ମୁମ୍ବାଇର ପୁରୁଷ ପ୍ରଧାନ ରିଅଲ ଇଷ୍ଟେଟ ବ୍ୟବସାୟରେ ଉଜ୍ୱାଲାଙ୍କ ସଫଳତା ନାରୀ ସଶକ୍ତିକରଣର ଏକ ଜ୍ଵଳନ୍ତ ଉଦାହରଣ

ମୁମ୍ବାଇର ପୁରୁଷ ପ୍ରଧାନ ରିଅଲ ଇଷ୍ଟେଟ ବ୍ୟବସାୟରେ ଉଜ୍ୱାଲାଙ୍କ ସଫଳତା ନାରୀ ସଶକ୍ତିକରଣର ଏକ ଜ୍ଵଳନ୍ତ ଉଦାହରଣ

Saturday November 07, 2015,

4 min Read

ନବୀ ମୁମ୍ବାଇ ଏବଂ ଥାନେ ଅଞ୍ଚଳରେ କନଷ୍ଟ୍ରକସନ ବ୍ୟବସାୟରେ ଦ ହାୱାରେ ଗ୍ରୁପ ଏକ ଜଣାଶୁଣା ନାମ । ସତୀଶ ହାୱାରେଙ୍କ ଦ୍ୱାରା ୧୯୯୫ରେ ଆରମ୍ଭ ହୋଇଥିବା ଏହି କଂପାନୀ ଆଫର୍ଡେବଲ୍ ହାଉସିଂ ପ୍ରୋଜେକ୍ଟ ଦେବାରେ ନାମ କରିଛି । ୭୫୦ କୋଟି ଟଙ୍କାର ଆଜିର ଏହି ମିଳିତ ବ୍ୟବସାୟ ପାଲଘର ଏବଂ କରଜତ ପରି ମହାରାଷ୍ଟ୍ରର ଦୁର ସ୍ଥାନରେ ମଧ୍ୟ କୋଠା ନିର୍ମାଣ କରୁଛି । ବ୍ୟବସାୟରେ ନିଜର ଏକ ଉଚ୍ଚ ସ୍ଥିତି ଜାହିର କରିପାରିଥିବା ଶ୍ରୀଯୁକ୍ତ ହାୱାରେଙ୍କର ୨୦୦୫ରେ ଅକାଳ ବିୟୋଗ କେବଳ ବ୍ୟବସାୟକୁ ସଂକଟରେ ପକାଇ ନଥିଲା, ବ୍ୟବସାୟ ଉପରେ ନିର୍ଭରଶୀଳ ଅନେକ ଜୀବନ ମଧ୍ୟ ଆଶଙ୍କାରେ ପଡିଯାଇଥିଲା । ଏହା ବ୍ୟତୀତ ସେ ଜଣେ ସଫଳ ବ୍ୟବସାୟୀ ହିସାବରେ ବହୁ ଉଚ୍ଚଆଶା ଓ ସ୍ୱପ୍ନ ମଧ୍ୟ ଦେଖିଥିଲେ, ଯାହାର ସଫଳତା ନେଇ ପ୍ରଶ୍ନବାଚୀ ଉଠିଥିଲା ।

