ରସଗୋଲାର ଯାଦୁଗର : ବିକଳି କର

ଦିନେ ଚାଳଘର ଖଣ୍ଡେରେ ବ୍ୟବସାୟ ଆରମ୍ଭ କରିଥିଲେ। ଆଜି ବିକଳି କର ରସଗୋଲା କୋଟି କୋଟି ଟଙ୍କାର ବ୍ୟବସାୟ 

ରସଗୋଲାର ଯାଦୁଗର : ବିକଳି କର

Thursday May 19, 2016,

3 min Read

ବାହୁଡା ଯାତ୍ରା ପରେ କାଳିଆ ଠାକୁରେ ଶ୍ରୀମନ୍ଦିର ଫେରିଲା ବେଳେ ଲକ୍ଷ୍ମୀ ଠାକୁରାଣୀ ରୁଷିଥାନ୍ତି। ତାଙ୍କ ମାନଭଞ୍ଜନ କରିବା ପାଇଁ ପ୍ରଭୁ କଣ କରନ୍ତି ଜାଣନ୍ତି କି ? ଗୋଟେ ହାଣ୍ଡି ରସଗୋଲା ନେଇ ଠାକୁରାଣୀଙ୍କୁ ଯାଚନ୍ତି। କାଳିଆ ଠାକୁରଙ୍କ ଠାରୁ ଆଉ ପୁରୁଣା କିଏ ଅଛି ଯେ। ସେଇଠି ରସଗୋଲା ଆମର ନା ଆଉ କାହାର ସେ ବିବାଦରେ ପୂର୍ଣ୍ଣଛେଦ ପଡିବା କଥା।

ଗଲା କେତେ ଦିନ ଧରି ରସଗୋଲାକୁ ନେଇ ଓଡିଶା ଓ ପଶ୍ଚିମବଙ୍ଗ ମଧ୍ୟରେ ବେଶ ଏକ ବିବାଦ ଚାଲିଥିଲା। ଏବେ ବିଶେଷଜ୍ଞ ମାନଙ୍କ ହାତରେ ବଡ ପ୍ରମାଣ ଲାଗିଛି ଯେ ରସଗୋଲା ପଶ୍ଚିମବଙ୍ଗରେ ମିଳିବାର ପାଖାପାଖି ୩୦୦ ବର୍ଷ ପୂର୍ବରୁ ଓଡିଶାରେ ଥିଲା। ବଳରାମ ଦାସ ଲେଖିଥିବା ‘ଦାଣ୍ଡି ରାମାୟଣ’ ରେ ଏହାର ଉଲ୍ଲେଖ ଅଛି। ସେସମୟରେ କାଳେ ଘରେ ଘରେ ରସଗୋଲା ଏତେ ଚଳୁଥିଲା ଯେ ଖାଇ ଖାଇ ଲୋକଙ୍କୁ ଅରୁଚି ହେଉଥିଲା। ଏବେ ଆସିବା ବର୍ତ୍ତମାନର ସମୟକୁ। ଏବେ ଓଡିଆ ଘରେ ଘରେ ରସଗୋଲା କହିଲେ ବିକଳି କର ରସଗୋଲା ନାମଟି ସଙ୍ଗେ ସଙ୍ଗେ ଚାଲିଆସେ।

image


ସାଲେପୁର ହେଲା ରସଗୋଲାର ସୁନାଖଣି। କଟକ କେନ୍ଦ୍ରାପଡା ରାଜ୍ୟ ରାଜପଥ ଠାରୁ ପାଖାପାଖି ୨୫ କିଲୋମିଟର ଦୂରରେ ଥିବା ଏହି ଛୋଟ ଟାଉନଟି ସାରା ରାଜ୍ୟ ତଥା ରାଜ୍ୟ ବାହାରେ ମଧ୍ୟ ରସଗୋଲା ପାଇଁ ବିଖ୍ୟାତ। ରସଗୋଲାର ଯାଦୁଗର ବିକଳି କର (ବିକଳାନନ୍ଦ କର) ଓ ତାଙ୍କର ପୂର୍ବଜ ମାନେ ବର୍ଷ ବର୍ଷ ଧରି ଏହି ମାଷ୍ଟରପିସକୁ ତିଆରି କରିଆସୁଛନ୍ତି।

କୋଲକାତାର କେ ସି ଦାସ ରସଗୋଲା ଓ ନାଗପୁରର ହଲଦିରାମ ଭଳି ଓଡିଶାରେ ବିକଳି କର ହେଲେ ଏକ ବ୍ରାଣ୍ଡ। ପୁରୁଣା ଲୋକଙ୍କର ଆଜି ମଧ୍ୟ ମାନେ ଅଛି ହାଇୱେ କଡରେ ଏକ ଛୋଟ ଚାଳ ଦୋକାନରେ ବିକଳି କର ରସଗୋଲା ତିଆରି କରି ବିକୁଥିଲେ। କଟକ କି ଭୁବନେଶ୍ଵର ଆସୁଥିବା ଲୋକେ ଆସିଲା ବେଳେ ବିକଳି କରଙ୍କ ହାତ ତିଆରି ରସଗୋଲା ହାଣ୍ଡିଟିଏ ଆଣିବାକୁ ଭୁଲୁନଥିଲେ। ସରକାରୀ ବାବୁଙ୍କ ପାଖରେ କାମ ଥିଲେ ସାଙ୍ଗରେ ଏଇ ରସଗୋଲା ହାଣ୍ଡି ଯଦି ଥିବ ତାହେଲେ କାମ କାଳେ ଶୀଘ୍ର ହେଇଯାଉଥିଲା।

