ପରିବର୍ତ୍ତନ ଆଣିବାକୁ ହେଲେ 'ହଲାବୋଲ' କରି କରନ୍ତୁ

0

ଆମ ପାଠକଙ୍କ ମଧ୍ୟରୁ ଅନେକେ ଜୀବନରେ କୌଣସି ଏକ ସାମାଜିକ ଉଦ୍ୟମ ଆରମ୍ଭ କରିବା କଥା ଚିନ୍ତା କରିଥିବେ କିନ୍ତୁ ଏଥିପାଇଁ ସମର୍ଥନ ,ପଇସା ଓ ଏକ ଟିମ ଆଦିର ଅଭାବରେ ସେମାନେ ନିରୁତ୍ସାହିତ ହୋଇଥିବେ। ଏଭଳି ନିରୁତ୍ସାହିତ ବ୍ୟକ୍ତି ମାନଙ୍କ ପାଇଁ ଆମ ପାଖରେ ଏକ ଭଲ ଖବର ରହିଛି । ଏହି ଲେଖା ପଢିସାରିବା ପରେ ଆପଣଙ୍କ ଚାହୁଁଥିବା ପରିବର୍ତ୍ତନ ଆରମ୍ଭ ନକରିବାର ଆଉ କୌଣସି କାରଣ ଦର୍ଶାଇ ପାରିବେ ନାହିଁ । ହଲାବୋଲ, କେବଳ ଆପଣଙ୍କ ପାଇଁ ପ୍ରସ୍ତୁତ ଏକମଞ୍ଚ। ଯେଉଁ ବ୍ୟକ୍ତିଙ୍କ ପାଖରେ କିଛି କରିବାର ବିଚାର ଓ ଆବେଗ ରହିଛି, ବିଶ୍ଵକୁ ବଦଳାଇବାର ସ୍ଵପ୍ନ ରହିଛି, ହେଲେ ସେମାନେ ଏଥିପାଇଁ କୌଣସି ସଠିକ ମଞ୍ଚ ପାଇନଥିଲେ,ତାଙ୍କରି ପାଇଁ ହଲାବୋଲ ।

ଏକ ସାମାଜିକ ପ୍ରଭାବ ସୃଷ୍ଟି କରିବାକୁ ପ୍ରସ୍ତୁତ ବିଭିନ୍ନ ପ୍ରକଳ୍ପ ଜରିଆରେ ପରସ୍ପର ମଧ୍ୟରେ ବିଚାରର ଆଦାନ ପ୍ରଦାନ ,ଯୋଗାଯୋଗ ଓ ସମର୍ଥନ ପାଇଁ ସମାନ ବିଚାର ଧାରାର ଲୋକଙ୍କୁ ଏକାଠି କରିବା ହେଉଛି ହଲାବୋଲର ଲକ୍ଷ୍ୟ । ହଲାବୋଲ ୱେବସାଇଟରେ ଆପଣ ଏକ ଆକାଉଣ୍ଟ ଖୋଲି,ଏହିଭଳି ମିଳିତ ଭାବରେ ସମାଜରେ ପରିବର୍ତ୍ତନ ସୃଷ୍ଟି କରିବାକୁ ଉଦ୍ୟମ କରୁଥିବା ସମାଜ ଉଦ୍ୟୋଗୀ ଓ କର୍ମୀ ମାନଙ୍କ ଏକ ଗୋଷ୍ଠୀରେ ସାମିଲ ହୋଇପାରିବେ । ଏହି ମଞ୍ଚରେ ଆପଣ ବ୍ଲଗ୍ ଲେଖିପାରିବେ, ଅଭିଯାନ ଆରମ୍ଭ କରିପାରିବେ । ପିଟିସନ୍ ଆରମ୍ଭ,ଦସ୍ତଖତ ଅଭିଯାନ ଆରମ୍ଭ, ଶପଥ ପାଠ ଅଭିଯାନ ଏପରି କୌଣସିବି କାର୍ଯ୍ୟକ୍ରମର ଆରମ୍ଭ କରିପାରିବେ।

