ଖାଦ୍ୟ ଅପଚୟ କମାଇ ଭୋକିଲାଙ୍କୁ ଖାଦ୍ୟ ଦେଉଛି ହାଇଦ୍ରାବାଦର GlowTide

ଖାଦ୍ୟ ଅପଚୟ କମାଇ ଭୋକିଲାଙ୍କୁ ଖାଦ୍ୟ ଦେଉଛି ହାଇଦ୍ରାବାଦର GlowTide

Saturday October 31, 2015,

2 min Read

କ୍ଷୁଧା ବିଶ୍ଵର ଏକ ସବୁଠାରୁ ବଡ଼ ସମସ୍ୟା ମଧ୍ୟରେ ଅନ୍ୟତମ। ପୁଣି ଏକ ଗୁରୁତ୍ତ୍ଵପୂର୍ଣ୍ଣ ବିଷୟ ହେଉଛି ଯେ ବିଶ୍ଵର ପ୍ରାୟ ୯୮ ପ୍ରତିଶତ ଭୋକିଲା ବ୍ୟକ୍ତି ବିକାଶଶୀଳ ଦେଶଗୁଡିକରେ ରହନ୍ତି। ୨୦୧୩ର ବିଶ୍ଵ କ୍ଷୁଧା ସୂଚକାଙ୍କ ଅନୁସାରେ ବିଶ୍ଵର ମୋଟ ଭୋକିଲାଙ୍କ ମଧ୍ୟରୁ କେବଳ ଭାରତରେ ପ୍ରାୟ ଏକ ଚତୁର୍ଥାଂଶ ବାସକରନ୍ତି। ଏମାନଙ୍କ ସଂଖ୍ୟା ପ୍ରାୟ ୨୧ କୋଟି ହେବ। ଏହାଠାରୁ ବଳି ଦୂର୍ଭାଗଗ୍ୟଜନକ କଥା ଆଉ କଣ ଥାଇପାରେ? ବିଶ୍ଵରେ ବିଗତ ବର୍ଷମାନଙ୍କରେ କୃଷି ଉତ୍ପାଦନ ଯେତିକି ବଢିଛି ତାହା ବିଶ୍ଵର ସବୁ ବ୍ୟକ୍ତିଙ୍କୁ ପେଟପୁରା ଖାଦ୍ୟ ଯୋଗାଇବାକୁ ଯଥେଷ୍ଟ। ତଥାପି କାହିଁକି କୋଟି କୋଟି ଲୋକ ଓପାସରେ ଶୋଉଛନ୍ତି? ଏହା ଏକ ଜଟିଳ ପ୍ରଶ୍ନ ହୋଇପାରେ କାରଣ ଏହାର ରାଜନୈତିକ, ଅର୍ଥନୈତିକ କାରଣସବୁ ରହିଛି। ତେବେ ଏହା ସମସ୍ତେ ସ୍ଵୀକାର କରିବେ ଯେ ଦାରିଦ୍ର୍ୟ ଓ ଖାଦ୍ୟ ନଷ୍ଟ ଏହାର ଏକ ବଡ଼ କାରଣ।

ଖାଦ୍ୟ ନଷ୍ଟ

ଗୋଟିଏ ପଟେ କୋଟି କୋଟି ଲୋକ ଭୋକିଲା ରହୁଥିବା ବେଳେ ଅନ୍ୟପଟେ ଦେଶ ରେସ୍ତୋରାଁ, ହୋଟେଲ, ବାହାଘର ଭୋଜି ଇତ୍ୟାଦିରେ ପ୍ରଚୁର ପରିମାଣରେ ଖାଦ୍ୟସାମଗ୍ରୀ ନଷ୍ଟ ହୋଇଥାଏ। ଥରେ ମୁସ୍ତାଫା ହାସମୀ ଏହି ସମସ୍ୟାକୁ ହୃଦୟଙ୍ଗମ କରିପାରିଲେ। ଏକ ଘଟଣା ସଂପର୍କରେ ମନେ ପକାଇ ସେ କୁହନ୍ତି, ଥରେ ଏକ ସ୍ୟାଣ୍ଡୱିଚ କିଣିବାକୁ ଗଲାବେଳେ ଦେଖନ୍ତି ଯେ ଏକ ଲୋକ ନିକଟରେ ଥିବା ଏକ ଡ୍ରେନରୁ ପାଣି ପିଉଛି । ଏହା ଦେଖି ବେଶ ଦୁଃଖ ଲାଗିଲା। ତା ସହିତ କଥାବାର୍ତ୍ତା କରି ଜାଣିଲି ଯେ ସେ ଗତ ୧୪ ଦିନ ହେଲା ଭୋକିଲା ଅଛି, ଏପରିକି ପାଣି ଗ୍ଲାସେ କିଣିବା ପାଇଁ ତା ପାଖରେ ଅର୍ଥ ନାହିଁ।