ବିକଳାନନ୍ଦ ୧୯୦୨ ମସିହା ନଭେମ୍ବର ୧୪ ତାରିଖରେ ଚନ୍ଦ୍ରାଦେଇପୁର ଗ୍ରାମର ଏକ ଗରିବ ବ୍ରାହ୍ମଣ ପରିବାରରେ ଜନ୍ମଗ୍ରହଣ କରିଥିଲେ । ତାଙ୍କ ପିତାଙ୍କ ନାମ ଥିଲା ନିଧି କର ଓ ମାତାଙ୍କ ନାମ ସାବିତ୍ରୀ ଦେବୀ । ତାଙ୍କ ଜନ୍ମର ପନ୍ଦର ବର୍ଷ ପୂର୍ବରୁ ତାଙ୍କ ଜଣେ ଭଉଣୀଙ୍କ ମୃତ୍ୟୁ ହୋଇଯାଇଥିଲା । ବହୁ ତପସ୍ୟା ଓ କାଳାଗ୍ନିରୁଦ୍ରଙ୍କ ଆଶୀର୍ବାଦରୁ ବିକଳାନନ୍ଦ କର ଜନ୍ମଗ୍ରହଣ କରିଥଲେ । ପିତାମାତା ତାଙ୍କ ନାମ ଦେଇଥିଲେ ବିକଳା । ସେବେଠାରୁ ତାଙ୍କୁ ବିକଳି କର ପରିଚୟ ମିଳିଥିଲା ।

ବିକଳି କରଙ୍କ ପିଲାବେଳ ବେଶ ଦୁଃଖରେ ବିତିଥିଲା । ଅଳ୍ପ ବୟସରୁ ସେ ତାଙ୍କ ପିତାମାତାଙ୍କୁ ହରେଇଥିଲେ । ମାତ୍ର ଷଷ୍ଠ ଶ୍ରେଣୀରେ ପାଠରେ ଡୋରି ବନ୍ଧା ହୋଇଥିଲା ଓ ସେ କାମର ସନ୍ଧାନରେ କଲିକତା ପଳେଇ ଯାଇଥିଲେ । କଲିକତାରେ ଜଣେ ରେଳବାଇ ଅଫିସରଙ୍କ ପରିବାରରେ ମାସକୁ ୧୫ଟଙ୍କା ବେତନରେ ରୋଷେୟା ଭାବେ ନିଯୁକ୍ତ ହୋଇଥିଲେ । ସେ, ସେହି ପରିବାରର ଜଣେ ସଦସ୍ୟ ଭଳି ଶ୍ରଦ୍ଧା ସମ୍ମାନ ପାଇଥିଲେ । କ୍ରମେ ରୋଷେଇ ବିଦ୍ୟାରେ ପାରଙ୍ଗମ ହୋଇଥିଲେ ଓ ବିଭିନ୍ନ ମିଠା ପ୍ରସ୍ତୁତ କରିବା ଶିକ୍ଷା କରିଥିଲେ । ସେହି ପରିବାରରେ ୭/୮ ବର୍ଷ ଚାକିରୀ କରିବା ପରେ, ସେ ଏକ ମିଠା ଦୋକାନରେ ଚାକିରୀ କରି ବିଭିନ୍ନ ମିଠା ତିଆରି କରିବା ଶିଖିଲେ । ସେ ଦୋକାନରେ ମାଲିକଙ୍କ ବ୍ୟବହାର ଓ ଅନିୟମିତ ବେତନରେ ଅତିଷ୍ଠ ହୋଇ, ସେ ୧୯୨୮ ମସିହାରେ ସାଲେପୁର ଫେରି ଆସିଥିଲେ ।

