ରିଟେଲ୍ ଜ୍ଞାନ ପାଇଁ ପ୍ରାକ୍ଟିକାଲ ଅଭିଜ୍ଞତା ନିତାନ୍ତ ଆବଶ୍ୟକ : ଅମିଶା ପ୍ରଭୁ, ସିଇଓ, TRRAIN

Tuesday November 17, 2015,

5 min Read

20 ବର୍ଷ ପୂର୍ବେ ଅମିଶା ପ୍ରଭୁ ରିଟେଲ ଉଦ୍ୟୋଗରେ ନିଜର କ୍ୟାରିୟର ଆରମ୍ଭ କରିଥିଲେ। ସେ ଅନେକଗୁଡ଼ିଏ ଅଗ୍ରଣୀ ପ୍ରତିଷ୍ଠାନ ଯଥା ଟେସ୍କୋ ହିନ୍ଦୁସ୍ତାନ ହୋଲସେଲିଙ୍ଗ, ଆଦିତ୍ୟ ବିର୍ଲା ରିଟେଲ୍, କ୍ରସୱର୍ଡ ବୁକଷ୍ଟୋର, ସ୍ଵଚ୍ଛ ଗ୍ରୁପ୍ ଓ ଶପର୍ସ୍ ଷ୍ଟପ୍ ଲିମିଟେଡରେ କାର୍ଯ୍ୟ କରିଛନ୍ତି। ସେ ତାଙ୍କର କର୍ପୋରେଟ୍ କ୍ୟାରିୟର ଜୀବନରେ ଅନେକ ଗୁଡ଼ିଏ ଉତ୍ଥାନ ପତନ ଦେଖିଛନ୍ତି।

ସପ୍ ଫ୍ଲୋରରେ କାର୍ଯ୍ୟ କରିବା ପାଇଁ ପ୍ରେରିତ ହେଇଥିଲେ Nancy Drewଙ୍କ ପାଇଁ ନିଜର ପସନ୍ଦରୁ

ଅମିଶା ଗୁଜୁରାଟର ଏକ ମଧ୍ୟବିତ୍ତ ପରିବାରରେ ଜନ୍ମ ନେଇଥିଲେ ଓ ମୁମ୍ବାଇଠାରେ ବଡ଼ ହୋଇଥିଲେ। ମୁମ୍ବାଇ ବିଶ୍ଵ ବିଦ୍ୟାଳୟରୁ ଅର୍ଥନୀତିରେ ଅଧ୍ୟୟନ କରିବା ପରେ ସେ ନାର୍ଶୀ ମଂଜିରେ ମାର୍କେଟିଂ ଉପରେ ଅଧ୍ୟୟନ କଲେ ଏହି ସମୟରେ ସେ ବହୁତଗୁଡ଼ିଏ ପାଶ୍ଚାତ୍ୟ ଉପନ୍ୟାସ ପଢ଼ିବାର ସୁଯୋଗ ପାଇଥିଲେ। ସେଥି ମଧ୍ୟରୁ ନାନ୍ସି ଡ୍ରିଉର କାହାଣୀ ତାଙ୍କ ଜୀବନ ଉପରେ ପ୍ରଭାବ ପକାଇଥିଲା। ସ୍ଵାଧୀନ ଭାବରେ ସେ ନିଜର ଉନ୍ନତି ପାଇଁ ମନର ଏକାଗ୍ରତା ବଜାୟ ରଖିଥିଲେ। ସେ କହନ୍ତି, "ମୁଁ ସର୍ବଦା ପଶ୍ଚିମ ଦେଶର ସେହିସବୁ ଯୁବକ ଓ ଛାତ୍ରମାନେ କିପରି ପାଠ ପଢ଼ି ସ୍ଵାଧୀନ ଭାବରେ କାର୍ଯ୍ୟ ପନ୍ଥା ଗ୍ରହଣ କରିପାରୁଛନ୍ତି ଓ ରୋଜଗାରକ୍ଷମ ହୋଇପାରୁଛନ୍ତି ସେ ବିଷୟରେ ଭାବିଥାଏ। ତେଣୁ ମୋ ପ୍ରାଥମିକ ଜୀବନର ପ୍ରେରଣା ନାନ୍ସି ଡ୍ରିଉ ପରି ଉପନ୍ୟାସରୁ ଆରମ୍ଭ ହୋଇଥିଲା। ଯେତେବେଳେ ସେ ତାଙ୍କର ଶିକ୍ଷା ନାର୍ଶୀ ମଂଜିରୁ ସମାପ୍ତ ହେଲା, ସେତେବେଳେ ଅମିଶା ଏକ ବିଜ୍ଞାପନ ଦେଖିବାର ସୁଯୋଗ ପାଇଲେ ଏବଂ ସେ ତୁରନ୍ତ ସେହି ଚାକିରୀ ପାଇଁ ଆବେଦନ କଲେ।

