ବିକାଶ ଏଜେଣ୍ଡାରୁ ନିଜ ପ୍ରଚାର ଆରମ୍ଭ କରିଥିବା ବିଜେପି ସାମ୍ପ୍ରଦାୟିକତା ଭିତରେ ପଥଭ୍ରଷ୍ଟ ହୋଇଯାଇଥିଲା : ଆଶୁତୋଷ

ବିକାଶ ଏଜେଣ୍ଡାରୁ ନିଜ ପ୍ରଚାର ଆରମ୍ଭ କରିଥିବା ବିଜେପି ସାମ୍ପ୍ରଦାୟିକତା ଭିତରେ ପଥଭ୍ରଷ୍ଟ ହୋଇଯାଇଥିଲା : ଆଶୁତୋଷ

Tuesday November 10, 2015,

4 min Read

ବିଗତ କିଛି ଦିନ ଧରି ବିହାର ନିର୍ବାଚନକୁ ନେଇ ଅନେକ କଳ୍ପନାଜଳ୍ପନା ଦେଖା ଦେଇଥିଲା। ପୁରା ଦେଶ ଏହାର ଫଳାଫଳକୁ ଚାହିଁ ବସିଥିଲା। ମାତ୍ର ଏତେ ଉତ୍କଣ୍ଠା ଥିଲା କାହିଁକି? କାରଣ, ଏପରି ଏକ ଘଡିସନ୍ଧି ମୂହୁର୍ତ୍ତରେ ବିହାରରେ ନିର୍ବାଚନର ହେଉଥିଲା ଯେତେବେଳେ ସମଗ୍ର ଭାରତ ଗୋଟିଏ ଉତ୍କଟ ସମସ୍ୟା ଦେଇ ଗତି କରୁଛି। ଏହି ସମସ୍ୟାକୁ ନେଇ ଅନେକ ଆଲୋଚନା, ଟୀକା ଟିପ୍ପଣୀ ଚାଲିଥିଲା। ଗୋଟିଏ ଉଦାରପନ୍ଥୀ ସମାଜ ଭାବେ ଭାରତର ଅସ୍ତିତ୍ଵ ଉପରେ ପ୍ରଶ୍ନବାଚୀ ସୃଷ୍ଟି ହୋଇଥିଲା। ମୌଳବାଦୀମାନେ ଭାରତ ଉପରେ ରାଜତ୍ଵ କରିବେ ବୋଲି ଭୟ ମଧ୍ୟ ସୃଷ୍ଟି ହୋଇଥିଲା। ଏପରି ଭୟ ସମ୍ପୂର୍ଣ ଭାବେ ଅମୂଳକ ନଥିଲା, କାରଣ ପ୍ରଥମ ଥର ପାଇଁ ଭାରତ ଇତିହାସରେ ନିଜ ଖାଇବା ଅଭ୍ୟାସ କିମ୍ବା ନିଜ ମତାମତ ଦେବା ପାଇଁ କିଛି ବ୍ୟକ୍ତିଙ୍କୁ ହତ୍ୟା କରାଯାଇଥିଲା।

