ଏମ୍ ବସନ୍ତ କୁମାରୀ: ଏସିଆର ପ୍ରଥମ ମହିଳା ବସ୍ ଡ୍ରାଇଭର୍

ଏମ୍ ବସନ୍ତ କୁମାରୀ: ଏସିଆର ପ୍ରଥମ ମହିଳା ବସ୍ ଡ୍ରାଇଭର୍

Tuesday April 05, 2016,

3 min Read

ଭାରତୀୟ ସମାଜରେ ନାରୀମାନଙ୍କୁ ପୁରୁଷମାନଙ୍କଠାରୁ ଦୁର୍ବଳ ମନେ କରାଯାଏ । ସାଧାରଣ ଭାବନା ରହିଛି ଯେ ପୁରୁଷମାନେ ଯେଉଁ କଠିନ ପରିଶ୍ରମ ଓ କାମ କରିପାରିବେ ତାହା ନାରୀମାନେ କରିପାରିବେ ନାହିଁ । ଏହି ଧାରଣାକୁ ଅନେକ ସମୟରେ ଦେଶର କିଛି ତୁଙ୍ଗ ନାରୀ ଭୁଲ ପ୍ରମାଣିତ କରିପାରିଛନ୍ତି । ସେଭଳି ଜଣେ ମହିଳା ହେଉଛନ୍ତି ଏମ୍ ବସନ୍ତ କୁମାରୀ । ସେ ହେଉଛନ୍ତି ସମଗ୍ର ଏସିଆ ମହାଦେଶର ପ୍ରଥମ ମହିଳା ବସ୍ ଡ୍ରଇଭର୍ ।

ବସନ୍ତ କୁମାରୀଙ୍କୁ ଯେତେବେଳେ ୧୪ ବର୍ଷ ବୟସ ହୋଇଥିଲା ସେ ଷ୍ଟିୟରିଂରେ ହାତ ଦେଇଥିଲେ । ତାହା ତାଙ୍କ ପାଇଁ କୌଣସି ରୋମାଂଚଠାରୁ କମ ନ ଥିଲା । ଏହାର ୧୦ ବର୍ଷ ପରେ ସେ ନିଷ୍ପତି ନେଇଥିଲେ ଯେ ଡ୍ରାଇଭର୍ ହେବେ । ବସ୍ ଚଲାଇବେ । ସେହିଦିନଠାରୁ ଆଉ ପଛକୁ ଫେରି ନାହାନ୍ତି ସେ । ନିଜ ପରିବାରର ଆର୍ଥିକ ସ୍ଥିତି ସୁଧାରିବା ପାଇଁ ସେ ଏଭଳି ନିଷ୍ପତି ନେଇଥିଲେ ।

ସେ କହିଛନ୍ତି ଯେ ତାଙ୍କ ପାଖରେ ଶିକ୍ଷାକୁ ନେଇ ସେଭଳି କୌଣସି ଡିଗ୍ରି ନ ଥିଲା । ତେଣୁ ଚାକିରି ଖୋଜି ପାଇବା ଏତେ ସହଜ ନ ଥିଲା । କିନ୍ତୁ ତାଙ୍କ ମନରେ ଡ୍ରାଇଭିଂ ପ୍ରତି ପ୍ରବଳ ଦୁର୍ବଳତା ଥିଲା । ନିକଟରେ ତାଙ୍କୁ ଚେନ୍ନାଇଠାରେ ରେନଡ୍ରପ୍ସ ଆଚିଭର୍ ପୁରସ୍କାର ପ୍ରଦାନ କରାଯାଇଥିଲା । କନ୍ୟାକୁମାରୀରେ ତାଙ୍କର ଜନ୍ମ ହୋଇଥିଲା । ପିଲାଟି ଦିନରୁ ସେ ମାକୁ ହରାଇଥିଲେ । ଜଣେ ମା ଛେଉଣ୍ଡ ଛୁଆ ସମାଜରେ ବଂଚିବା କେତେ କଷ୍ଟକର ତାହା କାହାକୁ ଅଛପା ନାହିଁ । ମାଙ୍କ ଦେହାନ୍ତ ହେବା ପରେ ତାଙ୍କ ବାପା ଦ୍ୱିତୀୟ ବିବାହ କଲେ । ସେ ମାଉସି ଘରକୁ ଚାଲି ଆସିଥିଲେ । ମାଉସି ତାଙ୍କୁ ପାଳିଥିଲେ । ତାଙ୍କୁ ଯେତେବେଳେ ୧୯ ବର୍ଷ ହୋଇଥିଲା ବିବାହ କରିଦିଆଗଲା । ପିଲାଦିନକୁ ଭଲ ଭାବେ ଉପଯୋଗ କରିପାରି ନ ଥିଲା ବସନ୍ତ କୁମାରୀଙ୍କର ଏଭଳି ଜଣେ ବ୍ୟକ୍ତି ସହିତ ବାହାଘର କରିଦିଆଗଲା ଯାହାର ପୂର୍ବରୁ ଚାରିଟି ଝିଅ ଥିଲେ । ଏହା ପରେ ବସନ୍ତଙ୍କର ଦୁଇଟି ଝିଅ ଜନ୍ମ ହେଲେ । ପରିବାର ପ୍ରତିପୋଷଣ କରିବା ଆଉ ସହଜ ହେଲା ନାହିଁ ।