"ମୋର ଇଣ୍ଟରଭ୍ୟୁ ଶ୍ରୀ ବି. ଏସ୍ ନାଗେଶ ନେଇଥିଲେ ଯିଏକି ଭାରତର ଜଣେ ଜଣାଶୁଣା ରିଟେଲ୍ ଉଦ୍ୟୋକ୍ତା। ସେ ମୋର ଆଗ୍ରହ ଦେଖି ଖୁବ୍ ଶୀଘ୍ର ଯୋଗ ଦେବା ପାଇଁ କହିଥିଲେ। ମୁଁ ଜୀବନର ପ୍ରଥମ କ୍ୟାରିୟର ଆରମ୍ଭ କଲି ଓ ଦରମା ଥିଲା 1100ଟଙ୍କା।" ଅମିଶା ତାଙ୍କର କାର୍ଯ୍ୟ ପ୍ରତି ସମର୍ପିତ ଥିଲେ ଓ ଧୀରେ ଧୀରେ ସଫଳତାର ସିଡି ଚଢ଼ିବାରେ ଲାଗିଲେ। ସେ ଶପର୍ସ ଷ୍ଟପରେ ଅନେକଗୁଡ଼ିଏ ବିଭାଗର ପରିଚାଳନା ଦାୟୀତ୍ଵ ଗ୍ରହଣ କଲେ। "ମୋର ବିବାର ପ୍ରାରମ୍ଭିକ ଦିନ କଥା ମନେ ଅଛି ଯେତେବେଳେ ତାକୁ କେହି ଜାଣିନଥିଲେ ଏବଂ ଆଜି ଏହା ହେଉଛି 1200 କୋଟି ଟଙ୍କାର ଏକ ଉଦ୍ୟୋଗ ମୁଁ ବିବାର ପ୍ରଥମ କ୍ରେତା ଥିଲି।"

କିଛି ପ୍ରତିବନ୍ଧକ ସତ୍ତ୍ୱେ ସଫଳତାର ସିଡି ଚଢ଼ିବା

ଶପର୍ସ ଷ୍ଟପରେ ଯୋଗ ଦେବା ପରେ ଅମିଶା ପଛକୁ ଫେରି ଚାହିଁନଥିଲେ। ସେ ଭାରତରେ Swatch (ଓମେଗା ଗ୍ରୁପ୍)ରେ ଲିଡ୍ ସେଲ୍ ଭାବରେ ଯୋଗ ଦେଇଥିଲେ। "ମୋର ଗର୍ଭାବସ୍ଥାରେ ସମସ୍ୟା ହେତୁ ମୁଁ ଏକ ବର୍ଷ ପାଇଁ ବିରାମ ନେଇଥିଲି କିନ୍ତୁ କାର୍ଯ୍ୟକ୍ଷେତ୍ରକୁ ଫେରିବା ପରେ ମୁଁ କ୍ରସୱର୍ଡରେ କିଣାବିକା ଓ ମର୍ଚ୍ଚାଣ୍ଡାଇଜିଂ ହେଡ୍ ରୂପରେ ଯୋଗ ଦେଲି। ବିରାମ ନେବା ସମୟରେ ମଧ୍ୟ ମୁଁ ନିଜକୁ ମାର୍କେଟ୍ ସହିତ ଅପ୍ଡେଟ୍ ରଖୁଥିଲି।" ଅମିଶା କୁହନ୍ତି କିଛି ଅସଫଳତା ସତ୍ତ୍ୱେ ମହିଳାମାନେ ସେମାନଙ୍କର କାର୍ଯ୍ୟରେ ପଛଘୁଞ୍ଚା ଦେବା ଉଚିତ ନୁହେଁ।

