ମହିଳା ସଶକ୍ତିକରଣ ଓ ପରିବେଶ ସୁରକ୍ଷାର ଅଗ୍ରଦୂତ : ପୁନଃବ୍ୟବହାର କରି ହେଉଥିବା ସାନିଟାରୀ ପ୍ୟାଡର ନିର୍ମାତା Eco Femme

ମହିଳା ସଶକ୍ତିକରଣ ଓ ପରିବେଶ ସୁରକ୍ଷାର ଅଗ୍ରଦୂତ : ପୁନଃବ୍ୟବହାର କରି ହେଉଥିବା ସାନିଟାରୀ ପ୍ୟାଡର ନିର୍ମାତା Eco Femme

Saturday November 14, 2015,

3 min Read

ସ୍ଵିଜରଲ୍ୟାଣ୍ଡର ଗୋଟିଏ ଛୋଟିଆ ଗାଁରେ ଦେଖିଥିବା ଘଟଣାଟିଏ ତାଙ୍କ ଜୀବନ ଓ କାର୍ଯ୍ୟଶୈଳୀକୁ ଏପରିଭାବେ ପରିବର୍ତ୍ତିତ କରିଦେବ ତାହା ସ୍ଵପ୍ନରେ ବି ଭାବି ନଥିଲେ କ୍ୟାଥି। ଏହି ଛୋଟ ଗାଁଟିରେ ବୁଲୁ ବୁଲୁ ଗୋଟିଏ ଦୋକାନରେ ସେ କପଡାର ସାନିଟାରୀ ପ୍ୟାଡ ବିକ୍ରି ହେଉଥିବା ଦେଖିଲେ। ଆଉ ପଚାରି ବୁଝିଲେ ଯେ ଏହି ସାନିଟାରୀ ପ୍ୟାଡକୁ ଧୋଇ ହେବ ଓ ଦ୍ଵିତୀୟ ଥର ବ୍ୟବହାର କରିହେବ। କ୍ୟାଥିଙ୍କ ମତରେ ଏହି ଛୋଟ କପଡା ଖଣ୍ଡିକ ହିଁ ତାଙ୍କ ଜୀବନର ଗତିପଥ ବଦଳାଇ ଦେଇଥିଲା। ଏହାର ବହୁଳ ବ୍ୟବହାର ଦ୍ଵାରା କେବଳ ଅର୍ଥ ସଞ୍ଚୟ ହେବ ନାହିଁ ବରଂ ପରିବେଶର ସୁରକ୍ଷା ମଧ୍ୟ କରାଯାଇ ପାରିବ ବୋଲି କ୍ୟାଥି ବୁଝି ପାରିଲେ। ଆଉ ଏଥିରୁ ହିଁ ଆରମ୍ଭ ହେଲା Eco Femmeର ଯାତ୍ରା।

The Eco Femme team. Photo courtesy: www.thealternative.in

The Eco Femme team. Photo courtesy: www.thealternative.in


ଅରୋଭିଲ କନେକ୍ସନ

୧୯୯୭ ମସିହାରେ କ୍ୟାଥି ପଣ୍ଡିଚେରୀସ୍ଥିତ ଅରୋଭିଲ ଆସିଥିଲେ। ଏଠାରେ ସେ ଦେଖିଲେ ଯେ ବ୍ୟବହୃତ ସାନିଟାରୀ ପ୍ୟାଡ ଗୁଡିକୁ ସଠିକ ସ୍ଥାନରେ ଫୋପାଡିବା ଗୋଟିଏ ବଡ ସମସ୍ୟା। ଭାରତରେ ସାଧାରଣତଃ ଏହି ସାନିଟାରୀ ପ୍ୟାଡ ଗୁଡିକୁ ପୋତି ଦିଆଯାଏ କିମ୍ବା ଏକାଠି କରି ପୋଡି ଦିଆଯାଏ। ଉଭୟ ପ୍ରକ୍ରିୟା ପରିବେଶକୁ ପ୍ରଦୂଷିତ କରନ୍ତି। ଏହି ସମୟରେ କ୍ୟାଥି ଓ ତାଙ୍କର ସହଯୋଗୀ ମାନେ ପାଖାପାଖି ୩୦୦ ଜଣ ଭାରତୀୟ ମହିଳାଙ୍କ ସହ ଋତୁସ୍ରାବ ଓ ଏହା ସମ୍ପର୍କିତ ସମସ୍ୟାମାନଙ୍କ ବିଷୟରେ କଥା ହୋଇଥିଲେ। କଥାବାର୍ତ୍ତାରୁ କ୍ୟାଥି ହୃଦୟଙ୍ଗମ କଲେ ଯେ ଋତୁସ୍ରାବ ସମୟରେ ପରିଚ୍ଛନ୍ନତା ଭାରତରେ ଗୋଟିଏ ବଡ ସମସ୍ୟା ଓ ଲୋକେ ଏହି ସମସ୍ୟା ଉପରେ ଖୋଲା ଖୋଲି କଥା ହେବାକୁ ପସନ୍ଦ କରନ୍ତି ନାହିଁ। ପରିସଂଖ୍ୟାନକୁ ଅନୁଧ୍ୟାନ କରି କ୍ୟାଥି ଜାଣିଲେ ଯେ ୪୩ ପ୍ରତିଶତ ଭାରତୀୟ ମହିଳା ଋତୁସ୍ରାବ ସମୟରେ କପଡା ବ୍ୟବହାର କରୁଥିଲା ବେଳେ ୪୧ ପ୍ରତିଶତ ଡିଶପୋଜେବଲ ସାନିଟାରୀ ପ୍ୟାଡ ବ୍ୟବହାର କରନ୍ତି। କପଡା ବ୍ୟବହାର କରୁଥିବା ମହିଳା ମାନଙ୍କ ସମସ୍ୟା ଅଧିକ ଗମ୍ଭୀର। ଏହି କପଡା ଗୁଡିକ ସାଧାରଣତଃ ପୁରୁଣା ଓ ଏହାର କାର୍ଯ୍ୟକାରିତା ମଧ୍ୟ ଊଚ୍ଚମାନର ନୁହେଁ। ଏହି ସବୁ ସମସ୍ୟାର ସମାଧାନ ପାଇଁ କ୍ୟାଥି ଓ ତାଙ୍କ ସହଯୋଗୀ ମାନେ ୨୦୦୯ ମସିହାରେ ଊଚ୍ଚ ମାନର ସୂତାରୁ ପ୍ରସ୍ତୁତ ପୁନଃବ୍ୟବହାର କରିହେଉଥିବା ସାନିଟାରୀ ପ୍ୟାଡ ତିଆରି କଲେ ଓ ସ୍ଥାନୀୟ ଦୋକାନ ମାନଙ୍କରେ ଏହାର ବିକ୍ରୀ ଆରମ୍ଭ କଲେ। ଏହିପରି Eco Femme ନିଜର ବ୍ୟବସାୟିକ ଯାତ୍ରା ଆରମ୍ଭ କଳା।

