କାହାଣୀ ମାଧ୍ୟମରେ ଶିକ୍ଷାଦାନର ଅଭିନବ ପ୍ରୟାସ: କଥାଳୟ

0

କାହାଣୀ ଶୁଣିବାକୁ କାହାକୁ ବା ଭଲ ଲାଗେନି? କାହାଣୀ କହିବା କେବଳ ଗୋଟିଏ କଳା ନୁହେଁ, ଏହା ପାରସ୍ପରିକ ଯୋଗାଯୋଗ ପାଇଁ ଏକ ବଳିଷ୍ଠ ମାଧ୍ୟମ ମଧ୍ୟ। କିପରି? ଅନ୍ୟମାନଙ୍କ ମୁହଁରୁ ହେଉ କି ଲେଖାରୁ ହେଉ, ଆମେ ଯେଉଁ ସୂଚନା ପାଉ, ତାହା ଆମ ଚେତନାରେ ଗୋଟିଏ କାହାଣୀ ହିସାବରେ ହିଁ ସଂଚରିତ ହୁଏ। ବିଭିନ୍ନ ଚରିତ୍ର ଓ ପୂର୍ବାପର ସଂଗତି ଥିବା ଘଟଣାର ସମାହାର ହିସାବରେ ହିଁ ଆମେ ଅତୀତକୁ ଅନୁଶୀଳନ କରିଥାଉ। ମୋଟାମୋଟି, ଆମ ଚାରି ପାଖରେ ଥିବା ଅନେକ ସୂଚନା ହେଉଛି କାହାଣୀର ସମାହାର। ଏତେ କାହାଣୀ ଆସେ କେଉଁଠୁ? ଏହା ଆମେ ବିଭିନ୍ନ ଗଣମାଧ୍ୟମ ଓ ଲୋକଙ୍କ ଠାରୁ ହିଁ ଶୁଣି ଥାଉ। ଏହି କାହାଣୀ ମାନେ ହିଁ ଆମର ବାସ୍ତବ ଭାବନାକୁ ରୂପ ଦିଏ ଓ ବାହାର ଦୁନିଆ ପାଇଁ ଆମର ଦୃଷ୍ଟିଭଙ୍ଗୀ ତିଆରି କରେ। ଏହା ଆଶ୍ଚର୍ଯ୍ୟଜଣକ ମନେ ହେଲେ ବି ସତ। ମଣିଷମାନଙ୍କର କାହାଣୀ ଶୁଣିବା ଓ କହିବା ପ୍ରତି ରହିଛି ଅହେତୁକ ଦୁର୍ବଳତା। ତାହାଲେ କାହାଣୀ କହିବାର କଳାକୁ ବ୍ୟବହାର କରି ଦୁର୍ବୋଧ ମନେ ହେଉଥିବା ବିଷୟ ଗୁଡିକୁ ଶ୍ରେଣୀ ଗୃହରେ ଛାତ୍ରଛାତ୍ରୀଙ୍କୁ ସହଜ ଭାବେ ବୁଝାଇ ହେବ କି?ଏପରି ଏକ ଅଭିନବ ପ୍ରୟାସର ସୂତ୍ରଧର ହେଉଛି ଗୀତା ରାମାନୁଜନଙ୍କ ସଂସ୍ଥା କଥାଳୟ

ପାରମ୍ପରିକ ଶିକ୍ଷାଦାନ ପଦ୍ଧତିରୁ ପାଦେ ଆଗେଇ ଯାଇ ଶିକ୍ଷାଦାନକୁ ଅଧିକ ମନୋରଞ୍ଜକ ଓ ସରଳ କରିବା ଚିନ୍ତାଧାରାରୁ ହିଁ କଥାଳୟର ଜନ୍ମ। ଏଥିପାଇଁ ଗତ ୧୫ ବର୍ଷ ଧରି ଗୀତା ଓ କଥାଳୟ ଏନଜିଓ ପ୍ରତିନିଧି,ଶିକ୍ଷକ ସମାଜ ଓ ଅଭିଭାବକମାନଙ୍କ ସହ କାମ କରି ଆସୁଛନ୍ତି।

