ଜୀବନରେ ଦ୍ୱିତୀୟ ଥର ଚାଲି ଶିଖିଥିବା ଆର୍ତ୍ତ୍ରେୟୀ ନିହାରଚନ୍ଦ୍ର ବର୍ତ୍ତମାନ ଲୋକଙ୍କ ଓଜନ କମାଇବାରେ ସହାୟକ

ଜୀବନରେ ଦ୍ୱିତୀୟ ଥର ଚାଲି ଶିଖିଥିବା ଆର୍ତ୍ତ୍ରେୟୀ ନିହାରଚନ୍ଦ୍ର ବର୍ତ୍ତମାନ ଲୋକଙ୍କ ଓଜନ କମାଇବାରେ ସହାୟକ

Monday November 16, 2015,

5 min Read

ପଲୋ କୋଏଲୋ କହିଛନ୍ତି, “ ଯେତେବେଳେ ଆମେ ଜୀବନକୁ ସୁରୁଖୁରୁରେ ଜିଇଁବାକୁ ଚାହୁଁ, ସେହି ସମୟରେ ଆମର ଧୈର୍ଯ୍ୟ ଏବଂ ଇଚ୍ଛାଶକ୍ତିର ପରୀକ୍ଷା କରିବା ପାଇଁ ଜୀବନ ଅନେକ ଆହ୍ୱାନକୁ ସମ୍ମୁଖରେ ରଖିଥାଏ । ଏହି ସମୟରେ, ଆମ ନିକଟରେ ନିଜକୁ ଠକିବାକୁ କିମ୍ବା ଆମେ ପ୍ରସ୍ତୁତ ନୋହୁଁ ବୋଲି କହିବାର କୌଣସି ଉପାୟ ନଥାଏ । ଏହି ଆହ୍ୱାନ ଆମକୁ ଅପେକ୍ଷା କରେନାହିଁ କିମ୍ବା ଜୀବନ ପଛକୁ ଫେରି ଚାହେଁନାହିଁ ।”

image


ଆର୍ତ୍ତ୍ରେୟୀ ନିହାରଚନ୍ଦ୍ର ଏହି ଉକ୍ତିକୁ ସ୍ୱୀକାର କରନ୍ତି । ଜୀବନ ତାଙ୍କ ପାଇଁ ଅନେକ ଆହ୍ୱାନ/ସମସ୍ୟା ଦେଇଛି, ଯେଉଁଥିରେ ଜଣେ ଦୁର୍ବଳ ଲୋକ ସହଜରେ ଭାଂଗିପଡ଼ିବ । କିନ୍ତୁ, ସେହି ଆହ୍ୱାନଗୁଡ଼ିକ ଓ କଷ୍ଟପୂ୍ର୍ଣ୍ଣ ଯାତ୍ରା ହିଁ ଆର୍ତ୍ତ୍ରେୟୀଙ୍କୁ ଦୃଢ଼, ମନୋଜ୍ଞ ଓ ଚୟନଶୀଳ ବ୍ୟକ୍ତିଭାବେ ଗଢ଼ିତୋଳିଛି । Revise Dietର ପ୍ରତିଷ୍ଠାତ୍ରୀ ଆର୍ତ୍ତ୍ରେୟୀ ନିଜର ଜୀବନକୁ ଅନ୍ୟମାନଙ୍କୁ ସହାୟତା ଦେବାପାଇଁ ଉତ୍ସର୍ଗ କରିଛନ୍ତି, ଫଳରେ ସେମାନେ ଓଜନ କମାଇବା କିମ୍ବା ଫିଟନେସ କେନ୍ଦ୍ରରେ ଆବଶ୍ୟକ ହେଉଥିବା କୌଣସି ବଡ଼ ତ୍ୟାଗ ନକରି ସୁସ୍ଥକର ଜୀବନ ଅତିବାହିତ କରିପାରୁଛନ୍ତି ।