image


ଦୁଇ ସନ୍ତାନଙ୍କ ଜନନୀ ଉଜ୍ୱାଲା ହାୱାରେ ଜଣେ ସୁଗୃହିଣୀ ଭାବେ ନିଜର ପରିବାର ସମ୍ଭାଳୁଥିବା ସହ ଅନେକ ସମୟରେ ସତୀଶଙ୍କ ସହ କାର୍ଯ୍ୟାଳୟ ଯାଉଥିଲେ । ସତୀଶ ତାଙ୍କ ସ୍ଥାପତ୍ୟ କଳା ଶିକ୍ଷାପ୍ରାପ୍ତ ସ୍ତ୍ରୀଙ୍କୁ କେବଳ ଘରକାମରେ ସୀମିତ ନ ରଖି ବ୍ୟବସାୟରେ ମଧ୍ୟ ସାମିଲ ହେବାକୁ ଚାହୁଁଥିଲେ । ସତୀଶ ବ୍ୟବସାୟରେ ସଫଳତାର ଶୀର୍ଷରେ ପହଂଚିବାକୁ ଦେଖୁଥିବା ସ୍ୱପ୍ନକୁ ତାଙ୍କସହ ଆଲୋଚନା କରୁଥିଲେ ଓ ବହୁପୂର୍ବରୁ ତାଙ୍କୁ ବ୍ୟବସାୟରେ ସାମିଲ କରିସାରିଥିଲେ । ସେମାନଙ୍କ ମଧ୍ୟରେ ଥିବା ଏହି ଅନ୍ତରଙ୍ଗ ଭାବବିନିମୟତା ଉଜ୍ୱାଲାଙ୍କୁ ସ୍ୱାମୀଙ୍କ ଦେହାନ୍ତର ୧୨ ଦିନ ପରେ ବ୍ୟବସାୟକୁ ସମ୍ଭାଳିବାକୁ ସହାୟକ ହେବା ସହ ସ୍ୱାମୀଙ୍କ ସ୍ୱପ୍ନକୁ ସାକାର କରିବା ପାଇଁ ଦୃଢ଼ ମନୋବଳ ଯୋଗାଇଥିଲା । ଏଥିସହ ତାଙ୍କୁ ତାଙ୍କର ସଦ୍ୟଜନ୍ମିତ ସାତଦିନର ପୁଅର ଯତ୍ନ ନେବାକୁ ଥିଲା । ୨୦୦୫ରୁ ଦାୟିତ୍ୱ ନେବା ପରେ ସେ ତାଙ୍କ ସ୍ୱମୀଙ୍କ ସ୍ୱପ୍ନକୁ ଆଗେଇ ନେବା ସହ କଂପାନୀକୁ ଅନେକ ନୂଆ ପାହାଚ ଦେଇ ଆଗକୁ ବଢ଼ାଇଛନ୍ତି ।

ଅଳ୍ପବୟସୀ ବଧୂ

ଉଜ୍ୱାଲା କଲେଜରେ ସ୍ଥାପତ୍ୟ କଳାର ଶେଷ ବର୍ଷର ଛାତ୍ରୀ ଥିବା ସମୟରେ ସତୀଶଙ୍କୁ ବିବାହ କରିଥିଲେ । ଏହା ଏକ ପରିବାର ଆୟୋଜିତ ବିବାହ ଥିଲେ ମଧ୍ୟ ସେ ସତୀଶଙ୍କ ମଧ୍ୟରେ ତାଙ୍କ ମନର ମଣିଷକୁ ପାଇଥିଲେ ଓ ସତୀଶ ତାଙ୍କୁ ଉଭୟ ବ୍ୟକ୍ତିଗତ ଓ ବୃତ୍ତିଗତ ଜୀବନରେ ସାମିଲ କରିଥିଲେ । ଯାହାଫଳରେ ନବବିବାହିତ ଉଜ୍ୱାଲା ବିବାହ ପରଠାରୁ ସ୍ୱାମୀଙ୍କ ସହ କାର୍ଯ୍ୟାଳୟ ଯିବା ସହ ବିଭିନ୍ନ କାର୍ଯ୍ୟରତ ପ୍ରକଳ୍ପର ଡିଜାଇନ ବନାଇବାରେ ନିୟୋଜିତ ହୋଇଥିଲେ । ନିଜର ପ୍ରଥମ କନ୍ୟା ସନ୍ତାନ ଜନ୍ମ ପରେ ସେ ପାରିବାରିକ ଦାୟିତ୍ୱରେ ରହି କାର୍ଯ୍ୟାଳୟ ଯାଇପାରୁନଥିଲେ ମଧ୍ୟ ସତୀଶଙ୍କ ସହ ହାୱାରେ ଗ୍ରୁପର ବିଭିନ୍ନ ଯୋଜନା ବିଷୟରେ ଆଲୋଚନା କରୁଥିଲେ ।