image


ଗୋଟିଏ ଗଣତାନ୍ତ୍ରିକ ରାଷ୍ଟ୍ର ହିସାବରେ ଆମ ଦେଶରେ ଅନେକ ସମସ୍ୟା ଥାଇପାରେ। ସେସବୁ ସତ୍ତ୍ଵେ ଆମେ ବିଶ୍ୱାସ କରୁ ଯେ ଧର୍ମନିରପେକ୍ଷତା ଭାରତର ମୂଳଭିତ୍ତି ଓ ଭାରତୀୟ ରାଜ୍ୟମାନେ ସେମାନଙ୍କ ବିବିଧତା ପାଇଁ ଗର୍ବିତ। ବିବିଧତା ଆଉ ତା ମଧ୍ୟରେ ଏକତା ହିଁ ହେଉଛି ଭାରତର ସବୁଠାରୁ ବଡ ଶକ୍ତି। ଭାରତ କେବେ ବି କୌଣସି ସାମ୍ପ୍ରଦାୟିକ ଶକ୍ତିର ପ୍ରଚାରକୁ ପ୍ରୋତ୍ସାହନ ଦେଇ ନାହିଁ କିମ୍ବା ସେମାନଙ୍କ ସହ ବୁଝାମଣା କରି ନାହିଁ। ମାତ୍ର ଆମେ ଯଦି ବିଗତ କିଛି ମାସର ଘଟଣାବଳୀକୁ ଅନୁଧ୍ୟାନ କରିବା , ତେବେ ଏହି ପ୍ରବୃତ୍ତିରେ କିଛି ପରିବର୍ତ୍ତନ ଆସିଥିବା କଥା ଲକ୍ଷ୍ୟ କରିପାରିବା। ବ୍ୟତିକ୍ରମଟି ହେଲା, ବୋଧ ହୁଏ ବିଗତ କିଛି ମାସରେ ସରକାର ନୀରବଦ୍ରଷ୍ଟା ସାଜିଛନ୍ତି ଅବା ଭାରତକୁ ମଧ୍ୟଯୁଗୀୟ ଅନ୍ଧକାର ମଧ୍ୟକୁ ଠେଲି ଦେବାପାଇଁ ପ୍ରୟାସରତ ଶକ୍ତିମାନଙ୍କ ସହ ବୁଝାମଣା କରିଛନ୍ତି। ସହିଷ୍ଣୁତା ଭାରତ ସହ ଅଙ୍ଗାଙ୍ଗୀ ଭାବେ ଜଡିତ। ସକଳ ବିବିଧତା ସତ୍ତ୍ଵେ ଗଣତନ୍ତ୍ରର ପ୍ରଚଳନ ଭାରତକୁ ବିଶ୍ଵ ସମୁଦାୟ ଆଗରେ ପ୍ରଶଂସିତ କରିଛି। ସଂଖ୍ୟାଲଘୁମାନଙ୍କୁ ଦ୍ଵିତୀୟ ଶ୍ରେଣୀ ନାଗରିକ କରିଦେବାର ଡରକୁ ସତ୍ୟରେ ପରିଣତ କରିବାର ପ୍ରୟାସ ପଛରେ ଭାରତୀୟମାନଙ୍କ ସମର୍ଥନ ଅଛି ନା ନାହିଁ ତାହା ଜାଣିବା ସବୁଠାରୁ ବଡ ପ୍ରଶ୍ନ ଥିଲା।

image


ଲୋକମାନେ ନିଜର ଉତ୍ତର ବିହାର ନିର୍ବାଚନ ଫଳାଫଳ ଭିତରେ ଦେଇ ସାରିଛନ୍ତି। ଆଉ ଏହି ଉତ୍ତରଟି ସ୍ପଷ୍ଟ ଓ ଦ୍ଵିଧା ବିହୀନ। ଭାରତର ଧର୍ମନିରପେକ୍ଷତାକୁ ଆଘାତ ଦେଲା ଭଳି କୌଣସି ଉଦ୍ୟମକୁ ଲୋକମାନେ ପସନ୍ଦ କରି ନାହାନ୍ତି। ଭାରତ ଗୋଟିଏ ଆଧୁନିକ, ଗଣତାନ୍ତ୍ରିକ ଓ ଉଦାର ସମାଜ ଥିଲା ଏବଂ ଆଗକୁ ମଧ୍ୟ ରହିବ। ଏକବିଂଶ ଶତାବ୍ଦୀର ଭାରତରେ ରକ୍ଷଣଶୀଳ ରୁଢିବାଦୀ ଚିନ୍ତାଧାରା ପାଇଁ କୌଣସି ସ୍ଥାନ ନାହିଁ। ଫଳାଫଳକୁ ଉପରୁ ଦେଖିଲେ ଲାଗିବ ଯେ ଏହା ଲାଲୁ- ନିତୀଶ ଯୋଡ଼ିଙ୍କ ପାଇଁ ଏକ ବୃହତ ବିଜୟ। ଟିକେ ତଳେଇ ବିଶ୍ଳେଷଣ କଲେ ଜାଣି ହେବ ଯେ ଏହି ସମର୍ଥନର ଭିତ୍ତିଭୂମି ହେଉଛି ବିବିଧତା ଓ ଭାରତୀୟ ସଂସ୍କୃତିର ଉଦାରପନ୍ଥୀ ଚିନ୍ତାଧାରା। ଏହି ଚିନ୍ତାଧାରା ହିଁ ଭାରତୀୟ ସମ୍ବିଧାନକୁ ସାଂପ୍ରତିକ ପରିସ୍ଥିତିରେ ନୂଆ ଜୀବନ ପ୍ରଦାନ କରିଛି। ଶତାବ୍ଦୀ ଶତାବ୍ଦୀ ଧରି ଅବହେଳିତ ନିଷ୍ପେସିତ ହୋଇ ରହି ଆସିଥିବା ଦଳିତ ଓ ସଂଖ୍ୟାଲଘୁମାନଙ୍କୁ ଆଜି ଭୋଟ ର ଗୋଟିଏ ବଟନ ସମାଜର ଶକ୍ତିଶାଳୀ ଶ୍ରେଣୀର ସମକକ୍ଷ କରିପାରିଛି। ବିହାର ନିର୍ବାଚନର ଫଳାଫଳ ଏହି ଅବହେଳିତ, ନିଷ୍ପେଷିତ ଓ ବଞ୍ଚିତ ମାନଙ୍କ ପାଇଁ ଉତ୍ସବର ଅବସର ଆଣିଦେଇଛି ଓ ସେମାନେ ସମାଜର ମୁଖ୍ୟ ସ୍ରୋତରେ ସାମିଲ ହୋଇପାରିବେ ବୋଲି ଧାରଣାକୁ ଅଧିକ ଦୃଢୀଭୂତ କରିଛି।