image


ଏବେ ବସନ୍ତ କୁମାରୀଙ୍କ ବୟସ ହେଉଛି ୫୭ ବର୍ଷ ।

ବସନ୍ତ କୁମାରୀ କହିଛନ୍ତି ଯେ, ତାଙ୍କ ପତି ଏକ ନିର୍ମାଣ ଶ୍ରମିକ ଭାବେ କାମ କରୁଥିଲେ । ସେ ଯେତିକି ରୋଜଗାର କରୁଥିଲେ ତାହା ପରିବାର ପ୍ରତିପୋଷଣ ପାଇଁ ପର୍ଯ୍ୟାପ୍ତ ନ ଥିଲା । ସେହି ସମୟରେ ସରକାରୀ ଚାକିରିରେ ୩୦% ସଂରକ୍ଷଣ କଥା ଚର୍ଚା ହୋଇଥିଲା । ବସନ୍ତ କୁମାରୀ ଡ୍ରାଇଭିଂ ତାଲିମ ନେବା ସହ ଭାରି ଯାନ ଚଳାଇବାର ଲାଇସେନ୍ସ ହାସଲ କରିଥିଲେ । ତାଙ୍କୁ ଅନେକ ଲୋକ ଡ୍ରାଇଭର ପଦ ନିମନ୍ତେ ଆବେଦନ କରିବାକୁ କହିଥିଲେ ।

ତାଙ୍କ ପାଇଁ ସଂଘର୍ଷ ଶେଷ ହୋଇନଥିଲା । ଚାକିରି ପାଇଁ ଆବେଦନ କରିବା ପରେ ଯେତେବେଳେ ତାଙ୍କର ସାକ୍ଷାତକାର ହେଲା ଅଧିକାରୀମାନେ ତାଙ୍କୁ ପ୍ରଶ୍ନ କରିଥିଲେ ଯେ ତୁମେ କଣ ପୁରୁଷମାନଙ୍କ ସହ କାମ କରିପାରିବ? ବିଶ୍ୱରେ ମହିଳା ବସ୍ ଚଳାଇବା ଅତ୍ୟନ୍ତ ବିରଳ ଘଟଣା । ତୁମେ କଣ ଏହି କାମ ସୁଚାରୁରୂପେ କରିପାରିବ?

ଅନେକ ଥର ନିରାଶ ହେବା ପରେ ସେ ଶେଷରେ ୧୯୯୩ ରେ ଚାକିରି ପାଇଗଲେ । ତାଙ୍କୁ ତାମିଲନାଡୁ ରାଜ୍ୟ ଟ୍ରାନ୍ସପୋର୍ଟ କର୍ପୋରେସନ୍ ରେ ଡ୍ରାଇଭର୍ ଭାବେ ଚାକିରି ମିଳିଗଲା । ରାସ୍ତାରେ ବସ୍ ଚଳାଇବା ବେଳେ ପୁଲିସ କର୍ମୀ, ନିଜର ପୁରୁଷ ସହକର୍ମୀ ଓ ପୁରୁଷ ସହଯୋଗୀଙ୍କ ଯୋଗୁଁ ତାଙ୍କ ଜୀବନ ଯଦିଓ ସହଜ ଥିଲା କିନ୍ତୁ ସମ୍ପୂର୍ଣ୍ଣ ରୂପେ ନୁହେଁ ବୋଲି ସେ କହନ୍ତି ।

ସେ କହିଛନ୍ତି ଯେ, ପୁରୁଷମାନଙ୍କୁ ସାଧାରଣତଃ ସବୁ ରୁଟ୍ ରେ ବସ ଚଳାଇବାକୁ ଅନୁମତି ଦିଆଯାଏ । କିନ୍ତୁ ତାଙ୍କ ପାଇଁ କେତେକ ନିର୍ଦ୍ଧିଷ୍ଟ ରୁଟ୍ ହିଁ ଚୟନ କରାଯାଇଥିଲା । ତାମିଲନାଡୁ ଷ୍ଟେଟ୍ ଟ୍ରାନ୍ସପୋର୍ଟ ପାଇଁ ସେ ଏବେ ଆଉ ଏକମାତ୍ର ମହିଳା ହୋଇ ରହିନାହାନ୍ତି । ଅଫିସ୍ ରେ ଅନେକ ମହିଳା ଏବେ କାମ କରୁଛନ୍ତି ।

୨୦୧୭ରେ ବସନ୍ତ କୁମାର ଡ୍ରାଇଭର ଚାକିରିରୁ ଅବସର ଗ୍ରହଣ କରିବେ । କିନ୍ତୁ ଏହା ପରେ ମଧ୍ୟ ସେ ଡ୍ରାଇଭିଂ ଛାଡ଼ିବାକୁ ଚାହୁଁ ନାହାନ୍ତି । ସେ ମହିଳାମାନଙ୍କ ନିମନ୍ତେ ଏକ ଡ୍ରାଇଭିଂ ତାଲିମ କେନ୍ଦ୍ର ଖୋଲିବାକୁ ଚାହୁଁଛନ୍ତି ।