Eko ସହାୟତାରେ ନିକଟସ୍ଥ ସଉଦାପତ୍ର ଦୋକାନରେଖୋଲନ୍ତୁ ନିଜର ବ୍ୟାଙ୍କ ସଞ୍ଚୟ ଖାତା

Eko ସହାୟତାରେ ନିକଟସ୍ଥ ସଉଦାପତ୍ର ଦୋକାନରେଖୋଲନ୍ତୁ ନିଜର ବ୍ୟାଙ୍କ ସଞ୍ଚୟ ଖାତା

Monday November 16, 2015,

3 min Read

କଥାଟି କାନକୁ ଅଡୁଆ ଅଡୁଆ ଶୁଣାଯାଉଛି କି? ଅଡୁଆ ଶୁଣାଗଲେ ବି କଥାଟି ସତ। ଏବେ ସଞ୍ଚୟ ଖାତା ଖୋଲିବା ପାଇଁ ଆପଣଙ୍କୁ ଆଉ ବ୍ୟାଙ୍କର ଲମ୍ବା ଧାଡିରେ ଘଣ୍ଟା ଘଣ୍ଟା ଠିଆ ହେବାକୁ ପଡିବ ନାହିଁ। Ekoବ୍ୟାଙ୍କିଙ୍ଗ ସହାୟତାରେ ଆପଣ ନିଜ ଘର ପାଖ ଡାଲି ଚାଉଳ ,ସଉଦାପତ୍ର ବା ଖୁଚୁରା ଦୋକାନରେ ବ୍ୟାଙ୍କ ସଞ୍ଚୟ ଖାତା ଖୋଲି ପାରିବେ। ଏହି ସ୍ୱଳ୍ପ ନିବେଶଭିତ୍ତିକ, ସୁରକ୍ଷିତ ଓ ଅଭିନବ ସମାଧାନ ସୂତ୍ର ଦେଇ Eko ସହରାଞ୍ଚଳର ଗରିବମାନଙ୍କ ପାଇଁ ବ୍ୟାଙ୍କିଙ୍ଗ ସେବାକୁ ଏକ ନୂତନ ଦିଗନ୍ତ ପ୍ରଦାନ କରିଛି।

image


ପ୍ରେରଣା

ରିଜର୍ଭ ବ୍ୟାଙ୍କର ତଥ୍ୟ ଅନୁଯାୟୀ କେବଳ ୫୯ ପ୍ରତିଶତ ଭାରତୀୟ ପରିବାରଙ୍କ ପାଖରେ ବ୍ୟାଙ୍କ ଖାତା ରହିଛି। ଏହି ତଥ୍ୟ ଚାହିଦା ଓ ଯୋଗାଣ ଭିତରେ ଥିବା ବିଷମତାକୁ ଦର୍ଶାଇଥାଏ। ଏହି ବିଷମତାକୁ ଦୂର କରିବା ହିଁ Eko ପଛର ପ୍ରେରଣା ଥିଲା। ଖୁଚୁରା ଦୋକାନ, ଦୂର ସଞ୍ଚାର ସେବା ଓ ବ୍ୟାଙ୍କ ଭିତ୍ତିଭୂମିର ସମିଶ୍ରଣ ଘଟାଇ ସାଧାରଣ ଲୋକଙ୍କ ପାଖରେ ଶାଖା ବିହୀନ ବ୍ୟାଙ୍କିଙ୍ଗ ସେବା ପହଞ୍ଚାଇବା ଏହାର ଲକ୍ଷ୍ୟ। ପାରମ୍ପରିକ ବ୍ୟାଙ୍କିଙ୍ଗ ଭିତ୍ତିଭୂମି ଠାରୁ ଅପହଞ୍ଚ ଦୂରତାରେ ଥିବା ଲୋକମାନଙ୍କ ପାଖରେ ବ୍ୟାଙ୍କିଙ୍ଗ ସେବା ଯୋଗାଇ ଦେବା ପାଇଁ ଏହା ପ୍ରୟାସରତ। ଖୁଚୁରା ଦୋକାନ ମାନଙ୍କରେ ଥିବା Ekoକାଉଣ୍ଟରରେ ପଇସା ଜମା, ଉଠାଣ,ସଞ୍ଚୟ ଖାତା ଖୋଲିବା,ଯେକୌଣସି ସ୍ଥାନକୁ ଅର୍ଥ ପ୍ରେରଣ ସହ ଫିକ୍ସଡ ଓ ରେକରିଙ୍ଗ ଡିପୋଜିଟର ମଧ୍ୟ ସୁବିଧା ରହିଛି।

