ଖାଇବର୍ ପାଖ୍ତୁନ୍ଖ୍ୱାରୁ ହିମାଳୟ, କ୍ୟାପ୍ଟେନ୍ କୋହଲିଙ୍କ କାହାଣୀ

ଖାଇବର୍ ପାଖ୍ତୁନ୍ଖ୍ୱାରୁ ହିମାଳୟ, କ୍ୟାପ୍ଟେନ୍ କୋହଲିଙ୍କ କାହାଣୀ

Monday October 19, 2015,

9 min Read

“ମୋ’ର ଜନ୍ମ ହରିପୁର ବୋଲି ଗୋଟିଏ ଜାଗାରେ ।

ପାଖ୍ତୁନ୍ଖ୍ୱାରେ ଥିବା ହାଜ୍ରାର ଏଇ ସହରଟି ବିଭିନ୍ନ ପ୍ରକାର ଫଳ ପାଇଁ ଜଣାଶୁଣା । ୧୯୩୧ ମସିହାରେ କ୍ୟାପ୍ଟେନ୍ କୋହଲି ଜନ୍ମ ହୋଇଥିଲେ । ସେ ପର୍ଯ୍ୟନ୍ତ ତା’କୁ ‘ନର୍ଥ-ୱେଷ୍ଟ୍ ଫ୍ରଣ୍ଟିଅର୍ ପ୍ରୋଭିନ୍ସ’ ବୋଲି କୁହା ଯାଉଥିଲା । ହରିପୁରର ମାଟି ତଳେ, ମାଟିରେ ତିଆରି ତା’ର ଶିରାପ୍ରଶିରାରେ ସିନ୍ଧୁ ନଦୀର ଜଳ ପ୍ରବାହିତ ହେଉଥିଲା । ହିମାଳୟ ଓ ଖାଇବର୍ ପର୍ବତମାଳା ଦ୍ୱାରା ଘେରିହୋଇ ରହିଥିବା ହରିପୁରର ବାସିନ୍ଦାଙ୍କ ଭିତରେ ଅେନକ ଥିଲେ ଗ୍ରୀକ୍ ସୈନ୍ୟମାନଙ୍କର ବଂଶଧର। ଖ୍ରୀଷ୍ଟପୂର୍ବ ୩୨୭ରେ ଆଲେକଜାଣ୍ଡାର ଏହି ଇଲାକା ଜୟ କରିବାପରେ ନିଜ ଦେଶକୁ ନ ଯାଇ ଏଇଠି ରହି ଯାଇଥିଲେ । ତେବେ ଉନବିଂଶ ଶତାବ୍ଦୀରେ ହାଜରାର ଦ୍ୱିତୀୟ ନିଜାମ୍ ମହାରାଜା ରଣଜିତ ସିଂହଙ୍କ ଅଧୀନରେ ଆଧୁନିକ ହରିପୁରର ସ୍ଥାପନା କରିଥିଲେ ଜେନେରାଲ୍ ହରି ସିଂହ ନାଲ୍ୱା । କ୍ୟାପ୍ଟେନ୍ କୋହଲି କହନ୍ତି, “ମୋ’ର ପୂର୍ବ ପୁରୁଷମାନେ ହରିପୁର ପାଖରେ ଥିବା ପର୍ବତର ଶୀଖରରେ ଯୁଦ୍ଧରେ ମରିଥିଲେ । ତେଣୁ ସେ ସ୍ଥାନଟି ମୋ’ ପରିବାର ଲୋକଙ୍କ ପାଇଁ ଗୋଟିଏ ତୀର୍ଥସ୍ଥଳୀ ହୋଇ ଯାଇଥିଲା । ମତେ ସାଢ଼େସାତ ବର୍ଷ ହୋଇଥିବାବେଳେ ମୁଁ ସିନ୍ଧୁର ଶାଖାନଦୀଗୁଡ଼ିକୁ ପାର୍ହୋଇ ସେଇ ପର୍ବତର ଶୀଖରକୁ ଯାଉଥିଲି । ମତେ ୧୬ ବର୍ଷ ହେବାଯାଏ ସେମିତି କରୁଥିଲି ।”