ହଲାବୋଲର ପ୍ରତିଷ୍ଠାତା ଓ ସିଇଓ ଅଙ୍କୁର ଗୁପ୍ତାଙ୍କ ସହ ସାକ୍ଷାତ କରିବାର ଆମେ ସୁଯୋଗ ପାଇଥିଲୁ । ଏହି କଥାବାର୍ତ୍ତା ସମୟରେ ତାଙ୍କର କାର୍ଯ୍ୟକ୍ରମ କିପରି ଆରମ୍ଭ ହେଇଥିଲା ଏବଂ ସାମାଜିକ ପରିବର୍ତ୍ତନ ପାଇଁ କାମ କରିବା ଇଚ୍ଛୁକ ବ୍ୟକ୍ତିଙ୍କ ପାଇଁ ତାଙ୍କର ପରାମର୍ଶ ଆଦି ବିଷୟରେ ପଚାରି ବୁଝିଥିଲୁ ।

ପ୍ରଶ୍ନ –ହଲାବୋଲ ଗଠନ କରିବାର ବିଚାର କିପରି ମନକୁ ଆସିଲା ଏବଂ ଏହାର ଟ୍ୟାଗ ଲାଇନ ‘Initiate the Change’ ପଛର କାହାଣୀ କଣ?

ମୋତେ ଯେତେବେଳେ ପଚରାଯାଏ ଯେ ହଲାବୋଲର ଜନ୍ମ କିଭଳିହେଲା,ଏହା ମୋର ଯାତ୍ରାକୁ ଆଶ୍ଵସ୍ତି ଦେବାସହ ମୋର ବିଶ୍ଵାସକୁ ଆହୁରି ଦୃଢ କରିଥାଏ । ମୁଁ ୨୦୦୯ ରେ ଯାହା ଅନୁଭବ କରିଥିଲି ହୁଏତ ଏବେ ମଧ୍ୟ ଦେଶ ବାହାରେ ଥିବା ଅନେକ ଭାରତୀୟ ସେକଥା ଚିନ୍ତା କରୁଥିବେ । ଆମେ ଅନେକ ସମୟରେ ବିଭ୍ରାଟକାରୀ ପରିସ୍ଥିତି ସୃଷ୍ଟି ହେବାର ଦେଖୁଛୁ ଏବଂ ଦେଶ ବାହାରେ ଥିବା ସମସ୍ତ ବ୍ୟକ୍ତି ଶାନ୍ତି ଓ ନ୍ୟାୟ ଫେରାଇ ଆଣିବାକୁ ଚାହିଁଥାନ୍ତି । କିଛି ଲୋକ ଫେସବୁକ ରେ ନିଜର ବିଚାର ପ୍ରକଟ କରିଥାନ୍ତି ତ କିଛି ଲୋକ ଇଣ୍ଡିଆ ଗେଟ ଠାରେ ବିରୋଧ ପ୍ରକାଶ କରିଥାନ୍ତି। କିଛି ଲୋକ ଶାନ୍ତି ପାଇଁ ଘରେ ବସି ପ୍ରାଥନା କରିଥାନ୍ତି ଇତ୍ୟାଦି –ଏବଂ ସେମାନଙ୍କ ମଧ୍ୟରେ ଏକାଠି ମିଶି କିଛି ଗୋଟେ କରିବାର ଇଛା ରହିଥାଏ । ନିଜର ସ୍ୱଳ୍ପ ସାମର୍ଥ୍ୟ ଅନୁସାରେ ସ୍ଥିତି ରେ ପରିବର୍ତ୍ତନ ପାଇଁ ସେମାନଙ୍କ ଅବଦାନ ରଖିବାକୁ ସମସ୍ତେ ଏକ ମଞ୍ଚ ଖୋଜିଥାନ୍ତି । ୨୦୦୯ ମସିହା ମାର୍ଚ ମାସରେ ମୁଁ ମଧ୍ୟ ଏଭଳି ଏକ ସୁଯୋଗର ଅପେକ୍ଷାରେ ରହିଥାଏ । ମୋ ଭିତରେ ଏକ ଅଦମ୍ୟ ଇଚ୍ଛା ଜାଗ୍ରତ ହେଲା ସମାଜ ପାଇଁ କିଛି ଗୋଟେ କରିବାକୁ। ନିଜକୁ ପୂର୍ଣ୍ଣ ରୂପେ ସେ ପ୍ରକ୍ରିୟାରେ ଝାସ ଦେବାକୁ। ଅବଶ୍ୟ ସେ ସମୟରେ ମୋର ଏହି ଇଛାକୁ ଫଳବତୀ କରିବାକୁ ମୁଁ ଏକ ଯଥାର୍ଥ ମଞ୍ଚ ପାଇନଥିଲି । ତେଣୁ ଜୀବନରେ ଏହି ଶୂନ୍ୟତାର ପୂରଣ କରିବାକୁ ହଲାବୋଲ ଜନ୍ମ ନେଲା, ଯାହାକି ଏକ ପରିବର୍ତ୍ତନ ସୃଷ୍ଟି କରିବାକୁ ମୋତେ ଏକ ସୁଯୋଗ ଯୋଗାଇଲା ।