କ୍ରସୱର୍ଡ ପରେ ଅମିଶା ଆଦିତ୍ୟ ବିର୍ଲା ରିଟେଲରେ ଯୋଗ ଦେଲେ। ଏହି ସୁଯୋଗ ପାଇଥିବାରୁ ସେ ନିଜକୁ ଖୁବ୍ ଭାଗ୍ୟବାନ ମନେ କରନ୍ତି ବୋଲି କହନ୍ତି। TRRAINରେ ଯୋଗ ଦେବା ପୂର୍ବରୁ ମୁଁ ଟେସ୍କୋରେ କାର୍ଯ୍ୟ କରୁଥିଲି। ସେତେବେଳେ ମୁଁ ଅଣଖାଦ୍ୟ ବ୍ୟବସାୟର ଦାୟୀତ୍ଵରେ ରହିଥିଲି।

TRRAIN କାହିଁକି

ଗ୍ରାଣ୍ଡ ହାୟାତର ବି.ଏସ୍. ନାଗେଶଙ୍କର ଅନୁପ୍ରେରଣା ମୋତେ ପ୍ରଭାବିତ କରିଥିଲା। ସେ ମୋତେ ରିଟେଲ୍ ଟ୍ରଷ୍ଟ ଆରମ୍ଭ କରିବା ପାଇଁ କହିଥିଲେ ଯାହା କି ଭାରତରେ ରିଟେଲ୍ ଇଣ୍ଡଷ୍ଟ୍ରି ପାଇଁ ପ୍ରଥମ ଥିଲା। ମୁଁ ତାଙ୍କର ସେହି ଚିନ୍ତାଧାରାକୁ ଗ୍ରହଣ କରି ତୁରନ୍ତ କାର୍ଯ୍ୟ ନିଷ୍ପତ୍ତି ନେଲି। TRRAINର ମୁଖ୍ୟ ଉଦ୍ଧେଶ୍ୟ ହେଉଛି ରିଟେଲ୍ ଉଦ୍ୟୋଗରେ ଲୋକମାନଙ୍କୁ ସଶକ୍ତ କରାଇବା। ମୋର ପୂର୍ବର କାର୍ଯ୍ୟ ଓ ବର୍ତ୍ତମାନ କାର୍ଯ୍ୟ ମଧ୍ୟରେ ଯଥେଷ୍ଟ ଉନ୍ନତି ହୋଇଛି। ପୂର୍ବରୁ ମୁଁ ଗୋଟିଏ ରିଟେଲରଙ୍କ ସହିତ କାର୍ଯ୍ୟ କରୁଥିଲି। ବର୍ତ୍ତମାନ ମୁଁ ଅନେକଙ୍କ ସହିତ କାର୍ଯ୍ୟ କରୁଛି।

ତାଙ୍କର ଏହି ସଫଳତା ବିଷୟରେ ଅମିଶା କହନ୍ତି, " ଆମେ ହାଇଦ୍ରାବାଦ ଠାରେ ଗୋଟିଏ ରିଟେଲ୍ ଷ୍ଟୋରେ ଏକ ଡିଜାବିଲିଟି ପ୍ରୋଜେକ୍ଟର ଆରମ୍ଭ କରିଥିଲୁ। 500 ଜଣ ଭିନ୍ନକ୍ଷମ ଲୋକଙ୍କୁ ଏଠାରେ ତାଲିମ୍ ପ୍ରଦାନ କରାଯାଇଥିଲା ଓ ଆଜି ସେମାନେ ସମସ୍ତେ ଚାକିରି କରିଛନ୍ତି। ଏପରି ଏକ କାର୍ଯ୍ୟ ସଫଳତାପୂର୍ବକ କରିପାରିଥିବାରୁ ମୁଁ ବହୁତ ଆମସନ୍ତୋଷ ଲାଭ କରିପାରିଛି। "

