ଏମିତି ଏକ ଗାଁ, ଯେଉଁଠି ବିବାହ ପୂର୍ବରୁ ଏଚ୍ଆଇଭି ପରୀକ୍ଷା ଜରୁରୀ

ଏମିତି ଏକ ଗାଁ, ଯେଉଁଠି ବିବାହ ପୂର୍ବରୁ ଏଚ୍ଆଇଭି ପରୀକ୍ଷା ଜରୁରୀ

Thursday January 28, 2016,

2 min Read

ହରିୟାନାର ଭିୱାନୀ ଜିଲ୍ଲା ଅନ୍ତର୍ଗତ ଚାନ୍ଦନୀ ଗ୍ରାମର ପଂଚାୟତ, ଗାଁରେ ବିବାହ ପୂର୍ବରୁ ଉଭୟ ବର କନ୍ୟାଙ୍କର ଏଚ୍ଆଇଭି ପରୀକ୍ଷଣ କରିବାକୁ ନୀତି ନିର୍ଦ୍ଧାରଣ କରିଛନ୍ତି । ଯଦିଓ ସରାକରୀ ଭାବେ ବିବାହ ପୂର୍ବରୁ ଏଚ୍ଆଇଭି ପରୀକ୍ଷଣ ବାଧ୍ୟତା ମୂଳକ ନୁହେଁ, ତଥାପି ଏଡସରୁ ରକ୍ଷା ପାଇବା ସହ ସଚେତନତାର ପ୍ରସାର ପାଇଁ ଗ୍ରାମ ପଂଚାୟତ ଏଭଳି ନୀତି ନିର୍ଦ୍ଧାରଣ କରିଛି । କିଛି ଦିନ ତଳେ ସର୍ବସମ୍ମତିରେ ଗାଁର ସରପଂଚ ମମତା ସାଙ୍ଗୱାନ୍ ଓ ଅନ୍ୟ କର୍ମୀମାନେ ନିର୍ବାଚନ ଜିତିବା ପରେ ପଂଚାୟତ ଏଭଳି ଏକ ନୀତି ଲାଗୁ କରିଛି ।

ଗାଁର ଲୋକମାନେ ମଧ୍ୟ ପଂଚାୟତର ଏହି ନୀତିକୁ ସମର୍ଥନ ଜଣାଛନ୍ତି । ପଂଚାୟତ ଦ୍ୱାରା ଧାର୍ଯ୍ୟ ନୀତିକୁ ମାନି ନିକଟରେ ବିବାହ କରିଥିବା ଧରମଜିତ୍ ଗ୍ରେୱାଲ୍ ଓ ମୁକେଶ ରାନୀ ଏଚ୍ଆଇଭି ପରୀକ୍ଷା କରିଥିଲେ । ଏହାର ରିପୋର୍ଟ ଆସିବା ପରେ ତା’କୁ ସେମାନେ ଗାଁ ଲୋକଙ୍କ ଆଗରେ ସରପଂଚଙ୍କୁ ପ୍ରଦାନ କରି ବିବାହ କରିଥିଲେ । ଧରମଜିତଙ୍କ ମତରେ, “ଗାଁର ଅଧିକାଂଶ ଲୋକ ଏବେ ଶିକ୍ଷିତ । ସେମାନେ ଏଚ୍ଆଇଭିର ପରିଣାମ ଓ ଏ ଦିଗରେ ବେଶ୍ ସଚେତନ । ଏଣୁ ପଂଚାୟତ ନୀତିକୁ ମାନି ଆମେ ପରୀକ୍ଷଣ କରାଇଥିଲୁ । ଗାଁ ଲୋକଙ୍କ ଆଗରେ ହିଁ ରିପୋର୍ଟକୁ ସରପଂଚଙ୍କୁ ପ୍ରଦାନ କରାଯାଇଥିଲା ।” ଧରମଜିତ୍ ଓ ମୁକେଶ ରାନିଙ୍କ ବିବାହରେ ପଂଚାୟତ ତରଫରୁ ସେମାନଙ୍କୁ ଏକ ତୁଳସୀ ଚାରା ଭେଟି ଦିଆଯାଇଥିଲେ । ଏବଂ ଭବିଷ୍ୟତରେ ସେମାନେ କନ୍ୟା ଭୃଣହତ୍ୟା ଭଳି କାର୍ଯ୍ୟ କରିବେ ନାହିଁ ପଂଚାୟତ ପକ୍ଷରୁ ଅନୁରୋଧ କରାଯାଇଥିଲା ।

image


ଅନ୍ୟପଟରେ ଗାଁର ୨୬ ବର୍ଷୀୟ ସରପଂଚ ମମତା ମଧ୍ୟ ଏହି ନୀତିର ସଫଳତାକୁ ନେଇ ବେଶ୍ ଆଶାବାଦୀ ଅଛନ୍ତି । ତାଙ୍କୁ ଗାଁର ଜଣେ ମଂଚ କଳାକାର ସଞ୍ଜୟ ରାମପାଲ୍ ଏହା ଲାଗୁ କରିବା ପାଇଁ ପରାମର୍ଶ ଦେଇଥିଲେ । ମମତା କହିଛନ୍ତି, “ଏଚ୍ଆଇଭି ଦ୍ୱାରା ଅଧୁନା ଅନେକ ଜୀବନ ହାନୀ ଘଟୁଛି । ଆମେ ଆମ ଗାଁରେ ଏଭଳି ହେବାକୁ ଦେବୁ ନାହିଁ । ଏହା ବିରୁଦ୍ଧରେ ସଂଗ୍ରାମ କରିବୁ । ପାଖ ଆଖର ଗାଁର ଲୋକମାନଙ୍କୁ ମଧ୍ୟ ଏଥି ପ୍ରତି ସଚେତନ କରାଇବୁ ।”

ଗାଁର ସରପଂଚ ଭାବେ ଦାୟିତ୍ୱ ଗ୍ରହଣ କରିଥିବା ମମତା, ସେହି ଗାଁ ର ପ୍ରଥମ ମହିଳା ସରପଂଚ । ସେ ଜଣେ ଗ୍ରାଜୁଏଟ୍ ମଧ୍ୟ । ମମତା ବିବାହିତା ଓ ତାଙ୍କ ସ୍ୱାମୀ ହିତେଶ ସାଙ୍ଗୱାନ୍ ଭାରତୀୟ ସେନାରେ ହେଡ୍ କନେଷ୍ଟବଳ ।