ଯେଉଁମାନେ ଏହି ଇଲାକା ସଂପର୍କରେ ଜାଣନ୍ତି ନାହିଁ, ନିକଟ ଅତୀତରେ ଘଟିଥିବା ଏକ ଘଟଣା ସେମାନଙ୍କର ମନେ ପକାଇ ଦିଆଯାଇ ପାରେ: ୨୦୦୪ ମସିହାରେ ଓସାମା ବିନ୍ ଲାଦେନ୍ କିଛିଦିନ ପାଇଁ ଏହି ସହରରେ କିଛିଦିନ ପାଇଁ ରହିଥିଲା । ତା’ପରେ ଏଠାରୁ ଦକ୍ଷିଣରେ ମାତ୍ର ୩୫ କିଲୋମିଟର୍ ଦୂରରେ ଥିବା ଆବୋଟାବାଦ୍କୁ ଚାଲି ଯାଇଥିଲା । କ୍ୟାପ୍ଟେନ୍ କୋହଲି ଅଳ୍ପ ହସି କହନ୍ତି, “ଏ ଇଲାକା ସବୁଦିଗରୁ ପର୍ବତ ଦ୍ୱାରା ଆବୃତ୍ତ । ପନ୍ଦର ମିନିଟ୍ ଭିତରେ ଆପଣ ଗୋଟିଏ ନା ଗୋଟିଏ ପର୍ବତ ସେପାଖକୁ ଯାଇ ଲୁଚି ପାରିବେ । ମୁଁ ୨୦୦୪ ମସିହା ବେଳକୁ ହରିପୁରରେ ଥିଲି, କିନ୍ତୁ ଓସାମାକୁ କେବେ ଭେଟି ନ ଥିଲି ।”

୧୬ ବର୍ଷ ପର୍ଯ୍ୟନ୍ତ କ୍ୟାପ୍ଟେନ୍ କୋହଲି ହରିପୁରରେ ଥିବା ନିଜ ଘରେ ରହିଥିଲେ । ତା’ପରେ ହେଲା ଦେଶ ବିଭାଜନ । ୧୯୪୭ ମସିହାରେ କ୍ୟାପ୍ଟେନ୍ କୋହଲିଙ୍କୁ ଯେତେବେଳେ ହୋଇଥିଲା ମାତ୍ର ୧୬ ବର୍ଷ, ସାଂପ୍ରଦାୟିକ ଦଙ୍ଗାରେ ହରିପୁର ଥରି ଉଠିଥିଲା । ମୁସ୍ଲିମ୍ ଲିଗ୍ ସେତେବେଳକୁ ଶକ୍ତିଶାଳୀ ହୋଇ ଯାଇଥିଲା, ତେଣୁ ପାକିସ୍ତାନ ଗଠନର ଦାବି କଲା । ଫଳରେ ଭାରତୀୟ ଉପମହାଦେଶରେ ଅସଂଖ୍ୟ ଯୁଦ୍ଧ ଆଉ ଗଣ୍ଡଗୋଳ ଆରମ୍ଭ ହୋଇଗଲା । “ଆମେସବୁ ପଢୁଥିଲୁ । ମୁଁ ମାଟ୍ରିକ୍ ପାସ୍ କରିବାଯାଏ ଆମେ ସେଇଠି ରହିବୁ ନା ତୁରନ୍ତ ଭାରତ ପଳାଇଯିବୁ- ୟା’କୁ ନେଇ ଆମ ପରିବାର ଭିତରେ ଯୁକ୍ତିତର୍କ ଚାଲିଥିଲା ।” କ୍ୟାପ୍ଟେନ୍ କୋହଲିଙ୍କ ପାଠପଢ଼ା ମାର୍ଚ୍ଚମାସରେ ଶେଷ ହୋଇଥିଲା । ତା’ର ତିନିମାସ ପର୍ଯ୍ୟନ୍ତ ସେ ଭାରତ ଯାଇ ଯାଇ ଚାକିରି ଖୋଜି ବୁଲିଲେ । “ମୁଁ ପାଖାପାଖି ୫୦୦ଟି ଫ୍ୟାକ୍ଟ୍ରି ଆଉ ଦୋକାନକୁ ଯାଇ ଚାକିରି ମାଗିଥିଲି । କିନ୍ତୁ ସମସ୍ତେ କହିଲେ, ଚାକିରି ନାହିଁ ।” ଚାକିରି ଖୋଜି ଖୋଜି ସେ ସଂପୂର୍ଣ୍ଣ ଥକି ପଡ଼ିଥିବାବେଳେ ଜୁନ୍ ୨ ତାରିଖରେ ରେଡିଓରୁ ଶୁଣିଲେ ଆକାଶବାଣୀର ଖବର- ମହମ୍ମଦ ଅଲ୍ଲି ଜିନ୍ନା, ଜବାହର ଲାଲ୍ ନେହରୁ ଓ ସର୍ଦ୍ଧାର ବଲ୍ଲଭ ସିଂହ ଭାରତ ବିଭାଜନ ହେଲା ବୋଲି ଘୋଷଣା କରିଛନ୍ତି । କ୍ୟାପ୍ଟେନ୍ କୋହଲି ଓ ତାଙ୍କ ବାପା ସର୍ଦ୍ଧାର୍ ସୁଜନ୍ ସିଂହ କୋହଲି ହରିପୁର ଫେରିଗଲେ । ସେତିକି ବେଳକୁ ସେ ଦେଇଥିବା ପରୀକ୍ଷାର ଫଳ ବାହାରି ଯାଇଥିଲା । ମୋଟ୍ ୭୫୦ ନମ୍ବର୍ରୁ ସେ ପାଇଥିଲେ ୬୦୦ । ସେ ନିଜ ଜିଲ୍ଲାରେ ପ୍ରଥମ ହୋଇଥିଲେ ।

image


ନୂଆଦେଶଟିଏ ଜନ୍ମ ନେଇଥିଲା ଆଉ ଏଇ ଉତ୍ସାହୀ ଯୁବକ ଜଣଙ୍କ ପାଇଁ ଗୋଟିଏ ନୂଆ ଭବିଷ୍ୟତ ବି ଦେଖା ଯାଉଥିଲା ।