ରିଟେଲ୍ ପଟ୍ଟଚିତ୍ରରେ ପରିବର୍ତ୍ତନ

1990ର ପୂର୍ବରୁ ଭାରତର ରିଟେଲ୍ ବଜାର ଖୁବ୍ ସୀମିତ ଥିଲା। ଧୀରେ ଧୀରେ ଏହି ଅବସ୍ଥାରେ ପରିବର୍ତ୍ତନ ଆସିଲା ଏବଂ ଅନେକ ଗୁଡ଼ିଏ କ୍ଷୁଦ୍ର ରିଟେଲ୍ ବ୍ୟାପକ ହେବାରେ ଲାଗିଲେ। ପୂର୍ବରୁ କିଣାକିଣି କାର୍ଯ୍ୟ କେବଳ ପର୍ବପର୍ବାଣୀ ମଧ୍ୟରେ ସୀମିତି ଥିଲା। କିନ୍ତୁ ବର୍ତ୍ତମାନ ତାହାର ପରିସର ବୃଦ୍ଧି ପାଇଛି। ଇଣ୍ଟରନେଟର ବ୍ୟାପକ ପ୍ରସାର ହେତୁ ଗ୍ରାହକ ସଚେତନତା ବୃଦ୍ଧି ପାଇଛି। ସେମାନଙ୍କର କ୍ରୟ ମଧ୍ୟ ଅଧିକ ହୋଇଛି। ଗ୍ରାହକମାନେ ସେମାନଙ୍କର ଆବଶ୍ୟକତାକୁ ବୁଝିପାରିଛନ୍ତି ଓ ଏଥିପାଇଁ ମୂଲ୍ୟ ଦେବାକୁ ପ୍ରସ୍ତୁତ ଅଛନ୍ତି।

ତାଙ୍କର କ୍ୟାରିୟରର ସଫଳତା ସମ୍ବନ୍ଧରେ

"ଶପର୍ସ ଷ୍ଟପରୁ କାମ ଆରମ୍ଭ କରି ଟେସ୍କୋରେ କାର୍ଯ୍ୟ କରିବା ଭିତରେ ମୋ ପାଇଁ ଅନେକଗୁଡ଼ିଏ ମୂଲ୍ୟବାନ ଅନୁଭୂତି ଆସିପାରିଛି, ଯାହା ମୋତେ ଆଜି ଏହି ସଫଳତା ଦିଗରେ ପରିଚାଳିତ କରିଛି। ମୋର ଦ୍ଵିତୀୟ ବୃହତ୍ କ୍ୟାରିୟର ଲକ୍ଷ୍ୟ ବହି ବ୍ୟବସାୟ। ଯଦିଓ ଏହା ଏକ ସହଜିଆ ବ୍ୟବସାୟ ନଥିଲା ତଥାପି ମୁଁ ଏ ଦିଗରେ ସଫଳ ହୋଇପାରିଛି।"

ତାଙ୍କର କ୍ୟାରିୟରର ବିଫଳତା ସମ୍ବନ୍ଧରେ

କିଛି କ୍ଷେତ୍ରରେ ଟେସ୍କୋର ସମ୍ପୂର୍ଣ୍ଣ ପରିଚାଳନା କାର୍ଯ୍ୟ UKରେ ଥିଲା ଓ ସେଠିକାର ମ୍ୟାନେଜର ମାନେ ଭାରତୀୟ ଗ୍ରାହକଙ୍କୁ ବୁଝିବାକୁ ଚାହୁଁନଥିଲେ। ବେଳେ ବେଳେ ଆପଣଙ୍କୁ କିଛି କଠିନ ସଂଗ୍ରାମ କରିବାକୁ ପଡ଼ିଥାଏ ଏପରି କ୍ଷେତ୍ରରେ ମୁଁ ଦୃଢ଼ମନା ହୋଇ ଆମର ଗ୍ରାହକମାନଙ୍କୁ ଆମେ ଭଲ ଭାବେ ବୁଝିପାରୁ ବୋଲି ମୋ ମତରେ ଦୃଢ ରହି କାମ କରିଥିଲି।