କଥାଳୟ ପରି ଏକ ଅଭିନବ ପ୍ରୟାସ ପାଇଁ ଗୀତା କେଉଁଠାରୁ ପ୍ରେରଣା ପାଇଲେ? ଗୀତା ତାଙ୍କର କର୍ମମୟ ଜୀବନ ଜଣେ ଶିକ୍ଷକ ଭାବେ ହିଁ ଆରମ୍ଭ କରିଥିଲେ। ଜଣେ ଶିକ୍ଷକ ଭାବେ ଗତାନୁଗତିକ ଶିକ୍ଷାଦାନ ପଦ୍ଧତି କିପରି ଛାତ୍ରଛାତ୍ରୀମାନଙ୍କୁ ଠିକ ଭାବେ ଆକର୍ଷିତ କରି ପାରୁ ନାହିଁ ତାହା ସେ ଲକ୍ଷ୍ୟ କରିଥିଲେ। ଏହି ସମୟରେ ସେ ନିଜ ପଢିଲା ବେଳର କଥା ମନେ ପକାଇଥିଲେ। ଇତିହାସର ବିଷୟ ଗୁଡିକୁ ଗୀତାଙ୍କ ବାପା ଗୀତାଙ୍କୁ କାହାଣୀ ହିସାବରେ ହିଁ ପଢାଇ ଥିଲେ। ଗୀତା ଅନୁଭବ କରିପାରିଥିଲେ ଯେ କାହାଣୀ ମାଧ୍ୟମରେ ଶିକ୍ଷାଦାନ ଛାତ୍ରଛାତ୍ରୀମାନଙ୍କୁ ଅଧିକ ଆକର୍ଷିତ କରିପାରିବ।

ବର୍ତ୍ତମାନ କଥାଳୟ ଉଭୟ ସହର ଓ ଗ୍ରାମାଞ୍ଚଳରେ କାମ କରୁଛି। ଏକ ମନୋରଞ୍ଜକ ଓ ଫଳପ୍ରଦ କାହାଣୀ ମାଧ୍ୟମରେ କିପରି ପିଲାମାନଙ୍କୁ ପଢେଇ ହେବ, ସେ ବିଷୟରେ କଥାଳୟ ଏନଜିଓ ପ୍ରତିନିଧି, ଅଭିଭାବକ ଓ ଶିକ୍ଷକମାନଙ୍କୁ ଶିକ୍ଷା ଦେଉଛି। ତା ଛଡା,କଥାଳୟ ତରଫରୁ କାହାଣୀ କହିବା କଳା ଉପରେ ବିଭିନ୍ନ ତାଲିମ ଅଧିବେଶନ ଓ କର୍ମଶାଳା ମଧ୍ୟ ଆୟୋଜନ କରା ଯାଉଛି। ଗୀତାଙ୍କ ମତରେ କାହାଣୀ ଗୁଡିକ ତଥ୍ୟ ଓ ସତ୍ୟର ସମାହାର। ତଥ୍ୟ ସହ କାହାଣୀର ସମାହାର ଶୁଣୁଥିବା ଲୋକର ଆଗ୍ରହ ବଢାଇ ଥାଏ। “ ଏହାପରେ କଣ ହେବ” ଏ ଅନୁସନ୍ଧିତ୍ସା ମଧ୍ୟ ଶ୍ରୋତା ମଧ୍ୟରେ ସୃଷ୍ଟି ହୋଇଥାଏ। କାହାଣୀର ଗତିଶୀଳତା ଭିତରେ ଶ୍ରୋତା ସମ୍ପୂର୍ଣ ଜିନିଷ ଟି ଜାଣେ।

କଥାଳୟ ପରୀକ୍ଷଣର ସଫଳତା ଓ ଲୋକପ୍ରିୟତା ପରେ , ସମଗ୍ର ଦେଶରେ ବିଦ୍ୟାଳୟମାନେ କାହାଣୀ କହିବା କଳାକୁ ଶିକ୍ଷାଦାନପାଠ୍ୟକ୍ରମରେ ସାମିଲ କରିବା ଆରମ୍ଭ କରିଛନ୍ତି। ସାମାଜିକ ବିଜ୍ଞାନରେ ପିଲାମାନଙ୍କର ବୁଝିବା ଶକ୍ତି ଓ ଆଗ୍ରହ ବୃଦ୍ଧି କରିବା କଥାଳୟ କାର୍ଯ୍ୟକ୍ରମ ମାନଙ୍କର ପ୍ରମୁଖ ଲକ୍ଷ୍ୟ। ଏହା ଛଡା ପିଲାମାନଙ୍କ ମଧ୍ୟରେ ଶବ୍ଦଜ୍ଞାନ, ପରିବେଶ ସଚେତନତା ଓ ଭାଷା ଜ୍ଞାନ ବୃଦ୍ଧି କରିବାରେ ମଧ୍ୟ ଏହା ସାହାଯ୍ୟ କରୁଛି। ଭାରତର ବିଭିନ୍ନ ଭାଗରେ ଭିନ୍ନ ଭିନ୍ନ ସଂସ୍କୃତି ଦେଖା ଯାଇଥାଏ। ଏହି ସଂସ୍କୃତିକ ବିବିଧତାକୁ ବଜାୟ ରଖିବା ଓ ଗ୍ରାମୀଣ ଅଞ୍ଚଳରେ ପିଲା ମାନଙ୍କୁ ସାହାଯ୍ୟ କରିବା ପାଇଁ, କଥାଳୟ ପ୍ରାଦେଶିକ ଭାଷାରେ ମଧ୍ୟ ନିଜର ପାଠ୍ୟକ୍ରମ ତିଆରି କରିଛି।