ଲାହୋର୍ ର ସୁନାମଧନ୍ୟ ଗଭର୍ନମେଣ୍ଟ୍ କଲେଜ୍ (ବର୍ତ୍ତମାନର ଲାହୋର୍ ଗଭର୍ନମେଣ୍ଟ୍ କଲେଜ୍ ୟୁନିଭର୍ସିଟି)ରେ ନାଁ ଲେଖାଇବାଲାଗି ସେ ଯୋଗ୍ୟ ବିବେଚିତ ହେଲେ । କିନ୍ତୁ ସେ ଖୁସି ମାତ୍ର ଗୋଟିଏ ସପ୍ତାହ ପାଇଁ ହିଁ ଥିଲା । ହଠାତ୍ ପୂର୍ବରୁ କୌଣସି ସୂଚନା ନ ଦେଇ ଆଖପାଖର ଗାଁର ଲାକମାନେ ହରିପୁର ଉପରେ ଆକ୍ରମଣ ଆରମ୍ଭ କରିଦେଲେ । ଏକଦା ଆଲେକ୍ଜାଣ୍ଡାର୍ ସେହି ଇଲାକାଟିକୁ ଜାଳିପୋଡ଼ି ପାଉଁଶ କରି ଦେଇଥିଲେ, ସବୁ ଲୋକଙ୍କୁ ମାରି ପକାଇଥିଲେ । ତା’ର ହଜାରେ ବର୍ଷ ପରେ ହରିପୁରର ଲୋକେ ନିଜ ଲୋକଙ୍କ ହାତରେ ପୁଣି ସେହି ଯନ୍ତ୍ରଣା ଭୋଗିଲେ । ସେ ମନେ ପକାନ୍ତି, “ଆମେ ଗୋଟିଏ ଘରର ଛାତ ଉପରୁ ଆଉ ଗୋଟିଏ ଘରର ଛାତକୁ ଡେଉଁଥିଲୁ । ଏମିତି ସାରାରାତି ଲୁଚି ଲୁଚି ଛାତ ପରେ ଛାତ ଡେଇଁ ଡେଇଁ ଶେଷରେ ପୁଲିସ୍ ଷ୍ଟେସନ୍ ରେ ପହଞ୍ଚିଲୁ । ଲୋକଙ୍କୁ ଦେଖୁ ଦେଖୁ ହତ୍ୟା କରା ଯାଉଥିଲା, ସେମାନଙ୍କର କଟାହାତକୁ ଘର ସାମ୍ନାରେ ଝୁଲାଇ ଦିଆ ଯାଉଥିଲା ।”

କ୍ୟାପ୍ଟେନ୍ କୋହଲି ଓ ତାଙ୍କ ବାପାଙ୍କୁ ଗୋଟିଏ ଶିବିରରୁ ଅନ୍ୟ ଗୋଟିଏ ଶିବିରକୁ ଅନେକ ଦିନ ଧରି ନିଆଗଲା । ଶେଷରେ ସେମାନେ ହାସାନ୍ ଅବ୍ଦଲ୍ରେ ଥିବା ଶିଖ୍ମାନଙ୍କର ପବିତ୍ର ତୀର୍ଥସ୍ଥଳୀ ପାଞ୍ଜା ସାହିବ୍ରେ ପହଞ୍ଚିଲେ । ସେଠାରେ ମାସଟିଏ ରହିବାପରେ ସେମାନଙ୍କୁ ଗୋଟିଏ ଛାତ ନ ଥିବା ମାଲଗାଡିରେ ଭାରତ ନିଆଗଲା । ସେମାନେ ଥିବା ୱାଗୋନଟିରେ ରେ ଶହ ଶହ ଶରଣାର୍ଥୀ ଚୁଣ୍ଟିହେବା ଭଳି ଯାତ୍ରା କରୁଥିଲେ । “ବାଟରେ ସ୍ଥାନୀୟ ପୁଲିସ୍ ଆମ ଉପରେ ଆକ୍ରମଣ କରିଥିଲା । ସେ ଟ୍ରେନ୍ ରେ ଥିବା ତିନି ହଜାର ଲୋକଙ୍କ ଭିତରୁ ପ୍ରାୟ ହଜାରେ ଲୋକଙ୍କୁ ସେମାନେ ନିର୍ଦ୍ଧୟ ଭାବେ ମାରି ପକାଇଥିଲେ ।” ସେତିକିବେଳେ ବେଲୋଚ୍ ରେଜିମେଣ୍ଟ୍ର ସୈନ୍ୟମାନଙ୍କୁ ନେଇ ଯାଉଥିବା ଆଉ ଗୋଟିଏ ଟ୍ରେନ୍ ଲୁଣ୍ଠିତ ହେଉଥିବା ସେହି ଶରଣାର୍ଥୀଙ୍କ ଟ୍ରେନ୍ ପାଖରେ ଅଟକିଲା । ତା’ ଭିତରୁ ବାହାରିଲେ ମହମ୍ମଦ ଆୟୁବ୍ ଖାଁ, ଯିଏ ନୂଆ ନୂଆ ପାକିସ୍ତାନୀ ସେନାରେ ପଶିଥିଲେ ।