ମୁଁ ଅନୁଭବ କଲି ଯେ ଭାରତରେ ଅନେକ ଗୁଡିଏ ସମସ୍ୟା ରହିଥିଲେ ମଧ୍ୟ ଏଭଳି କୌଣସି ସଠିକ ମଞ୍ଚ ବା ଅର୍ଥପୂର୍ଣ୍ଣ ଅଭିଯାନ ନଥିଲା ଯେଉଁଥିରେ ମୁ ଭାଗ ନେଇପାରିବି। ମୁଁ ନିଜକୁ ଓ ମୋ ଭଳି ଅନ୍ୟମାନଙ୍କୁ ଏକ ଜରିଆ ଦେବାକୁ ଚାହୁଁଥିଲି,ଏପରି ଏକ ଜରିଆ ଯାହାକି ଆମ ଜୀବନ ଓ ଆମେ ବାଛିଥିବା ପଥକୁ ପ୍ରତିଫଳିତ କରୁଥିବ । ଏକ ଏପରି ଜରିଆ/ମାଧ୍ୟମ ଯାହାକି ଚ୍ୟାରୀଟିର ପରିଭାଷା ବଦଳେଇ ପାରିବ ଏବଂ ସଭିଙ୍କର ଶକ୍ତିକୁ ଚିହ୍ନି ତାଙ୍କୁ ସମାଜ ପାଇଁ କିଛି କରିବାର ଉପଯୁକ୍ତ ସୁଯୋଗ ଦେବ।

ଆପଣଙ୍କ ପ୍ରଶ୍ନର ଦ୍ଵିତୀୟ ଭାଗର ଉତ୍ତର ହେଲା, ହଲାବୋଲ ହେଉଛି ଏକ ପରିବର୍ତ୍ତନ ଆରମ୍ଭ କରିବାର ଏକ ଆହ୍ଵାନ। ଏକ ଆହ୍ଵାନ ସେଇ ନିଦ ଭିତରୁ ଉଠିବା ପାଇଁ, ନିଜର ସବୁ କୁଣ୍ଠା ଝଡି ଦେଇ ନିଜକୁ କିଛି କରିପାରିବାର ଉନ୍ମାଦନା ଭିତରେ ଡେଇଁ ପଡିବାକୁ। ଏହା ଜଣକ ମନରେ ପରିବେଶ ପ୍ରତି ସଚେତନତା ସୃଷ୍ଟି କରିବା ସହ ଆମେ ହିଁ ପରିବର୍ତ୍ତନ ଆଣିପାରିବା ଏ ବିଶ୍ଵାସ ଜଣକ ମନରେ ଦୃଢୀଭୂତ କରିଥାଏ । ଏବଂ ଯଦି ଆମ ଭିତରୁ ଛୋଟ ଛୋଟ ପରିବର୍ତ୍ତନ ଆରମ୍ଭ କରିବା,ତେବେ ମିଳିତ ଭାବରେ ଆମେ ସମସ୍ତେ ଏକ ବିରାଟ ପରିବର୍ତ୍ତନ ଆଣିପାରିବା।

ପ୍ରଶ୍ନ –ଏହାର ବ୍ୟବହାରୀଙ୍କ ଠାରୁ କିପରି ମତାମତ ମିଳିଛି? ସେମାନେ ଏ ମଞ୍ଚ କୁ କିଭଳି ଗ୍ରହଣ କରିଛନ୍ତି ଏବଂ ସାମାଜିକ ପରିବର୍ତ୍ତନ ପାଇଁ ନିଜର ଆବେଗ କୁ କିଭଳି ବ୍ୟକ୍ତ କରୁଛନ୍ତି?

