ବାଲେଶ୍ୱରର ଯୁବକ ଦୀପକଙ୍କ ନୂଆ ଷ୍ଟାର୍ଟ-ଅପ “ଗ୍ଲୋବାଲ ଟେକ୍’

ବାଲେଶ୍ୱରର ଯୁବକ ଦୀପକଙ୍କ ନୂଆ ଷ୍ଟାର୍ଟ-ଅପ “ଗ୍ଲୋବାଲ ଟେକ୍’

Thursday March 31, 2016,

2 min Read

ଖୁବ କମ ସମୟରେ ଆଉ କମ୍ ବୟସରେ ଫେସବୁକ ଓ ମାଇକ୍ରୋସଫଟ କଂପାନିର ହଲ୍ ଅଫ ଫେମରେ ସ୍ଥାନିତ ହୋଇଛନ୍ତି ଜଣେ ଓଡ଼ିଆ ଯୁବକ । ଜଣେ ଏଥିକାଲ ହ୍ୟାକର ଭାବେ ସେ ଏବେ ଚର୍ଚ୍ଚାରେ । ତା ଛଡ଼ା ୨୦୧୩ରୁ ସେ ଆରମ୍ଭ କରିଛନ୍ତି ନିଜର ଷ୍ଟାର୍ଟ ଅପ୍ କଂପାନି ଗ୍ଲୋବାଲ୍ ଟେକ୍ ପ୍ରମୋଟର୍ସ ଡଟ କମ । ଏବେ ତାଙ୍କର କ୍ଲାଏଣ୍ଟ ତାଲିକାରେ ଅଛନ୍ତି କୋଟାକ ମହିନ୍ଦ୍ରା ବ୍ୟାଙ୍କ ପରି ନାମଜାଦା ସଂସ୍ଥା ଓ ଆହୁରି ଅନେକ ବହୁରାଷ୍ଟ୍ରୀୟ ସଂସ୍ଥା । ନିଜ ୱେବ ସିକୁ୍ୟରିଟି ବା ସୁରକ୍ଷାରେ ଥିବା ତ୍ରୁଟି ସୁଧାରିବାର ଦାୟିତ୍ୱ ସେମାନେ ଅର୍ପଣ କରିଛନ୍ତି ଗ୍ଲୋବାଲ୍ ଟେକକୁ । ଏଥିରେ ଏବେ ୧୨ରୁ ଅଧିକ କର୍ମଚାରୀ କାର୍ଯ୍ୟରତ ।

image


ଗୌରବର ବିଷୟ ଏହି ଓଡ଼ିଆ ଯୁବକଙ୍କ ଘର ବାଲେଶ୍ୱର ଜିଲ୍ଲାର ଜଳେଶ୍ୱରରେ । ସେ ହେଉଛନ୍ତି ଦୀପକ କୁମାର ନାଥ । ବୟସ ମାତ୍ର ୨୨ । ବାଲେଶ୍ୱର ଜିଲ୍ଲା ସ୍କୁଲରୁ ମାଟ୍ରିକ ପାସ କରିବା ପରେ ଏଫ୍ଏମ୍ କଲେଜରେ ଯୁକ୍ତ ଦୁଇ ବିଜ୍ଞାନ ଏବଂ ଏହାପରେ ଟ୍ରାଇଡେଂଟ ଇଞ୍ଜିନିୟରିଂ କଲେଜରୁ ସେ ବିଟେକ ପାସ୍ କରିଛନ୍ତି ଇଲେକ୍ଟ୍ରିକାଲ ଓ ଇଲେକ୍ଟ୍ରୋନିକ୍ସ ବିଭାଗରେ । ପାରମ୍ପରିକ ଚାକିରି ପଛରେ ନଗୋଡ଼ାଇ ନିଜେ କିଛି କରିବାର ଅଭିଳାଷ ନେଇ ସେ ପିଲାଟି ଦିନରୁ ସ୍ୱପ୍ନ ଦେଖୁଥିଲେ । ଆଉ ଏହି ସ୍ୱପ୍ନ ହିଁ ତାଙ୍କୁ ଇଞ୍ଜିନିୟରିଂ ପଢ଼ିବା ସମୟରେ ସଫଳତା ଦେଇଥିଲା । ଫେସବୁକରେ ଥିବା ସୁରକ୍ଷାଗତ ତ୍ରୁଟିକୁ ଦର୍ଶାଇ ସେ ଜିତିଥିଲେ ୨ ହଜାର ଡଲାର (ଭାରତୀୟ ମୁଦ୍ରାରେ ପ୍ରାୟ ଏକ ଲକ୍ଷ ୨୦ ହଜାର ଟଙ୍କା) ଏବଂ ଜବ ଅଫର । ସେତେବେଳେ ସେ ଇଞ୍ଜିନିୟରିଂ ଡିଗ୍ରିର ତୃତୀୟ ବର୍ଷ ଛାତ୍ର । ତେଣୁ ସେ କାଲିଫର୍ଣ୍ଣିିଆରେ ପାଇଥିବା ଏହି ସୁଯୋଗକୁ ଗ୍ରହଣ କରି ନଥିଲେ । ଏହା ପରେ ପୁଣି ସେ ମାଇକ୍ରୋସଫ୍ଟ କଂପାନିର ସୁରକ୍ଷାଗତ ତ୍ରୁଟିକୁ ଦର୍ଶାଇ ପ୍ରଥମେ ୮୦୦ ଡଲାର ଓ ପରେ ୫୦୦ ଡଲାର ଅର୍ଥରାଶି ପାଇଥିଲେ । ତା' ସହିତ ଜଣେ ଏଥିକାଲ ହ୍ୟାକର ଭାବେ ପାଇଥିଲେ ଆନ୍ତର୍ଜାତିକ ସ୍ୱୀକୃତି ।

