ହ୍ୱିଲଚେୟାରରେ ବିଶ୍ୱଭ୍ରମଣ

0

ପରବିନ୍ଦର ଚାୱଲାଙ୍କ ବୟସ ଯେତେବେଳେ ୧୫ ବର୍ଷ, ଜଣାପଡ଼ିଲା ସେ Rheumatoid Arthritis (ଏକପ୍ରକାର ବାତ) ରୋଗରେ ପୀଡ଼ିତ । ପିଲାଟି ବେଳୁ ଖେଳକୁଦ କରୁଥିବା ଓ କଥକ ନୃତ୍ୟରେ ନାଁ କରିଥିବା ପରବିନ୍ଦର କିଶୋରୀ ବୟସରୁ ହ୍ୱିଲଚେୟାରର ସାହାରା ନେଲେ । ସେ ଜାଣିଥିଲେ ଆଉ ଚାଲିପାରିବେ ନାହିଁ, କିନ୍ତୁ ସ୍ଵପ୍ନ ତାଙ୍କର ମଉଳିଲାନି । ଆଉ ଏବେ ୪୬ ବର୍ଷ ବୟସରେ ସେ ଏକାକୀ ହ୍ୱିଲଚେୟାରରେ ବସି ବିଶ୍ୱଭ୍ରମଣ କରୁଛନ୍ତି ।

ସବୁ ପ୍ରତିକୂଳ ପରିସ୍ଥିତିକୁ ସାମନା କରିବା ପରେ ପରବିନ୍ଦର ଅନୁଭବ କଲେ, ତାଙ୍କୁ ସକାରାତ୍ମକ ହେବାକୁ ପଡ଼ିବ। ଇଣ୍ଟରନେଟ୍ ମାଧ୍ୟମରେ ସେ ବିଶ୍ୱର ବିଭିନ୍ନ କୋଣରେ ବ୍ୟକ୍ତିବିଶେଷଙ୍କ ସହ ବନ୍ଧୁତା ସ୍ଥାପନ କଲେ । ତାଙ୍କୁ ତାଙ୍କର ବନ୍ଧୁ ଓ ପରିବାର ବର୍ଗ ମଧ୍ୟ ସମର୍ଥନ କରନ୍ତି । ହଫିଙ୍ଗ୍ଟନ୍ ପୋଷ୍ଟକୁ ପରବିନ୍ଦର କହନ୍ତି, ‘ମୋ ରୋଗକୁ ନେଇ ମୁଁ ମୋର ମାନସିକତା ବଦଳାଇଲି । ଏଥିପାଇଁ ସବୁ ଶ୍ରେୟ ମୋ ଚାରିପାଖର ଲୋକ ହିଁ ପାଇବେ । ମୋ ବନ୍ଧୁମାନେ ହିଁ ମୋର ବଡ଼ ସମର୍ଥକ । ସେମାନେ ମୋ ବାହାଡ଼ା ଦାନ୍ତକୁ ଠିକ କରିବାକୁ ଉତ୍ସାହିତ କରିଥିଲେ । ମୋତେ ଚାଲିବା ପାଇଁ ମୋ ମାଁ ଉତ୍ସାହିତ କରୁଥିଲେ । ଆମେ କୌଣସି ପ୍ରକାର ପ୍ରଚେଷ୍ଟାକୁ ହାତଛଡ଼ା କରିନାହୁଁ।’

ମୁମ୍ବାଇରେ ରେସ୍ତୋରାଁ ବ୍ୟବସାୟ କରୁଥିବା ତାଙ୍କ ବାପା ହିଁ ପରବିନ୍ଦରଙ୍କୁ ଲଣ୍ଡନ ଯିବାକୁ ଉତ୍ସାହିତ କରିଥିଲେ । ଇଣ୍ଟରନେଟ୍ ମାଧ୍ୟମରେ ସେ ଲଣ୍ଡନରେ କିଛି ଭଲ ବନ୍ଧୁ ପାଇ ସାରିଥିଲେ । ଯେତେବେଳେ ସେ ଲଣ୍ଡନ ଗଲେ, ସେଇ ବନ୍ଧୁମାନେ ତାଙ୍କୁ ବେଶ୍ ସମର୍ଥନ କଲେ ଓ ଆଖପାଖ ବୁଲାଇଲେ । ଏଇଠୁ ପରବିନ୍ଦରଙ୍କର ବିଶ୍ୱଭ୍ରମଣ ଆରମ୍ଭ ହେଲା । ସେବେ ଠାରୁ ସେ ଏକ ଏକା ହ୍ୱିଲଚେୟାରରେ ଆମେରିକା, ଇଣ୍ଡୋନେସିଆ, ବାଲି ଆଦି ୧୧ଟି ଦେଶ ବୁଲି ସାରିଲେଣି ।

ଅବଶ୍ୟ ଭାରତ ଭିତରେ ଭ୍ରମଣ କଲାବେଳେ ସେ ନିଜ ଗନ୍ତବ୍ୟ ସ୍ଥଳକୁ ବାହାରିବା ଆଗରୁ ଦି’ଥର ଭାବନ୍ତି । ୟାହୁରେ ପ୍ରକାଶିତ ତାଙ୍କର ଏକ ସାକ୍ଷାତକାରରେ ସେ କହିଥିଲେ, ‘ଭାରତ ଭିତରେ ବୁଲିବାକୁ ବାହାରିଲେ ମୋତେ ଭାବିବାକୁ ପଡେ଼, ମୋ ଗନ୍ତବ୍ୟ ବାବଦରେ ବିଶଦ ବୁଝିବାକୁ ହୁଏ । ପର୍ଯ୍ୟଟନ ସ୍ଥଳଗୁଡ଼ିକୁ ଭିନ୍ନକ୍ଷମଙ୍କ ଗନ୍ତବ୍ୟ ଉପଯୋଗୀ କରିବାକୁ ସରକାର ଗୁରୁତ୍ୱର ସହକାରେ ଚିନ୍ତା କରିବା ଉଚିତ ।’