରକ୍ତ ସମ୍ପର୍କ ଗଢିବାରେ ପ୍ରୟାସରତ ଦମ୍ପତି