image


ତାଙ୍କ ଭାଷାରେ ଜଣେ ଏଥିକାଲ ବା ୱ୍ହାଇଟ ହ୍ୟାଟ ହ୍ୟାକର କେବଳ ସମାଜର ଭଲ ପାଇଁ କାର୍ଯ୍ୟ କରିଥାଏ । ବିପରୀତ ଭାବେ ବ୍ଲାକ ହ୍ୟାଟ ହ୍ୟାକର ଯାବତୀୟ ସାଇବର କ୍ରାଇମ ର ମୂଳ । ଏହି ବ୍ଲାକ ହ୍ୟାଟ୍ ହ୍ୟାକରଙ୍କ ସାଇବର କ୍ରାଇମ୍ କୁ ଧରିବା ପାଇଁ ସେ ହାଇଦ୍ରାବାଦସ୍ଥିତ ଜାତୀୟ ପୁଲିସ ଏକାଡେମିରେ ଆଇପିଏସ୍ ଶିକ୍ଷାନବୀସଙ୍କୁ ତାଲିମ ଦେଇଛନ୍ତି । 

ନିଜ ଟିମ ସହ ସୁଶାନ୍ତ

ନିଜ ଟିମ ସହ ସୁଶାନ୍ତ


ତେବେ ଦୀପକଙ୍କ କହିବା କଥା- 

ନେଟ୍ ସିକୁ୍ୟରିଟି ଉପରେ କାର୍ଯ୍ୟ କରିବା ପାଇଁ ଓଡ଼ିଶାରେ ସୁଯୋଗ ହିଁ ନାହିଁ । ଦ୍ୱିତୀୟରେ ଜଣେ ଉଦ୍ୟୋଗବିତ ଭାବେ ନିଜକୁ ପ୍ରତିଷ୍ଠିତ କରିବା ଲାଗି ଏଠାରେ ପ୍ରୋତ୍ସାହନର ଅଭାବ ରହିଛି । ଚାକିରି କରିବାର ମନୋବୃତି, ପାରିବାରିକ ଚାପ ଆଗରେ ସୃଜନଶୀଳତା ବା କିଛି ଗୋଟିଏ କରିବାର ନିଶା ଅକାଳ ମୃତ୍ୟୁ ଲଭେ ବୋଲି ସେ କହନ୍ତି । ତଥାପି ଭୁବନେଶ୍ୱରରେ ପ୍ରତିଷ୍ଠା କରିଥିବା ନିଜର ଷ୍ଟାର୍ଟଅପ୍ କଂପାନି ଗ୍ଲୋବାଲ୍ ଟେକ୍ କୁ ଆଗକୁ ବଢ଼ାଇବାକୁ ଉଦ୍ୟମରତ ।