ଭାଗ୍ୟର ଖେଳ ଦେଖନ୍ତୁ, ପାକିସ୍ତାନର ରାଷ୍ଟ୍ରପତି ହେବା ପୂର୍ବରୁ ଆୟୁବ୍ ଖାଁ ହରିପୁରରେ କ୍ୟାପ୍ଟେନ୍ କୋହଲିଙ୍କ ପରିବାରର ଜଣେ ସାଧାରଣ ପଡ଼ୋଶୀ ଥିଲେ । ତାଙ୍କୁ ଚିହ୍ନିପାରି କ୍ୟାପ୍ଟେନ୍ କୋହଲିଙ୍କ ବାପା ସର୍ଦ୍ଧାର୍ ସୁଜାନ୍ ସିଂହ ପାଟିକରି ଡାକିଲେ, “ଆୟୁବ୍ ! ଆମକୁ ରକ୍ଷା କର !”

କ୍ୟାପ୍ଟେନ୍ କୋହଲିଙ୍କର ମନେଅଛି, ଆୟୁବ୍ ଉତ୍ତର ଦେଲେ, “ଚିନ୍ତା କରନି ସୁଜାନ୍ ସିଂ, ମୁଁ ଆସି ଯାଇଛି ।”

ପ୍ରାୟ ଗୋଟିଏ ଦଶକ ପରେ ସାମରିକ ବିଦ୍ରୋହ ଜରିଆରେ ପୂରା ପାକିସ୍ତାନକୁ ଅଧିକାର କରିଥିବା ସେହି ବ୍ୟକ୍ତି ଜଣକ ତା’ପରେ କ୍ୟାପ୍ଟେନ୍ କୋହଲି ଓ ତାଙ୍କ ବାପାଙ୍କୁ ନିରାପଦରେ ଗୁଜ୍ରନ୍ୱାଲା ପଠାଇ ଦେଇଥିଲେ । ଶେଷରେ ଅକ୍ଟୋବର ମାସର ମଧ୍ୟଭାଗରେ ସେମାନେ ଆସି ପହଞ୍ଚିଲେ ଦିଲ୍ଲୀରେ । ସେମାନେ ଦିଲ୍ଲୀରେ ଆଉଥରେ ଜୀବନକୁ ଆରମ୍ଭ କରିବାକୁ ଚେଷ୍ଟାକଲେ । ପକେଟ୍ରେ ପଇସାଟିଏ ନ ଥିଲା, ଦେହରେ ଥିଲା ଛିଣ୍ଡା ପୋଷାକ, ପାଦରେ ଜୋତା ବି ନ ଥିଲା।

କ୍ୟାପ୍ଟେନ୍ କୋହଲି କହନ୍ତି, “ତା’ପରେ ମୁଁ ହରିପୁରକୁ ଛଅଥର ଯାଇଛି । ଶେଷଥରକ ଯାଇଥିଲି ଆୟୁବ୍ ଖାଁଙ୍କ ପୁଅଙ୍କ ଅତିଥି ରୂପେ । ମୁଁ ଆୟୁବ୍ଙ୍କ ସ୍ମୃତିସ୍ଥଳକୁ ଯାଇ ତାଙ୍କୁ ଶ୍ରଦ୍ଧାଞ୍ଜଳି ଦେଇଥିଲି । ସେତେବେଳେ ମୁଁ ତାଙ୍କୁ କହିଥିଲି- ଆପଣ ମୋ’ ଜୀବନ ରକ୍ଷା କରିଥିଲେ । ହରିପୁରକୁ ମୋ’ର ତାହା ଶେଷ ଆସିବା ।”

