'ପାହାଡ଼ର ଲୁହ’କୁ ଶ୍ରେଷ୍ଠ ଓଡ଼ିଆ ଚଳଚ୍ଚିତ୍ର ଭାବେ ଜାତୀୟ ପୁରସ୍କାର

'ପାହାଡ଼ର ଲୁହ’କୁ ଶ୍ରେଷ୍ଠ ଓଡ଼ିଆ ଚଳଚ୍ଚିତ୍ର ଭାବେ ଜାତୀୟ ପୁରସ୍କାର

Monday March 28, 2016,

5 min Read

କୁନି ଧାବକ ବୁଦ୍ଧିଆଙ୍କ ଉପରେ ଆଧାରିତ “ଦୂରନ୍ତ’ ଶ୍ରେଷ୍ଠ ଶିଶୁ ଚଳଚ୍ଚିତ୍ର

ଖ୍ୟାତନାମା ଚଳଚ୍ଚିତ୍ର ନିର୍ଦ୍ଦେଶକ ସବ୍ୟସାଚୀ ମହାପାତ୍ରଙ୍କ ନିର୍ଦ୍ଦେଶିତ ପାହାଡ଼ର ଲୁହ ଶ୍ରେଷ୍ଠ ଓଡ଼ିଆ ଚଳଚ୍ଚିତ୍ର ରୂପେ ମନୋନୀତ ହୋଇଥିବାବେଳେ ବିସ୍ମୟ ବାଳକ ବୁଦ୍ଧିଆ ସିଂହର ଜୀବନ ଉପରେ ଆଧାରିତ ଦୂରନ୍ତ ଶ୍ରେଷ୍ଠ ଶିଶୁ ଚଳଚ୍ଚିତ୍ର ମନୋନୀତ ହୋଇଛି ।

ନୂଆଦିଲ୍ଲୀର ଜାତୀୟ ମିଡିଆ କେନ୍ଦ୍ରରେ ଆୟୋଜିତ ଏକ ସାମ୍ବାଦିକ ସମ୍ମିଳନୀରେ ସେଂଟ୍ରାଲ ଜୁରି ଫର୍ ଫିଚର୍ ଫିଲ୍ମସ୍ ର ଅଧ୍ୟକ୍ଷ ରମେଶ ସିଦ୍ଦିକି ଚଳିତ ବର୍ଷର ଶ୍ରେଷ୍ଠ ଚଳଚ୍ଚିତ୍ର ପୁରସ୍କାର ତାଲିକା ଘୋଷଣା କରିଥିଲେ । ଶ୍ରେଷ୍ଠ ଶିଶୁ ଚଳଚ୍ଚିତ୍ର ଦୂରନ୍ତ ପାଇଁ ଏହାର ନିର୍ଦ୍ଦେଶକ ସୌମେନ୍ଦ୍ର ପାଢ଼ୀଙ୍କୁ ସ୍ୱର୍ଣ୍ଣକମଳ ସହିତ ୧ ଲକ୍ଷ ୫୦ ହଜାର ଟଙ୍କାର ଅର୍ଥ ରାଶି ପୁରସ୍କାର ବାବଦରେ ଦିଆଯିବ । ପ୍ରଖ୍ୟାତ ଅଭିନେତା ମନୋଜ ବାଜପେୟୀ ଏହି ଚଳଚ୍ଚିତ୍ରରେ ଅଭିନୟ କରିଛନ୍ତି । ସେହିପରି ମହାପାତ୍ର ମୁଭି ମ୍ୟାଜିକ୍ ଲିମିଟେଡର ପ୍ରଯୋଜନାରେ ନିର୍ମିତ ପାହାଡ଼ର ଲୁହକୁ ପୁରସ୍କାର ବାବଦରେ ରଜତ କମଳ ଏବଂ ପ୍ରଯୋଜକ ଓ ନିର୍ଦେଶକଙ୍କୁ ୧ ଲକ୍ଷ ଟଙ୍କାର ଅର୍ଥ ରାଶି ପ୍ରଦାନ କରାଯିବ । ଶିଳ୍ପ ପାଇଁ ବିସ୍ଥାପିତ ହୋଇଥିବା ଆଦିବାସୀ କିପରି ମୁଖ୍ୟସ୍ରୋତରେ ସାମିଲ ନ ହୋଇ ନକ୍ସଲମୁହାଁ ହୋଇଛନ୍ତି ତାହାର ଏକ ନିଚ୍ଛକ ଚିତ୍ର ଏହି ଚଳଚ୍ଚିତ୍ରରେ ପ୍ରଦର୍ଶିତ ହୋଇଛି । ଏହି ସିନେମାରେ କୋରାପୁଟ ଜିଲ୍ଲାର ପରଜା ଆଦିବାସୀଙ୍କ କାହାଣୀ ବର୍ଣ୍ଣନା କରାଯାଇଛି ।