ଆର୍ତ୍ତ୍ରେୟୀଙ୍କ ଉଦ୍ୟୋଗୀ ଯାତ୍ରା ୧୭ ବର୍ଷ ବୟସରେ ଆରମ୍ଭ ହୋଇଥିଲା । ଏହି ସମୟରେ ସେ ନିଜର ପିତାଙ୍କ ସଂସ୍ଥା Proniak Forge and Flangesରେ ଯୋଗ ଦେଇଥିଲେ ଓ ଛାତ୍ର ଜୀବନରୁ ହିଁ ସେ ଏଠାରେ କାମ କରିଥିଲେ । ୨୩ ବର୍ଷ ବୟସରେ ସେ ଏକ ବଡ଼ ସଡ଼କ ଦୁର୍ଘଟଣାର ସମ୍ମୁଖୀନ ହୋଇଥିଲେ, ଫଳରେ ତାଙ୍କର ଆଣ୍ଠୁର ଲିଗାମେଣ୍ଟ ନଷ୍ଟ ହୋଇଯାଇଥିଲା, ଏଣୁ ସେ ଦୀର୍ଘ ବର୍ଷ ଧରି ଶଯ୍ୟାଶାୟୀ ଥିଲେ । ଯୁବତୀ ଆର୍ତ୍ତ୍ରେୟୀଙ୍କ ପାଇଁ ଏହା ଏକ କ୍ଳେଶପୂର୍ଣ୍ଣ ପର୍ଯ୍ୟାୟ ଥିଲା । ଏହି ସମୟରେ ସେ ନିଜର ମୌଳିକ ଆବଶ୍ୟକତା ଯେପରି ଚାଲିବା, ଚଢ଼ିବା ଆଦି ପାଇଁ ଅନ୍ୟ ଉପରେ ନିର୍ଭର କରୁଥିଲେ । ନିଜ ଗୋଡ଼ରେ ଚାଲିବା ସକ୍ଷମ ହେବାକୁ ତାଙ୍କୁ ୧୪ ମାସ ସମୟ ଲାଗିଥିଲା । ସେ ନିଜର ସମୟ ନିଜ ଘର ନିକଟରେ ଥିବା ନେଚୁରୋପାଥି କେନ୍ଦ୍ରକୁ ଯାଇ ଚିକିତ୍ସିତ ହେବାରେ ବିତାଇଦେଇଥିଲେ, ସେଠାରେ ସେ ସୁସ୍ଥ ଅନୁଭବ କରିବା ସହ ସେହି ଜ୍ଞାନକୌଶଳର ଶିକ୍ଷାଲାଭ କଲେ ।

image


ସୁସ୍ଥ ହେବାପରେ ଆର୍ତ୍ତ୍ରେୟୀ ବେଙ୍ଗାଲୁରୁ ଚାଲିଯାଇଥିଲେ, ସେଠାରେ ସେ ଆଇଆଇଏମର ଏନ୍ଏସ୍ଆର୍ ସେଲରେ ନାମ ଲେଖାଇଲେ । ସେଠାରୁ ନିଜର ଶିକ୍ଷା ସମାପ୍ତ କରିବା ପରେ, ସେ କୌଣସି ଆଇଟି କ୍ଷେତ୍ରରେ ଚାକିରି ପାଇପାରିଲେ ନାହିଁ । ସେ କହନ୍ତି, “ଏଠିସେଠି ବୁଲିବା କାମଧନ୍ଦା ଖୋଜିବା ଅପେକ୍ଷା ସେ ଆଇଆଇଏମ୍ ବାଙ୍ଗାଲୁରକୁ ପୁଣି ଫେରିଯିବା ଉଚିତ ମନେକଲେ । ସେଠାରେ ସେ ପିଏଚ୍ଡି ସହ ଗବେଷଣା କାମରେ ମନଦେଲେ । ଏହି ସମୟରେ ସେ ନିଜର ଭାବି ସ୍ୱାମୀଙ୍କ ସହ ସାକ୍ଷାତ କରିଥିଲେ ଏବଂ ପରେ ଉଭୟ ବିବାହ କଲେ । ସେ ବାଙ୍ଗାଲୁରରେ ଘର ତିଆରି କରି ସେଠାରୁ ସେ ଫୁଡ୍ ବ୍ଲଗ୍ ଆରମ୍ଭ କରିଥିଲେ । ଏଥିରେ ଭାରତୀୟ ମସଲାଦାର ଖାଦ୍ୟର ସୁସ୍ଥ ସଂସ୍କରଣ ଉଦ୍ଭାବନ କଲେ । ଏହା ହେଉଛି Revise Dietର ଜନ୍ମ କାହାଣୀ ।