ହରିପୂରରର ଲୋକମାନେ କ୍ୟାପ୍ଟେନ୍ କୋହଲିଙ୍କୁ ସ୍ନେହ ଓ ଆନ୍ଦରରେ ସ୍ୱାଗତ କରନ୍ତି । ସେ କହନ୍ତି, “ମୁଁ ଭାବେ, ଏହି ଗାଁଗୁଡ଼ିକର ଲୋକମାନେ ଚାହାନ୍ତି ଯେ ଭାରତ ଓ ପାକିସ୍ତାନ ଏକ ହୋଇ ରହିବାର ଥିଲା । ରାଜନୀତିଜ୍ଞମାନେ ହିଁ ଲୋକଙ୍କ ଭିତରେ ଗଣ୍ଡଗୋଳ ଭର୍ତ୍ତି କରିଛନ୍ତି ।”

ତାଙ୍କ ଜୀବନକୁ ପୁଣି ଫେରି ଆସିଲା ହିମାଳୟ । କ୍ୟାପ୍ଟେନ୍ କୋହଲି ସମୁଦ୍ର ପତ୍ତନଠାରୁ ୧୨,୦୦୦ ଫୁଟ୍ ଉଚ୍ଚରେ ଥିବା ପ୍ରାଚୀନ ଅମରନାଥ ଗୁମ୍ଫାକୁ ଯିବାଲାଗି ନିଷ୍ପତ୍ତି ନେଲେ । କୌଣସି ଗରମ ବସ୍ତ୍ର ବିନା ସେ ସେଠାରେ ପହଞ୍ଚି ଯାଇଥିଲେ ଗୋଟିଏ ସୁଟ୍ ଆଉ ଟାଇ ପିନ୍ଧି । ସେ ପର୍ବତାରୋହଣକାରୀ ବନିଗଲେ । ସେଦିନଠାରୁ କ୍ୟାପ୍ଟେନ୍ କୋହଲି ଆଉ ପଛକୁ ଫେରି ଚାହିଁ ନାହାନ୍ତି । ୧୯୫୬ ମସିହାରେ ସେ ନନ୍ଦା କୋଟ୍ ଶୃଙ୍ଗ ଚଢ଼ିଲେ । ସେ ସମୟରେ ୧୭,୨୮୭ ଫୁଟ୍ ଉଚ୍ଚରେ ଥିବା ସେ ଶୃଙ୍ଗଟିକୁ ଘେରି ରହୁଥିଲା ଭୟଙ୍କର ପବନ, ଯାହା ତା’ର ପ୍ରାଚୀନ ପଥର ଛାତି ଉପର ଦେଇ ବହୁଥିଲା । ସବୁଆଡ଼େ ଥିଲା ଗୋଟେ ରହସ୍ୟମୟ ସୌନ୍ଦର୍ଯ୍ୟ । ଇତିହାସରେ ପ୍ରଥମ ଥର ପାଇଁ ଦେବତାମାନଙ୍କ ନିବାସସ୍ଥଳୀରେ ଠିଆହୋଇ କେତେଜଣ ମଣିଷ ପୃଥିବୀକୁ ଦେଖୁଥିଲେ । ସେଥିପାଇଁ ସେମାନଙ୍କୁ ନିଜ ଜୀବନକୁ ବାଜି ଲଗାଇ ଦେବାକୁ ପଡ଼ିଥିଲା ।

image


୧୯୬୩ ମସିହାରେ ସେ ଯେତେବେଳେ ଅନ୍ନପୂର୍ଣ୍ଣା-୩ ଶୃଙ୍ଗ ଆରୋହଣ କରିଥିଲେ, ଆହୁରି ଅନେକ ସମସ୍ୟାକୁ ସାମ୍ନା କରିବାକୁ ପଡ଼ିଥିଲା । ସେସବୁକୁ ମନେ ପକାନ୍ତି ସେ, “ଆମକୁ ସ୍ଥାନୀୟ ଲୋକମାନେ ଲୁଟ୍ କରିଥିଲେ, ଆମ ଦଳର ଦୁଇଜଣ ସଦସ୍ୟଙ୍କୁ ପଣବନ୍ଦୀ ଭାବେ ରଖିଥିଲେ । ତଥାପି ଶେଷରେ ଆମେ ଫେରି ଆସିଥିଲୁ ।”

ଏମିତି କିଛି ଦୁଃସାହସିକ ଅଭିଯାନରେ ସଫଳ ହେବାପରେ କ୍ୟାପ୍ଟେନ୍ କୋହଲି ଚିନ୍ତାକଲେ ଯେ ସେ ଏବେ ଏଭରେଷ୍ଟ୍ ପାଇଁ ପ୍ରସ୍ତୁତ । ଏଭରେଷ୍ଟ୍ ବିଶ୍ୱର ସର୍ବୋଚ୍ଚ ଆଉ ନୂତନତମ ଶୃଙ୍ଗ ।