image


ବର୍ତ୍ତମାନ Eco Femme ଦ୍ଵାରା ୪ ପ୍ରକାରର ସାନିଟାରୀ ପ୍ୟାଡ ତିଆରି କରାଯାଉଛି। ଏହି ସାନିଟାରୀ ପ୍ୟାଡ ଗୁଡିକୁ ପାଞ୍ଚ ବର୍ଷ ଯାଏ ବ୍ୟବହାର କରିହେବ ଓ ପ୍ରତିଟି ପ୍ୟାଡ ୭୫ ଥର ଯାଏ ଧୁଆ ହେବା ପର୍ଯ୍ୟନ୍ତ ନିଜର ଗୁଣବତ୍ତା ବଜାୟ ରଖିଥାଏ। ଏହି ପ୍ୟାଡ ଗୁଡିକ କୋମଳ ଏବଂ ସେମାନଙ୍କର ଅବଶୋଷଣ ଶକ୍ତି ଅଧିକ। ଏହା ଛଡା ସାନିଟାରୀ ପ୍ୟାଡ ଗୁଡିକ ଭିନ୍ନ ଭିନ୍ନ ସାଇଜରେ ମଧ୍ୟ ଉପଲବ୍ଧ। ଏହି ପ୍ୟାଡ ତିଆରି ପାଇଁ ଆବଶ୍ୟକ କଞ୍ଚାମାଲ ଚେନ୍ନାଇରୁ ଅଣାଯାଇଥାଏ। Auroville Village Action Groupର ସ୍ଵୟଂ ସହାୟକ ଗୋଷ୍ଠୀର ୧୫ ଜଣ ମହିଳା ଏହି ସାନିଟାରୀ ପ୍ୟାଡ ତିଆରି କାମରେ ନିଯୁକ୍ତ। ଏହି ମହିଳା ମାନଙ୍କର ଆର୍ଥିକ ସ୍ଥିତି ଦୁର୍ବଳ। ସେମାନେ ପ୍ରତି ପ୍ୟାଡ ହିସାବରେ ନିଜର ମଜୁରୀ ନେଇଥାନ୍ତି। Eco Femme ଏହି ମହିଳାମାନଙ୍କୁ ଅର୍ଥନୈତିକ ଦୃଷ୍ଟିକୋଣରୁ ସଶକ୍ତ ହେବାରେ ସାହାଯ୍ୟ କରୁଛି।

