ନଭେମ୍ବର ୩୦ରୁ ମେକ ଇନ ଓଡ଼ିଶା କନକ୍ଳେଭ

ନଭେମ୍ବର ୩୦ରୁ ମେକ ଇନ ଓଡ଼ିଶା କନକ୍ଳେଭ

Monday November 28, 2016,

2 min Read

ଆସନ୍ତା ନଭେମ୍ବର ୩୦ରୁ ଆରମ୍ଭ ହେଉଛି ମେକ ଇନ ଓଡ଼ିଶା କନକ୍ଳେଭ। ତିନି ଦିନର ଏହି କାର୍ଯ୍ୟକ୍ରମ ସରିବ ଡିସେମ୍ବର ୨ରେ। Yi Innovex ଦ୍ଵାରା ଆୟୋଜିତ ଓ ଓଡ଼ିଶା ସରକାର ସହଯୋଗରେ ଅନୁଷ୍ଠିତ ହେବାକୁ ଯାଉଥିବା ଏହି ସମାବେଶରେ ଦେଶର ପ୍ରମୁଖ ଉଦ୍ଯୋଗପତି, ଷ୍ଟାର୍ଟଅପ ଓ ପୁଞ୍ଜିନିବେଶକାରୀ ମାନେ ଯୋଗ ଦେବେ। ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଉଦଘାଟନ କରିବେ ଓ ମୁଖ୍ୟ ଅତିଥି ଭାବେ କେନ୍ଦ୍ର ଅର୍ଥ ମନ୍ତ୍ରୀ ଅରୁଣ ଜେଟଲି ଯୋଗ ଦେବେ।

image


ଦେଶର ପ୍ରମୁଖ ପୁଞ୍ଜିନିବେଶକାରୀଙ୍କୁ ରାଜ୍ୟ ପ୍ରତି ଆକର୍ଷିତ କରିବା ସହ ରାଜ୍ୟରେ ଥିବା ଅପାର ସମ୍ଭାବନାକୁ ପ୍ରେରିତ କରିବା ପାଇଁ ଏହା ଏକ ପ୍ରୟାସ। ରାଜ୍ୟରେ ଏକ ଷ୍ଟାର୍ଟଅପ ଅନୁକୂଳ ପରିବେଶ ସୃଷ୍ଟି କରିବା ହେଲା ଏହି ସମାବେଶର ମୁଖ୍ୟ ଆଭିମୁଖ୍ୟ।

ଜନତା ମଇଦାନରେ ଅନୁଷ୍ଠିତ ହେବାକୁ ଥିବା ଏହି କନକ୍ଳେଭରେ ପ୍ରାୟ ୧୦୦ଟି ପ୍ରମୁଖ କମ୍ପାନୀ ଯୋଗ ଦେବାର କାରଜ୍ୟକରମ ରହିଛି। କନଫେଡେରେସନ ଅଫ ଇଣ୍ଡିଆନ ଇଣ୍ଡଷ୍ଟ୍ରିର ଯୁବ ଗୋଷ୍ଠୀ (Yi) ଏହି କାର୍ଯ୍ୟକ୍ରମରେ ଯୁବ ଉଦ୍ଯୋଗୀମାନଙ୍କ ମଧ୍ୟରେ ଔଦ୍ଯୋଗିକ କୌଶଳ ଓ ଦକ୍ଷତାର ଅଭିବୃଦ୍ଧିକୁ ଧ୍ୟାନରେ ରାଖୀ କିଛି ବିଶେଷ କାର୍ଯ୍ୟକ୍ରମର ଯୋଜନା କରିଛନ୍ତି। ପୁଞ୍ଜିନିବେଶକାରୀ ମାନେ ପ୍ରାୟତଃ ଦକ୍ଷିଣ ଓ ପଶ୍ଚିମ ଭାରତ ପ୍ରତି ବେଶି ଆକର୍ଷିତ। ପୂର୍ବାଞ୍ଚଳରେ ଓଡ଼ିଶାକୁ ନିର୍ମାଣ କ୍ଷେତ୍ରର ଏକ ଲକ୍ଷ୍ୟସ୍ଥଳୀରେ ପରିଣତ କରିବା ହେଉଛି ତାଙ୍କର ଆଭିମୁଖ୍ୟ।

ତିନିଦିନିଆ ଏହି ସମାବେଶରେ ଓଡ଼ିଆଙ୍କ ଦ୍ଵାରା ପ୍ରତିଷ୍ଠିତ ଓ ପରିଚାଳିତ ପାଞ୍ଚଟି ସଫଳ ଷ୍ଟାର୍ଟଅପ ଯୋଗ ଦେବେ। ସେମାନେ ହେଲେ,

୧। MySmartPrice.com : ୧୦ ମିଲିୟନ ଡଲାରର ପୁଞ୍ଜି ପାଇପାରିଥିବା ଏହି ଷ୍ଟାର୍ଟଅପର ସହପ୍ରତିଷ୍ଠାତା ହେଲେ ଜଣେ ଓଡ଼ିଆ, ସୀତାକାନ୍ତ ରାୟ।

୨। Explara.com : ଗୁଗଲ ଇଣ୍ଡିଆ ଏମଡ଼ିଙ୍କ ଦ୍ଵାରା ପୁଞ୍ଜି ପାଇଛି ଏବଂ ବର୍ତ୍ତମାନ ୬ ମିଲିୟନ ଡଲାର ପୁଞ୍ଜି ପାଇବାର ଲକ୍ଷ୍ୟ ରଖିଛି। ପ୍ରତିଷ୍ଠାତା ହେଲେ ଓଡ଼ିଆ – ସନ୍ତୋଷ ପଣ୍ଡା।

୩। InstaSafe.com : ୧୦୦ଟି ସବୁଠାରୁ ଆଶାପ୍ରଦ ଷ୍ଟାର୍ଟଅପ ମାନଙ୍କ ମଧ୍ୟରେ ଗୋଟିଏ, ସହ ପ୍ରତିଷ୍ଠାତା – ସନ୍ଦିପ କୁମାର ପଣ୍ଡା।

୪। Reverie : ୪ ମିଲିୟନ ଡଲାର ପୁଞ୍ଜି ପାଇଥିବା ଏହି ଷ୍ଟାର୍ଟଅପର ପ୍ରତିଷ୍ଠାତା ହେଲେ ଅରବିନ୍ଦ ପାଣି।

୫। NestAway : ରତନ ଟାଟା ଓ ଅନ୍ୟ ପୁଞ୍ଜିନିବେଶକାରୀ ୩୦ ମିଲିୟନ ନିବେଶ କରିଥିବା ଏହି ଷ୍ଟାର୍ଟଅପର ସହ ପ୍ରତିଷ୍ଠାତା ହେଉଛନ୍ତି ଅମରେନ୍ଦ୍ର ସାହୁ।

ଏହା ବ୍ଯତୀତ ଏଠାରେ ଡ୍ରୋନ ଜୋନ, ରୋବୋ ଜୋନ, ସେଲଫି ଜୋନ (ଯେଉଁଠାରେ ଅଭିନବ ଉଦଭାବନ ଗୁଡ଼ିକୁ ପ୍ରଦର୍ଶିତ କରାଯିବ), ସିରିୟାଲ ଉଦ୍ଯୋଗୀ ଏବଂ ବିଶେଷ କରି ମହିଳା ମାନଙ୍କ ପାଇଁ ପ୍ରୋଜେକ୍ଟ ଉଦ୍ୟମ ନାମକ ଏକ କର୍ମଶାଳା ମଧ୍ୟ ଆୟୋଜନ କରାଯିବ।