ପ୍ରକୃତରେ ସ୍ଵାମୀ ସ୍ତ୍ରୀଙ୍କ ମଧ୍ୟରେ ହେଉଥିବା ବିଭିନ୍ନ ଆଲୋଚନା ଓ ସ୍ୱପ୍ନ ଉଜ୍ୱାଲାଙ୍କୁ ତାଙ୍କ ଶେଷ ବର୍ଷର ଥେଥିସ ପେପରରେ ହାଉସିଂ ଆପ୍ରୋଚେସ ଫର ଦ ହୋମଲେସ ବିଷୟ ରଖିବାକୁ ପ୍ରବର୍ତ୍ତାଇ ଥିଲା । ମୁଁ ସତୀଶଙ୍କ ଭଳି ଜଣେ ଭଲ ମଣିଷଙ୍କୁ ବିବାହ କରିଥିବାରୁ ଗର୍ବ ଅନୁଭବ କରୁଛି ବୋଲି ସେ କୁହନ୍ତି । ଉଭୟ ଉତ୍ତମ ପରିବାରରୁ ଆସିଥିଲେ ଓ ବିଲ୍ଡର ହେବା ପୂର୍ବରୁ ସତୀଶ ଜଣେ ସ୍ଥାପତ୍ୟ ଶିଳ୍ପୀ ଥିଲେ ଓ ସେ ସ୍ଥାପତ୍ୟ କଳା କ୍ଷେତ୍ରରେ କାର୍ଯ୍ୟ କରୁଥିବା ସମୟରେ ଏହି କ୍ଷେତ୍ରରେ ଉତ୍ତମ ସମ୍ପର୍କ ସ୍ଥାପନ କରିଥିଲେ । ଏବଂ ସେ ବ୍ୟବସାୟକୁ ଆସିବା ବେଳେ ସେହି ସମ୍ପର୍କ ଓ ସହଯୋଗୀମାନେ ତାଙ୍କୁ ବିଶ୍ୱାସ କରିବାସହ ସହଯୋଗ କରିଥିଲେ ।

ଆମର ପ୍ରଥମ ପ୍ରକଳ୍ପ ଖରଗଡରେ ଥିଲା ଯାହାକି ଏକ ଅନୁର୍ବର ଜମି ଥିଲା ବୋଲି ଉଜ୍ୱାଲା ତାଙ୍କ ଗ୍ରୁପର ପ୍ରଥମ ପ୍ରକଳ୍ପର ଅନୁଭୂତି ସମ୍ପର୍କରେ କୁହନ୍ତି । ସେ ସମୟରେ ସେହି ଜମିର ଦାମ ଖୁବ କମ ଥିଲେ ମଧ୍ୟ ଉଭୟ ସାଧାରଣ ପରିବାରରୁ ଆସିଥିବାରୁ ଜମି କିଣିବା ପାଇଁ ସେମାନଙ୍କ ପାଖରେ ଆବଶ୍ୟକ ଅର୍ଥ ନଥିଲା । କିନ୍ତୁ ତାଙ୍କର ପୁର୍ବ ଗ୍ରାହକ ଓ ସମ୍ପର୍କୀୟମାନଙ୍କର ତାଙ୍କ ଉପରେ ଥିବା ବିଶ୍ୱାସ ହିଁ ତାଙ୍କୁ ପ୍ରତିଟି କ୍ଷେତ୍ରରେ ସାହାଯ୍ୟ କରିଥିଲା । ଏବଂ ତାଙ୍କ ସଚ୍ଚୋଟତା ପାଇଁ ଲୋକମାନେ ତାଙ୍କୁ ଖୁବ ବିଶ୍ୱାସ କରୁଥିଲେ ।