ପାଶ୍ଚାତ୍ୟ ଦେଶମାନଙ୍କରେ ଏହି ସାନିଟାରୀ ପ୍ୟାଡର ଚାହିଦା ବହୁତ ଅଧିକ। ଏଥିରେ ବ୍ଲିଚ ନଥିବାରୁ ସ୍ୱାସ୍ଥ୍ୟ ସଚେତନ ମହିଳାମାନେ ଏହାକୁ ବ୍ୟବହାର କରିବାକୁ ପସନ୍ଦ କରନ୍ତି। ଏହା ଛଡା ପରିବେଶର ସୁରକ୍ଷା ପାଇଁ ସଚେତନ ଥିବା ମହିଳାମାନେ ମଧ୍ୟ ଏପରି ସାନିଟାରୀ ପ୍ୟାଡର ବ୍ୟବହାରକୁ ପ୍ରାଥମିକତା ଦିଅନ୍ତି। ଏସବୁକୁ ଦୃଷ୍ଟିରେ ରଖି Eco Femme ପାଶ୍ଚାତ୍ୟ ଦେଶମାନଙ୍କୁ ପୁନଃ ବ୍ୟବହାର କରିହେଉଥିବା ସାନିଟାରୀ ପ୍ୟାଡର ରପ୍ତାନୀ କରିବା ଆରମ୍ଭ କରିଛି। ବର୍ତ୍ତମାନ ୧୪ଟି ଦେଶକୁ Eco Femme ନିଜର ଉତ୍ପାଦ ରପ୍ତାନୀ କରୁଛି। ଏହା ଉପରେ ମତ ଦେଇ କ୍ୟାଥି କୁହନ୍ତି, “ ଆମେ ପାଶ୍ଚାତ୍ୟ ଦେଶମାନଙ୍କୁ ଆମର ରପ୍ତାନୀ ବଢାଇବାକୁ ଚାହୁଁଛୁ। ଆମକୁ ବହୁତ କିଛି ଶିଖିବାର ଅଛି। ମୁଁ ଜଣେ ବ୍ୟବସାୟୀ ନୁହେଁ। ସାମାଜିକ ଉନ୍ନତି ହିଁ ମୋର ଲକ୍ଷ୍ୟ।“

ଆନ୍ତର୍ଜାତୀୟ ବଜାରରେ ପ୍ରିମିୟମ ରେଞ୍ଜ ର ଉତ୍ପାଦ ଛାଡିବା ପାଇଁ Eco Femme ଲକ୍ଷ୍ୟ ରଖିଛି। ଏହି ପ୍ୟାଡ ଗୁଡିକ ଜୈବିକ ସୂତାରୁ ତିଆରି ହେବ। ଏଠି ପାଇଁ ଅର୍ଥ ଯୋଗଡରେ ବ୍ୟସ୍ତ ଅଛନ୍ତି କ୍ୟାଥି। ସ୍ଥାନୀୟ ବଜାରକୁ ବାଦ ଦେଲେ Eco Femmeର ସାନିଟାରୀ ପ୍ୟାଡଗୁଡିକ ମୁଖ୍ୟତଃ ଅନଲାଇନ ମାଧ୍ୟମରେ ହିଁ ବିକ୍ରୀ ହୋଇଥାଏ। ଏହାଛଡା ଭାରତର ବିଭିନ୍ନ ଗ୍ରାମୀଣ ଅଞ୍ଚଳରେ ଏହି ସାନିଟାରୀ ପ୍ୟାଡକୁ ଉପଲବ୍ଧ କରାଇବା ପାଇଁ Eco Femme ଚେଷ୍ଟା କରୁଛି। ତାମିଲନାଡୁ ଓ ଉତ୍ତର ପ୍ରଦେଶରେ ମହିଳା ମାନେ ଏହି ସାନିଟାରୀ ପ୍ୟାଡକୁ ପସନ୍ଦ କରିଛନ୍ତି। ଏନଜିଓ ଓ ସ୍ଵୟଂ ସହାୟକ ଗୋଷ୍ଠୀମାନଙ୍କ ସହାୟତାରେ ଏହି ସାନିଟାରୀ ପ୍ୟାଡର ପ୍ରଚାର ପ୍ରସାର ଓ କିଶୋରୀମାନଙ୍କ ମଧ୍ୟରେ ଋତୁସ୍ରାବ ସମୟରେ ପରିଚ୍ଛନ୍ନତା ପାଇଁ ସଚେତନତା ବୃଦ୍ଧି କରିବାକୁ Eco Femme ପ୍ରୟାସ ଚଳାଇଛି।

ବର୍ଜ୍ୟବସ୍ତୁର ସଠିକ ପରିଚାଳନା ଓ ମହିଳା ସଶକ୍ତିକରଣ, ଏହି ଦୁଇଟି ଲକ୍ଷ୍ୟ ହାସଲ କରିବାର ପ୍ରଚେଷ୍ଟା ତାଙ୍କୁ Eco Femme ପ୍ରତିଷ୍ଠା କରିବାକୁ ପ୍ରେରଣା ଦେଇଥିଲା ବୋଲି କ୍ୟାଥି କୁହନ୍ତି। ଋତୁସ୍ରାବ ସହ ଜଡିତ ଅବଧାରଣାମାନଙ୍କୁ ଦୂର କରିବା ସହ ମହିଳାମାନଙ୍କ ସ୍ୱାସ୍ଥ୍ୟ ଓ ସମ୍ମାନ ପାଇଁ ଆଗକୁ ଅନେକ କାମ କରିବାର ଅଛି ବୋଲି କ୍ୟାଥି ମତ ଦିଅନ୍ତି।

Checkout Eco Femme here