ଯୁବା ମହିଳାମାନଙ୍କୁ ପରାମର୍ଶ

ମୋର ଜୀବନର ତିନୋଟି ଲକ୍ଷ୍ୟ ହେଉଛି ଉତ୍ସାହ, ଲୋକବଳ ଓ ଉଦ୍ଧେଶ୍ୟ

ଯଦି ଆପଣ ନିଜ କାର୍ଯ୍ୟରେ ଖୁସି ନୁହନ୍ତି, ତେବେ ସେହି ସଂସ୍ଥାଠାରୁ ଦୂରେଇ ଯିବା ଉଚିତ। ଅନ୍ୟଥା ଆପଣ ଆପଣଙ୍କର ଚତୁର୍ପାର୍ଶ୍ୱରେ ଥିବା ବ୍ୟକ୍ତିମାନଙ୍କୁ କେବଳ ନକାରାମତ୍କ ଭାବନା ପ୍ରେରଣ କରିବେ।

ତୃତୀୟ ଗୁରୁତ୍ତ୍ଵପୂର୍ଣ୍ଣ ବିଷୟଟି ହେଉଛି ଲୋକ ଏବଂ ଦଳଙ୍କ ଉପରେ ଗୁରୁତ୍ତ୍ଵ ପ୍ରଦାନ କରିବା। ମୋ କ୍ୟାରିୟରର ପ୍ରାରମ୍ଭରେ ଏ ବିଷୟଟିକୁ ମୁଁ ସର୍ବଦା ଧ୍ୟାନ ଦେଉଛି। ଥରେ ମୁଁ ମୋର ବସଙ୍କ ନିକଟକୁ ଯାଇ କାର୍ଯ୍ୟ କରୁନଥିବା କେତେକ କର୍ମଚାରୀଙ୍କ ବିଷୟରେ ଅଭିଯୋଗ କରିଥିଲି। ମୋର ବସ୍ ସେହି ସମୟରେ କହିଥିଲେ ଏହା ତାଙ୍କର ସମସ୍ୟା ନୁହେଁ। ବୋଧହୁଏ ତୁମର ନେତୃତ୍ଵ ନେବା କ୍ଷମତାରେ କିଛି ଅଭାବ ରହିଯାଇଛି। ଏହି କଥା ମୋର ହୃଦୟକୁ ଛୁଇଁ ଯାଇଥିଲା ଓ ମୁଁ ମୋର ଟିମକୁ ସଜାଡ଼ିବାରେ ଲାଗିଲି ଓ ସଫଳ ହେଲି ମଧ୍ୟ।

ରିଟେଲ୍ କ୍ଷେତ୍ରରେ କ୍ୟାରିୟର ଆରମ୍ଭ କରିବା ପାଇଁ ପେଶାଦାରମାନଙ୍କୁ ପରାମର୍ଶ

ଅମିଶା ସମସ୍ତ ଯୁବ ପେଶାଦାରମାନଙ୍କୁ ସପ୍ ଫ୍ଲୋରରେ କାର୍ଯ୍ୟ ଆରମ୍ଭ କରିବା ପାଇଁ ପରାମର୍ଶ ଦିଅନ୍ତି। ସେଠାରେ ଛଅ ମାସ କାର୍ଯ୍ୟ କଲେ ଆପଣ ରିଟେଲର ମୌଳିକ ବିଷୟଗୁଡ଼ିକୁ ଜାଣିପାରିବେ। ଏହାପରେ ଆପଣ ନିଜ କ୍ୟାରିୟରରେ ଅନେକ ସୁଯୋଗ ପାଇପାରିବେ। 2020 ସୁଦ୍ଧା ରିଟେଲ୍ ଉଦ୍ୟୋଗ ଦୁଇ ଗୁଣା ହେବାକୁ ଯାଉଛି। ତେଣୁ ସେହି ଅନୁଯାୟୀ ସିନିୟର ତଥା ମଧ୍ୟମ ବର୍ଗର କମର୍ଥାରୀମାନଙ୍କ ନିମନ୍ତେ ସୁଯୋଗର ଅଭାବ ରହିବ ନାହିଁ ବୋଲି ସେ କହନ୍ତି।