ପ୍ରତ୍ୟେକ ପ୍ରକାର କ୍ଷେତ୍ରରେ ବାଧା ବିଘ୍ନ ରହିଛି ନିଶ୍ଚୟ । ଆମ କ୍ଷେତ୍ରରେ ମଧ୍ୟ ଅନେକ ବାଧା ବିଘ୍ନ ଆସିଛି। କିନ୍ତୁ ଆମେ ସେସବୁରୁ ଶିଖି ଆଗକୁ ମାଡିଯାଉ। ପ୍ରଥମେ ପ୍ରଥମେ ପ୍ରତିକ୍ରିୟା ମିଳିବାକୁ ବେଶ କିଛି ସମୟ ଲାଗିଥାଏ । କାରଣ ଏ ସମୟରେ ଆମ ଭଳି ଆହୁରି ଅନେକ ସାମାଜିକ ମଞ୍ଚ ମଧ୍ୟ କାର୍ଯ୍ୟ ଆରମ୍ଭ କରିଛନ୍ତି ।ଏହା ଏକ ଭଲ ଲକ୍ଷଣ। ଆମ ଆଗରେ ଏକ ବିରାଟ କାମ ରହିଛି ଏବଂ ଏଥିପାଇଁ ଅନେକ ହାତର ଆବଶ୍ୟକତା ରହିଛି । ମୁଁ ହଲାବୋଲ ପ୍ରତି ମିଳିଥିବା ସମର୍ଥନକୁ ଭଲ କିମ୍ବା ମନ୍ଦ ବୋଲି କହିବି ନାହିଁ ବରଂ ଏହାକୁ ଏକ ଦୀର୍ଘସ୍ଥାୟୀ ସମର୍ଥନ ବୋଲି କହିବି,ଏବଂ ଏହାହିଁ ହେଉଛି ଆମ ପାଇଁ ସବୁଠାରୁ ବଡ ପୁରସ୍କାର । ବାସ୍ତବ କଥା ହେଉଛି ଯେଉଁ ଲୋକ ମାନେ (କର୍ମଚାରୀ ,ସେଚ୍ଛାସେବୀ ,ସାଙ୍ଗସାଥି ,ପୋର୍ଟାଲର,ଦର୍ଶକ, ଗୁରୁତ୍ତ୍ଵପୂର୍ଣ୍ଣ ବ୍ୟକ୍ତିତ୍ଵ ମାନେ ,ଏନଜିଓ ଇତ୍ୟାଦି ) ଯେଉଁମାନେ ୨୬ ଜାନୁୟାରୀ୨୦୧୨ ତାରିଖ ଦିନ ହଲାବୋଲର ଆନୁଷ୍ଠାନିକ ଉଦଘାଟନ ଦିନ ଆମ ସହିତ ଜଡିତ ହୋଇଥିଲେ,ସେମାନେ ଆଜି ମଧ୍ୟ ଆମ ସହିତ ଜଡିତ ଅଛନ୍ତି । ଏହା ହେଉଛି ଆମ ପାଇଁ ସବୁଠାରୁ ବଡ ପୁରସ୍କାର। ମୁଁ ଆଗରୁ ମଧ୍ୟ କହିସାରିଛି ଯେ ଆମ ମଧ୍ୟରୁ ସମସ୍ତେ ନିଜର ଆବେଗ,ଦୁଖ,ହତାଶା ସୃଜନୀ ଓ ଆଉକିଛିକୁ ପ୍ରକାଶ କରିବା ପାଇଁ ଏକ ମଞ୍ଚ ଦରକାର କରିଥାଉ । ହଲାବୋଲ ଲୋକଙ୍କ ସେହି ଆଶା ପୂରଣ କରିବାରେ ସମର୍ଥ ହୋଇଛି । ବର୍ତ୍ତମାନ ଅନେକ ଲୋକ ଏହି ପୋର୍ଟାଲ କୁ ଆସନ୍ତି, ଆମ ସ ଓ ପରସ୍ପର ସହ କଥାବାର୍ତ୍ତା କରନ୍ତି। ସେମାନେ ନିଜର କାହାଣୀ,ସଫଳତା,ବିଫଳତା, ଦୁଖ ବଖାଣି ଥାନ୍ତି ଏବଂ ସମାଧାନ ପାଇଁ ଅନ୍ୟକୁ ସାହାଯ୍ୟ କରିବା ସହ ଆହୁରି ଅନେକ କିଛି କରିଥାନ୍ତି । ଏଭଳି ଲଗାତାର ପ୍ରତିକ୍ରିୟା ହେଉଛି ବାସ୍ତବ ସଫଳତା । ଆମେ ଲୋକଙ୍କ କଥା ପ୍ରକାଶ କରି ଏବଂ ସେମାନଙ୍କ ଠାରେ ପ୍ରେରଣା ନେଇ ବେଶ ଖୁସି ଅନୁଭବ କରିଥାଉ ।