ଏହା କହିବା ଅତ୍ୟୁ୍କ୍ତି ହେବନାହିିଁ ବ୍ଲଗଟି ବିରାଟ ସଫଳତା ପାଇଥିଲା। ଆଇଆଇଏମ୍, ବେଙ୍ଗାଲୁରୁରେ ତାଙ୍କ କାମ ମଧ୍ୟ ଭଲ ଭାବେ ଚାଲୁଥିଲା । ଏହି ପରିପ୍ରେକ୍ଷୀରେ ଜଣେ ହୁଏତ ଭାବିପାରେ ଯେ ବିଗତ ଦିନର ସମସ୍ୟାଗୁଡ଼ିକ ଶେଷ ହୋଇଯାଇଛି, କିନ୍ତୁ ଆର୍ତ୍ତ୍ରେୟୀଙ୍କ ସମସ୍ୟାର ଏହା ଅୟମାରମ୍ଭ ଥିଲା । ସେ ପୁଣି ଏକ ଦୁର୍ଘଟଣାର ସମ୍ମୁଖୀନ ହେଲେ ଏବଂ ସେହି ଆଣ୍ଠୁରେ ଆଘାତ ପାଇଲେ । କିଛି ମାସପରେ ସେ ସେହି ଗୋଡ଼ର ସ୍ୱାଭାବିକ ସମ୍ବେଦନଶୀଳତାକୁ ହରାଇବସିଲେ ।

ଏହି ଥର ଆର୍ତ୍ତ୍ରେୟୀ ନିଜକୁ ଉତ୍ତମ ରୂପେ ପ୍ରସ୍ତୁତ କରିଥିଲେ । ସେ ଆଇଆଇଏମ୍ ବେଙ୍ଗାଲୁରୁରୁ ସାମୟିକ ବିରତି ନେଲେ ଏବଂ ନିଜ ଘରକୁ ଆସିବା ସହ ପୂର୍ବେ ତାଙ୍କୁ ଚିକିତ୍ସା କରିଥିବା ଡାକ୍ତରଙ୍କୁ ଭେଟିଲେ । କିନ୍ତୁ ସେ ବେଙ୍ଗାଲୁରୁରେ ପରବର୍ତ୍ତୀ ଚିକିତ୍ସା ପାଇଁ ଆବଶ୍ୟକ ଅର୍ଥର ଅଭାବକୁ ସମ୍ମୁଖୀନ ହେଲେ ।

ଜଣେ ସକାରାତ୍ମକ ବ୍ୟକ୍ତି ଭାବେ, ଏହି ଥର ସେ ନିଜର ଥଇଥାନ ପର୍ଯ୍ୟାୟକୁ ଉପଯୋଗ କରିବାକୁ ନିଷ୍ପତ୍ତି ନେଲେ । ସେ କହନ୍ତି, “ପ୍ରତି ବିପଦର କଳାବାଦଲର ଘେରରେ ଚମକପ୍ରଦ ସୂର୍ଯ୍ୟଉଦୟର ଛଟା ରହିଥାଏ ।” ସେ ଗୁଜରାଟର ନେଚୁରୋପାଥି କେନ୍ଦ୍ରରେ ସକାରାତ୍ମକ ପ୍ରତିକ୍ରିୟା ପାଇଲେ । ଡାକ୍ତରଙ୍କ ପରାମର୍ଶକ୍ରମେ ସେ ଅସ୍ତ୍ରୋପଚାର ପରିବର୍ତ୍ତେ ନିଜର ଓଜନ କମାଇ ସୁସ୍ଥ ହେବା ପ୍ରକ୍ରିୟାକୁ ତ୍ୱରାନ୍ୱିତ କରିବାକୁ ଚେଷ୍ଟିତ ହେଲେ, କାରଣ ଏହାଦ୍ୱାରା ଆଣ୍ଠୁ ଉପରେ ପଡ଼ୁଥିବା ଅତିରି୍କ୍ତ ଚାପ କମ୍ ହୋଇପାରିବ । କିନ୍ତୁ ନିଜର ନଷ୍ଟ ହୋଇଥିବା ଲିଗାମେଣ୍ଟକୁ ନେଇ ଓଜନ କମାଇବା ପ୍ରାୟତଃ ଅସମ୍ଭବ ଥିଲା । ଏଣୁ ସେ ଯୋଗ ଭଳି କେତେକ ସରଳ ଶାରୀରିକ ବ୍ୟାୟାମ କରିବା ସହ ଖାଦ୍ୟପେୟର ସଂଯମତା ଉପରେ ଗୁରୁତ୍ୱଦେଲେ । ଏହା ତାଙ୍କୁ ଖୁବଶୀଘ୍ର ସୁସ୍ଥ କରାଇବାରେ ସହାୟକ ହୋଇଥିଲା ଏବଂ ସେ ବେଙ୍ଗାଲୁରୁକୁ ଫେରିବାକୁ ଯୋଜନା କଲେ ।