image



ଏହି ପୁରସ୍କାର ଘୋଷଣା ହେବା ପରେ ସବ୍ୟସାଚୀ ମହାପାତ୍ର ଆନନ୍ଦ ପ୍ରକଟ କରିଛନ୍ତି । ସେ କହିଛନ୍ତି ଯେ, 

ମୁଁ ସବୁ ବେଳେ ଭଲ ସିନେମା ପ୍ରସ୍ତୁତ କରିବାକୁ ପ୍ରୟାସ କରିଥାଏ । କାହାଣୀ ଓ ଅଭିନେତା ଅଭିନେତ୍ରୀ ଚୟନ କରିବାରେ ବିଶେଷ ଧ୍ୟାନ ଦେଇଥାଏ । ଏହା ମୋର କିଛି ଶ୍ରେଷ୍ଠ ଚଳଚ୍ଚିତ୍ର ମଧ୍ୟରୁ ଅନ୍ୟତମ । 

ସିନେମାର ସଙ୍ଗୀତକାର ରମେଶ କୁମାର ଓ ଫଟୋଗ୍ରାଫି ନିର୍ଦ୍ଦେଶକ କୁମ ଚୋଡ଼ଗଙ୍ଗଙ୍କୁ ସେ ବିଶେଷ ଧନ୍ୟବାଦ ପ୍ରଦାନ କରିଛନ୍ତି । ସେ କହିଛନ୍ତି ଯେ,

୧୦ ବର୍ଷ ପୂର୍ବେ ମୁଁ ଏହି ସିନେମା ନିର୍ମାଣ ଆରମ୍ଭ କରିଥିଲି । କିନ୍ତୁ ଆର୍ଥିକ ସଙ୍କଟ ଯୋଗୁଁ ତାହା ଅଧା ବାଟରେ ଅଟକି ଯାଇଥିଲା । ଯେହେତୁ କାହାଣୀ ମୋ ହୃଦୟର ଅତି ନିକଟତର ଥିଲା ତେଣୁ ମୁଁ କଷ୍ଟେମଷ୍ଟେ ତାହାକୁ ପୂରା କରିଛି । ଏହି ସିନେମା ପାଇଁ ପୁରସ୍କାର ପାଇଥିବାରୁ ନିଜକୁ ବେଶ ଗର୍ବିତ ମନେ କରୁଛି ।

୨୦୧୪ରେ ସବ୍ୟସାଚୀ ମହାପାତ୍ରଙ୍କ “ଆଦିମ ବିଚାର’ ଜାତୀୟ ଚଳଚ୍ଚିତ୍ର ପୁରସ୍କାର ଲାଭ କରିଥିଲା । ତାଙ୍କର ନିର୍ଦ୍ଦେଶିତ 'ଶଲା ବୁଢ଼ା’ ୨୦୧୨ରେ ଇଣ୍ଡିଆନ୍ ସିନେମା ପାନୋରାମାରେ ସ୍ଥାନ ପାଇଛି ।