ମୁଁ ଆପଣଙ୍କୁ ଏହାର କିଛି ଉଦାହରଣ ଦେଉଛି । ଆମର ପ୍ରଥମ ସଫଳ ପ୍ରଚେଷ୍ଟା ହେଉଛି ଜଣେ ଏସିଡ ପୀଡ଼ିତା ଙ୍କ ପାଇଁ ପିଟିସନ ଦେବା । ତାଙ୍କର ଦୁଃଖ ସମୟରେ ସାରା ଭାରତର ବିଭିନ୍ନ ଲୋକ ଏକାଠି ହୋଇ ବାହାରି ବାହାରି ଥିଲେ । ଝାଡ଼ଖଣ୍ଡ ର ସୋନାଲୀ ମୁଖାର୍ଜୀଙ୍କ ପୀଡାକୁ ନେଇ ସାରା ପୃଥିବୀରୁ ୫ ହଜାର ୭ଶହ ଟି ଦସ୍ତଖତ ହଲାବୋଲରୁ ସଂଗ୍ରହ କରାଯାଇଥିଲା। wishberry.inର ସହାୟତାରେ ଯଥେଷ୍ଟ ଟଙ୍କା ତାଙ୍କର ବ୍ୟାଙ୍କ ଖାତାରେ ଜମା ହୋଇ ପାରିଥିଲା । ହଲାବୋଲ ଟିଭିରେ ପ୍ରସାରିତ ତାଙ୍କ ଚିତ୍ର କୁ ୫୦,୦୦୦ଦେଖି ନିଜର ମତାମତ ଦେଇଥିଲେ । ତାପରେ ସୋନାଲୀ ଖୁବ ଲୋକପ୍ରିୟ ହୋଇଥିଲେ ଏବଂ ପରେସେ ଷ୍ଟାରପ୍ଲସ ଚ୍ୟାନେଲର କେବିସି କାର୍ଯ୍ୟକ୍ରମରେ ଭାଗନେଇଥିଲେ । ଦ୍ଵିତୀୟରେ ଦୀପାବଳିର ଠିକ ପୂର୍ବରୁ ଗୋଟିଏ ଏନଜିଓ ଆଗାମୀ ଦୀପାବଳିକୁ ସବୁଜ ଦୀପାବଳି ଭାବରେ ପାଳନ କରିବାକୁ ଶପଥ ନେବାକୁ ହଲାବୋଲ ଜରିଆରେ ନିବେଦନ ଜଣାଇଥିଲେ । ସେଥିରେ ସେମାନେ ପ୍ରତ୍ୟେକ ବ୍ୟକ୍ତିଙ୍କୁ ଦୀପାବଳୀ ଉପଲକ୍ଷେ ୧୦ ଟଙ୍କା ଲେଖାଏଁ ଜମାକରି ଅବହେଳିତ ବର୍ଗର ଲୋକଙ୍କ ପାଇଁ ଏକ ସୋଲାର ପ୍ରକଳ୍ପ କୁ ସାହାଯ୍ୟ କରିବାକୁ ନିବେଦନ କରାଯାଇଥିଲା ଏହି ଅଭିଯାନ ଦ୍ଵାରା ସେ ପ୍ରକଳ୍ପ ପାଇଁ ୧୩,୦୦୦ ଟଙ୍କା ସଂଗ୍ରହ କରାଯାଇଥିଲା।

ପ୍ରଶ୍ନ –ବର୍ତ୍ତମାନ ପରିସ୍ଥିତିରେ ସାମାଜିକ ଉଦ୍ୟୋଗ କେଉଁଭଳି ଚ୍ୟାଲେଞ୍ଜର ମୁକାବିଲା କରୁଛି ଏବଂ ପ୍ରତ୍ୟେକ ବ୍ୟକ୍ତିଙ୍କୁ ପରିବର୍ତ୍ତନକାରୀ ରେ ପରିଣତ କରିବାକୁ କଣ ସୂଚନା ଦିଆଯିବା ଦରକାର ବୋଲି ଆପଣ ଭାବୁଛନ୍ତି ?