ସମସ୍ୟା ସତ୍ତ୍ୱେ ସେ ନିଜର ଜୀବନକୁ ସଂପୂର୍ଣ୍ଣ ଭାବେ ସାହସର ସହ ଆଗେଇ ନେବାକୁ ମନସ୍ଥ କରିଥିଲେ । ପାରିବାରିକ ସହାୟତା ଦୋଦୁଲ୍ୟମାନ ସ୍ଥିତିରେ ଥିଲା ଏବଂ ଏଣୁ ସେ ଆଇଆଇଏମ୍ ବାଙ୍ଗାଲୁରୁକୁ ଫେରିଆସିଲେ। କିନ୍ତୁ ଶାରୀରିକ ବ୍ୟାୟାମ ଖର୍ଚ୍ଚବହୁଳ ଥିଲା ଏଣୁ ତାଙ୍କ ସାଙ୍ଗସାଥି ତାଙ୍କୁ ଖାଦ୍ୟ ଓ ପୁଷ୍ଟିକର ବିଶେଷଜ୍ଞ ହେବା ପରିବର୍ତ୍ତେ ନିଜର ଏକ ଫିଟନେସ କେନ୍ଦ୍ର ଖୋଲିବାକୁ ପରାମର୍ଶ ଦେଲେ । ଏହି ସମୟରେ Revise Dietରେ ଆଉ ଏକ ପର୍ଯ୍ୟାୟ ଯୋଡ଼ି ହେଲା ।

ଆର୍ତ୍ତ୍ରେୟୀ କହନ୍ତି, “ଓଜନ କମାଇବା ପାଇଁ ଅଯଥା ପରିଶ୍ରମର ଆବଶ୍ୟକତା ନାହିଁ, ନିଜର ସ୍ୱାସ୍ଥ୍ୟ ପାଇଁ ଅଧିକ ଧ୍ୟାନଦେବା ଆବଶ୍ୟକ ରହିଛି । ଓଜନ କମାଇବା ଏକ ଆରାମଦାୟକ ଅନୁଭବ ନୁହେଁ କାରଣ ଏହା ଏକପ୍ରକାର କ୍ଷୟ ଅଟେ । ମୁଁ ଚାହେଁ ଲୋକମାନେ ସ୍ୱାସ୍ଥ୍ୟ ସଂପର୍କରେ ସଚେତନ ହୁଅନ୍ତୁ । ସୁସ୍ଥ ରହିବା କୌଣସି ପ୍ରକାର ଏକ ଜଟିଳ ପ୍ରସଙ୍ଗ ନୁହେଁ । ଏହା କେବଳ ନିଜର ଖାଦ୍ୟ ଉପରେ ସରଳ ବୁଝାମଣା, ଜୀବନରେ ଧୈର୍ଯ୍ୟ ଓ ଶାନ୍ତ ମସ୍ତିଷ୍କ ଉପରେ ନିର୍ଭରଶୀଳ ।”