ସ୍ଵାମୀଙ୍କ ପ୍ରଭାବ

ସତୀଶଙ୍କର ନିଜ ଉପରେ ଓ ନିଜ ଶିକ୍ଷା ଉପରେ ଦୃଢ଼ ବିଶ୍ୱାସ ଥିଲା । ସେ ରିସ୍କ ନେବାକୁ ସଦା ପ୍ରସ୍ତୁତ ଥିଲେ ଓ ଅତ୍ୟଧିକ ଚାପ ମଧ୍ୟରେ ବି କାମ କରିବାର ସାମର୍ଥ୍ୟ ରଖିଥିଲେ । ସେ କହୁଥିଲେ ଯଦି ବି ସେ ବ୍ୟବସାୟରେ କ୍ଷତି ସହନ୍ତି କିମ୍ବା ବିଫଳ ହୁଅନ୍ତି, ତେବେ ସେ ନିଜର ପୂର୍ବ ବୃତ୍ତିକୁ ଫେରିଯିବେ ତେଣୁ ତାଙ୍କର କିଛି ହରାଇବାର ଭୟ ନଥିଲା ବୋଲି ଉଜ୍ୱାଲା କୁହନ୍ତି । ଯେହେତୁ ସେ ନିଜେ ମଧ୍ୟ ଜଣେ ସ୍ଥାପତ୍ୟ ଶିଳ୍ପୀଥିଲେ ସେମାନେ ଯେକୌଣସି ସମସ୍ୟାକୁ ମିଳିତ ଭାବେ ସମ୍ମୁଖୀନ ହେବାକୁ ସଦା ପ୍ରସ୍ତୁତ ଥିଲେ । ସେ କୁହନ୍ତି ସତୀଶଙ୍କର ଏକ ଦୂରଦୃଷ୍ଟି ଥିଲା ଓ ଏହାକୁ ସାକାର କରିବାର କଳାରେ ସେ ନିପୂଣ ଥିଲେ ।

ଏତଦ ବ୍ୟତୀତ ସେ ସାମାଜିକ କର୍ମରେ ନିୟୋଜିତ ହେବାକୁ ପସନ୍ଦ କରୁଥିଲେ । ଲାଟପୁରରେ ୧୯୯୩ ମସିହାରେ ହୋଇଥିବା ଭୂକମ୍ପ ଓ ୨୦୦୪ରେ ଚେନ୍ନାଇର ସୁନାମୀ ସମୟରେ ସେ ନିଜେ ଯାଇ ଉଦ୍ଧାର କାର୍ଯ୍ୟରେ ସାମିଲ ହୋଇଥିଲେ । ଏଥିସହ ସେ ବ୍ୟବସାୟରୁ ଅବସର ନେବା ପରେ ଆଦିବାସୀମାନଙ୍କ ପାଇଁ କାମ କରିବାକୁ ଉତ୍ସାହିତ ଥିଲେ ।

ସତୀଶଙ୍କ ଦ୍ୱାରା ସେ ଏତେମାତ୍ରାରେ ଅନୁପ୍ରାଣିତ ଥିଲେ ଯେ ତାଙ୍କ ଅକାଳ ବିୟୋଗ ପରେ ଉଜ୍ୱାଲା କାନ୍ଦିବା ପରିବର୍ତ୍ତେ ତାଙ୍କ ଅଧୁରା ସ୍ୱପ୍ନକୁ ପୁରା କରିବାକୁ ଲାଗିପଡିଲେ ଓ ନିଜେ ପ୍ରତ୍ୟକ୍ଷ ଭାବେ ବ୍ୟବସାୟ ସମ୍ଭାଳିଲେ । ଏହି ଦୁଖଦ ସମୟରେ ତାଙ୍କ ପୈତୃକ ସମ୍ପର୍କୀୟ ଓ ସତୀଶଙ୍କ ପରିବାର ଲୋକମାନେ ସଂପୂର୍ଣ୍ଣ ସହ ଯୋଗ କରିଥିଲେ ।

