୨୧ ଜୁନ ଆନ୍ତର୍ଜାତିକ ଯୋଗ ଦିବସ

0

୨୦୧୫, ବିଶ୍ଵ ସ୍ତରରେ ପ୍ରଥମ ଆନ୍ତର୍ଜାତିକ ଯୋଗ ଦିବସର ସଫଳତା ପରେ ଆଜି ୨୦୧୬ରେ ପାଳିତ ହେବାକୁ ଥିବା ଦ୍ଵିତୀୟ ଯୋଗ ଦିବସ ମାତ୍ର ଆଉ କିଛି ସପ୍ତାହ ବାକି ରହିଲା। ଚାଲନ୍ତୁ ଏହି ପ୍ରୟାସ କିପରି ଭାବେ ଆରମ୍ଭ ହେଇଥିଲା ତା’ର ଏକ ଝଲକ ଦେଖିବା।

ମାନ୍ୟବର ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ ସେପ୍ଟେମ୍ବର ୨୭, ୨୦୧୪ରେ ମିଳିତ ଜାତିସଂଘର ୬୯ତମ ବୈଠକରେ ଉଦବୋଧନ ଦେବା ସମୟରେ ସଂପୂର୍ଣ୍ଣ ବିଶ୍ଵକୁ ଯୋଗକୁ ଆପଣେଇ ନେବା ପାଇଁ ଅନୁରୋଧ କରିଥିଲେ। ଡିସେମ୍ବର ୧୧, ୨୦୧୪ରେ ୧୯୩ ସଭ୍ୟ ବିଶିଷ୍ଠ ମିଳିତ ଜାତିସଂଘର ସାଧାରଣ ପରିଷଦ ଅଧିବେଶନରେ ୧୭୭ଟି ଦେଶର ସହମତି (ରେକର୍ଡ) ସହ ଜୁନ ୨୧ ତାରିଖକୁ ସାରା ବିଶ୍ଵରେ ପ୍ରତିବର୍ଷ “ଆନ୍ତର୍ଜାତିକ ଯୋଗ ଦିବସ” ଭାବେ ପାଳନ କରାଯିବ ବୋଲି ପ୍ରସ୍ତାବକୁ ମଞ୍ଜୁର କରାଗଲା। ପାସ ହେଇଥିବା ପ୍ରସ୍ତାବରେ ଯୋଗ ଯେ ଶରୀର ଓ ମନକୁ ସୁସ୍ଥ ରଖିବା ନିମନ୍ତେ ଏକ ହୋଲିଷ୍ଟିକ ବା ପୂର୍ଣ୍ଣତାବାଦୀ ଉପାୟ ତାହା ଉଲ୍ଲେଖ କରାଯାଇଛି। ଜୀବନର ପ୍ରତିଟି ଦିଗରେ ଯୋଗ ସମନ୍ଵୟ ରଖିବାରେ ସହାୟକ ହୋଇଥାଏ। ରୋଗ ନିରାକରଣ, ସ୍ୱାସ୍ଥ୍ୟର ଉନ୍ନତି ତଥା ବର୍ତ୍ତମାନର ଜୀବନଯାପନ ଶୈଳୀ ଯୋଗୁ ହେଉଥିବା ଅନେକ ରୋଗକୁ ନିୟନ୍ତ୍ରିତ କରିବାରେ ଯୋଗ ସାହାଯ୍ୟ କରେ।

ନୂତନ ଭାବେ ଗଠିତ ହେଇଥିବା AYUSH ମନ୍ତ୍ରାଳୟ ବେଶ ସଫଳତାର ସହ ୨୧ ଜୁନ, ୨୦୧୫ରେ ପ୍ରଥମ ଆନ୍ତର୍ଜାତିକ ଯୋଗ ଦିବସ ଆୟୋଜନ କରିଥିଲା। ଏହି ଅବସରରେ ଦୁଇଟି ଗିନିଜ ବୂକ ଅଫ ୱାର୍ଲ୍ଡ ରେକର୍ଡ ମଧ୍ୟ ତିଆରି ହୋଇଥିଲା। ପ୍ରଥମଟି ହେଲା ଗୋଟିଏ ସ୍ଥାନରେ ବିଶ୍ଵର ସର୍ବ ବୃହତ ଯୋଗ ଅଭ୍ୟାସ ଯେଉଁଥିରେ ୩୫,୯୮୫ ଜଣ ଅଂଶଗ୍ରହଣ କରିଥିଲେ ଏବଂ ଦ୍ଵିତୀୟଟି ହେଲା ଗୋଟିଏ ଯୋଗ କାର୍ଯ୍ୟକ୍ରମରେ ସର୍ବାଧିକ (୮୪) ଦେଶର ଅଂଶଗ୍ରହଣକାରୀ ଭାଗ ନେଇଥିଲେ। ଭାରତ ଛଡା ଅନ୍ୟାନ୍ୟ ଦେଶରେ ମଧ୍ୟ ଯୋଗ ଦିବସ ଖୁବ ଉତ୍ସାହର ସହ ପାଳିତ ହୋଇଥିଲା ଏବଂ ଏଥିରେ ଲକ୍ଷ ଲକ୍ଷ ବ୍ୟକ୍ତି ଭାଗ ନେଇ ଯୋଗର ବାର୍ତ୍ତାକୁ ବିଶ୍ଵବ୍ୟାପୀ ପ୍ରଚାର କରିବାରେ ଭାଗୀଦାର ହେଇଥିଲେ।

ଯୋଗ ପ୍ରାଚୀନ ଭାରତୀୟ ସଭ୍ୟତାର ଏକ ମହତ୍ଵପୂର୍ଣ୍ଣ ଅଂଶବିଶେଷ ଯାହା ଉଭୟ ଶରୀର ଓ ମନ ସୁସ୍ଥ ରଖିବାରେ ସହାୟକ ହୋଇଥାଏ। ଏହା ବୈଦିକ ଯୁଗରୁ ଭାରତୀୟ ସଂସ୍କୃତି ସହ ଜଡିତ। ବିଭିନ୍ନ ଗବେଷଣାରୁ ଏହା ପ୍ରମାଣିତ ହେଇପାରିଛି ଯେ ଯୋଗାଭ୍ୟାସ ଅନେକ ପ୍ରକାରର ମନୋଦୈହିକ ବା psychosomatic ରୋଗ ବ୍ୟାଧିର ନିରାକରଣ ତଥା ନିୟନ୍ତ୍ରଣରେ ଲାଭଦାୟୀ ଅଟେ। ଯୋଗର ବର୍ଦ୍ଧିଷ୍ଣୁ ଲୋକପ୍ରିୟତା ସହ ଏହା ବିଶ୍ଵସ୍ତରରେ ଲୋକଙ୍କ ସ୍ୱାସ୍ଥ୍ୟରେ ଏକ ସକାରାତ୍ମକ ପରିବର୍ତ୍ତନ ଆଣିବ ବୋଲି ଆଶା। ଆଗାମୀ ୨୧ ଜୁନରେ ହେବାକୁ ଥିବା ଦ୍ଵିତୀୟ ଅନ୍ତର୍ଜାତୀୟ ଯୋଗ ଦିବସ ପାଇଁ ଅପେକ୍ଷା ରହିଲା।