image


ଯେବେ ୧୬mm ସେଲୁଲଏଡ୍ ରିଲ୍ ରେ ସିନେମା ନିର୍ମାଣ ହେଉଥିଲା, ଠିକ୍ ସେହି ସମୟରେ ହିଁ ସବ୍ୟସାଚୀ ମହାପାତ୍ର ଆରମ୍ଭ କରିଥିଲେ ପାହାଡ଼ର ଲୁହ ଭଳି ଏକ କାହାଣୀକୁ ନେଇ ଚଳଚ୍ଚିତ୍ର । କୋରାପୁଟ ପରଜା ଜନଜାତିର ବିସ୍ଥାପନର ଦୁଃଖ ହେଉ ଅବା ମାଓବାଦୀ ସମସ୍ୟା ସମାଧାନର ବାସ୍ତବ ଚିତ୍ର । ସୀମାନ୍ତରେ ଥିବା ସୁନାଖଣିକୁ ନେଇ ଦୁଇ ରାଜ୍ୟର ରାଜନୈତିକ ତୁମ୍ବିତୋଫାନ ହେଉ ଅବା ନୀରିହ ଆଦିବାସୀମାନଙ୍କୁ ମାଗଣାରେ ମଦ ଦେଇ ଫସାଇବାର ଦୃଶ୍ୟ । ତାଙ୍କ ଆଖିରେ ନୀରିହ ଆଦିବାସୀମାନେ ହେଉଛନ୍ତି ପାହାଡ଼ କୋଳର ଶିଶୁ । ସେମାନେ ଖୁସିରେ ଥିଲେ ପାହାଡ଼ ହସେ । ପୁଣି ସେମାନେ କାନ୍ଦିଲେ ପାହାଡ଼ ଆଖିରୁ ଲୁହ ଝରେ । ଜନଜାତିର ଏହି ଦାରୁଣ ଚିତ୍ର ହିଁ ତାଙ୍କ ଚଳଚ୍ଚିତ୍ର ପାହାଡର ଲୁହର ଦୃଶ୍ୟପଟ୍ଟ । 

୧ ଘଣ୍ଟା ୫୦ ମିନିଟ୍ ଅବଧି ବିଶିଷ୍ଟ ଏହି ଚଳଚ୍ଚିତ୍ରରେ ଲୋଚନି ବାଗ ଏକ ଗୁରୁତ୍ୱପୂର୍ଣ୍ଣ ଚରିତ୍ରରେ ଆସିଥିବା ବେଳେ ବିଧାୟକ ଦିବ୍ୟଶଙ୍କର ମିଶ୍ରଙ୍କୁ ନକ୍ସଲ୍ ଅପରେସନ୍ ର କମାଣ୍ଡର ଭୂମିକାରେ ଦେଖିବାକୁ ମିଳିଛି । ୨୫ ବର୍ଷର ଏହି ଦୀର୍ଘ ଯାତ୍ରା ଭିତରେ ଏଥିରେ ଅଭିନୟ କରିଥିବା ଶରତ ପୂଜାରୀ ଓ ବୈରାଗୀଙ୍କ ସମେତ ବହୁ ନାରୀ ଅଭିନେତ୍ରୀ ଆଉ ନଥିଲେ ହେଁ ସିନେମା ସାଉଁଟିଛି ଜାତୀୟ ସ୍ୱୀକୃତି । ଏଥିପାଇଁ ଶ୍ରୀ ମହାପାତ୍ର ପ୍ରଭୁ ଜଗନ୍ନାଥ ଓ ସମଲେଶ୍ୱରୀଙ୍କ କୃପା ସହ ଚଳଚ୍ଚିତ୍ର ପ୍ରତିଟି ବିଭାଗରେ ସଂପୃକ୍ତ ବ୍ୟକ୍ତିବିଶେଷଙ୍କୁ ଶ୍ରେୟ ଦେଇଛନ୍ତି । ଚଳଚ୍ଚିତ୍ରଟି ଜୟପୁର, କଳାହାଣ୍ଡି, ସୋନପୁର, ବଲାଙ୍ଗୀର ଓ କୋରାପୁଟରେ ପ୍ରଦର୍ଶିତ ହୋଇସାରିଥିବା ବେଳେ ଏହି ୭ଦିନ ମଧ୍ୟରେ ଭୁବନେଶ୍ୱରରେ ପ୍ରଦର୍ଶିତ ହେବ ବୋଲି ଶ୍ରୀ ମହାପାତ୍ର କହିଛନ୍ତି । ଆଦିମ ବିଚାର ପରେ ପାହାଡ଼ର ଲୁହ ତାଙ୍କର ଦ୍ୱିତୀୟ ଜାତୀୟ ପୁରସ୍କାର ସମ୍ମାନ ଲାଭ କରୁଥିବା ଚଳଚ୍ଚିତ୍ର । ତାଙ୍କ ନିର୍ମିତ ଶଲା ବୁଢ଼ା ଓ ଆଦିମ ବିଚାର ଅନ୍ତର୍ଜାତୀୟ ଚଳଚ୍ଚିତ୍ରରେ ଉତ୍ସବରେ ମଧ୍ୟ ପ୍ରଦର୍ଶିତ ହୋଇ ଗୌରବ ଲାଭ କରିଛି ।