image


ଲାଲୁଙ୍କୁ ପରିହାସ କରିବା କିମ୍ବା ତାଙ୍କୁ ଜୋକର ବୋଲି କହିବା ବହୁତ ସହଜ। ହେଲେ ଏକଥା ମଧ୍ୟ ସତ ଯେ ନିଷ୍ପେଷିତମାନଙ୍କ ସ୍ଵର ଉତ୍ତୋଳନ କରିବାରେ ଲାଲୁ ଜଣେ ବିପ୍ଳବୀ ମଧ୍ୟ। ମଣ୍ଡଳ କମିଶନ ରିପୋର୍ଟକୁ କାର୍ଯ୍ୟକାରୀ କରି ଶତାବ୍ଦୀ ଶତାବ୍ଦୀ ଧରି ଅବହେଳିତ ହୋଇ ରହି ଆସିଥିବା ଲୋକମାନଙ୍କୁ ସେ ମୁଖ୍ୟସ୍ରୋତକୁ ଆଣି ପାରିଛନ୍ତି। ଆମେ ଉଚ୍ଚ ଜାତିର ଲୋକମାନେ ଏହା ଦେଖିପାରି ନାହେଁ। ସେଥିପାଇଁ ବୋଧ ହୁଏ ଆମେ ଲାଲୁଙ୍କ ଅବଦାନକୁ ନ୍ୟୁନ ମନେ କରୁଛେ। ଏକଥା ସତ ଯେ ସମାଜର ନିମ୍ନ ସ୍ତରର ଲୋକମାନଙ୍କୁ ଅର୍ଥନୈତିକ ଦୃଷ୍ଟିକୋଣରୁ ସମ୍ପୂର୍ଣ୍ଣ ଭାବେ ସ୍ଵାବଲମ୍ବୀ କରିପାରିବା ପାଇଁ ଆବଶ୍ୟକ ଦୂରଦର୍ଶିତା ଲାଲୁଙ୍କ ପାଖରେ ନଥିଲା। ବୋଧ ହୁଏ ସେଥିପାଇଁ ହିଁ ଇତିହାସ ଅଧୁରା କାମକୁ ପୂର୍ଣ୍ଣ କରିବାକୁ ନିତୀଶଙ୍କୁ ବାଛିଥିଲା।

image


ନିତୀଶଙ୍କ ପାଖରେ ନୂଆ ମଡେଲ ଥିଲା। ସଂଖ୍ୟା ସହ ସମାଜର ଅବହେଳିତ ବର୍ଗଙ୍କୁ ଅର୍ଥନୈତିକ ଶକ୍ତିର ଆବଶ୍ୟକତା ରହିଛି ବୋଲି ନିତୀଶ ବୁଝି ପାରିଥିଲେ। ସେ ଅନେକ ଯୋଜନା ଆରମ୍ଭ କରିଥିଲେ ଯାହା ଏହି ଶ୍ରେଣୀ ପାଇଁ ସିଧାସଳଖ ଭାବେ ଲାଭଦାୟକ ହୋଇଥିଲା। ଆଶ୍ଚର୍ଯ୍ୟକର ମନେ ହେଲେ ବି ଏହା ସତ ଯେ ନଅ ବର୍ଷର ଶାସନ ପରେ ମଧ୍ୟ ନୀତିଶଙ୍କ ଲୋକପ୍ରିୟତା ଅକ୍ଷୁର୍ଣ୍ଣ ଥିଲା। ସେଥିପାଇଁ , ତାଙ୍କୁ ମହାଗଠବନ୍ଧନ ନିଜର ଚେହେରା ଭାବେ ପେଶ କରିଥିଲା। ଲାଲୁଙ୍କ ଉପସ୍ଥିତି ଓ ଜଙ୍ଗଲରାଜ ପୃଷ୍ଠଭୂମି ଏହି ଲୋକପ୍ରିୟତା ଉପରେ କୌଣସି ପ୍ରଭାବ ପକାଇ ପାରିଲା ନାହିଁ ଓ ବିହାରର ଲୋକେ ନିତୀଶଙ୍କ ଉପରେ ଆଉ ଥରେ ଆସ୍ଥା ପ୍ରଦର୍ଶନ କଲେ। ଅପର ପକ୍ଷେ, ବିଜେପି ପାଖରେ କୌଣସି ବିଶ୍ୱସନୀୟ ଚେହେରା ନଥିଲା। ବିକାଶ ଏଜେଣ୍ଡାରୁ ନିଜ ପ୍ରଚାର ଆରମ୍ଭ କରିଥିବା ବିଜେପି ସାମ୍ପ୍ରଦାୟିକତା ଭିତରେ ପଥଭ୍ରଷ୍ଟ ହୋଇଯାଇଥିଲା। ବିଜେପି ପାଇଁ ପ୍ରଚାରର ମଙ୍ଗ ଧରିଥିଲେ ମୋଦୀ। ମାତ୍ର ପ୍ରଧାନମନ୍ତ୍ରୀ ଭାବେ ତାଙ୍କ କାର୍ଯ୍ୟ ଲୋକଙ୍କ ଭିତରେ ବିଜେପି ପାଇଁ ବିଶ୍ୱାସ ଜନ୍ମେଇବାରେ ସମର୍ଥ ହୋଇ ପାରିନଥିଲା। ବିଜେପି ନିତୀଶଙ୍କ ଠାରୁ ଭଲ ସରକାର ଦେଇପାରିବ ଏହା ଲୋକଙ୍କର ହୃଦବୋଧ ହେଲା ନାହିଁ।