ସେ ନିଜର ବନ୍ଧୁମାନଙ୍କ ସହ ଏହି ବିଶ୍ୱାସକୁ ନେଇ ଉଦ୍ୟମ ଆରମ୍ଭ କଲେ । ପ୍ରାରମ୍ଭିକ ଉଦ୍ୟମ ସଫଳ ହେଲା ଯେତେବେଳେ ଜଣେ କ୍ଲାଏଂଟ୍ ତାଙ୍କର ପ୍ରିୟ ଖାଦ୍ୟ ସୱର୍ମା ରୋଲ୍ ଓ ଅନ୍ୟ ଜଂକ୍ ଫୁଡ୍ ଖାଇ ମଧ୍ୟ ଦୁଇମାସ ମଧ୍ୟରେ ୧୨ କିଲୋଗ୍ରାମ ଓଜନ ହ୍ରାସକଲେ । ଏହାପରେ ତାଙ୍କର ଉଦ୍ୟମ ଲୋକଙ୍କ ଭିତରେ ଆଦୃତି ଲାଭକଲା। ଏକ ବର୍ଷ ମଧ୍ୟରେ ଆର୍ତ୍ତ୍ରେୟୀ ପ୍ରାୟ ୧ଶହ ଲୋକଙ୍କ ବିଶେଷତଃ ମହିଳାଙ୍କ ଓଜନ କମାଇବାରେ ସକ୍ଷମ ହୋଇଥିଲେ ।

ସଂପ୍ରତି Revise Diet ସମଗ୍ର ଦେଶର ସଂଖ୍ୟାଧିକ ପୁରୁଷ, ମହିଳା ଓ ଶିଶୁମାନଙ୍କ ଓଜନ କମାଇବା କାମରେ ଲାଗିଛି । ଦୁଇ ବର୍ଷ ମଧ୍ୟରେ ଆର୍ତ୍ତ୍ରେୟୀ ପ୍ରାୟ ୨୦୦ ଲୋକଙ୍କୁ ସେମାନଙ୍କ ନିୟମିତ ଖାଦ୍ୟ ସହ ଓଜନ କମାଇପାରିଛନ୍ତି । ଏଥିପାଇଁ ଆର୍ତ୍ତ୍ରେୟୀ ମାସିକ ମାତ୍ର ୧୨୦୦ଟଙ୍କା ପାଉଣା ନେଇଥାନ୍ତି । ଏହି ପାଉଣା ଏହି କ୍ଷେତ୍ରରେ ବାସ୍ତବରେ କମ୍ ଅଟେ । ସେ ପ୍ରତିବର୍ଷ ୨ଶହ ଲୋକଙ୍କ ଓଜନ କମାଇ ନିଜର ଉଦ୍ୟମକୁ ଆଗକୁ ବଢ଼ାଇବାକୁ ଚାହାଁନ୍ତି । ସଂପ୍ରତି NutriTownରେ ଆର୍ତ୍ତ୍ରେୟୀ ମାଗଣାରେ ବିନା କୀଚଚି ଦେୟରେ nutritionist ଭାବେ ସେବା ଦେଉଛନ୍ତି। ସେ ଓଜନ କମାଇବା ଚିକିତ୍ସା ସହ, ପୁରୁଣା ରୋଗର ଚିକିତ୍ସା ମଧ୍ୟ କରୁଛନ୍ତି ।

image


ସେ MSc, ଖାଦ୍ୟ ଓ ପୁଷ୍ଟିକର ପାଠ୍ୟକ୍ରମରେ ନାମ ଲେଖାଇଛନ୍ତି ଓ ନିଜର ଏହି ଜ୍ଞାନକୁ ନେଇ ନିଜର ଉଦ୍ୟମ ପାଇଁ ଅର୍ଥ ଯୋଗାଡ଼ କରିବାର ଯୋଜନା ରଖିଛନ୍ତି । ଏହାଦ୍ୱାରା ଭବିଷ୍ୟତରେ ସେ ୮୦ହଜାର ଲୋକଙ୍କୁ ଓଜନ କମାଇବା ଓ ସୁସ୍ଥ ଜୀବନ ନିର୍ବାହ କରିବାରେ ସହାୟତା ଦେଇପାରିବେ ।

ଯେଉଁ ଝିଅ ଥରେ ନୁହେଁ ଦୁଇ ଦୁଇଥର ନିଜର ଚଳତଶକ୍ତିକୁ ହରାଇଛି, ତା ପାଇଁ ଏହା ବାସ୍ତବରେ ଅତୁଳନୀୟ ସଫଳତା ଅଟେ ।