image


ମୁମ୍ବାଇରେ ରହୁଥିବା ଓଡ଼ିଆ ପୁଅ ସୌମେନ୍ଦ୍ର ପାଢ଼ୀଙ୍କୁ ବି ଦିନେ ଆକର୍ଷିତ କରିଥିଲା ବିସ୍ମୟ ବାଳକ ବୁଦ୍ଧିଆ ସିଂହ । ତେଣୁ ସେ ବି ଆରମ୍ଭ କରି ଦେଇଥିଲେ ୨୦୧୪ ଶେଷ ଭାଗରୁ ବୁଦ୍ଧିଆ ସିଂହ ଏବଂ ତାଙ୍କ କୋଚ୍ ବିରଞ୍ଚିଙ୍କ ମାର୍ମିକ କଥାବସ୍ତୁର ଚଳଚ୍ଚିତ୍ର ଦୂରନ୍ତ । ମୁମ୍ବାଇରୁ ପରିକଳ୍ପନା କରିଥିଲେ ହେଁ ପୁରୀ, ଭୁବନେଶ୍ୱର, ପୁନେ ଓ ଦିଲ୍ଲୀରେ କଥାବସ୍ତୁର ସୁଟିଂ କରାଯାଇଥିବା ବେଳେ ଏଥିରେ ବୁଦ୍ଧିଆ ସିଂହ ଭୂମିକାରେ ଅଭିନୟ କରୁଥିବା ମୟୂର ଏବଂ କୋଚ୍ ବିରଂଚି ଭୂମିକାରେ ମନୋଜ ବାଜପେୟୀ ଅଭିନୟ କରିଛନ୍ତି । ତେବେ ପୁରୀରେ ସୁଟିଂ ବେଳେ ମୟୂରକୁ ଦେଇ ଏ ଯେ ବୁଦ୍ଧିଆ ସିଂହ ନୁହେଁ କେହି ବିଶ୍ୱାସ କରିପାରିନଥିଲେ ବୋଲି କହନ୍ତି ଶ୍ରୀ ପାଢ଼ୀ । ଚଳଚ୍ଚିତ୍ରଟି ୨ ଘଂଟା ଅବଧି ବିଶିଷ୍ଟ ହୋଇଥିବା ବେଳେ ଆହୁରି ୫ ପ୍ରତିଶତ ଶୁଟିଙ୍ଗ ବାକି ରହିଛି ବୋଲି ସେ କହିଛନ୍ତି । ଏଥିପାଇଁ ସେ ସିଆରପିଏଫ ଓ ସରକାରଙ୍କୁ ସହଯୋଗ ପାଇଁ ଧନ୍ୟବାଦ ଜଣାଇବା ସହ କିଛି ମାସ ଅନ୍ତରରେ ଏହା ମୁକ୍ତିଲାଭ କରିବ ବୋଲି ସେ କହିଛନ୍ତି । ଉଭୟଙ୍କୁ ମେ ୩ ତାରିଖରେ ଦିଲ୍ଲୀରେ ଜାତୀୟ ଚଳଚ୍ଚିତ୍ର ପୁରସ୍କାର ଉତ୍ସବରେ ସମ୍ମାନିତ କରାଯିବ ।