ଜଣେ ଦିଗ୍ଦର୍ଶକ ଆପଣଙ୍କୁ ସହାୟତା ଦେଇପାରିବେ

ଶପର୍ସ ଷ୍ଟପର ଭାଇସ୍ ଚେୟାରମ୍ୟାନ ବି.ଏସ୍. ନାଗେଶଙ୍କଠାରୁ ପ୍ରେରଣା ପାଇ ଅମିଶା ରିଟେଲ୍ କ୍ଷେତ୍ରରେ ତାଙ୍କର ପ୍ରାରମ୍ଭିକ ଜୀବନ ଆରମ୍ଭ କରିଥିଲେ। ସେ ଥିଲେ ଜଣେ ଦୂରଦୃଷ୍ଟିସମ୍ପନ୍ନ ବ୍ୟକ୍ତି। ତାଙ୍କ ସହିତ କାର୍ଯ୍ୟ କରିବା ଦ୍ଵାରା ଅନେକ କିଛି ଶିଖିବାର ସୁଯୋଗ ମିଳିଥାଏ। ଏପରିକି ମୁଁ ଅନ୍ୟ ସ୍ଥାନରେ କାର୍ଯ୍ୟ କରିବା ସମୟରେ କୌଣସି ଜଟିଳ ପରିସ୍ଥିତର ସମ୍ମୁଖୀନ ହେଲେ ଚିନ୍ତା କରିଥାଏ ଯେ ଏହି ସମସ୍ୟାକୁ ଶ୍ରୀ ନାଗେଶ କିପରି ସମାଧାନ କରିଥାନ୍ତେ।

ବୃହତ୍ ସଫଳତାର ଚାବିକାଠି

ସର୍ବଦା ସଠିକ୍ ଭାବରେ କାର୍ଯ୍ୟ କରିବା ଓ ସଫଳତା ପାଇଁ ସଂକ୍ଷିପ୍ତ ରାସ୍ତା ଗ୍ରହଣ ନକରିବା ହେତୁ ଅମିଶା ଆଜି ଉନ୍ନତିର ଶିଖରରେ ପହଞ୍ଚି ପାରିଛନ୍ତି। ଯଦି ମୋତେ ସଫଳତା ପାଇଁ କିଛି କଷ୍ଟ କରିବାକୁ ହେବ ତେବେ ମୋତେ ନିଶ୍ଚିତ ଏହା କରିବା ଆବଶ୍ୟକ। ଯେଉଁ କାର୍ଯ୍ୟକୁ ମୁଁ ଆରମ୍ଭ କରିଥାଏ ସେଥିରେ ନିଜର 100% ଦେବା ପାଇଁ ଚେଷ୍ଟା କରିଥାଏ ବୋଲି ଅମିଶା କହିଛନ୍ତି।

ନିଜକୁ ସର୍ବଦା ଅପ୍ଡେଟ୍ କରି ରଖନ୍ତୁ

ବହୁତ ପଢ଼ାପଢ଼ି କରନ୍ତୁ। ନିଜକୁ ଇଣ୍ଟରନେଟ୍ ଜରିଆରେ ଅପ୍ଡେଟ୍ କରି ରଖନ୍ତୁ। ନିଜର ଉଦ୍ୟୋଗ ତଥା ବାହାରେ ଲୋକମାନଙ୍କ ସହିତ ସମ୍ପର୍କରେ ରୁହନ୍ତୁ। ଏହା ଥିଲା ତାଙ୍କର ପରାମର୍ଶ। ମୋତେ Twitterରେ ଲୋକମାନଙ୍କ ସହିତ ଭାବର ଆଦାନ ପ୍ରଦାନ କରିବାକୁ ଭଲ ଲାଗେ। ପ୍ରତିଦିନ କିଛି ନା କିଛି ନୂଆ ଶିଖିବା ଆବଶ୍ୟକ ବୋଲି ଅମିଶା କୁହନ୍ତି। 

ମୂଳ ଲେଖା - ବର୍ଷା ଅଦୁସୁମଲ୍ଲୀ

ଅନୁବାଦ - ତପନ ମହାରଣା

    Share on
    close