ବୈଷୟିକ ଜ୍ଞାନ ଓ ଉତ୍ପାଦ

Eko Outlet

Eko Outlet


Ekoର କାର୍ଯ୍ୟଶୈଳୀ ବହୁସ୍ତରୀୟ ଓ ଏଥିରେ ଲେଣଦେଣ ପାଇଁ USSD, SMS, IVR ଓ Application ପରି ବୈଷୟିକ ଜ୍ଞାନର ବ୍ୟବହାର କରାଯାଏ। ଏହି ସେବା ସମସ୍ତ ମୋବାଇଲ ଫୋନରେ ଉପଲବ୍ଧ ହୋଇପାରେ। ଲେଣଦେଣକୁ ସୁରକ୍ଷିତ କରିବା ପାଇଁ One Time Passwordର ବ୍ୟବସ୍ଥା ମଧ୍ୟ ରହିଛି। ଏଥିପାଇଁ Eko ସ୍ୱଳ୍ପ ଖର୍ଚରେ OTP ପ୍ରସ୍ତୁତ କରୁଥିବା generator‘OkeKey’ ତିଆରି କରାଯାଇଛି। ଏହି ପ୍ରକ୍ରିୟାରେ ଲେଣଦେଣ କରିବା ପାଇଁ ବ୍ୟବହାରକାରୀ ଊଚ୍ଚ ଶିକ୍ଷିତ ହେବା ଜରୁରୀ ନୁହେଁ। କେବଳ ସଂଖ୍ୟା ଚିହ୍ନିବା ଜାଣିଥିଲେ ଏଥିରେ ଲେଣଦେଣ କରିହେବ। ଏହା ଉପରେ ମତ ରଖି ସଂସ୍ଥାର ସହ ପ୍ରତିଷ୍ଠାତା ଓ ସିଓଓ ଅଭିନବ ସିହ୍ନା କୁହନ୍ତି, “ ସୂଚନା ଓ ପ୍ରଯୁକ୍ତି ବିଦ୍ୟା ହେଉଛି ଆମ କାର୍ଯ୍ୟକାରିତାର ମେରୁଦଣ୍ଡ। ଏହା ବିନା ପାରମ୍ପରିକ ବ୍ୟାଙ୍କିଙ୍ଗ ସେବାର ଭିତ୍ତିଭୂମିରୁ ବାହାରି ଆସି ନୂଆ କିଛି କରିବା ସହଜ ନଥିଲା।“

image


ପ୍ରଭାବ

image


ଏହି ସେବା ମାଧ୍ୟମରେ ବର୍ତ୍ତମାନ ପ୍ରାୟ କୋଡିଏ ଲକ୍ଷରୁ ଅଧିକ ଲୋକ ଉପକୃତ ହେଉଛନ୍ତି। ଦିଲ୍ଲୀ,ମୁମ୍ବାଇ, ପଞ୍ଜାବ, ଉତ୍ତର ପ୍ରଦେଶ, ବିହାର ଓ ହାଇଦ୍ରାବାଦ ଅଞ୍ଚଳରେ ପ୍ରାୟ ୨୦୦୦ଟି ଦୋକାନରେ ଏହି ସେବା ଉପଲବ୍ଧ।

ସହଭାଗିତା

ଭାରତୀୟ ଷ୍ଟେଟ ବ୍ୟାଙ୍କ, ୟେସ ବ୍ୟାଙ୍କ ଓ ଏଚ.ଡ଼ି.ଏଫ.ସି ବ୍ୟାଙ୍କ ସହ Eko ଏହି ପ୍ରକଳ୍ପରେ ଅଂଶୀଦାର ଭାବେ କାର୍ଯ୍ୟ କରୁଛି। ଏହି ସହଭାଗିତାର କାରଣ ଉପରେ ମତ ଦେଇ ଅଭିନବ କୁହନ୍ତି,”ସମ୍ପ୍ରତିSBI ହେଉଛି ଭାରତର ବୃହତ୍ତମ ବ୍ୟାଙ୍କ। ବେସରକାରୀ ବ୍ୟାଙ୍କ ମାନଙ୍କ ମଧ୍ୟରେ ଏଚ.ଡ଼ି.ଏଫ.ସି ହେଉଛି ସବୁଠୁ ଅଗ୍ରଣୀ। ୟେସ ବ୍ୟାଙ୍କ ନୂଆ ହେଲେ ବି ଅନେକ ଅଭିନବ ଜ୍ଞାନ କୌଶଳର ବ୍ୟବହାର କରୁଛି। ସେଥିପାଇଁ ଆମେ ଏହି ତିନୋଟି ବ୍ୟାଙ୍କ ସହ ସହବନ୍ଧନ କରିଥିଲୁ।“