ବ୍ୟବସାୟର ଲଗାମ ନିଜ ହାତକୁ ନେବା

ତାଙ୍କ ସ୍ୱାମୀଙ୍କ ମୃତ୍ୟୁ ପରେ ବ୍ୟବସାୟ ସମ୍ଭାଳିବା ଏତେ ସହଜ ନଥିଲା । ପରିବାର ଲୋକଙ୍କ ସାହଯ୍ୟ ସତ୍ତ୍ୱେ ତାଙ୍କୁ ବହୁ କଠିନ ସମସ୍ୟା ଦେଇ ଯିବାକୁ ପଡିଥିଲା । ଅନେକ ସମୟରେ କିଛି ଲୋକଙ୍କର ବ୍ୟବସାୟୀକ ଶତୃତାର ଶୀକାର ହୋଇଛନ୍ତି ଓ ଅଦାଲତରେ ବହୁ କ୍ରିମିନାଲ କେସ ଓ କୋର୍ଟ କେସର ତଦାରଖ କରିଛନ୍ତି । କିନ୍ତୁ ସେ ଏଥିରେ ଡରି ନଯାଇ ନିଜକୁ ଅଧିକ ସଂଗଠିତ କରି ବ୍ୟବସାୟକୁ ଆଗକୁ ନେଇଛନ୍ତି ଓ ଭଗବାନଙ୍କ ଦୟାରୁ ଧିରେ ଧିରେ ସବୁକିଛି ଠିକ ହୋଇଗଲା ବୋଲି ସେ କୁହନ୍ତି । ମୁମ୍ବାଇରେ ନାନୋ ହାଉସିଂ ପ୍ରକଳ୍ପ ଯାହାକି ୧ ବେଡରୂମ କିଚେନ ଠାରୁ ୨୫% କମ ଜାଗାରେ ଓ କମ ଖର୍ଚ୍ଚରେ ହେଇପାରୁଥିଲା, ସତୀଶ ପ୍ରଥମେ ଆରମ୍ଭ କରିଥିଲେ । ଯାହାକି ମୁମ୍ବାଇବାସୀଙ୍କୁ ଖଣ୍ଡେ ଘର କିଣିବାକୁ ଅତ୍ୟନ୍ତ ସହାୟକ ହୋଇଥିଲା ଓ ସତୀଶଙ୍କର ଲୋକପ୍ରିୟତା ବଢ଼ିଥିଲା ।

image


ଜଣେ ମହିଳା ଶିଳ୍ପଦ୍ୟୋଗୀ ହିସାବରେ ଉଜ୍ୱାଲାଙ୍କୁ ଆରମ୍ଭରେ ଲୋକମାନେ ଗୁରୁତ୍ୱର ସହ ନେଇନଥିଲେ ବରଂ ଅନେକ ଠକିକରି ବ୍ୟକ୍ତିଗତ ଫାଇଦା ନେବାକୁ ମଧ୍ୟ ଚେଷ୍ଟା କରିଥିଲେ । କିନ୍ତୁ ଆଜିର ଦିନରେ ହାୱାରା ଗ୍ରୁପ ଜଣେ ମହିଳା ଚେୟାରମ୍ୟାନଙ୍କ ଦ୍ୱାରା ପରିଚାଳିତ ହୋଇ ମହାରାଷ୍ଟ୍ରର ଏକ ସବୁଠୁ ଅଗ୍ରଣୀ କନଷ୍ଟ୍ରକସନ କଂପାନୀ ଭାବେ ଛିଡା ହୋଇଛି ।

ବ୍ୟବସାୟରେ ଉତୁଙ୍ଗ ସଫଳତାରେ ପହଂଚି ପାରଥିଲେ ମଧ୍ୟ ଉଜ୍ୱାଲା ତାଙ୍କର ପିଲାମାନଙ୍କ ପାଇଁ ଯଥେଷ୍ଟ ସମୟ ଦେଇ ପାରୁନଥିବାରୁ ମନ ଦୁଖ କରନ୍ତି । ସେ ଯଥା ସଂଭବ ସମୟ ବାହାର କରି ନିଜ ପିଲାମାନଙ୍କୁ ସମୟ ଦେବାକୁ ଚେଷ୍ଟା କରିବା ସହ ନିଜର ପାରିବାରିକ ଦାୟୀତ୍ୱ ସମ୍ଭାଳିଛନ୍ତି । ଜଣେ ସଫଳ ମହିଳା ବ୍ୟବସାୟୀରୂପେ ମହାରାଷ୍ଟ୍ରର ରିଅଲ ଇଷ୍ଟେଟ ମାର୍କେଟରେ ଉଜ୍ୱାଲା ନିଜର ଏକ ସ୍ୱତନ୍ତ୍ର ପରିଚୟ ତିଆରି କରିପାରିଛନ୍ତି ।

ଆମେ ଉଜ୍ୱାଲାଙ୍କ ସାହସ ଓ ଦୃଢ ସଂକଳ୍ପକୁ ସଲାମ କରୁଛୁ।