ଶେଷରେ ୧୯୬୫ ମସିହାରେ ଏଭରେଷ୍ଟ୍କୁ ବିଜୟ କରିବା ପୂର୍ବରୁ କ୍ୟାପଟନ୍ କୋହଲି ଦୁଇଥର ସେଥିରୁ ଅଳ୍ପକେ ବଞ୍ଚିତ ହୋଇଥିଲେ- ଥରେ ମାତ୍ର ୨୦୦ ମିଟର୍ ପାଇଁ ତ ୧୯୬୨ରେ ମାତ୍ର ୧୦୦ ମିଟର୍ ପାଇଁ । ଥରେ ତ ବରଫ ଝଡ଼ ଭିତରେ ଅନ୍ୟ ଶିବିରଗୁଡ଼ିକ ସହିତ ତାଙ୍କ ଦଳର ଯୋଗାଯୋଗ ବିର୍ଚ୍ଛିନ୍ନ ହୋଇ ଯାଇଥିଲା । ତେଣୁ ସମସ୍ତେ ଭାବିଥିଲେ ଯେ ସେମାନେ ମରି ଯାଇଛନ୍ତି । କିନ୍ତୁ ପୂରା ପାଞ୍ଚଦିନ ପରେ ସେମାନେ ଫେରିଥିଲେ ।

image


ତେବେ ୧୯୬୫ରେ ତାଙ୍କ ଦଳ ଯେତେବେଳେ ବିଶ୍ୱର ସବୁ ପର୍ବତାରୋହୀଙ୍କ ସ୍ୱପ୍ନର ଶୃଙ୍ଗ ଏଭରେଷ୍ଟ୍କୁ ବିଜୟ କରି ସେ ଇତିହାସ ରଚିଥିଲେ । ସେଠାରେ ନିଜର ସ୍ଥିତି ଜାହିର୍ କରିବାରେ ଭାରତ ହୋଇଥିଲା ବିଶ୍ୱର ଚତୁର୍ଥ ଦେଶ । ଖାଲି ସେତିକି ନୁହେଁ, ତାଙ୍କ ଦଳ ଏକାବେଳକେ ନଅଜଣ ପର୍ବତାରୋହୀଙ୍କୁ ସେ ଉଚ୍ଚତମ ଶୃଙ୍ଗ ଉପରକୁ ପଠାଇ ଏକ ବିଶ୍ୱ ରେକର୍ଡ ମଧ୍ୟ କରିଥିଲା । ସେ କହନ୍ତି, “ଆମ ଦଳ ସଫଳ ହେବାର କାରଣ ଥିଲା ଆମର ଏକତା । ସଫଳତାରେ ସମସ୍ତଙ୍କର ଭାଗ ଥିଲା । ଯେତେବେଳେ ଭାରତ ସରକାର ଆମ ନାଁକୁ ଅର୍ଜୁନ ପୁରସ୍କାର ପାଇଁ ଘୋଷଣା କରିଥିଲେ, ଆମେ ମନା କରିଥିଲୁ । କାରଣ ଆମେ ଜାଣିଥିଲୁ, ସେ ପୁରସ୍କାର ଉପରେ ସମସ୍ତଙ୍କର ଅଧିକାର ରହିବା କଥା ।”

ଏବେ ତ ଏଭରେଷ୍ଟ୍ ଆରୋହଣ କରିବା ଗୋଟିଏ ସାଧାରଣ ଖବର ହୋଇ ଯାଇଛି । ସେ ବିଷୟରେ ପର୍ବତାରୋହୀଙ୍କ ପରିବାର ଓ ବନ୍ଧୁମାନେ ହିଁ ଜାଣୁଛନ୍ତି ଓ ଖୁୂସି ହେଉଛନ୍ତି । କିନ୍ତୁ ଦିନ ଥିଲା ଯେତେବେଳେ ତାହା ଗୋଟିଏ ବିରାଟ ସଫଳତା ଭାବେ ଗଣା ଯାଉଥିଲା, ପର୍ବତାରୋହୀ ଯେତେବେଳେ ସେ ଉଚ୍ଚତମ ଶୃଙ୍ଗ ଉପରେ ନିଜ ଦେଶର ପତାକା ଉତ୍ତୋଳନ କରୁଥିଲା, ସାରାଦେଶ ତା’କୁ ଜାଣୁଥିଲା, ଇତିହାସରେ ତାହା ରହୁଥିଲା । କ୍ୟାପ୍ଟେନ୍ କୋହଲି ବି ମନେ ପକାଇ କହନ୍ତି, “ଲୋକେ ଆମକୁ ଦେଖିବାଲାଗି ବିମାନବନ୍ଦରରେ ଠେଲାପେଲା କରିଥିଲେ । ମତେ ସଂସଦର ଉଭୟ ଗୃହରେ ଭାଷଣ ଦେବାକୁ ଡକା ଯାଇଥିଲା ।”