୬୩ତମ ଜାତୀୟ ଚଳଚ୍ଚିତ୍ର ପୁରସ୍କାର ପାଇଁ ଶ୍ରେଷ୍ଠ ଓଡ଼ିଶା ଫିଲ୍ମ ଦୌଡ଼ରେ ପାହାଡ଼ର ଲୁହ ସମେତ ଅମୀୟ ପଟ୍ଟନାୟକଙ୍କ ନିର୍ଦ୍ଦେଶିତ ତୁଳସୀ ଅପା, ଗଦାଧର ପୁଟ୍ଟିଙ୍କ ନିର୍ଦ୍ଦେଶିତ ସାଥୀ ପରି ସାଥୀଟିଏ, ସୁଶାନ୍ତ ମଣିଙ୍କ କେ ନୁହେଁ କାହାର ଓ ଏଲିନା ସାମଲଙ୍କ ଅନ୍ତର୍ଲିନ ଆଦି ଚଳଚ୍ଚିତ୍ର ସାମିଲ ଥିଲେ । ହେଲେ ଶେଷରେ ପାହାଡ଼ର ଲୁହ ବାଜି ମାରି ନେଇଥିଲା । ବାହୁବଳୀ ଶ୍ରେଷ୍ଠ ଚଳଚ୍ଚିତ୍ର, ଦମ୍ ଲଗାକେ ହୈସା ଶ୍ରେଷ୍ଠ ହିନ୍ଦୀ ଚଳଚ୍ଚିତ୍ର, ବଜରଙ୍ଗୀ ଭାଇଜାନ୍ ଶ୍ରେଷ୍ଠ ଲୋକପ୍ରିୟ ଚଳଚ୍ଚିତ୍ର, ଅମିତାଭ ବଚ୍ଚନ ଶ୍ରେଷ୍ଠ ଅଭିନେତା, କଙ୍ଗନା ରାଣାୱତ୍ ଶ୍ରେଷ୍ଠ ଅଭିନେତ୍ରୀ ଏବଂ ସଂଜୟ ଲୀଲା ଭନ୍ସାଲି ଶ୍ରେଷ୍ଠ ନିର୍ଦ୍ଦେଶକ ଜାତୀୟ ଚଳଚ୍ଚିତ୍ର ପୁରସ୍କାର ପାଇବାକୁ ମନୋନୀତ ହୋଇଛନ୍ତି । ଆସନ୍ତା ମାସରେ ରାଷ୍ଟ୍ରପତି ପ୍ରଣବ ମୁଖାର୍ଜୀ ବିଜ୍ଞାନ ଭବନଠାରେ ଏହି ମର୍ଯ୍ୟାଦାଜନକ ପୁରସ୍କାର ପ୍ରଦାନ କରିବେ ।

ଏଥିରେ ଶ୍ରେଷ୍ଠ ଅଭିନେତା ଭାବେ ପିକୁ ଚଳଚ୍ଚିତ୍ର ପାଇଁ ବଲିଉଡ ମେଗାଷ୍ଟାର ଅମିତାଭ ବଚ୍ଚନ ଓ ତନୁ ୱେଡସ ମନୁ ରିଟର୍ଣ୍ଣସ ପାଇଁ କଂଗନା ରାଣାୱତଙ୍କୁ ଶ୍ରେଷ୍ଠ ଅଭିନେତ୍ରୀ ଘୋଷଣା କରାଯାଇଛି । ସେହିପରି ଏସ୍ଏସ୍ ରାଜମୌଳିଙ୍କ ବାହୁବଳୀକୁ ଶ୍ରେଷ୍ଠ ଚଳଚ୍ଚିତ୍ର ଘୋଷଣା କରା ଯାଇଥିବାବେଳେ ବାଜିରାଓ ମସ୍ତାନୀ ପାଇଁ ସଂଜୟ ଲୀଲା ବନ୍ଶାଲି ଶ୍ରେଷ୍ଠ ନିଦେ୍ର୍ଦଶକ ବିବେଚିତ ହୋଇଛନ୍ତି । ଦିୱାନୀ ମସ୍ତାନୀ(ବାଜିରାଓ ମସ୍ତାନୀ) ପାଇଁ ରେମୋ ଡିସୁଜାଙ୍କୁ ଶ୍ରେଷ୍ଠ ନୃତ୍ୟ ନିଦେ୍ର୍ଦଶକ, ମୋନାଲି ଠାକୁର(ମୋହ ମୋହ କେ ଧାଗେ)ଙ୍କୁ ଶ୍ରେଷ୍ଠ ପ୍ରଚ୍ଛଦପଟ ଗାୟିକା ଘୋଷଣା କରାଯାଇଛି । ଚଳିତ ଥରକୁ ମିଶାଇ ଏହା ଅମିତାଭ ବଚ୍ଚନଙ୍କ ଚତୁର୍ଥ ଜାତୀୟ ପୁରସ୍କାର ହୋଇଥିବା ବେଳେ କଂଗନାଙ୍କର ଏହା ତୃତୀୟ ଜାତୀୟ ପୁରସ୍କାର । ଗତବର୍ଷ ତାଙ୍କୁ କୁଇନ ପାଇଁ ଶ୍ରେଷ୍ଠ ଅଭିନେତ୍ରୀ ଭାବେ ଜାତୀୟ ପୁରସ୍କାର ପ୍ରଦାନ କରାଯାଇଥିବା ବେଳେ ଫ୍ୟାଶନଚଳଚ୍ଚିତ୍ର ପାଇଁ ୨୦୦୮ରେ ସେ ଶ୍ରେଷ୍ଠ ସହ ଅଭିନେତ୍ରୀ ପୁରସ୍କାର ଜିତିଥିଲେ ।