image


ସମାଧାନ

ଏହି ସମସ୍ୟାର ସମାଧାନ ଲାଗି ଆଗେଇ ଆସିଲେ ହାସମୀ। ହାଇଦ୍ରାବାଦ ସ୍ଥିତ ଭିଆଇଏଫ କଲେଜ ଅଫ ଇଂଜିନିୟରିଂ ଏଣ୍ଡ ଟେକନଲୋଜୀ(ଜେଏନଟିୟୁର ଶେଷ ବର୍ଷ ଇଂଜିନିୟରିଂ ଛାତ୍ର ହାସମୀ ଏଥିପାଇଁ ଆରମ୍ଭ କଲେ GlowTide ନାମକ ଏନଜିଓ। GlowTide ତରଫରୁ ବିଭିନ୍ନ ରେସ୍ତୋରାଁ,ହେଟୋଲ,କର୍ପୋରେଟ କ୍ୟାନ୍ଟିନ, ଭୋଜିସ୍ଥଳୀରୁ ବଳକା ଖାଦ୍ୟ ସଂଗ୍ରହ କରି ସହରର ଭୋକିଲାମାନଙ୍କୁ ଦିଆଯାଇଥାଏ। ସେମାନେ ଗତ ୬ ମାସ ଧରି ସକ୍ରିୟ ଅଛନ୍ତି ଓ ଏବେ ଦିନକୁ ୧୨୫ରୁ ୧୫୦ଲୋକଙ୍କୁ ଖାଦ୍ୟ ଦିଆଯାଉଛି। ଏ କ୍ଷେତ୍ରରେ ହାସମୀଙ୍କୁ ଆଉ ୬ ଜଣ ସାହାଯ୍ୟ କରୁଛନ୍ତି।

image


ସଂପ୍ରସାରଣ

ଗ୍ଲୋଟାଇଡ୍ ଟିମ ବଡ଼ ହେବା ସହ ସେମାନଙ୍କ ଏହି କାମ ସହଜ ହେବାକୁ ଲାଗିଲା, କିନ୍ତୁ ପ୍ରତିଦିନ ବଳକା ଖାଦ୍ୟ ଦେଉଥିବା ରେସ୍ତୋରାଁ ବା ହୋଟେଲ ଖୋଜିବା, ଖାଦ୍ୟଦ୍ରବ୍ୟର ପରିବହନ ଓ ବଣ୍ଟନ ପାଇଁ ସ୍ଵେଚ୍ଛାସେବୀ ଯୋଗାଡ ଏବେ ମଧ୍ୟ ଚ୍ୟାଲେଞ୍ଜ ହୋଇ ରହିଛି। ଖାଦ୍ୟଦ୍ରବ୍ୟ ପରିବହନ ପାଇଁ ସେମାନେ ବ୍ୟକ୍ତିଗତ ଗାଡି କିମ୍ବା ଭଡାରେ ଆସିଥିବା ଅଟୋରିକ୍ସା ବ୍ୟବହାର କରନ୍ତି ଓ ଆଗାମୀ ଦିନରେ ସ୍ଵେଚ୍ଛାସେବୀ ସଂଖ୍ୟା ବଢାଇ ସହରର ଅଧିକରୁ ଅଧିକ ସଂଖ୍ୟକ ଗରିବ ଲୋକଙ୍କ ପାଖରେ ପହଞ୍ଚିବାକୁ ଲକ୍ଷ୍ୟ ରଖିଛନ୍ତି। ନିଜର ସଂଗଠନକୁ ଆହୁରି ବଢାଇବା ଲାଗି GlowTide ପକ୍ଷରୁ ଗରିବ ଲୋକଙ୍କୁ ଆଶ୍ରୟ ଦେଉଥିବା ସ୍ଵେଚ୍ଛାସେବୀ ସଂସ୍ଥାଙ୍କ ସହ ସହବନ୍ଧନ, ଅଧିକ ସଂଖ୍ୟକ ରେସ୍ତୋରାଁ, କର୍ପୋରେଟ କ୍ୟାଣ୍ଟିନ ସହ ଯୋଗାଯୋଗ ଏବଂ ଟଙ୍କାଟିଏ ଦାନ ଅଭିଯାନ ଆରମ୍ଭ ଇତ୍ୟାଦି କାର୍ଯ୍ୟକ୍ରମ ଆରମ୍ଭ କରାଯାଉଛି। ଏ ସଂପର୍କରେ ହାସମୀ କୁହନ୍ତି ଆସନ୍ତା ୩ ବର୍ଷରେ ମାସକୁ ପ୍ରାୟ ୨୦ ହଜାର ଲୋକଙ୍କୁ ଗୋଟିଏ ଥରର ଖାଦ୍ୟ ପ୍ରଦାନ ପାଇଁ ଲକ୍ଷ୍ୟ ରଖନ୍ତୁ। 

ଆପଣ ଯଦି GlowTideକୁ ସହଯୋଗ କରିବାକୁ ଚାହାନ୍ତି, ଅଥବା ନିଜ ରେସ୍ତୋରାଁ, ଘରର ବଲକା ଖାଦ୍ୟ ଦାନ କରିବାକୁ ଚାହାନ୍ତି ତେବେ [email protected]ରେ ଇମେଲ କରନ୍ତୁ। (ଏବେ ସେମାନେ କେବଳ ହାଇଦ୍ରାବାଦରେ ସକ୍ରିୟ ଅଛନ୍ତି)