ବାସ୍ତବରେ ଦେଖିବାକୁ ଗଲେ ମୁଁ କୌଣସି ପ୍ରକାର ଚ୍ୟାଲେଞ୍ଜ କଥା ଚିନ୍ତା କରିପାରେ ନାହିଁ । ଆପଣ ଯେଉଁ ରାସ୍ତାରେ ଚାଲିବେ ସେଥିରେ ବାଧାବିଘ୍ନ ରହିଛି,ଫଳରେ ଜଣେ ଧୀର ଗତିରେ ଯାଉଛି ଆଉ ଜଣେ ଦ୍ରୁତ ଗତିରେ ଯାଉଛି । ସେହିଭଳି ସାମାଜିକ ଉଦ୍ୟୋଗ କ୍ଷେତ୍ରରେ ମଧ୍ୟ ଗତିରୋଧ ରହିଛି । ଯାହାକୁ ଅତିକ୍ରମ କରିବାକୁ ପଡିଥାଏ । ଆମ ଶବ୍ଦାବଳିରେ “ସାମାଜିକ ଉଦ୍ୟୋଗ “ହେଉଛି ଏକ ନୂତନ ଶବ୍ଦ,ତେଣୁ ସମସ୍ତେ ଯେଭଳି ଏହାର ଅର୍ଥ ଓ ଉଦ୍ଦେଶ୍ୟକୁ ଭଲ ଭାବରେ ବୁଝିପାରିବେ,ସେଦିଗରେ ଆମେ ସେମାନଙ୍କୁ ସାହାଯ୍ୟ କରିବା ଦରକାର । ସାମାଜିକ ପରିବର୍ତ୍ତନର ଲାଭକୁ ନେଇ ରହିଥିବା ମତବାଦ ସମ୍ପର୍କରେ ଆମକୁ ଜନସଚେତନତା ସୃଷ୍ଟି କରିବାକୁ ପଡିବ । ସେହିଭଳି ଜୀବନର ଅନ୍ୟାନ୍ୟ କ୍ଷେତ୍ର ଭଳି ସାମାଜିକ ପରିବର୍ତ୍ତନ ପାଇଁ ମଧ୍ୟ ବିଶେଷଜ୍ଞଙ୍କର ଆବଶ୍ୟକତା ରହିଥିବା କଥାକୁ ଅନୁଭବ କରିବାକୁ ହେବ । ସେମାନଙ୍କ ସେବାକୁ ବ୍ୟବହାର କରିବାକୁ ପଡିବ । ଆଗକୁ ବଢିବାକୁ ହେଲେ ଆପଣ ପାଖରେ ଦକ୍ଷତା, ସରଞ୍ଜାମ ଓ ଏକ ଟିମର ଆବଶ୍ୟକତା ନିହାତି ପଡିବ ।

ମୁଁ କହିବି,ପ୍ରତିଦିନ ମୋର ଉତ୍ସାହ ଟିକିଏ ଟିକିଏ କରି ବଢିଥାଏ। ପ୍ରତିଥର ଯେତେବେଳେ କେହି ଯୁବକ ମୋ ପାଖକୁ ଆସି ଆମ ଦଳର ସଦସ୍ୟ ହେବାକୁ ଇଛା ପ୍ରକାଶ କରନ୍ତି ମୋର ଉତ୍ସାହ ଆଉ ଟିକେ ବଢିଯାଏ। ଯୁବ ପ୍ରଫେଶନାଲ ମାନେ ସାମାଜିକ କ୍ଷେତ୍ରରେ ଚାକିରି ଖୋଜିବା ବାସ୍ତବରେ ଏକ ଉତ୍ସାହଜନକ ବିଷୟ ଅଟେ । ଅତୀତରେ ଦିଲ୍ଲୀ ଗଣ ବଳାକ୍ତାର ମାମଲାରେ ସାରା ଦେଶ ଯେପରି ଏକାଠି ସ୍ଵର ଉତ୍ତୋଳନ କରିଥିଲା ତାହା ବାସ୍ତବିକ ଏକ ଉତ୍ସାହ ସୃଷ୍ଟିକାରୀ ମୂହୁର୍ତ୍ତ। କେବଳ କୌଣସି ଏକ ନିନ୍ଦନୀୟ ଘଟଣାକୁ ନେଇ ସମସ୍ତେ ଏକତ୍ର ହେବା ଅପେକ୍ଷା ସମସ୍ୟାର ସ୍ଥାୟୀ ସମାଧାନ ପାଇଁ ଆମେ ସଦାବେଳେ ଜାଗ୍ରତ ରହିଛୁ । ଏହା କଣ ଉତ୍ସାହର ଉତ୍ସ ନୁହେଁ କି?