କୃଷିରୁ ସଫଳତା

କୃଷିରୁ ସଫଳତା

Tuesday February 28, 2017,

2 min Read

ବିଏ ପାସ ପରେ ରୋଜଗାର ଚିନ୍ତା ଘାରିଲା । ସେତେବେଳେ ତାଙ୍କ ଗାଁର କେତେଜଣ ଯୁବକ ବାହାର ରାଜ୍ୟକୁ ଯାଇ ରୋଜଗାର କରୁଥିଲେ । କିନ୍ତୁ ଗାଁରେ ରହି କିପରି ରୋଜଗାର କରିହେବ ସେକଥା ସେ ଭାବିଚାଲିଲେ । ତେବେ ଚାକିରି ପ୍ରତି ମନ ନ ବଳାଇ ଆରମ୍ଭ କଲେ ବ୍ୟବସାୟ । ମାତ୍ର ପରିବର୍ତ୍ତୀ ସମୟରେ ଚାଷକାର୍ଯ୍ୟକୁ ଆପଣେଇନେଲେ । ଆଉ ବର୍ଷ କେଇଟାରେ ସ୍ଵାଭାଲମ୍ବି ହେବା ସହ ସ୍ଥାନୀୟ ଅଞ୍ଚଳରେ ଜଣେ ସଫଳ ଚାଷୀ ଭାବେ ନିଜକୁ ପ୍ରତିପାଦିତ କରାଇବାରେ ସକ୍ଷମ ହେଲେ । ସେ ହେଲେ ପ୍ରସନ୍ନ ପରିଡା। 

image


ଖୋର୍ଦ୍ଧାଜିଲ୍ଲା ଚିଲିକା ବ୍ଲକ ଅନ୍ତର୍ଗତ ହାଟବରଡ଼ିହି ଗ୍ରାମପଞ୍ଚାୟତର ପରିଡାସାହିରେ ତାଙ୍କର ଜନ୍ମ । ପିତା ନୃସିଂହ ପରିଡା ଓ ମାଆ ଅପିଦେଇ । ଗାଁ ସ୍କୁଲରୁ ପାଠ ପଢା ଆରମ୍ଭ କରିଥିବା ପ୍ରସନ୍ନ ନିରାକାରପୁର କଲେଜରୁ ସ୍ନାତକ ଡିଗ୍ରୀ ହାସଲ କାଲେ । ଏହାପରେ ରୋଜଗାର ପାଇଁ ଚିନ୍ତା କଲେ । ଚିଲିକାରୁ ଚିଙ୍ଗୁଡି ଓ ଆଖପାଖ ଗାଁରୁ ବାଉଁଶ ସଂଗ୍ରହକରି କିଛି ଦିନ ବ୍ୟବସାୟ କଲେ । ମାତ୍ର ଏଥିରେ କ୍ଷତି ହେବାରୁ ତାଙ୍କ ମନ ଭାଙ୍ଗିପଡିଲା । କିଛି ଅଲଗା ଚାଷ ପାଇଁ ମନ ବଳାଇଲେ । ତେଣୁ ଘରେ ନ ବସି ଚାଷ ପାଇଁ ମନ ବଳାଇଲେ । ପ୍ରଥମକରି ସେ ୧୯୯୬ରେ ଆରମ୍ଭ କଲେ ଧାନ ଚାଷ । ତା’ପରେ ମୁଗ ଚାଷ କଲେ । ପ୍ରାରମ୍ଭିକ ସଫଳତା ତାଙ୍କୁ ଉତ୍ସାହିତ କଲା । ଅଧିକ ଲାଭ ଆସାରେ ବାଦାମ, ମୁଗ, ବିରି, ସୂର୍ଯ୍ୟମୂଖୀ ଆଦି ଚାଷ କଲେ । ଏଥିରେ ବାର୍ଷିକ ପ୍ରାୟ ୨ ଟଙ୍କା ଲାଭ ମିଳିଲା । ଏବେ ସେ ଏକର ଜମିରେ ସୂର୍ଯ୍ୟମୁଖୀ , ୩ ଏକର ଜାଗାରେ ବାଦାମ, ୩ ଏକର ଜମିରେ ବିରି, ୨ ଏକର ଜମିରେ ଧାନ ଚାଷ କରି ସ୍ବାଭାଲମ୍ବୀ ହୋଇପାରିଛନ୍ତି । ଚଳିତବର୍ଷ ଚିଲିକା ବ୍ଲକ ଅଞ୍ଚଳର ସଫଳ ଚାଷୀଭାବେ କୃଷିକର୍ମଣ ପୁରସ୍କାର ଲାଗି ମନୋନୀତ ହୋଇଥିବା ପ୍ରସନ୍ନ ସ୍ଵରୋଜଗାର ହେବା ପାଇଁ ଦୃଢ ମନୋବଳ ଆଉ ପରିଶ୍ରମ ଆବଶ୍ୟକ ବୋଲି କହନ୍ତି ।