image


ସାଲେପୁର ବଜାର ସେତେବେଳେ ଖୁବ ଛୋଟ ଥିଲା । ମାତ୍ର ଗୋଟିଏ ଦୁଇଟି କ୍ୟାବିନରେ ଚା’ ଦୋକାନ, ୨/୩ଟି ତେଜରାତି ଦୋକାନ ଓ କେତୋଟି ପାନ ଦୋକାନ ହିଁ ଥିଲା । ତାଙ୍କ ସମ୍ପର୍କୀୟ ବଡ଼ଭାଇ ରାମଚନ୍ଦ୍ର କରଙ୍କର ଏକ ଜଳଖିଆ ଦୋକାନ ସାଲେପୁର ବଜାର ବରଗଛ ମୂଳେ ଥଲା । ରାମଚନ୍ଦ୍ର ଦୋକାନଟିକୁ ଚଳାଇ ନପାରି ବିକଳାନନ୍ଦଙ୍କୁ ସମର୍ପିଦେଇ ସନ୍ନ୍ୟାସୀ ହୋଇଗଲେ । ଏହିଠାରୁ ଆରମ୍ଭ ହୋଇଥିଲା ସାଲେପୁର ରସଗୋଲାର ଜୟଯାତ୍ରା । ଦୀର୍ଘ ୮୦ବର୍ଷରୁ ଉର୍ଦ୍ଧ ସାଲେପୁର ରସଗୋଲା ମିଷ୍ଟାନ୍ନ ସଂସ୍ଥାଟିର କଳେବର ବୃଦ୍ଧି ପାଇଛି । ଛୋଟ ସାଲେପୁରରୁ ଆରମ୍ଭ ହୋଇଥିବା ମିଷ୍ଟାନ୍ନଟି ଆଜି ସମଗ୍ର ବିଶ୍ଵ ଦରବାରରେ ଆଦୃତ ହୋଇପାରିଛି । (ତଥ୍ୟ ଉତ୍ସ - ଓଡିଆ ୱିକିପିଡିଆ)

image


୧୯୫୪ରେ ଏକ ଛୋଟ ଆକାରରୁ ଆରମ୍ଭ କରିଥିଲେ ଏହି କମ୍ପାନୀ। ଆଜି “କର ଆଣ୍ଡ ବ୍ରଦର୍ସ” କରୁଛନ୍ତି କୋଟି କୋଟି ଟଙ୍କାର ବ୍ୟବସାୟ। ଓଡିଶାର ସଂପୂର୍ଣ୍ଣ ରସଗୋଲା ବ୍ୟବସାୟ ପ୍ରାୟ ୧୦୦ କୋଟିରୁ ଊର୍ଦ୍ଧ୍ଵ। ସେଥିରୁ ପାହାଳ ରସଗୋଲାର ବାର୍ଷିକ ବ୍ୟବସାୟ ପ୍ରାୟ ୧୨ କୋଟି। ବିକଳି କର ଆଜି ପ୍ରାୟ ୫୦ କୋଟିରୁ ଅଧିକ ଟଙ୍କାର ବ୍ୟବସାୟ କରୁଛି। ଓଡିଶା ବାହାରେ ରହୁଥିବା ଓଡିଆ ଓଡିଶାରୁ ପୁଣି କର୍ମକ୍ଷେତ୍ରକୁ ଫେରିଲା ବେଳେ ବିକଳି କର ରସଗୋଲାର କିଛି ଡବା ନିହାତି ଭାବେ ନେଇ ଯାଆନ୍ତି। ବିକଳି କର ରସଗୋଲାର ସଫଳତା ପଛରେ ହାତର ସ୍ଵାଦ ଛଡା ଏକ ମୁଖ୍ୟ ଭୂମିକା ହେଉଛି ତାଙ୍କର ଦୁରଦୃଷ୍ଟିର। ପୁଞ୍ଜି ନିବେଶ କରି ରାଜଧାନୀରେ ଦୋକାନ କରିବା, ପ୍ୟାକେଜିଙ୍ଗ ଉପରେ ଯଥେଷ୍ଟ ଧ୍ୟାନ ଏସବୁ ତାଙ୍କ ବ୍ୟବସାୟକୁ ବଢେଇବାରେ ତାଙ୍କୁ ସାହାଯ୍ୟ କରିଛି। ଏବେ କମ୍ପାନୀର ଲଗାମ ବିକଳି କରଙ୍କର ପୁତ୍ର ପ୍ରଶାନ୍ତ କରଙ୍କ ହାତରେ।

image


ବିକଳାନନ୍ଦ କର ୧୯୭୧ ଅଗଷ୍ଟ ୧୨ତାରିଖ ଦିନ ମୃତ୍ୟୁବରଣ କରିଥିଲେ । ତାଙ୍କ ସ୍ମୃତିରେ ୨୦୦୪ରୁ ବିକଳାନନ୍ଦ କର ମେମୋରିଆଲ ଟ୍ରଷ୍ଟ ଗଠନ କରାଯାଇ ସାଲେପୁର ଅଞ୍ଚଳରେ ଲୋକାଭିମୁଖୀ କାର୍ଯ୍ୟ ହାତକୁ ନିଆଯାଉଛି । ଭାରତବର୍ଷରେ ପ୍ରଥମକରି ବିକଳାନନ୍ଦ କର ବୈଷୟିକ ପ୍ରଶିକ୍ଷଣ କେନ୍ଦ୍ର ସ୍ଥାପନ କରାଯାଇ, ମିଷ୍ଟାନ୍ନ ପ୍ରସ୍ତୁତି ପ୍ରଶିକ୍ଷଣ ଦିଆଯାଉଛି ।