କାହାଣୀ ମାଧ୍ୟମରେ ଶିକ୍ଷାଦାନ ମନୋରଞ୍ଜକ ଓ ଏହା ଶ୍ରୋତାକୁ ବାନ୍ଧି ରଖେ। ଗୀତାଙ୍କ ମତରେ, “ ଏହା କାହାଣୀ କହୁଥିବା ଲୋକ ଓ ଶ୍ରୋତା ମଧ୍ୟରେ ଭାବାତ୍ମକ ସମ୍ପର୍କ ସ୍ଥାପନ କରେ। ଏହି ଭାବାତ୍ମକ ସମ୍ପର୍କ ପାଇଁ ଶ୍ରୋତା ମଧ୍ୟରେ ଜାଣିବାର ଆଗ୍ରହ ଉଜ୍ଜୀବିତ ହୁଏ।“

ନିଜ ଅଭିନବ ପ୍ରୟାସ ପାଇଁ ସଫଳତା ପାଇଥିବା ଗୀତାଙ୍କ ପାଇଁ ସମସ୍ୟା ମଧ୍ୟ କିଛି କମ ନଥିଲା। ପାରମ୍ପରିକ ଶିକ୍ଷାଦାନ ପଦ୍ଧତି ଓ ଡିଜିଟାଲ ଯୋଗାଯୋଗରୁ ବାହାରି ଯାଇ କାହାଣୀ ଭଳି ଏକ ପ୍ରାଚୀନ କଳାକୁ ଶିକ୍ଷାଦାନର ମାଧ୍ୟମ ଭାବେ ବ୍ୟବହାର କରିବା ପାଇଁ ଲୋକମାନଙ୍କୁ ଉତ୍ସାହିତ କରିବା ଏତେ ସହଜ ନଥିଲା। ଗୀତାଙ୍କ ମତରେ ଡିଜିଟାଲ ଯୋଗାଯୋଗର ବହୁଳ ପ୍ରଚାର ଆଜିର ପିଲା ମାନଙ୍କ ପାଇଁ ଅନେକ ସମସ୍ୟା ମଧ୍ୟ ଆଣି ଦେଇଛି। କୌଣସି ଲେଖା ବା ନିଜ ଭାବନାକୁ ଠିକ ଭାବେ ବୁଝେଇବାରେ ସେମାନେ ଅସମର୍ଥ ହେଉଛନ୍ତି। ଆମେ ଦିନ କୁ ଦିନ ଯୋଗାଯୋଗ କରିବାର କଳା ହରେଇବାରେ ଲାଗିଛେ ବୋଲି ଗୀତା ମନେ କରନ୍ତି।

ଏହି ସମସ୍ୟା ସବୁ ଗୀତା ଓ ତାଙ୍କ ସଂସ୍ଥାର କାମକୁ ବହୁଗୁଣିତ କରି ଦେଇଛି। ସେମାନେ କରୁଥିବା କାମକୁ ଅଧିକ କ୍ରିୟାଶୀଳ କରିବାକୁ କଥାଳୟ ନିଜର କାହାଣୀ ଏକାଡେମୀ ମଧ୍ୟ ଗଠନ କରିଛି। ଏପରି ପ୍ରୟାସ ଭାରତରେ ପ୍ରଥମ ଓ ଆନ୍ତର୍ଜାତୀୟ ସ୍ତରରେ ସୀକୃତ ମଧ୍ୟ। ଯେକୌଣସି ପୃଷ୍ଠଭୂମିରୁ ଆସିଥିବା କାହାଣୀକାର, ଏନଜିଓ ପ୍ରତିନିଧି ଓ ଶିକ୍ଷକ ମାନଙ୍କ ପାଇଁ ଏହି ଏକାଡେମୀର ଦ୍ଵାର ଉନ୍ମୁକ୍ତ।

ପ୍ରତି ମଣିଷ ଭିତରେ ଗୋଟିଏ କାହାଣୀକାର ଲୁଚି ରହିଛି। ସମସ୍ତେ ନିଜ ଭିତରର କାହାଣୀକାରକୁ ଚିହ୍ନିବା ଦରକାର। ନିଜ କଥାକୁ ଭଲ ଭାବେ ବୁଝେଇବା ଓ ପାରସ୍ପରିକ ଯୋଗାଯୋଗ କୁ ଅଧିକ ବଳିଷ୍ଠ କରିବାରେ କାହାଣୀ କହିବାର କଳା ଏକ ପ୍ରମୁଖ ମାଧ୍ୟମ ହୋଇପାରିବ। ଏହା ଉପରେ ମତ ଦେଇ ଗୀତା କହନ୍ତି ଯେ, ଆପଣ ଯେତେବେଳେ କାହାଣୀ ମାଧ୍ୟମରେ କିଛି କୁହନ୍ତି ତାହା ଲୋକଙ୍କ ହୃଦୟକୁ ଛୁଏଁ। ଏହା ଏକ ମଧୁର ଅନୁଭବ।

ୱେବସାଇଟ