image


ତା’ପରେ କ୍ୟାପ୍ଟେନ୍ କୋହଲି ହିମାଳୟ ଅଭିଯାନ ପ୍ରତି ଲୋକଙ୍କ ଆଗ୍ରହ ବୃଦ୍ଧି କରିବାଲାଗି ବହୁ ଉଦ୍ୟମ କରିଥିଲେ । କିନ୍ତୁ ତା’ର ଅଳ୍ପ କେତୋଟି ଦଶକ ପରେ ସେ ଖବର ପାଇଲେ ତାଙ୍କର ଉଦ୍ୟମର ଫଳ ଏବେ ଓଲଟା ହୋଇଛି । ହିମାଳୟ ଏବେ ଅଳିଆରେ ପୂର୍ଣ୍ଣ ହୋଇ ଗଲାଣି । ଜଙ୍ଗଲ ଅଧା ନଷ୍ଟ ହୋଇ ଗଲାଣି ଏବଂ ପ୍ରାୟ ସବୁଠି ପର୍ବତାରୋହୀଙ୍କ ମୃତଦେହରେ ଭରି ଗଲାଣି ।

ବ୍ୟାପକ ବ୍ୟାବସାୟିକରଣ ଯୋଗୁ ହିମାଳୟ ଏବେ ଏକ ପର୍ଯ୍ୟଟନ କ୍ଷେତ୍ର ବ୍ୟତୀତ ଆଉ କିଛି ଅଧିକ ହୋଇ ରହିନାହିଁ । କ୍ୟାପ୍ଟେନ୍ କୋହଲି କହନ୍ତି, “ହିମାଳୟକୁ ରକ୍ଷା କରିବାଲାଗି ମୁଁ ସ୍ୱର୍ଗତ ସାର୍ ଏଡ୍ମଣ୍ଡ୍ ହିଲାରୀ, ହେର୍ଜୋଗ୍, ଜୁଙ୍କୋ ଓ ହିମାଳୟରେ ପର୍ବତାରୋହଣ କରିଥିବା ଅନେକ ବିଶିଷ୍ଟ ବ୍ୟକ୍ତିଙ୍କ ସ ପୁରୁଣହିତ ଯୋଗଯୋଗ କରିଥିଲି ।” ଫଳରେ ହିମାଳୟ ଏନ୍ଭର୍ନ୍ମେଣ୍ଟ୍ ଟ୍ରଷ୍ଟ୍ ନିମକ ଏକ ସଂସ୍ଥା ସ୍ଥାପିତ ହୋଇଥିଲା । ହିମାଳୟର ଶୃଙ୍ଗଗୁଡ଼ିକୁ ଅଧିକ କ୍ଷତିଗ୍ରସ୍ତ ହେବାରୁ ରକ୍ଷା କରିବା ଏହାର ଲକ୍ଷ୍ୟ ଥିଲା । “ସେତେବେଳେ ବହୁତ କମ୍ ପର୍ବତାରୋହଣ ଅଭିଯାନ ହେଉଥିଲା । ଏବେ ତ ପ୍ରତିବର୍ଷ ୩୦ ପାଖାପାଖି ଦଳ ଯାଉଛନ୍ତି । ଇଏ ଟଙ୍କାର ଖେଳ ପାଲଟି ଗଲାଣି । ଲୋକେ ହିମାଳୟରେ ଚଢ଼ିବାଲାଗି ଧାଡ଼ିବାନ୍ଧି ଠିଆ ହୋଇଥିବା ଆପଣ ଦେଖଢ଼ି ପାରିବେ । ଆପଣ ଯଦି ବି ଶାରୀରିକ ଭାବେ ସକ୍ଷମ ନୁହନ୍ତି, ତେବେ ମଧ୍ୟ ୨୦-୨୫ ଲକ୍ଷ ଟଙ୍କା ଖର୍ଚ୍ଚକରି ସେର୍ପା ଆଉ ଉପକରଣ ପାଇ ପାରିବେ, ଆପଣ ବି ହିମାଳୟ ଚଢ଼ି ପାରିବେ ।” ସେ କହନ୍ତି ।

Left: C. P. Vohra raises the Indian flag at the peak of Mount Everest; Right: Climbers make way through Khumbu icefall, a deadly South Col route to the summit where numerous mountaineers have lost their lives to falling seracs.

Left: C. P. Vohra raises the Indian flag at the peak of Mount Everest; Right: Climbers make way through Khumbu icefall, a deadly South Col route to the summit where numerous mountaineers have lost their lives to falling seracs.