ଭବିଷ୍ୟତ ପାଇଁ ଲକ୍ଷ୍ୟ

NSIH 2013 awards Ekoକୁ ନିଜ କ୍ଷେତ୍ରର ଗୋଟିଏ ଅଗ୍ରଣୀ ସଂସ୍ଥା ଭାବେ ଅଧିକ ପରିଚିତି ଓ ପ୍ରସିଦ୍ଧି ଆଣି ଦେଇଛି। ସବୁଠାରୁ କମ ଖର୍ଚରେ ବ୍ୟାଙ୍କିଙ୍ଗ ସେବା ଯୋଗାଇ ଦେବା କ୍ଷେତ୍ରରେ ବର୍ତ୍ତମାନ ଭାରତର ସବୁଠାରୁ ବଡ ସଂସ୍ଥା ହେଲା Eko। ଆଗକୁ ଛୋଟ ସହର ଓ ଗ୍ରାମାଞ୍ଚଳରେ ନିଜର ସେବା ଯୋଗାଇ ଦେବାକୁ ଏହି ସଂସ୍ଥା ଲକ୍ଷ୍ୟ ରଖିଛି।

ଅର୍ଥନୈତିକ ଅନ୍ତର୍ଭୂକ୍ତି ଓ ଭାରତ

image


ଭାରତରେ ଅର୍ଥନୈତିକ ଅନ୍ତର୍ଭୂକ୍ତି ଏକ ପ୍ରମୁଖ ସମସ୍ୟା। ଏହି ସମସ୍ୟାର ସମାଧାନ ଦିଗରେ Eko ଭଳି ସଂସ୍ଥାର ଭୂମିକା ଗୁରୁତ୍ଵପୂର୍ଣ। ଅର୍ଥନୈତିକ ଅନ୍ତର୍ଭୂକ୍ତିର ବିକାଶ ପାଇଁ ନିମ୍ନଲିଖିତ ଦିଗ ଗୁଡିକ ଉପରେ ଅଧିକ ଧ୍ୟାନ ଦେବାକୁ Eko ଲକ୍ଷ୍ୟ ରଖିଛି।

କ) ସଚେତନତା: ବ୍ୟାଙ୍କିଙ୍ଗ କ୍ଷେତ୍ରରେ ନୂଆ ନୂଆ ସେବା ନିରନ୍ତର ଭାବେ ପ୍ରଚାଳନ କରାଯାଉଛି। ମାତ୍ର,ସେହି ଅନୁପାତରେ ଲୋକମାନଙ୍କ ଭିତରେ ସଚେତନତା ବଢୁନାହିଁ। ଗ୍ରାହକମାନଙ୍କ ଭିତରେ ବିଶ୍ଵାସ ସୃଷ୍ଟି କରି ପାରିଲେ ହିଁ ଯେକୌଣସି ଅର୍ଥନୈତିକ ସେବାର ପ୍ରଚାର, ପ୍ରସାର ଓ ଅଭିବୃଦ୍ଧି ହୋଇପାରେ।

ଖ) ଭିତ୍ତିଭୂମି ଓ ସହଯୋଗ: ଲେଣଦେଣର ଅଭିବୃଦ୍ଧି ପାଇଁ ଅଧିକ ସଂଖ୍ୟାରେ ଏଟିଏମର ଆବଶ୍ୟକତା ରହିଛି। Eko ନିଜେ ଗୋଟିଏ ବ୍ୟାଙ୍କ ନୁହେଁ, ମାତ୍ର Eko ସେହି ବ୍ୟାଙ୍କମାନଙ୍କ ସହ ମିଶି କାମ କରେ ଯେଉଁମାନେ ଗ୍ରାହକ ସନ୍ତୁଷ୍ଟି ଉପରେ ଅଧିକ ଧ୍ୟାନ ଦିଅନ୍ତି।

ଗ) ଉନ୍ନତ ବୈଷୟିକ ଜ୍ଞାନ କୌଶଳ: ସୂଚନା ଓ ପ୍ରଯୁକ୍ତି ବିଦ୍ୟା ଏବଂ ମୋବାଇଲ ଜ୍ଞାନ କୌଶଳର ବ୍ୟବହାର କରି ଅଳ୍ପ ସମୟ ମଧ୍ୟରେ ଉନ୍ନତ ମାନର ସେବା ଯୋଗାଇ ଦେବାକୁ Eko ପ୍ରୟାସରତ।

ଏ ପର୍ଯ୍ୟନ୍ତ ସାଢେ ଛ କୋଟିରୁ ଉର୍ଦ୍ଧ ଲେଣଦେଣ ମାଧ୍ୟମରେ ହୋଇ ସରିଲାଣି। ମୋବାଇଲ ଫୋନ ମାଧ୍ୟମରେ ଭାରତରେ ସର୍ବାଧିକ ସଂଖ୍ୟକ ଲେଣଦେଣ କରିବାର କୃତିତ୍ଵ Eko ଅର୍ଜନ କରିଛି।