ବିହାରର ଜନ ସାଧାରଣ ଗରିବ ଓ ଅଳ୍ପ ଶିକ୍ଷିତ ହୋଇ ଥାଇପାରନ୍ତି, ମାତ୍ର ସେମାନେ ଅନେକ ବିପ୍ଲବ ଓ ଯୁଗାନ୍ତକାରୀ ଚିନ୍ତାଧାରାର ପଥ ପ୍ରଦର୍ଶକ। ସତୁରୀ ଦଶକରେ ଇନ୍ଦିରା ଗାନ୍ଧୀଙ୍କ ଏକଛତ୍ରବାଦ ଶାସନ ବିରୁଦ୍ଧରେ ବିହାରରୁ ହିଁ ବିପ୍ଲବର ଅୟମାରମ୍ଭ ହୋଇଥିଲା। ଆଡଭାନୀଙ୍କ ରଥଯାତ୍ରାକୁ ବିହାର ହିଁ ଅଟକାଇ ଥିଲା। ଗତ ତିରିଶ ବର୍ଷ ଭିତରେ ବିହାରରେ କୌଣସି ସାମ୍ପ୍ରଦାୟିକ ଦଙ୍ଗା ବା ବଡ ଧରଣର ଗଣ୍ଡଗୋଳ ହୋଇନାହିଁ। ବିହାର ଆଉ ଥରେ ଏହି ନିର୍ବାଚନ ମାଧ୍ୟମରେ ନିଜ ଶ୍ରେଷ୍ଠତାକୁ ପ୍ରତିପାଦିତ କଲା ଓ ଭାରତର ବିବିଧତାକୁ ପୁନର୍ଜୀବିତ କଲା। ଭୟର ବାତାବରଣ ଦୂର ନହେବା ଯାଏ ଜନ ସାଧାରଣଙ୍କର ଅର୍ଥନୈତିକ ଅଭିବୃଦ୍ଧି ସମ୍ଭବ ନୁହେଁ, ଏହା ହିଁ ହେଉଛି ବିହାର ନିର୍ବାଚନ ଫଳାଫଳର ମୁଖ୍ୟ ସନ୍ଦେଶ। ବର୍ତ୍ତମାନ ନିର୍ବାଚନ ସରିଯାଇଛି। ଦେଶ ଶାସନ ଦାୟିତ୍ଵରେ ଥିବା ବ୍ୟକ୍ତିବିଶେଷମାନେ ମିଳିତ ଭାବେ ଲୋକମାନଙ୍କ ଇଚ୍ଛାକୁ ପୂରଣ କରିବା ପାଇଁ କାମ କରିବେ ବୋଲି ଆଶା କରାଯାଏ।

ପୂର୍ବରୁ ସମ୍ବାଦିକତା କରୁଥିବା ଆଶୁତୋଷ ସମ୍ପ୍ରତି ଆମ ଆଦମି ପାର୍ଟିର ପ୍ରବକ୍ତା ଅଛନ୍ତି।ଏହି ମତାମତ ସଂପୂର୍ଣ୍ଣ ଭାବେ ତାଙ୍କର ନିଜସ୍ୱ।

Share on
close