ସେ ଆହୁରି କହନ୍ତି, “ମାଉଣ୍ଟ୍ ଏଭରେଷ୍ଟ୍ର ଏଭଳି ଅବସ୍ଥା ଦେଖି ଏଡ୍ମଣ୍ଡ୍ ହିଲାରୀ ଓ ମୁଁ ବର୍ଷ ବର୍ଷ ଧରି କହି ଆସୁଛୁ ଯେ ଏଭରେଷ୍ଟ୍ ଟିକେ ବିଶ୍ରାମ ଦିଅନ୍ତୁ । କିନ୍ତୁ ଗରିବ ଦେଶମାନଙ୍କ ପାଇଁ ଟଙ୍କା ହିଁ ସବୁ କିଛି । ସେମାନେ ଭାବୁଛନ୍ତି, ଆମେ ବେକାରଟାରେ ଭୁକୁଛୁ ! ତେଣୁ ପରିସ୍ଥିତି ଦିନକୁ ଦିନ ଆହୁରି ବିଗିଡ଼ି ଯାଉଛି । କିନ୍ତୁ କ’ଣ ବା କରା ଯାଇପାରେ !”

ହିମାଳୟର ଏ କୁସ୍ଥିତିର ଖବର କ୍ୟାପ୍ଟେନ୍ କୋହଲିଙ୍କୁ ବହୁତ ନିରାଶ କରେ, ବହୁତ ଦୁଃଖ ଦିଏ । ଏକଦା ତାହା ଗୋଟିଏ ନିର୍ଜନ ଆଉ ଭୟଙ୍କର ସ୍ଥାନ ଥିଲା, ଯୋଉଥିପାଇଁ ସେ ୧୮ଥର ମୃତୁ୍ୟକୁ ସାମ୍ନା କରିଥିଲେ । ତେବେ ସେ କହନ୍ତି, “ଆମେ ସେତେବେଳେ ଭୟ କରୁ ନ ଥିଲୁ । କାରଣ ଆପଣ ଯେତେବେଳେ ଉଚ୍ଚତମ ପର୍ବତ ଉପରେ ଠିଆ ହେବେ, ଆପଣଙ୍କୁ ଲାଗିବ ଆପଣ ଯେମିତି ଆକାଶକୁ ଛୁଇଁଛନ୍ତି । ଆପଣଙ୍କୁ ଲାଗିବ ଯେମିତି ଆପଣ ଭଗବାନଙ୍କ ପାଖରେ ଅଛନ୍ତିି । ସେତେବେଳେ ଏଇ ବସ୍ତୁବାଦୀ ଦୁନିଆଠୁ ବହୁତ ଦୂରରେ ଥିବେ ଆପଣ ।”

image


କ୍ୟାପ୍ଟେନ୍ କୋହଲିଙ୍କ ନିଜ ନାତି ସବୁବେଳେ ତାଙ୍କ ପଛରେ ଲାଗିଛି, ତା’କୁ ହିମାଳୟକୁ ଯିବାଲାଗି ଅନୁମତି ଦେବାକୁ । କିନ୍ତୁ ସେ କହନ୍ତି, “ତୁ ଯଦି ଯିବାକୁ ଚାହୁଛୁ, ତେବେ ଠିକ୍ ବାଟରେ ଯାଆ ।“ କ୍ୟାପ୍ଟନ୍ କୋହଲି ଶେଷରେ ମତ ଦିଅନ୍ତି, “ମୁଁ ଦୃଢ଼ଭାବେ ବିଶ୍ୱାସ କରେ ଯେ ଦୁଃସାହସିକତା ନ ଥିବା କୌଣସି ଦେଶ ବିଶ୍ୱରେ ଆଗେଇ ପାରିବାହିଁ । ତେଣୁ ଯଦି କୌଣସି ଦେଶ ଅଗ୍ରଗତି କରିବାକୁ ଚାହେ, ତେବେ ଯୁବପିଢ଼ିଙ୍କ ଭିତରେ ଏହି ଗୁଣଟିକୁ ବିକଶିତ କରିବା ଆବଶ୍ୟକ । ଯେଉଁମାନଙ୍କ ଭିତରେ ଏହା ଅଛି ସେମାନେ ବିଭିନ୍ନ ସ୍ଥାନ ପରିଭ୍ରମଣ କରନ୍ତି, ପର୍ବତ ଚଢ଼ନ୍ତି, ନୌବିହାର କରନ୍ତି । କିନ୍ତୁ ଯେଉଁମାନଙ୍କ ଭିତରେ ତାହା ନ ଥାଏ, ସେମାନେ ଏହାକୁ ଖରାପ ଭାବନ୍ତି, ଭାବନ୍ତି ଇଏ

ବେକାର କାମ । ଦେଶକୁ ମୋ’ର ପରାମର୍ଶ ଯେ ଆମ ସ୍କୁଲପିଲାଙ୍କୁ ହିମାଳୟକୁ ଭ୍ରମଣରେ ନିଆଯାଉ । ଥରେ ସେମାନଙ୍କ ଭିତରେ ଦୁଃସାହସିକତାର ମଞ୍ଜି ବୁଣାଗଲେ, ସେମାନଙ୍କ ଜୀବନ ବଦଳିଯିବ ।”